ମୋତେ ଜାଣିପାରୁଛ ?
ବୋଧ ହୁଏ ମୋ ଜରାଜୀର୍ଣ୍ଣ ଶରୀରକୁ ଦେଖି
ଚିହ୍ନି ପାରୁନଥିବ
କେମିତି ବା ଚିହ୍ନିବ !
ଅଦିନରେ ଦୁଃଖର ଶ୍ରାବଣ ଆସି
ଲିଭେଇ ଦେଲା
ଧଳା କୋଠା ବକ୍ଷରେ ନୀଳରଙ୍ଗରେ
ଲେଖାଥିବା ନାଁ କୁ,
ଶରୀର ମୋର ଖଣ୍ଡ ବିଖଣ୍ଡିତ
କେତେ ପଶୁପକ୍ଷୀ, ସରୀସୃପ,
ମୋରି ଠେଇଁ ବସା ବାନ୍ଧିଛନ୍ତି,
ମୋ ପାଖ ବସ୍ତି ଛୋଟପିଲା ମୋତେ
ଭୁତ୍ ବଙ୍ଗଲା ବୋଲି ଜାଣନ୍ତି,
ତଥାପି, ଧୂଳିଧୂସର ପରିତ୍ୟକ୍ତ ଅବସ୍ଥା ରେ
ନିଜକୁ ସ୍ୱଚ୍ଛ ଦେଖେଇ
ମୁଣ୍ଡ ଟେକି ଛିଡ଼ା ହେଇଛି କେହି
ଅଗନ୍ତୁକଙ୍କ ଅପେକ୍ଷାରେ ।
ନିଇତି ଶୁଣୁଥାଏ ମୋ ପାଖ ଦେଇ
ବହିଯାଉଥିବା ଗୋବରୀ ନଈର
କୁଳୁକୁଳୁ ଶବ୍ଦ,
ବଡ଼ି ଭୋରରୁ ମନ୍ଦ୍ର ମଧୁର ତାନରେ ଶୁଣାଯାଏ
କେଉଁ ମଠ ମନ୍ଦିରର ପ୍ରାର୍ଥନା ତ
ମସଜିଦର ଅଜାନ୍,
ଦିନବେଳା ନାଲିକୋଠାରୁ ଭାସି ଆସେ
ବିଚାରକଙ୍କ ଅର୍ଡର ଅର୍ଡର ଅର୍ଡର,
ବେଳେ ବେଳେ ଭାବି ବସେ……..
ମୋ ପାଇଁ କିଛି ବିଚାର ବସନ୍ତାକି ,
ସାବିର୍ ଭାଇ ଗ୍ୟାରେଜର କେଁ କଟର ଶବ୍ଦ
ବସ୍ତିପିଲାଙ୍କ ମଦବୋତଲ ମାଡ଼ରେ
କାନଟା ଫାଟି ପଡ଼େ
ମୋ ଆତ୍ମା ବିଳାପୀ ଉଠେ ।
ଥରେ ନଜର ଫେରେଇ ଦେଖ ମୋତେ
ରଙ୍ଗୀନ୍ ପରଦା ପାଖେ ଝାପ୍ସା ଅନ୍ଧାରର
କୋଠରୀ ଭିତରେ ବୁଣିଦେଇ ଯାଉଥିବା
ସ୍ମୃତି କେମିତି ମୋ ଭିତରେ
ସମାଧି ନେବାକୁ ବସିଲେଣି
ମୋର ଏଇ ଭଗ୍ନ ପରିତ୍ୟକ୍ତ ଧୂଳି ଧୂସରିତ
ଅବସ୍ଥା ଦେଖି ତୁମକୁ କଷ୍ଟ ଲାଗେନା ?
କାହିଁକି ବା କଷ୍ଟ ଲାଗିବ
ତୁମେ ତ ଏବେ ସ୍ମାର୍ଟ ଜମାନାରେ ପାଦଥାପି
ସିନେପ୍ଲେକ୍ସ କୁ ନିଜର କରିଛ,
କେବେ ଭାବିଛ ମୁଁ ତୁମର ସେଇ
ଚୋରାପିରତିର ମୁକସାକ୍ଷୀ,
ମୋ ପାଇଁ ଛାଡ଼ି ଯାଉଥିବା କାଣିଚାଏ ପ୍ରେମକୁ
ଆଜି ବି ଚାରି କାନ୍ଥ ଭିତରେ
ଆବଦ୍ଧ କରି ରଖିଛି ।
ତୁମେ ମତୁଆଲା ହେଇ ଦେଖୁଥିବା
ସେଇ ରଙ୍ଗୀନ୍ ପରଦାର କିଛି ଅଂଶକୁ
ଆଜି ବି ଛାତିରେ ଜାବୁଡ଼ି ଧରିଛି,
ଭାରି ଇଚ୍ଛା ହୁଏ
କେହି ଜଣେ ଆସନ୍ତା କି ଧଳା ରୁମାଲ୍ ଧରି
ପୋଛି ଦେଇ କହନ୍ତା ରହ….
ଥୟଧର ଭାସ୍କର ଟକିଜ
ଇତିହାସ କଡ଼ ଲେଉଟାଉଛି ।