ଈଶ୍ବର କ’ଣ ?
ମଠ, ମନ୍ଦିର, ମସ୍ଜିଦ୍ ଗୀର୍ଜା
ଆଉ ଗୁରୁଦ୍ୱାରରେ ଚାତକ ପରି
ଚାହିଁ ରହିଛନ୍ତି , ଯେ ଜପ, ତପ,
ପୂଜା ଉପାସନାର ମିଥ୍ୟା ଉପଚାରରେ
ମନ ଖୋଲି ଡାକିଦେଲେ
ଜବାବ ଦେଇ ଦେବେ !
ଆଉ ଦୁଇହାତ ଖୋଲି ଧନ, ଜନ,
ଯଶ କୀର୍ତ୍ତି ସବୁ ଅଜାଡି ଦେବେ ;
ନା’ ରାତାରାତି ସରଗକୁ
ଶିଡ଼ି ବାନ୍ଧିବାର ଶିରିପା ବଢ଼ାଇ ଦେବେ ।
କେଉଁ ଧର୍ମ ଆଧାରରେ, କିଏ ସିନା
କହିଦେଲା ମନୁଷ୍ୟକୁ
ଅମୃତସ୍ୟ ପୁତ୍ର ବୋଲି, କିନ୍ତୁ ସେ ତ
କେବେ ଦେଖିନଥିବା ଈଶ୍ବରଙ୍କ
ନାଁ ନେଇ ଢାଳି ଚାଲିଛି
ବିଶ୍ୱମାନବତା’ର, ସ୍ୱଚ୍ଛ ସରସୀରେ
ଅହରହ ହଳାହଳ ବିଷ ।
ଆଉ ଲେଖି ଚାଲିଛି ଗୀତା, ବାଇବେଲ୍,
ବେଦ ଓ କୋରାନ୍ର ଚୋରା କଲମରେ
ବାରବାର ଜାତି,ଧର୍ମ,ବର୍ଣ୍ଣ, ସମ୍ପ୍ରଦାୟ ନାମେ
ବିଭେଦତାର ଦୁର୍ବୋଧ କାବ୍ୟ ।
ଈଶ୍ବର ତ ଦୃଶ୍ୟହୀନ ସୂକ୍ଷ୍ମାତିସୂକ୍ଷ୍ମ
କ୍ଷୁଦ୍ର କଣିକାଟିଏ , ଅଣୁପରମାଣୁରେ ଗଢ଼ା
ସଚରାଚର ଜୀବଜନ୍ତୁ , ଗ୍ରହ, ଉପଗ୍ରହ
ଆଉ ନକ୍ଷତ୍ରଙ୍କ ସୃଷ୍ଟି, ସ୍ଥିତିର
ମହାନ ସତ୍ତା ଟିଏ… ।
ହୋଇ ପାରନ୍ତି ସେ ମଣିଷର
ମନଗଢ଼ା କୋଉ ଦେବତାଟିଏ
ଅବା କଳ୍ପନାର ବଟବୃକ୍ଷଟିଏ
ବଦଳାଇ ପାରନ୍ତି ସେ ମହା ଶକ୍ତିରୁ ବସ୍ତୁତ୍ୱ
ବସ୍ତୁତ୍ୱରୁ ସାରା ବ୍ରହ୍ମାଣ୍ଡର ସକଳ ରହସ୍ୟ;
ଗଢ଼ନାହିଁ ଈଶ୍ୱରଙ୍କୁ ନେଇ
ଥାକ ଥାକ ତଳ ଉପର କରି ପାହାଚ ପରେ ପାହାଚ
ଦେଖଥରେ ଫେଡ଼ିଣ ନୟନ
ବେଳ ଆସି ହେଲାଣି ଉପଗତ
ହେବାକୁ ସବୁ ଧର୍ମ ଏକୈକରଣ
ଗାଇବାକୁ ବାସୁଧୈବ କୁଟୁମ୍ବକମ୍ର
ସମ୍ମୋହନୀ ମନ୍ତ୍ର ।