କେବେ କେବେ ମୁଁ
ଦୁଇ ଭାଗରେ ବାଣ୍ଟି ହୁଏ ।
ଉପର ହିସ୍ସା ଗୋଟେ ଗାଈ
ଯିଏ ସହର ସାରା ଘାସ ଖୋଜିଖୋଜି
ହତାଶ ହୁଏ ଆଉ
ସଞ୍ଜ ନଇଁବା ଆଗରୁ
ପଲିଥିନ, କାଗଜ, ଖାଇ
ପେଟ ଭରି ଦିଏ ।
ତଳ ହିସ୍ସା ପାଲଟି ଯାଏ
ରାସ୍ତା କଡର ଘାସ,
ଯିଏ ଦିନ ସାରା
ସଭିଙ୍କ ପାଦ ତଳେ ଦଳି ହୁଏ
ରାତି ସାରା କାକର ପିଉ ଥାଏ ।
ସକାଳ ହେଲେ ପୁଣି
ଉଠି ଠିଆ ହୁଏ ।
କେବେ କେବେ ମୁଁ
ଦୁଇ ଭାଗରେ ବାଣ୍ଟି ହୁଏ
ଉପର ହିସ୍ସା ଗୋଟେ ଗାଈ
ଆଉ ତଳ ହିସ୍ସା କଅଁଳ
ଘାସରେ ବଦଳିଯାଏ ।