କାଲି ପରି ମୋତେ ଲାଗୁଛି ସତେତ
ବରଷାର ତାଳେ ତାଳେ
ଆମେ ନାଚୁଥିଲେ ଖୁସିର ମାହୋଲେ
ଏ କଥାକି ଭୁଲିପାରେ ।।
ତୁମେ ଥିଲ ରାଜା ମୁଁ ହିଁ ଥିଲି ରାଣୀ
ଦାସୀ ପରିବାରୀ ଥିଲେ
କାଚ ପରି ଥିଲା ସବୁ ଚକ ଚକ
ମଳିନ କେହି ନ ଥିଲେ ।।
ଅତୀତ ସ୍ମୃତିକୁ କେ ଭୁଲି ପାରିବ
ଯେତେ ଦୂରେ ଥିଲେ ତୁମେ
ଅନ୍ତର ଭିତରେ ସାଇତା ସେ ଥିବ
ଭୁଲି ପାରିବାନି ଆମେ ।।
ସ୍ନେହର ବନ୍ଧନ କେବେ ନ ତୁଟିବ
ଅତିବେଶି ଦୂରତାରେ
ସବୁବେଳେ ତାହା ତାଜା ରହିଥିବ
ହୃଦୟର କନ୍ଦରରେ ।।
ତୁମ ସାଥେ ମୋର ପ୍ରତିଟି ସୋପାନ
ପ୍ରେମମୟ ହୋଇ ରହୁ
ଜୀବନର ସାଥେ ପ୍ରତି ପାଦେ ପାଦେ
ଝଲସିତ ହୋଇ ଥାଉ ।।
ଜୀବନ ଯୁଦ୍ଧରେ ହାରି ଯାଉଥିଲେ
ତୁମେ ଧରିନେବି ହାତ
ଭରା ନଈ ବୁକେ ତୁମେ ମୋ ନାବିକ
ବାହିଥିବ ମୋର କାତ ।।
ଆମ ପ୍ରେମଧାରେ ଆବିଳତା ନାହିଁ
ଅଛି ଖାଲି ସ୍ନେହାଭାଙ୍ଗ
ସେହି ଭାଙ୍ଗଢ଼ାରେ ଲଟକି ରହିଛି
ଜୀବନର ସପ୍ତରଙ୍ଗ ।।
ପଛକୁ କେବେବି ଚାହିଁବିନି ମୁହିଁ
ଜାଣେ ତୁମେ ପଛେ ଥିବ
ତୁମେ ପରା ମୋର ବିଭୋର ପ୍ରେମିକ
ତୁମେ ପଥ ଦେଖାଇବ ।।
ଅନ୍ତରର ସ୍ନେହେ ଥାପିଛି ତୁମକୁ
ହୃଦୟର ପେଡ଼ିଘରେ
ମୁହିଁ ଜାଣେ ତୁମେ କେତେ ଭଲପାଅ
ଅନାବିଳ ସ୍ନେହ ଡୋର ।।
ଶାଶ୍ୱତ ଆମର ପ୍ରେମ ତରଙ୍ଗିଣୀ
ସ୍ୱପ୍ନଫୁଲେ ହଜୁଥାଉ
ଜୀବନର ଶେଷ ସୋପାନ ପର୍ଯ୍ୟନ୍ତ
ଭରା ଭରା ରହିଥାଉ ।।
