ଅନୁସୃଜନ

ଅମୂଲ୍ୟ ଧନ

Binaya Kumar Das's odia translated short story Amulya Dhana

ଯୋଗକୁ ଦିନେ ସେହି ଆଲମାରୀଟି ଖୋଲା ରହିଥିଲା । ତା ଲକର ବି ଖୋଲାଥିଲା । ସାନ୍ତ୍ୱନା ତା କାମ ବ୍ୟସ୍ତତା ଭିତରେ ହୁଏତ ଆଲମାରୀର ଚାବି ଦେବାକୁ ଭୁଲି ଯାଇଥିଲା ସେଦିନ । ମୋ ଆଗ୍ରହ ଦ୍ୱିଗୁଣିତ ହୋଇ ଉଠିଲା । ଏମିତି ସୁଯୋଗ ସବୁବେଳେ ମିଳିବ ନାହିଁ ।

ଅମୂଲ୍ୟ ଧନ

ମୂଳହିନ୍ଦୀ- ଶ୍ୟାମସୁନ୍ଦର ଅଗ୍ରବାଲ

“ ଏ ଡିବାରେ ମୋ ଜୀବନର ସବୁଠାରୁ ଦାମିକା ଜିନିଷ ମୁଁ ସାଇତି ରଖିଛି । କେବେ ବି ଏ ଡିବାରେ ହାତ ଦେବ ନାହିଁ । ବୁଝିଲ ?” ଦିନେ କଥା ଛଳରେ ସାନ୍ତ୍ୱନା ଅତି ଗୁରୁତ୍ୱର ସହ ମୋତେ ଏତକ କହୁଥିଲା ବେଳେ ପୁଅଝିଅ ବି ସେଠି ଉପସ୍ଥିତ ଥିଲେ । ଝିଅ କହିଦେଲା , “ ବାପା ସିନା ହାତ ଦେବେ ନାହିଁ , ହେଲେ ଆମେ.. ?”

“ ନା, କେହି ବି ଏଥିରେ ହାତ ଦେଇପାରିବେ ନାହିଁ । ମୋ ଜୀବନକାଳ ଭିତରେ ଏହାକୁ ମୁଁ କାହାକୁ ବି ଛୁଇଁବାକୁ ଦେବିନି । ଆଉ ହଁ , ଏକଥା ବି କହି ଦେଉଛି, ମୋତେ ଲୁଚାଇ ଯିଏ ବି ଏହାକୁ ଛୁଇଁବ , ଆଉ ମୁଁ ଜାଣିଯିବି, ତେବେ କଥା ଭାରି ଖରାପ ହେବ ।” ବେଶ୍ ତାଗିଦ୍ କରିବା ସ୍ୱରରେ ସେ କହିଥିଲା ସେଦିନ । ଆମେ କେବେ ବି ସେ ଡିବାରେ କେବେ ଅବଶ୍ୟ ହାତ ମାରିନୁ । ମାନେ ତାକୁ ଛୁଇଁବାର ସାହସ କରିନୁ । ଆଲମାରୀର ଲକର ଭିତରେ ଅତି ଯତ୍ନର ସହିତ ସେ ସେହି ଡିବାଟିକୁ ସାଇତି ରଖେ । ଚାନ୍ଦିରେ ତିଆରି ଡିବାଟିଏ .. ସୁନ୍ଦର ଆଉ କଳାତ୍ମକ ବି । ସେଇ ପୁରୁଣା ଅଥଚ ଆଖିଦୃଶିଆ ଡିବାରେ ସେ ଏକ ଛୋଟ ଚାବି ବି ପକାଇ ଦେଉଥାଏ । ମୋ ମନର ନିଭୃତ କୋଣରେ ସବୁବେଳେ ଆଗ୍ରହର ସହିତ ଏକ ପ୍ରଶ୍ନବାଚୀ ଉଙ୍କି ମାରୁଥାଏ.. କଣ ଥାଇ ପାରେ ସେଥିରେ ?

ଯୋଗକୁ ଦିନେ ସେହି ଆଲମାରୀଟି ଖୋଲା ରହିଥିଲା । ତା ଲକର ବି ଖୋଲାଥିଲା । ସାନ୍ତ୍ୱନା ତା କାମ ବ୍ୟସ୍ତତା ଭିତରେ ହୁଏତ ଆଲମାରୀର ଚାବି ଦେବାକୁ ଭୁଲି ଯାଇଥିଲା ସେଦିନ । ମୋ ଆଗ୍ରହ ଦ୍ୱିଗୁଣିତ ହୋଇ ଉଠିଲା । ଏମିତି ସୁଯୋଗ ସବୁବେଳେ ମିଳିବ ନାହିଁ । ବିଳମ୍ବ ନକରି ମୁଁ ସେହି ଚାନ୍ଦି ଡିବାକୁ ବାହାରକୁ ଆଣିଲି । ଏପାଖ ସେପାଖ ବୁଲାଇ ଦେଖିଲି । ବାଃ..ସତରେ ସୁନ୍ଦର ଡିବାଟିଏ । ଟିକେ ହଲାଇ ଦେବାରୁ ଜଣାଗଲା ତା ଭିତରେ କିଛି ମୁଦ୍ରା ରହିଛି । ଭାବିନେଲି ସେହି ମୁଦ୍ରାଗୁଡିକ ନିଶ୍ଚୟ ବିରଳ ଐତିହାସିକ ମୁଦ୍ରା ହୋଇଥିବ । ସେଇଥିପାଇଁ ସେ ଏତେ ସାବଧାନତାର ସହିତ ତାକୁ ଲକର ଭିତରେ ସାଇତି ରଖିଛି ।

ମୋର ଉତ୍ସୁକତା ଏତେ ବଢିଗଲା ଯେ ମୁଁ ନିଜକୁ ଆଉ ନିୟନ୍ତ୍ରଣରେ ରଖିପାରିଲି ନାହିଁ । ଭାବିଲି, ଡିବାର ଚାବି ଭାଙ୍ଗିଦେବି । କିନ୍ତୁ ନା..ଟିକେ ଖୋଜାଖୋଜି ପରେ ଚାବିକାଠି ବି ମିଳିଗଲା । ମୁଁ ଚାରିଆଡକୁ ସତର୍କ ଦୃଷ୍ଟିରେ ଚାହିଁଲି । ନା.. ଏବେ ଏଇ କୋଠରୀ ଆଡକୁ କାହାର ଆସିବାର ସମ୍ଭାବନା ନାହିଁ । ସାନ୍ତ୍ୱନା ତ ରୋଷେଇ ଘରେ ବ୍ୟସ୍ତ ଅଛି । ବାସ୍..ଖୋଲିଲି ଡିବା । ତା ଭିତରେ ଏକ ଛୋଟ କନା ଥଳି ଥିଲା । ପୁରୁଣା ଥଳି । ସେଇଟିକୁ ଦେଖିଲା ମାତ୍ରେ ମୁଁ ଚିହ୍ନି ନେଲି । ହଁ ଇଏ ସେଇ ଥଳି, ଯେଉଁଟା ମୋ ଶାଶୁ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଏକମାତ୍ର ଝିଅ ସାନ୍ତ୍ୱନାକୁ ଦେଇଥିଲେ । ଆମେ ତାଙ୍କୁ ତାଙ୍କର ଶେଷ ଅବସ୍ଥାରେ ଦେଖିବା ପାଇଁ ଯାଇଥିଲୁ ଗାଁ କୁ । ମନେ ପଡୁଛି ସତେ ଯେମିତି ସେ ଅପେକ୍ଷା କରି ରହିଥିଲେ ସାନ୍ତ୍ୱନାକୁ । ତାକୁ ଦେଖିବା ମାତ୍ରେ ପାଖକୁ ଡାକିଲେ ହାତ ଠାରି । ତକିଆ ତଳୁ ଏହି ଥଳିଟିକୁ ବାହାର କରି ତା ହାତରେ ଗୁଞ୍ଜି ଦେଇ କହିଥିଲେ, “ ଝିଅ ଲୋ, ତୋତେ ମୁଁ କିଛି ଦେଇ ପାରି ନାହିଁ । ଦେବା ପାଇଁ ବି ମୋ ପାଖରେ କିଛି ନାହିଁ । ନେ..ଏତିକି ମୋର ଶେଷ ସମ୍ବଳ । ଏ ଗରିବ ମାଆକୁ କ୍ଷମା କରିଦେବୁ ।”

ମୁଁ ଥଳିଟିକୁ ଆଉଥରେ ଦେଖିଲି । ଖୋଲିଲି । ଢାଳିଦେଲି ଯେମିତି ଆଠଟି ମୁଦ୍ରା ଖଟ ଉପରେ ଖସିପଡିଲା । ପୁରୁଣା ଐତିହାସିକ ମୁଦ୍ରା ନୁହେଁ, ଆଜିକାଲିର ମୁଦ୍ରା । ତିନିଗୋଟି ଦୁଇଟଙ୍କିଆ ମୁଦ୍ରା, ତିନିଟି ଟଙ୍କାକିଆ ଆଉ ଦୁଇଟି ପଚାଶ ପଇସା ମୁଦ୍ରା । ମୋଟ ଦଶ ଟଙ୍କା । ବାସ୍ । ମୁଁ ଆଉଥରେ ସେହି ମୁଦ୍ରାଗୁଡିକ ଭଲ କରି ଦେଖିଲି । ତା ପରେ ଅତି ଯତ୍ନର ସହିତ ପୁଣି ଥରେ ସେହି ପୁରୁଣା ଥଳିରେ ପୂରାଇ ଦେଲି ଯେମିତି ମୁଦ୍ରା ସହିତ ମୁଦ୍ରା ଘଷି ହୋଇ ନଯାଏ । ତାପରେ ଡିବାର ତାଲା ପକାଇ ଲକର ଭିତରେ ରଖିବା ସମୟରେ ମୋ ଅଜାଣତରେ ଏକ ଦୀର୍ଘ ଶ୍ୱାସ ବାହାରିଗଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top