ସୁପ୍ତ କେଶରୀ କୁହାଟ ଛାଡ଼ିଲା
ଭାଷାର ନାଗରା ପିଟି,
ଗଗନେ ପବନେ କମ୍ପିତ ହେଲା
ଓଡ଼ିଆ ଜାତିର ମାଟି ।
ଆର୍ଯ୍ୟାବର୍ତ୍ତେ, ଆର୍ଯ୍ୟଭାଷା ମୋ
ଚେଇଁ ଶୋଇଥିଲା ଦିନେ,
ଶାସ୍ତ୍ରୀୟ ମାନ ଲଭିବା ପାଇଁ ସେ
ଆଶା ପୋଷିଥିଲା ମନେ ।
ମିଳି ତ ଯାଇଛି ଭାଷା ପାରିଜାତ
ପଛକୁ ଲେଉଟ ନାହିଁ,
ହଟା ଇଂରେଜୀ ମାଧ୍ୟମ ଭାଇ
ଜାତି ସ୍ୱାଭିମାନ ପାଇଁ ।
“ଓଡ଼ିଆ ଏକ୍ଟା ଭାଷା ନଏ” ବୋଲି
ଯିଏ ରଟୁଥିଲା ଭ୍ରମେ,
ସେ କାପୁରୁଷର କୁଳପାଂଶୁଳ
ନତମସ୍ତକେ ଗମେ ।
ଆଗେ ଚାଳ ଭାଷା ନନ୍ଦିଘୋଷକୁ
ବଜ୍ର ଶପଥ ନିଅ,
ସର୍କାରୀ କଳୁ ବିଦେଶୀ ଭାଷାକୁ
ଦିଅରେ ବିଦାୟ ଦିଅ ।
ଭାଷାର ସାରଥି ଯେଉଁମାନେ ସାଜି
ରଖିଲେ ଜାତିର ମାନ,
ଚିରବରଣୀୟ ସେ ବରପୁତ୍ରେ
କରେ ମୁଁ ଅର୍ଘ୍ୟଦାନ !
