କବିତା

ହାଟ ସରିବାପରେ

Jachindra Kumar Rout's odia poem Haata Saribaapare

ସନ୍ତେଇ ଉଠିଚି ବାରକଡ଼
ଭଣକିନା ଭାସିଆସୁଚି ମୁତୁରାଗନ୍ଧ
ଛଲକାଏ ପବନରେ
ମେଳା ଭାଙ୍ଗିଯାଇଛି ବୋଲି
ମିଠା ଦୋକାନ ମାଟିରେ
ମାଛିଙ୍କ ଭଣ ଭଣ ଉଡ଼ାଣ ।

ହାଟ ସରିବାପରେ

ଏସନ ହଡ଼ବଡ଼େଇଗଲା
ଓଳାଶୁଣୀ ମେଳା, ମାଓବାଦୀଙ୍କ ବିଜ୍ଞାପନରେ
ଡରି ଡରି ଆସିଲେ ଦୋକାନୀ
ଥରି ଥରି ଘୂରାଫେରା କଲେ
ଦେଖଣାହାରି,
ସଅଳ ସଅଳ ସରିଗଲା ମେଳା ।

ଝୋଳଲଗା ଖଲିପତ୍ରକୁ ଟଣାଟଣି କରି
କାଉମାନେ ହାଲିଆ
ଘୁମଉଛନ୍ତି ୟୁକାଲପଟାସ ଡାଳରେ
ଖଣ୍ଡିଆ ବରାଟା କଷିଦେଉଚି
କୁକୁରଙ୍କ ମର୍ଦ୍ଦାଙ୍ଗି
ଦଲକାଏ ପବନରେ ଉଡ଼ିଆସୁଛି
ଅଇଁଠାପତ୍ର, ପଲିଥିନ୍
ଚିରା ଟୁକୁରା ଯାତ୍ରା ଟିକଟ,
ଛନ୍ଦି ଦେଉଛନ୍ତି ପାଦ ।

ସନ୍ତେଇ ଉଠିଚି ବାରକଡ଼
ଭଣକିନା ଭାସିଆସୁଚି ମୁତୁରାଗନ୍ଧ
ଛଲକାଏ ପବନରେ
ମେଳା ଭାଙ୍ଗିଯାଇଛି ବୋଲି
ମିଠା ଦୋକାନ ମାଟିରେ
ମାଛିଙ୍କ ଭଣ ଭଣ ଉଡ଼ାଣ ।

ମାଟି ଦବିଯାଇଚି ଚଲାବୁଲାରେ
ମନୋହରୀ ଦୋକାନ ଯାଗାରେ
ରାସ୍ତାର ଦୁଇକଡ଼ରୁ
ସାଆଣୁଚିନା ଚହଲି ଆସୁଚି
ଆଇଁସିଣିଆ ଗନ୍ଧ
କୁଷ୍ଠରୋଗୀଙ୍କ ବସିବା ସ୍ଥାନରୁ
ମଠ, ମନ୍ଦିରଙ୍କ ରଙ୍ଗ ଦିଆକାନ୍ଥ
ଛଉକା ଛଉକା ଦିଶୁଚନ୍ତି
ଝାଉଁଳି ଯାଇଚନ୍ତି ଫୁଲମାନେ
ଶେତା ଦିଶୁଛନ୍ତି ମହନ୍ତ, ବାବାଜିମାନେ
ଦିନ ନଇଁ ପଡ଼ିଲା ବେଳେ
ଗୋଡ଼େଇ ଆସୁଚି ଅନ୍ଧାର
ବୁଢ଼ା ଦିନଟାକୁ
ଚାରିଆଡ଼ ଖାଁ ଖାଁ, ରା ରା. . .
ଶ୍ମଶାନରୁ ଫେରୁଛନ୍ତି ଶବବାହକମାନେ
କାଉଁରିଆ ଜାଳି, ଏବେ
ମେଳା ଭାଙ୍ଗିଯାଇଚି
ହାଟ ସରିଯାଇଚି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top