କଲମଟିଏ ମୁଁ,
ଉଲଗ୍ନ କାଗଜର ଗୋରା ଦେହରେ
ଶବ୍ଦର ଚାଦରକୁ ମୁଁ ବିଛାଇଦିଏ
କବିତା ଜନ୍ମ ନିଏ ।
କଲମଟିଏ ମୁଁ,
ଚିତ୍ରର ମଥାରେ ବିନ୍ଦୁଟିଏ ଦେଇ
ତା ମୁଣ୍ଡରେ ଓଢଣୀଟିଏ ଟାଣିଦେଇ
ସରୁଧାର ଓଠକୁ ତା ମୁହଁରେ ଥୋଇ ଦେଇ
ତାକୁ ବୋହୁ ପରି ସଜେଇ ଦିଏ ।
କଲମଟିଏ ମୁଁ
ମୋତେ ଯିଏ ଛୁଇଁଦିଏ ତାରି ପାଇଁ ଲେଖିଯାଏ
ତା’ ହୃଦୟର ଭାଷା ସବୁ
ତା’ ପ୍ରେମିକା ପାଇଁ ।
କଲମଟିଏ ମୁଁ
ସବୁ ନିଜେ କଲାପରେ ବି
ନିଜ ହାତରେ ଲେଖିଦିଏ ଇତି ତଳେ
ମତେ ଛୁଇଁଥିବା ହାତର ନାଁ କୁ ।
