କବିତା

ଫେରିଆରେ ଅତୀତ

Mohan Chandra Bisoyee's odia poem Feriaa Re Atita

ମନ ଖୋଜୁଛି ଅହରହ ଆଜି
ସେଇ ପୁରୁଣା ଦିନର ମିତ,
ତୋ ବିନା ତୁଚ୍ଛ ଲାଗେ ଜଗତ,
ତୁ ଫେରିଆ ରେ ଅତୀତ।

ଫେରିଆରେ ଅତୀତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଧାରୁଆ ନଈର ସତେ ଅବା
ତୁହି ଅଫେରା ବୋଇତ,
ଭାସି ଚାଲିଗଲୁ କେଉଁ ରାଇଜେ
ନଥାଇ ଆହୁଲା କାତ।

ଗନ୍ଧହୀନ କାସତଣ୍ଡି ପରି
ଚାହିଁଛି ତୋ ଫେରନ୍ତା ବାଟ,
ତୋ ବିନା ଆଉ ଲାଗେନା ଭଲ
ଫେରିଆ ରେ ଅତୀତ।

ଭାରି ମନେ ପଡେ ସେଇ
ପିଲାଦିନ ସାଙ୍ଗସାଥୀ ମେଳ,
କେତେ ଥଟାମଜା, ଗୁଲିଗପ,
ଆଉ ସ୍କୁଲପଡିଆର ଖେଳ।

ଶୁଣିବାକୁ ଆଉ ମିଳୁନାହିଁ ସେ
ବୁଢ଼ୀ ଅସୁରୁଣୀ କାହାଣୀ,
କେଉଁଠି ହଜିଗଲା ସତେ
ସେହି ପୁରୁଣା ବହି ବସ୍ତାନି।

କଥା କଥାକେ ସାଙ୍ଗ ମେଳେ
କରୁଥିଲେ କେତେ କଳି,
ଚୋରି କରୁଥିଲେ କାହା ବାଡିରୁ
ଆମ୍ବ,ବରକୋଳି,ପିଜୁଳି।

ଭାରି ଭଲ ଲାଗୁଥିଲା ସେଇ
କବାଡି, ବୋହୁଚୋରି ଖେଳ,
ଖରାବେଳେ ଆମ୍ବ ତୋଟା
ଆଉ ସଞ୍ଜବେଳେ ନଈକୁଳ।

କୁଆଡେ ଗଲା ସେ ଚାଳ ଚଟିଆର
ଖିଚିରି ମିଚିରି ଗୀତ,
ହଜିଗଲା ହଳିଆ ଗୀତ ଆଉ
ଗାଆଁ ବିଲର ସେ ପାଳ ଭୂତ।

ମନ ଖୋଜୁଛି ଅହରହ ଆଜି
ସେଇ ପୁରୁଣା ଦିନର ମିତ,
ତୋ ବିନା ତୁଚ୍ଛ ଲାଗେ ଜଗତ,
ତୁ ଫେରିଆ ରେ ଅତୀତ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top