ସେଇ ଜଳଖିଆ ଦୋକାନରେ ମକୁ କାମ କରୁଥିଲା । ଏତେ ଛୋଟ ବୟସରୁ ବି ସକାଳୁ ରାତି ବାରଟା ଯାଏ ଖଟେ । ବେଳେବେଳେ ସାମାନ୍ୟ କାରଣରୁ ମାଲିକଠାରୁ ଗାଳିମାଡ଼ ଖାଏ । ସବୁ ଲୁହ ପୋଛି ପକେଇ ସେ କାମରେ ଲାଗିଯାଏ ।
ସେଦିନ କାଚ ଗ୍ଲାସଟିଏ ଭାଙ୍ଗି ଦେଲା ବୋଲି ମାଲିକ ତାକୁ କାଠ ଫାଳିଆରେ ନିସ୍ତୁକ ପିଟିଗଲା । ସେଇ ସମୟରେ ତା’ ବାପା ପହଞ୍ଚିଗଲେ । ପୁଅର ଅବସ୍ଥା ଦେଖି ତାଙ୍କ ଆଖିରୁ ବି ଦି’ବୁନ୍ଦା ଲୁହ ଝରି ପଡ଼ିଲା ।
ମକୁ କହିଲା, “ସେ ଗାଁକୁ ଚାଲିଯିବ । ଏତେ ମାଡ଼ ସେ ସହିପାରିବ ନାହିଁ ।”
ମକୁର ମୁହଁକୁ ଆଉଁସି ଦେଇ ତା’ ବାପା କହିଲେ, “ତୁ ମାଡ଼ ଖାଇଲେ ବି ପେଟକୁ ଗୁଣ୍ଡା ଖାଉଛୁ । ମୁଁ ସିନା ଏମିତି ମାଡ଼ ଗାଳି ଦେବିନି, ହେଲେ ପେଟ ପୁରା ଗୁଣ୍ଡା ଖାଇବାକୁ ଦେଇ ପାରିବନି ।”