ହିମାଳୟ ଗିରି ଗହ୍ୱରରୁ
ବାରବାର ପ୍ରତିଧ୍ୱନିତ ହେଉଥିଲା,
ମନୁଷ୍ୟକୃତ ପ୍ରଗତିର
ଗୁଳିଚୋଟ ଖାଇ,
ଘୁମେଇ ପଡ଼ିଥିବା. . .
ବିଷଣ୍ଣ ବିବର୍ଣ୍ଣ ବସୁଧାର
ମହାତାଣ୍ଡବ ନୃତ୍ୟ ।
ଥରି ଉଠୁଥିଲା,
ଶତ ସହସ୍ର ଲଣ୍ଡା ପାହାଡ଼ର
ନିରବ ନିଶ୍ଚଳ ନିଥର ଛାତି
ତ୍ରସ୍ତ ବିତ୍ରସ୍ତ ଆଉ. . . ସନ୍ତ୍ରସ୍ତ ହୋଇ
କାନଡେରି ଶୁଣୁଥିଲେ
ଭୋଗବାଦୀ ମଣିଷର
ପୈଶାଚିକ ଆକ୍ରମଣୁ ମରି ମରି
ଜୀଇଁଥିବା ଧୂସର ବନାନୀ,
ଆଉ କୋଟି କୋଟି ନିରୀହ ନିଷ୍ପାପ ପଶୁପକ୍ଷୀ ।
ବିବସିତା ପ୍ରକୃତିର କ୍ରୋଧାଗ୍ନିରେ
ଜଳୁଥିଲେ ହିମାଦ୍ରିର ବାଟ ଭାଙ୍ଗି
ବହିଯାଇଥିବା ସହସ୍ର ସହସ୍ର
ଶାନ୍ତସ୍ନିଗ୍ଧ ସୁଶୀତଳ ନଦ, ନଦୀ ଆଉ ନିର୍ଝରିଣୀ,
ପାଣି ବଦଳରେ ସେମାନେ
ଢାଳୁଥିଲେ ବିଶ୍ୱ ଉଷ୍ମତାର
ତତଲା ଲୁହ ଆଉ ଲହୁ !
ପ୍ରକୃତି ରାଣୀର ଆର୍ତ୍ତ ଚିତ୍କାର
ଆଉ ଆକୁଳ ନିବେଦନରେ
ତରଳି ଯାଇଥିଲା ଆକାଶରେ
ଦୋଳାୟିତ ମସ୍ତମସ୍ତ କଳା
ବାଦଳ ଖଣ୍ଡର କଠୋର ଛାତି,
କ୍ରୋଧ ଜର୍ଜରିତ ହୋଇ ସେମାନେ
ଅଜାଡ଼ି ଦେଲେ,
ଉତ୍ତରାଖଣ୍ଡର କୃତ୍ରିମ ତୀର୍ଥଭୂଇଁ ପରେ
ଘନଘୋର ବାଦଲ ଘଟା
ବର୍ଷାର ଅଜସ୍ର ଧାରା ।
ସୃଷ୍ଟି ହେଲା ନିମିଷକେ ମଧ୍ୟେ
କାଳ ସୁନାମିର ମହାପାରାବାର,
ଭୁଷୁଡ଼ି ପଡ଼ିଲା ଧର୍ମ ନାମେ
ସରଗକୁ ଛୁଇଁଥିବା ପ୍ରଗତିର ଶିଡ଼ି,
ରକ୍ତରଞ୍ଜିତ ହୋଇଗଲା
ନଦ, ନଦୀ ଆଉ ନିର୍ଝରଣୀର ପାଣି ।
ରକ୍ତନଦୀରେ ଜୀବଶ୍ରେଷ୍ଠ
ମଣିଷର ଶବ ପଟୁଆ ଦେଖି
ହସୁଥିଲା ହିମାଳୟ. . .
ହସୁଥିଲେ ପାହାଡ଼, ପର୍ବତ, ଜଙ୍ଗଲ,
ପାଣି, ପବନ ଆଉ ନୀଳ ଆକାଶ ।।
