ଅଣୁଗଳ୍ପ

ମଲାମେଘ

Biraja Routray's odia short story Malaamegha

ହ୍ୱାଟ୍ସଆପ୍‌ରୁ ମୁହଁ ଫେରାଇ ତନିମା ଖୁବ୍ ଆତୁର ଓ ହତାଶାଭରା ଆଖିରେ ମୁହଁଟେକି ଚାହିଁଲା ଆକାଶ ଆଡ଼କୁ । ତାକୁ ଲାଗୁଥାଏ, ଉପରେ ଭାସି ବୁଲୁଥିବା ଦୁଇ ଚାରିଖଣ୍ଡ ମଲାମେଘ ଚାହିଁ ବି ବର୍ଷିପାରିବେ ନାହିଁ । ତା’ ଦୁଇ ଆଖିରେ ଅଧା ଜକେଇ ଆସୁଥିବା ଲୁହ ସେହିପରି ଟଳଟଳ ହୋଇ ରହିଥାଏ ମଲାମେଘ ପରି । ନା ଆକାଶରୁ ଛିଣ୍ଡୁଥାଏ ନା ଆକାଶ ବୁକୁକୁ ଫେରି ପାରୁଥାଏ ।

ଦୁଃସ୍ୱପ୍ନ ସବୁ ନଈର ଅତଡ଼ା ପରି, ଥିବେ ଥିବେ ଛାତିରୁ ପୋଷେ ମାଂସ ଖସିଲା ପରି ଅତର୍କିତ ଅଦୃଶ୍ୟ ଆକ୍ରମଣରେ କ୍ଷତବିକ୍ଷତ କରି ପକାଇବେ । ଠିକ୍ ସେହିପରି ଘଟିଥିଲା ତନିମାର ଜୀବନରେ ।

ତା’ ମଗଜର ସାବଲୀଳ ଚିନ୍ତାସ୍ରୋତକୁ ଅନେକାଂଶରେ ଦୋହଲାଇ ଦେଇଥିବା ସେଇ ଅବ୍ୟକ୍ତ ଅବରୁଦ୍ଧତା କବଳରୁ ଉନ୍ମୁକ୍ତିର ମାର୍ଗ ଖୋଜି ହେଉଥିଲା ସେ । ଭିତରେ ଭିତରେ ରହି ରହିକା ଉଠୁଥିବା ଅଣଚାଷ ପବନ ସବୁ ଅକଥନୀୟ ଶ୍ୱାସରୁଦ୍ଧତାରେ ତାକୁ କବଳିତ କରି ସମ୍ପୂର୍ଣ୍ଣ ନିରସ୍ତ୍ର କରି ପକାଉଥିଲେ । ତା’ କପାଳର ଦୁଇପଟରେ ଦକ୍‌ଦକ୍ କରି ଚାଲିଥାଏ ଅମାନିଆ ଶିରା । ଅସହ୍ୟ ବ୍ୟଥା ଦେଉଥିବା ମଥା ଉପରେ ଆଉ ପରସ୍ତେ ଅମୃତାଞ୍ଜନ ବୋଳି ପ୍ରଶମିତ କରିବାକୁ ଚେଷ୍ଟା କଲା । ସେଥିରେ କୌଣସି ଆଶୁ ସୁଫଳ ମିଳିଲା ନାହିଁ ।

ବ୍ୟତିବ୍ୟସ୍ତ ହୋଇ ବେଡ଼ରୁମ୍‌ରୁ ବାଲକୋନି ଯାଏଁ ଧାଇଁ ଆସିଲା । ବାଡ଼ା ଉପରେ ଦୁଇହାତ ରଖି ଜୋରରେ ଜୋରରେ ନିଶ୍ୱାସ ନେବାକୁ ଲାଗିଲା । ନିଜକୁ ଭିତରର ରୁଦ୍ଧାପଣରୁ ସାମାନ୍ୟ ସହଜ କରିବା ପାଇଁ ଚେଷ୍ଟାକଲା । ତଥାପି ସେଇ ଭାରୀପଣ ଜାବୋଡ଼ି ଧରିଥାଏ ମୁଣ୍ଡକୁ । ବିକଳ ହୋଇ ମୁଣ୍ଡଟେକି ଚାହିଁଲା ସାମ୍ନାକୁ । ଏକ ସତେଜ ନୀଳ ବୁକେ ପରି ଆଗରେ ଉଭା ହୋଇଥିଲା ଉତ୍ତୀର୍ଣ୍ଣ ସକାଳର ଆକାଶ । ଟିକେ ଫରକ୍ ଲାଗିଲା ତାକୁ । କିଛିକ୍ଷଣ ପାଇଁ ମନକୁ ଆସିଲା, ବାଥରୁମ୍‌ରେ ପିନ୍ଧିଥିବା ନାଇଟିକୁ ସହସା ବଦଳାଇବା ପରି ତା’ ରୁଗୁରୁଗୁ ଯନ୍ତ୍ରଣାର ବର୍ତ୍ତମାନଟିକୁ ଫୋପାଡ଼ି ଦେଇ ଏଇ ସତେଜ ନୀଳ ବୁକେକୁ ହାତ ବଢ଼ାଇ ଆପଣାଇ ନିଅନ୍ତା । ଭୁଲିଯାଆନ୍ତା ବାଲ୍କୋନି ବାଡ଼ାଘେରା ଏହି ବାଧାବନ୍ଧନକୁ! ମାତ୍ର କ’ଣ ଭାବି ପୁଣି କ୍ଷାନ୍ତ କଲା ନିଜକୁ । ହୁଏତ ଜାଣିଥିଲା, ତା’ର ଏଇ ଡେଣା ହଲାଉଥିବା କଅଁଳ ଇଚ୍ଛାଟି ଆକାଶର ସଶକ୍ତ ଲୌହକାନ୍ଥରେ ଧକ୍କା ଖାଇ ଲେଉଟି ଆସିବା ଛଡ଼ା ଆଉ କିଛି ନୁହେଁ !

ନିରାଶ ହୋଇ ସାମ୍ନାପଟ ଆକାଶରୁ ମୁହଁ ଫେରାଇ ଆଣିଲା । ଟେରାସ୍‌ର ଦୁଇପଟେ କୁଣ୍ଡରେ ସଜା ହୋଇଥିବା ଗଛ ଆଡ଼କୁ ଚାହିଁଲା । ସକାଳର ସଫେଦ୍ ଆଲୁଅ ବାଜି ସେହି ସବୁ ଗଛଗୁଡ଼ିକରେ ଏକ ନରମ ସବୁଜିମାର ହସ ଚହଟି ଉଠୁଥାଏ ।

ବେଲାନ୍ଦୁରର ପୁରୁଣା ଠିକଣାକୁ ଛାଡ଼ି ହ୍ୱାଇଟ୍‌ଫିଲ୍‌ଡ଼ର ଏହି ନୂଆ ଆପାର୍ଟମେଣ୍ଟକୁ ଆସିବା ପରେ ସେ ବାଲ୍କୋନିରେ ରଖିବା ପାଇଁ ପାଖ ନର୍ସରୀରୁ କ୍ରୋଟନ, ଆଲୋଭେରା, ମନିପ୍ଲାଣ୍ଟ, କାଲାଡିୟମ୍, ଡ୍ରାସିନା, କ୍ୟାକ୍ଟସ୍ ପ୍ରଭୃତି ଗଛସବୁ ନେଇ ଆସିଥିଲା । ଏଥିପ୍ରତି ତା’ର ଭାରି ଦୁର୍ବଳତା । ଜୀବନର ଏମିତି ଦିନଟିଏ ବି କଟିନି, ସେ ଯୋଉଠି ଯୋଉଠି ତା’ର ସ୍ଥାନ ବଦଳାଇଛି, ସେଇଠି ଯେତେ ଛୋଟ ପରିସର ହେଉ ବରଂ ସବୁଜିମାର ସାନ୍ନିଧ୍ୟରୁ ନିଜକୁ ବଞ୍ଚିତ ରଖିନାହିଁ । ଅନୁଗୁଳ ଛାଡ଼ି ବେଙ୍ଗାଲୁରୁକୁ ଚାକିରିରେ ଯୋଗଦେବାକୁ ଯେବେ ବାହାରିଥିଲା, ଗଛ ପ୍ରତି ତା’ର ଏହି ଆସକ୍ତିକୁ ଦେଖି ମାମା ଏହି ପ୍ରସଙ୍ଗକୁ ଉଠାଇଥିଲେ । କହିଥିଲେ, “ଏଠି ସିନା ବାଡ଼ିବଗିଚା ଘେରା ପରିବେଶରେ ବଢ଼ିଛୁ ବୋଲି ଗଛଲତାଙ୍କ ପ୍ରତି ତୋର ଅଜଣା ଡୋର ଲାଗିଯାଇଛି । ହେଲେ, ବେଙ୍ଗାଲୁରୁ ତ ମେଟ୍ରୋ ସହର । ସେଠି ଆପାର୍ଟମେଣ୍ଟର ନିବୁଜ ଜୀବନ ଭିତରେ କୋଉଠି ଅବା ଏ ସବୁ ପାଇବୁ?”

ସେ ତତ୍‌କ୍ଷଣାତ୍ ଉତ୍ତର ଫେରାଇ କହିଥିଲା । “ଏଠୁ ଗଲେ ଗୋଟିଏ ବଡ଼ ଭରପୁର ବଗିଚା ପାଖରୁ ଦୂରେଇ ଯିବି ସତ; ହେଲେ, ସେଠି ପାଖରେ ଦୁଇକେନା ସବୁଜ ପତ୍ର କ’ଣ ରଖିବା ମନା! ”

ଏବେ ସେହି ବାଲକୋନିର ଟେରାସ୍‌ରେ ସଜେଇଥିବା ଦୁଇକେନା ସବୁଜ ପତ୍ରର ସତେଜପଣ ତା’ର ବିକ୍ଷୁବ୍ଧ ମନକୁ ବୋଧ ଦେବାରେ ଥାଏ ଅସମର୍ଥ । ଯେତେ ନିଜକୁ ଅନ୍ୟମନସ୍କ କରାଇଲେ ବି ଭିତରର ଛଟପଟ ଥମିବାର ନା’ ଧରୁନଥାଏ । ଅସ୍ଥିର ହୋଇ ଉଠି ପୁଣିଥରେ ହାତମୁଠାରେ ଥିବା ମୋବାଇଲ ସ୍କ୍ରିନ୍କୁ ଟଚ୍ କଲା । ଅତି ବ୍ୟଗ୍ରତାର ସହିତ ହ୍ୱାଟ୍ସଆପ୍ ଖୋଲି ଅମନ୍‌କୁ ପଠାଇଥିବା ମେସେଜ୍ ଆଡ଼େ ଚାହିଁଲା ।

“ଡ୍ୟାମ୍ନ… ଏ ପର୍ଯ୍ୟନ୍ତ ଦେଖିନି ! କି ଜାଣିକି ଆଭଏଡ୍ କରୁଛି?” ମନେ ମନେ ବିରକ୍ତି ପ୍ରକାଶ କରି ଗୁଣୁଗୁଣୁ ହୋଇ ଉଠିଲା ତନୁ । ଗତ ରାତିସାରା ଛଟପଟ ହୋଇ କାଟିବା ଭିତରେ ମନକଥାକୁ ଏକ ଲମ୍ବା ଚିଠିରେ ଟାଇପ୍ କରି ଛାଡ଼ିଦେଇଥିଲା ଅମନ୍ର ହ୍ୱାଟ୍ସଆପ୍‌କୁ।

ମାତ୍ର କେଇ ଘଡ଼ିର ଛାଇନିଦ ପରେ ପୂର୍ବବତ୍ ଆଜି ସକାଳୁ ଉଠିବାଟା ଟିକେ ବିଳମ୍ବ ହୋଇଥିଲା । ଉଠିବା ପରଠୁ ୟା’ ଭିତରେ ପ୍ରାୟ ଦଶଥର ଯାଏଁ ହ୍ୱାଟ୍ସଆପ୍ ଖୋଲି ଦେଖିସାରିଲାଣି । ତଥାପି ଅମନ୍ ଜାଣି ଜାଣି ତା’ ମେସେଜ୍‌କୁ ଅଣଦେଖା କରି ରଖିଛି । କାହିଁକି ନା, ସେ ଭଲ ଭାବରେ ତା’ର ଜୀବନଚର୍ଯ୍ୟା ସହ ପରିଚିତ । ଉଠିବା ମାତ୍ରେ ସେ ଆଗେ ମୋବାଇଲ ଖୋଲି ତା’ ଅଫିସ୍ର ବସ୍ ଓ ଉପର ସିନିୟରଙ୍କୁ ଗୁଡ୍ ମର୍ଣ୍ଣିଂ ମେସେଜ୍ ପଠାଏ । ସେ କ’ଣ ଏଯାଏଁ ଦେଖି ନଥିବ ତା’ ଆଡୁ ଏହି ମେସେଜ୍ ଯାଇଛି ବୋଲି ? ପ୍ରଶ୍ନ ଆଉ ନିରାଶାର ଏକ ମିଶ୍ରିତ ବିଷର୍ଣ୍ଣ ଛାଇ ଅଦୃଶ୍ୟ ବିବଶତାରେ ଢାଙ୍କି ପକାଉଥାଏ ତନିମାର ମୁଖମଣ୍ଡଳକୁ ।

ସେ ବିବାକ୍ ହୋଇ ଫେରି ଚାହିଁଲା ପଛରେ ଛାଡ଼ି ଆସିଥିବା ସେହି ଦୋ’ ଛକି ରାସ୍ତାକୁ, ଯେଉଁ ଛକରେ ସମୟର ଏକ ମଧୁର ସଂଯୋଗକ୍ରମେ ପରିଚୟ ହୋଇଥିଲା ଅମନ୍ ସହିତ । ଅମନ୍ର ଘର ଗୁଜୁରାଟର ଅହମ୍ମଦାବାଦ ନଗରରେ । ସଫଳତାର ସହିତ ଏମ୍‌ସିଏ ପାସ୍ କଲାପରେ ସେହି ଏକାବର୍ଷ ଦୁହେଁ ଆକ୍ସେଞ୍ଚର ଆଇଟି କମ୍ପାନୀ ଦ୍ୱାରା ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ । ଉଭୟ ସହକର୍ମୀ ରୂପେ କାମ କରୁ କରୁ ପରସ୍ପରର ବନ୍ଧୁ ପାଲଟି ଯାଇଥିଲେ । ଛୁଟି ଦିନରେ ପ୍ରାୟ ଦୁହେଁ ଏକାଠି ପାର୍କ, ମଲ୍ଟିପ୍ଲେକ୍ସ, କାଫେ ଆଦିରେ ସମୟ କାଟୁ କାଟୁ ସେହି ବନ୍ଧୁତା ଘନିଷ୍ଠତାରେ ରୂପାନ୍ତରିତ ହୋଇଥିଲା ।

ଥରେ କୋରମଙ୍ଗଳ ଚର୍ଚ୍ଚଷ୍ଟ୍ରିଟ୍‌ର ଏକ ମୁକ୍ତ କଫିହାଉସ୍‌ରେ ବସି ରବିବାର ଅପରାହ୍ନକୁ ରହି ରହି କପ୍‌ରେ ଓଠ ଛୁଆଁଇ ଉପଭୋଗ କରୁଥିଲେ ଦୁହେଁ । ସାମ୍ନା ସବୁଜ ଲନ୍‌ରେ ଅସ୍ତସୂର୍ଯ୍ୟର ସୁନାଖରା ଏକ ରୋମାଞ୍ଚଭରା ପରିବେଶର ମାୟାଜାଲ ବୁଣିଥାଏ । ଅମନ୍‌ର ମନ ତଳର କଥା ଜାଣିବାକୁ ସେ ପଚାରି ବସିଲା, “ଆମ ଦୁହିଁଙ୍କ ଏହି ବନ୍ଧୁତାର ଚଲାବାଟର ଲକ୍ଷ୍ୟ କୁଆଡ଼େ?”

ତା’ ଠାରୁ ହଠାତ୍ ଏପରି ଏକ ଅପ୍ରତ୍ୟାଶିତ ପ୍ରଶ୍ନଶୁଣି ଟିକେ ଅପ୍ରସ୍ତୁତ ହୋଇପଡ଼ିଲା ଅମନ୍ । ମୁହଁ ବୁଲାଇ ଏକ ଲୟରେ ବେଙ୍ଗାଲୁରୁ ଆକାଶ ଧଡ଼ିକୁ ଛୁଉଁଥିବା ସୁଉଚ୍ଚ କୋଠାସବୁର ଅଙ୍କାବଙ୍କା ଗାରକୁ ନିର୍ଲିପ୍ତ ଭାବରେ ଚାହିଁ କହିଥିଲା, “ଏଇ ଯେଉଁ କୋଠାର ଉଚ୍ଚା ଉଚ୍ଚା ସ୍କାଏଲାଇନ୍ ଦେଖୁଛ, ମୁଁ ତାହାର ଆହୁରି ସେପଟକୁ ଦେଖୁଛି । ମୋତେ ଏବେ ଆଗକୁ କେବଳ ତାହା ହିଁ ଦିଶୁଛି ।”

– “ମୁଁ କ’ଣ ପଚାରୁଛି ବୁଝିପାରିଲନି ବୋଧେ!” ବିସ୍ମୟଭରା ଆଖିରେ ଅମନ୍ ଆଡ଼କୁ ଚାହିଁ ପୁଣି ଦୋହରାଇ ଥିଲା, ତା’ର ପଚାରିଥିବା ପ୍ରଶ୍ନକୁ ତନିମା ।

– “ତମେ ପଚାରିଥିବା ପ୍ରଶ୍ନକୁ ଠିକ୍ ବୁଝିଛି । ହେଲେ, ମୋ ଉତ୍ତରଟା ଟିକେ ପରୋକ୍ଷ ହୋଇଯାଇଥିଲା ।”

ମୁହଁରେ ଟିକେ ରହସ୍ୟଭରା ସ୍ମିତହସ ଖେଳାଇ ଏଥର ମନକଥାକୁ ଆଉଟିକେ ସ୍ପଷ୍ଟ କଲା, “ମୋ ଆଖି ଆଗରେ ଏବେ କେବଳ ସିଲିକନ୍ ଭ୍ୟାଲିର ସ୍ୱପ୍ନ । ଯେତେ ଶୀଘ୍ର ସେଇ ସ୍ୱପ୍ନର ଭୂଖଣ୍ଡକୁ ଛୁଇଁବାରେ ମୋର ଅଭିଳାଷ ରହିଛି । ତା’ପରେ ଯାଇ ମୁଁ ଅନ୍ୟ ବିଷୟରେ ଚିନ୍ତା କରିପାରେ ।”

– ସବୁ ଆଇଟି ପ୍ରଫେସନାଲ୍ ଏଇଠୁ ଯାଇ ୟୁଏସ୍ଏରେ ଏଷ୍ଟାବ୍ଲିସ୍ ହେବେ, ଏମିତି କିଛି ମାନେ ଅଛି କି ? ତମ ଉଚ୍ଚ ଆକାଂକ୍ଷାକୁ ମୁଁ ସମ୍ମାନ ଦିଏ । ତା’ ବୋଲି ଜୀବନର ଯୋଉ ମୋଡ଼ରେ ଯେଉଁ ନିଷ୍ପତ୍ତି ନେବାକଥା ତାକୁ ଅଣଦେଖା କରିବା ଠିକ୍ ନୁହେଁ ବୋଲି ମୁଁ ଭାବୁଛି ।” କହି ଚୁପ୍ ରହିଲା ତନିମା ।

ଦୂର ଆକାଶରୁ ଦୃଷ୍ଟି ଫେରାଇ ତା’ ଆଡ଼କୁ କିଛି ସମୟ ଏକ ଲୟରେ ଚାହିଁ ଅମନ୍ ସୂତାରୁ ଗଣ୍ଠି ଫିଟାଇବା ପରି ଖୋଲି କହିଥିଲା, “ଯେପର୍ଯ୍ୟନ୍ତ ଚାହୁଁଥିବା ମୋର ଈପ୍ସିତ ଭବିଷ୍ୟତ ଗୋଟେ ସାକାର ରୂପ ନ ନେଇଛି, ମୁଁ ଚାହେଁ ଆମେ ଏ ସମ୍ପର୍କରେ ବନ୍ଧୁତା ରହୁ । ପ୍ରେମ ରହୁ । କିନ୍ତୁ ଏ ସମ୍ପର୍କର କୌଣସି ନାଁ ନରହୁ । ମାନେ… ଲିଭ୍-ଇନ୍‌ର ସମ୍ପର୍କ ।” କହି ନିଜ ହାତ ପାପୁଲିକୁ ଉନ୍ମୁକ୍ତ ରଖି ବଢ଼ାଇଦେଇ ଚାହିଁଲା ତା’ ଆଡ଼କୁ ।

ସେଇ କେଇ ମୁହୂର୍ତ୍ତ ଅସମ୍ଭବ ସନ୍ଧିକ୍ଷଣରେ ପକାଇ ଦେଇଥିଲା ତନିମାକୁ । ଏକ ଅଦୃଶ୍ୟ ବୁଢ଼ିଆଣି ଜାଲର ସୂତାରେ ଶ୍ୱାସରୁଦ୍ଧ ପ୍ରାୟ ହୋଇଯାଉଥାଏ ତା’ର ଚେତନାର ବଳୟ । ଭାବିପାରୁ ନଥାଏ, ସମାଜ ଟାଣିଥିବା ତିନିଗାରର ବନ୍ଧନୀ ଭିତରେ ରହି ଏ ନାମହୀନ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିବ, ନା ଗାର ଲଂଘିବାର ଦୁଃସାହସ କରିବ ? ପାହାଡ଼ ପରି ଲଦିହୋଇ ପଡ଼ିଥିବା ଗୋଟିଏ ଭାରାକ୍ରାନ୍ତ ବିବ୍ରତପଣରେ ଅସ୍ତବ୍ୟସ୍ତ ହୋଇ ଚାହିଁଲା ବାହାର ଲନ୍ ସେପଟେ ସୁସଜ୍ଜିତ ରାସ୍ତାକୁ । ପରିଚ୍ଛନ୍ନ ରାସ୍ତାର ଦୁଇପାଶ୍ୱର୍ରେ ସଯତ୍ନବର୍ଦ୍ଧିତ ଗଛଗୁଡ଼ିକର ଶୋଭାରାଜି । ଯେଉଁ ରାସ୍ତାରେ ପଥିକ ଅନେକ । ଚାରିପଟ ସମାଜର ନୀତି ଆଉ ନିୟମର ବନ୍ଧନଘେରା ସେହି ସୁଶୋଭିତ ନିରାପଦ ଚଲାପଥ । ମୁହଁ ଫେରାଇ ଆଣିଲା ସେହି ଦୃଶ୍ୟରୁ । ପୁଣିଥରେ ଚାହିଁଲା, କଫି ଟେବୁଲ ଉପରେ ଉନ୍ମୁକ୍ତ ପାପୁଲି ବଢ଼ାଇ ପଡ଼ିଥିବା ଅମନ୍‌ର ହାତ ଆଡ଼େ । ତାହା ଥିଲା ଯେପରି ଫୁଲ ଓ କଣ୍ଟାଝଟାରେ ଭରପୂର ଏକ ଅମଡ଼ାବାଟ ।

ଯାହା ବି ହେଲେ ତାକୁ ଏହି ଦୁଇଟି ଭିତରୁ କାହାକୁ ତ ବାଛିବାକୁ ହେବ ? କିଛି ଗୋଟେ ନିଷ୍ପତ୍ତି ତ ନେବାକୁ ହେବ ? ସେଇ ଚରମଲଗ୍ନରେ ଆଉ ଥରେ ଚାହିଁଲା ଅମନ୍‌ର ମୁହଁକୁ । ଧାରେ ଜହ୍ନକିରଣ ପରି ପାଛୋଟି ନେବାକୁ ହସ ହସ ମୁହଁରେ ତା’ ଆଡ଼କୁ ଚାହିଁ ରହିଥାଏ ଅମନ୍ । ବାସ୍, ଆଉ ଅଧିକ ଠିକ୍ ଆଉ ଭୁଲ୍‌ର ଛକିଶୂନରେ ଘାଣ୍ଟି ହେବାକୁ ଚାହିଁଲା ନାହିଁ । ଉନ୍ମୁକ୍ତ ଆମନ୍ତ୍ରଣରେ କଫି ଟେବୁଲ ଉପରେ ପଡ଼ି ରହିଥିବା ଅମନ୍‌ର ହାତ ପାପୁଲିରେ ସମ୍ମତିର ହାତ ଥାପିଥିଲା ତନିମା ।

ଆରମ୍ଭ ହୋଇଥିଲା ଦୁହିଁଙ୍କ ସମ୍ପର୍କର ଏକ ନୂତନ ଯୁଗଳବନ୍ଦୀ । ଯେଉଁ ଯୁଗଳବନ୍ଦୀରେ ଅଗ୍ନିକୁ ସାକ୍ଷୀରଖି ସାତଘେରା ନେବାର କର୍ମକାଣ୍ଡ ନଥିଲା କିମ୍ବା ବିବାହ ରେଜିଷ୍ଟ୍ରେସନ୍ ପ୍ରମାଣପତ୍ରର ଆବଶ୍ୟକତା ନଥିଲା । ସମାଜଶାସ୍ତ୍ରର ଶବ୍ଦକୋଷ ବାହାରେ ଥିବା ସମ୍ପୂର୍ଣ୍ଣ ନାମହୀନ ଏଇ ସମ୍ପର୍କ । ଗୋଟିଏ ଅଦୃଶ୍ୟ ଛତା ତଳେ ନୀଡ଼ ବାନ୍ଧିବାକୁ ବାହାରିଥିବା ଦୁଇ ମନର ସହମତି ।

ଏହାପରେ ବେଙ୍ଗାଲୁରୁରେ ଅମନ୍ ରହୁଥିବା ଆପାର୍ଟମେଣ୍ଟର ହାଉସ୍ ନଂ ଦୁଇଶହ ଷୋହଳ ପାଲଟି ଯାଇଥିଲା ତା’ର ନୂଆ ଠିକଣା । ପୂର୍ବରୁ ନିଜେ ରହୁଥିବା ରୁମ୍‌କୁ ଛାଡ଼ି ଅମନ୍ ପାଖକୁ ଚାଲିଆସିଥିବାରୁ ତାକୁ ହିଁ ବେଶୀ ସମ୍ମୁଖୀନ ହେବାକୁ ପଡ଼ିଥିଲା ସାମାଜିକ ଝଡ଼ର । କାରଣ ପ୍ରଥମତଃ, ସେ ଝିଅ ଥିଲା । ଗୋଟିଏ ମଧ୍ୟବିତ୍ତ ଶୃଙ୍ଖଳାବଦ୍ଧ ପରିବାରରୁ ଆସିଥିଲା । ଏପରିକି କାଲି ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ବନ୍ଧୁତାର ଆଖିରେ ଦେଖୁଥିବା ଅଫିସ୍‌ର ସହକର୍ମୀମାନେ ମଧ୍ୟ ଦୁହିଁଙ୍କର ଏହି ନୂଆ ଲିଭ୍-ଇନ୍ ସମ୍ପର୍କ ଜାଣିବା ପରେ ଭିନ୍ନ ଏକ ନକରାତ୍ମକ ଚାହାଣିରେ ଦେଖିବା ଆରମ୍ଭ କରିଦେଇଥିଲେ ।

କିଛିଦିନ ଯାଏଁ ନିଜ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଲୁଚାଇ ରଖିବାକୁ ଚାହିଁଲା ପରିବାର ଲୋକଙ୍କଠାରୁ । ଚେଷ୍ଟାକରି ମଧ୍ୟ ସାହାସ କୁଳାଇ ପାରୁ ନଥାଏ । କାରଣ ସେ ଭଲଭାବରେ ଜାଣିଥାଏ ତା’ର ଏହି ମୁକ୍ତ ବିହଙ୍ଗ ପରି ଅପାରମ୍ପରିକ ଭାବେ ସ୍ୱାଧୀନ ଜୀବନଧାରାର ନିର୍ଣ୍ଣୟ ସେମାନଙ୍କ ଅବିଚଳିତ ବିଶ୍ୱାସରେ ଭୂକମ୍ପ ଆଣିଦେବ । ଦୁଇଫାଳ କରି ଚିରିଦେବ ସେମାନେ ପୋଷଣ କରିଥିବା ପୁଞ୍ଜିଭୂତ ବିଶୁଦ୍ଧ ଭାବନାର ଅସ୍ତିତ୍ୱକୁ ।

ମାତ୍ର ସତର ରୂପ ସବୁବେଳେ ସୂର୍ଯ୍ୟକିରଣର ତେଜ ପରି । ଯେତେ କଳାବାଦଲର ପଟଳ ଦେଇ ତାକୁ ଘୋଡ଼ାଇ ରଖିଲେ ବି ଦିନେ ନା ଦିନେ ଅସୀ ପରି ତାକୁ ଭେଦକରି ସତର କିରଣ ମାଟିକୁ ଛୁଇଁବ ହିଁ ଛୁଇଁବ ।

ଦିନେ ଅଫିସ୍‌ରୁ ଫେରି ଅମନ୍ ଓ ସେ ଫ୍ରେସ୍ ହୋଇ ଡ୍ରଇଁରୁମ୍‌ରେ ବସି ରହିଥିବା ବେଳେ ମାମାର ଭିଡ଼ିଓ କଲ୍ ଆସିଲା । ସେ ଦୁହିଁଙ୍କ ପାଇଁ କପ୍‌ରେ କଫି ଢାଳି ରଖୁଥାଏ । ହଠାତ୍ ମୋବାଇଲରେ ମାମାର ଏହି କଲ୍ ଦେଖି ଛନକା ପଶିଯାଇଥିଲା । “ଏହା ଭିତରେ ମାମା ତାକୁ କେବେ ଭିଡ଼ିଓ କଲ୍ କରିନାହିଁ । ତେବେ କ’ଣ ପାଇଁ ଆଜି କରିଛି?” ଆଶଙ୍କିତ ହୋଇ ପଡ଼ି କଲ୍‌ଟି ଉଠାଉ ଉଠାଉ ସେପଟୁ ଗର୍ଜିଉଠିଲା ମାମା, “ମୋତେ ଏହି କଲ୍‌ରେ ତୋ ଆପାର୍ଟମେଣ୍ଟ ଘୂରାଇ ଦେଖା ! ଭାବୁଚୁ ଆମ ପାଖରେ କିଛି ଖବର ପହଞ୍ଚିନାହିଁ ! ଘର ବଦଳେଇ ତୁ ଆସି ଏବେ କୋଉଠି ରହୁଛୁ । କାହା ସାଙ୍ଗରେ ମିଶି ରହୁଛୁ, ସେ କଥା ଆମକୁ ଆଉ ଅଛପା ନାହିଁ ! ସାହିପଡ଼ିଶା ଓ ବନ୍ଧୁବାନ୍ଧବରେ ଏକଥା ପ୍ରଘଟ ହେଲେ କ’ଣ ହେବ ଭାବି ତୋ ବାପାଙ୍କୁ ନିଦ ନାହିଁ । ହାଇପ୍ରେସର, ଯାହା ଔଷଦ ଖାଇଲେ ବି ନିୟନ୍ତ୍ରଣକୁ ଆସୁନାହିଁ । ଏୟା ତୁ କଲୁ ଶେଷରେ ତନୁ?” ଗରଳବାନ୍ତି ପରି ସବୁ ରାଗତକ ଏକାଥରେ ଓଜାଡ଼ି ଅତିଶୟ କ୍ଷୋଭରେ ସେପଟୁ କଲ୍ କାଟି ଦେଇଥିଲେ ମାମା ।

ଗୋଟିଏ ଝଡ଼ପରର ବିବର୍ଣ୍ଣ ବସୁଧା ପରି ଦେଖାଯାଉଥିଲା ତନିମାର ମୁଖମଣ୍ଡଳ । ପୁଣି ତା’ ଭିତରେ ଠିକ୍ ଆଉ ଭୁଲ୍ ହିସାବର ଅଙ୍କ ମୁଣ୍ଡଟେକି ତାକୁ ବିଷାଦଗ୍ରସ୍ତ ଓ ଅନ୍ୟମନସ୍କ କରି ପକାଉଥାଏ । ଏତିକିବେଳେ ତା’ କାନ୍ଧ ଉପରେ ଅମନ୍‌ର ହାତ ଛୁଆଁକୁ ବାରି ଚାହିଁଲା । ତା’ର ଦୁଇ ଆବେଗଭରା ଆଖି ବାହୁମେଲି ଏକ ଅସୀମ ପ୍ରଶସ୍ତପଣରେ ଆପଣାଇ ନେବାକୁ ଉଦ୍ୟତ ହୋଇ ଚାହିଁଥାଏ ତା’ ଆଡ଼କୁ । ସେତିକି ଯେପରି ଯଥେଷ୍ଟ ଥିଲା ତା’ ଅନ୍ତରର ଦ୍ୱନ୍ଦ୍ୱକୁ ପ୍ରଶମିତ କରିବା ପାଇଁ । ଅବିଳମ୍ବେ ସମର୍ପି ଦେଇଥିଲା ନିଜକୁ ଅମନ୍‌ର ଆଶ୍ୱାସନାଭରା ବାହୁବନ୍ଧନରେ ।

ଏହା ଭିତରେ ଦୁଇବର୍ଷ ଅତିବାହିତ ହୋଇଯାଇଛି । ଚାରିକାନ୍ଥ ଓ ଗୋଟିଏ ଛାତତଳେ ସେମାନଙ୍କ ଲିଭ୍-ଇନ୍ ସମ୍ପର୍କର ଯୁଗ୍ମଜୀବନ କାବ୍ୟରେ ସମୟର ନୂଆ ନୂଆ ପ୍ରତ୍ୟାଖ୍ୟାନର ଫର୍ଦ୍ଧ ଯୋଡ଼ି ହୋଇଛି । ଅନେକ ଚିହ୍ନାଅଚିହ୍ନା ପ୍ରିୟ ପରିଜନ ହାତ ଛାଡ଼ିଛନ୍ତି । କେବେ ଘରମୁହାଁ ହୋଇ ଓଡ଼ିଶା ଯିବା ପାଇଁ କଦାପି ସାହସ କରିପାରି ନାହିଁ । ମାମା କେବେ ଫୋନ୍ କରେନି । ବାପାଙ୍କ କଥା ତ ପ୍ରଶ୍ନ ଉଠୁନାହିଁ । ସେ ମଝିରେ ମଝିରେ ନିଜ ଆଡୁ କଲ୍ କରେ । ମାମା ରିସିଭ୍ କରେ ସତ; କିନ୍ତୁ ତା’ ସ୍ୱରରେ ପୂର୍ବ ଆନ୍ତରିକତା ନଥାଏ । ଦେହର ଭଲମନ୍ଦ କଥା ପଚାରି ବସିଲେ ଚାରିପାେଞ୍ଚାଟି ଶବ୍ଦ କିମ୍ବା ହଁ-ନାଇଁରେ କଥା ସାରେ । ମାତ୍ର ଏସବୁ ସେପରି କୌଣସି ଫରକ ପକାଇ ପାରିନଥାଏ ତାଙ୍କ ଲିଭ୍-ଇନ୍ ସମ୍ପର୍କରେ ।

ଦିନର ଅଧାସମୟ ଅଫିସ୍‌ର କର୍ମବ୍ୟସ୍ତତା, ବାକି ଅଧା ସମୟ ଟୁ’ ବିଏଚ୍‌କେ କୋଠରୀ ମଧ୍ୟରେ ପ୍ରିୟ ବନ୍ଧୁ ସହ ପ୍ରେମର ପୃଥିବୀରେ । ଅଧିକାଂଶ ସପ୍ତାହାନ୍ତ ଛୁଟିରେ ଆଉଟିଙ୍ଗ୍ ପ୍ରୋଗ୍ରାମ୍‌ରେ ହାଲୁକା ହୋଇଯାଉଥାଏ ମଝିରେ ମଝିରେ ମୁଣ୍ଡକୁ ଭାରାକ୍ରାନ୍ତ କରୁଥିବା ଏହିସବୁ ଚିନ୍ତା ।

ବେଙ୍ଗାଲୁରୁ ମେଟ୍ରୋ ସହରର କ୍ରମବର୍ଦ୍ଧିଷ୍ଣୁ ବିଶାଳ କଳେବର ଭିତରେ ସେମାନଙ୍କ ଯାତ୍ରା ଥିଲା କୋଳାହଳହୀନ । କହିବାକୁ ଗଲେ ଏକରକମ ବନ୍ଧୁ ପରିଜନହୀନ । ତଥାପି ଏସବୁ ଅଭାବପଣ ଭିତରେ ପ୍ରଥମେ ପ୍ରଥମେ ଏ ଯାତ୍ରାରେ ଗୋଟିଏ ଛନ୍ଦଥିବା ପରି ଲାଗୁଥିଲା । କୌଣସି ନାମ ନଥିଲା ନାହିଁ, ଦୁଇଟି ହୃତ୍ପିଣ୍ଡ ପରସ୍ପର ହାତ ଧରି ବାଟ ଚାଲିବାର ସଙ୍ଗୀତରେ ଥିଲେ ମୁଖର ।

ତଥାପି ସମ୍ପର୍କର ଏହି ନିବିଡ଼ତା ଫାଙ୍କରେ ସେ ଅନୁଭବ କରୁଥିଲା ଯେପରି ସେହି ଯୁଗଳ ଯାତ୍ରାର ଚଲାପଥରେ ଛନ୍ଦହୀନତାର କଳାବାଦଲ କ୍ରମଶଃ ଆଚ୍ଛାଦିତ କରି ଚାଲିଛି ।

ନାମହୀନ ହୋଇ ବଞ୍ଚିବାର ବି ଗୋଟେ ସୀମା ଥାଏ । ସମ୍ପର୍କର ନଈରେ ଯେ ସବୁଦିନ ଉଚ୍ଛୁଳା ଆବେଗର ଜୁଆର ଭରି ରହିଥିବ, ତାହା ମାନେ ନାହିଁ । ତନିମା ଚାହୁଁଥିଲା ସେଇ ଆବେଗର ଜୁଆର ଭଟ୍ଟା ପଡ଼ିବା ଆଗରୁ ସମୁଦ୍ରର ଠିକଣାକୁ ଛୁଇଁଯାଉ । ସେମାନଙ୍କ ନାମହୀନ ସମ୍ପର୍କ ଉପରେ ସାମାଜିକ ସ୍ୱୀକୃତିର ସହି ମୋହର ଛାପ ବାଜୁ । ଯେତେଶୀଘ୍ର ସମ୍ଭବ ଏହି ଉଦ୍ଧେଶ୍ୟହୀନ ଯାତ୍ରାର ଅନ୍ତଘଟୁ । କାରଣ ତା’ ଭିତରେ ଥିବା ନାରୀର ଆତୁରତା ଏକ ପ୍ରାପ୍ତିର ବିନ୍ନ୍ୟାସ ଚାହୁଁଥିଲା । କଢ଼ରୁ ଫୁଲ ହୋଇ ଫୁଟିବାର ସୃଷ୍ଟିର ସବୁ ପରିପୂର୍ଣ୍ଣତାରେ ନିଜକୁ ଆବିଷ୍କାର କରିବାକୁ ଚାହୁଁଥିଲା ।

ମାତ୍ର ଯେତେବେଳେ ସେ ପ୍ରସ୍ତାବ ରଖିଛି, ସବୁଥର ଅମନ୍ କଥାର ମୋଡ଼ ବଦଳାଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ିଦେବାକୁ ଚେଷ୍ଟା କରିଛି । ସେଇ ଚିରାଚରିତ ଦୂରନ୍ତ ସିଲିକନ୍‌ ଭ୍ୟାଲିର ସ୍ୱପ୍ନର ମଲାଟ ପାଖରେ ଅଟକିଯାଏ ତା’ର ପ୍ରତିଶ୍ରୁତି ।

ହେଲେ, ଆଉ ନୁହେଁ ଏହି ବିଷୟକୁ ଖୁବ୍ ସିରିୟସ୍ ଭାବରେ ନେବାକୁ ଚାହୁଁଥାଏ ସେ । କିଛି ଗୋଟେ ନିର୍ଣ୍ଣାୟକ ନିଷ୍ପତ୍ତି ପାଖରେ ପହଞ୍ଚିବାକୁ ଥାଏ ତା’ର ବ୍ୟାକୁଳତା । ଅସମ୍ଭବ ବ୍ୟଗ୍ରତା ।

ଦୁଇଦିନ ତଳେ ଏହି କଥାକୁ ନେଇ ଢେର୍ ସମୟ ଧରି କଥା କଟାକଟି ହୋଇଥିଲା ଉଭୟଙ୍କ ଭିତରେ । ଅମନ୍ ତା’ର ଅନିର୍ଦ୍ଧିଷ୍ଟ ଆଶ୍ୱାସନାକୁ ଦୋହରାଇ ଚାଲିଥାଏ । ସେ କିନ୍ତୁ ନିଜ ଜିଦ୍‌ରେ ଥାଏ ଅଟଳ । ସେଇ ଏକା ଜିଦ୍‌ରେ ଅମନ୍‌ର ବେଲାନ୍ଦୁରର ଆପାର୍ଟମେଣ୍ଟ ଛାଡ଼ି ଚାଲିଆସିଥିଲା, ଏହି ହ୍ୱାଇଟ୍ ଫିଲ୍ଡର ଘରକୁ । ଚାହୁଁଥିଲା, ତା’ର ଅନୁପସ୍ଥିତିର ଅସହାୟତାକୁ ଥରେ ଅନୁଭବ କରୁ ଅମନ୍ । ଥରେ ଝାଙ୍କି ଚାହୁଁ ତା’ ଅତଳ ମନତଳର ବସା ବାନ୍ଧିଥିବା ଅଦମନୀୟ ଅଭିଳାଷକୁ । ଅନ୍ତତଃ, ବୁଝିଯାଉ ଯେ, ନିଜର ପ୍ରେମିକାକୁ ସବୁବେଳେ ପୁରୁଷର ଆଖିରେ ନୁହେଁ, ଜଣେ ନାରୀ ଆଖିରେ ମଧ୍ୟ ଲୋଡ଼ିବା ଦରକାର । ତା’ ନିବୁଜ ମନର ଦରଜା ସେପଟେ ଘୂରି ବୁଲୁଥିବା ଅତୃପ୍ତ ଇଚ୍ଛାର ଅକ୍ଷର ସବୁକୁ ପଢ଼ିବାର ସ୍ପୃହା ରଖିଥିବା ଦରକାର ।

ନିଜର ଏହି ଆବେଗଭରା ପକ୍ଷକୁ ଲମ୍ବା ଚିଠି ପରି ହ୍ୱାଟ୍ସଆପ୍‌ରେ ଟାଇପ୍ କରି ପଠାଇ ଦେଇଥିଲା ଅମନ୍‌ଙ୍କୁ । ଭାବି ନିଶ୍ଚିତ ଥିଲା, ତା’ର ଏହି ସ୍ୱଚ୍ଛ ସ୍ପଟିକ ପରି ହୃଦୟର ମାର୍ମିକ ଭାଷା ବିଳମ୍ବରେ ହେଉ ବରଂ ଭେଦିପାରିବ ଅମନ୍‌ର ଅଭେଦ୍ୟ ବକ୍ଷକୁ । ସେ ବୁଝିପାରିବ ତା’ର ଅର୍ଦ୍ଧସତ୍ୟରେ ଭରା ପ୍ରେମର ଦର୍ଶନକୁ । ଯେମିତି ଦିନେ କଫି ଟେବୁଲ୍ ଉପରେ ହାତ ବଢ଼ାଇ ଲିଭ୍-ଇନ୍‌ର ଦୁନିଆକୁ ଆମନ୍ତ୍ରଣ ଦେଇଥିଲା, ସେହିପରି ଆଉଥରେ ହାତ ବଢ଼ାଇ ଦୁହିଁଙ୍କ ନାମହୀନ ସମ୍ପର୍କ ଉପରେ ଏକ ପରିଚୟର ଟ୍ୟାଗ୍ ବାନ୍ଧିଦେବ ।

କାଲି ରାତିଠାରୁ କଲବଲ କରୁଥିବା ତା’ର ଏହି ଅପେକ୍ଷାର ଅନ୍ତଘଟାଇ ସହସା ମୋବାଇଲ ସ୍କ୍ରିନ୍‌ରେ ଅମନ୍‌ର ହ୍ୱାଟ୍ସଆପ୍ ମେସେଜ୍ ଖେଳି ଉଠିଲା । ଅବିଳମ୍ବେ ଆଖି ପହଁରାଇ ଆଣିଲା ତନିମା ।

– ଗନ୍ ଥ୍ରୁ ୟୋର ଇମୋସନ୍ସ… ସରି…

-ନଟ୍ ଏଗ୍ରି ଟୁ ୟୋର କଣ୍ଡିସନ୍…

– ବ୍ରେକ୍ ଅପ୍…

– ବାଏ…

ପଢୁ ପଢୁ ଗୋଟେ ଗରମ ବାମ୍ଫର ଚେଙ୍କ ଧଡ଼ାସ୍ କରି ତା’ କଲିଜାକୁ ପୋଡ଼ି ପକାଇଲା ଯେମିତି । ହ୍ୱାଟ୍ସଆପ୍‌ରୁ ମୁହଁ ଫେରାଇ ତନିମା ଖୁବ୍ ଆତୁର ଓ ହତାଶାଭରା ଆଖିରେ ମୁହଁଟେକି ଚାହିଁଲା ଆକାଶ ଆଡ଼କୁ । ତାକୁ ଲାଗୁଥାଏ, ଉପରେ ଭାସି ବୁଲୁଥିବା ଦୁଇ ଚାରିଖଣ୍ଡ ମଲାମେଘ ଚାହିଁ ବି ବର୍ଷିପାରିବେ ନାହିଁ । ତା’ ଦୁଇ ଆଖିରେ ଅଧା ଜକେଇ ଆସୁଥିବା ଲୁହ ସେହିପରି ଟଳଟଳ ହୋଇ ରହିଥାଏ ମଲାମେଘ ପରି । ନା ଆକାଶରୁ ଛିଣ୍ଡୁଥାଏ ନା ଆକାଶ ବୁକୁକୁ ଫେରି ପାରୁଥାଏ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top