କବିତା

ଜହ୍ନରାତିର ଗଜଲ

Manmath Kumar Dalei's odia poem Jahnaraatira Gajal

ଜହ୍ନକୁ କଣ
ଦଂଶନ କରେନି କରୋନା
ତା ବିଷାକ୍ତ ଦାନ୍ତରେ,
ସେ କଣ ରହେନି
ଏକୁଟିଆ ସଙ୍ଗରୋଧରେ ।

ଜହ୍ନରାତିର ଗଜଲ

ଜହ୍ନରାତିର ଗଜଲ
ଅମୃତ ପରି ମଧୂର,
ମାଆର ଲୋରି ଶୁଣି ଶୁଣି
ସେ ଶିଖିଛି ସୁର ଲୟ ତାଳ,
ସେଇଥିପାଇଁ ତ ପ୍ରତି ଜହ୍ନ ରାତିରେ
ଆକାଶର ହୃଦୟ ହୋଇଉଠେ ମାତୃମୟ
ତା ଅଗଣାରେ ଫୁଟେ ମମତାର ଫୁଲ ।

ଜହ୍ନର ଗଜଲରେ
ବଶୀଭୂତ ଜଙ୍ଗଲର ସବୁଜ ଯୌବନ,
ଜହ୍ନର ପ୍ରେମରେ ଉବୁଡୁବୁ
ପ୍ରେମିକ ଜଙ୍ଗଲ
ଧରଣୀ ରାଣୀର କପାଳରେ
ଅତି ସରାଗରେ ବୋଳିଦିଏ
ସୁଶୀତଳ ମଳୟ ଚନ୍ଦନ ।

ନଦୀ ପଠାର ମାଇଲ ମାଇଲ ବାଲିରେ
ଜହ୍ନ ଗଜଲ ଗାଇ ଗାଇ
କରେ ରାତ୍ରି ଭ୍ରମଣ,
ଥରେ ସେଠାକୁ ଯାଅ
ଦେଖିବ
ସେ କୋଳେଇ ନେବ ତୁମକୁ
ତା ସୁଶୀତଳ ବାହୁରେ,
ଶୁଣେଇବ ତୁମ ହୃଦଲାଖି
ମନମତାଣିଆ ଗଜଲ,
ସତ କହୁଛି
ସେଠାକୁ ଥରେ ଗଲେ
ତୁମେ ପଡିଯିବ ଜହ୍ନର ପ୍ରେମରେ ।

ସମୁଦ୍ର ଛାତିରେ
ବେଡ଼ସିଟ ପରି ବିଛେଇ ପଡେ
ଶୁଭ୍ର ଜୋଛନା,
ଆକାଶର ଅଗଣାରେ
ରଙ୍ଗୀନ ପୋଷାକ ପିନ୍ଧି
ନାଚୁଥାନ୍ତି କୁନି କୁନି ତାରାମାନେ
ଜହ୍ନର ଗଜଲ ତାଳେ ତାଳେ,
ଲାଗି ଯାଆନ୍ତାନି
ମୋ ଦେହରେ ଦୁଇଟି ଡେଣା
ମୁଁ ମହାନନ୍ଦେ ଉଡ଼ିବୁଲନ୍ତି
ଜହ୍ନର ଚାରିପାଖେ ।

ଜହ୍ନକୁ କଣ
ଦଂଶନ କରେନି କରୋନା
ତା ବିଷାକ୍ତ ଦାନ୍ତରେ,
ସେ କଣ ରହେନି
ଏକୁଟିଆ ସଙ୍ଗରୋଧରେ ।
ହଁ ରହୁଥିବ
ନୋହିଲେ କାହିଁକି ସେ
ଗଜଲ ଗାଇବା ପରିବର୍ତ୍ତେ
ମୁଣ୍ଡ ପିଟି କାନ୍ଦୁଥାଏ ଯନ୍ତ୍ରଣାରେ
ଅମାବାସ୍ୟାର ଅନ୍ଧାର ଗୃହରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top