ମୁଁ ବିଶ୍ୱାସ କରେ ମୋ ଭାବନା ଓ ଭଗବାନଙ୍କୁ । ମୋ ଧର୍ମ ପ୍ରତି ମୋର ଅଗାଢ଼ ବିଶ୍ୱାସ ରହିଛି ଯେଉଁଥି ପାଇଁ ମୁଁ ଏ ସଂସାର , ସଂସାରର ନୀତି ନିୟମ ଓ ପରମ୍ପରା, ନୀତିବାଣୀକୁ ମାନେ ଓ ସମ୍ମାନ ଦିଏ । ସେଥିପାଇଁ ତ ମୁଁ ଦୃଢ଼ ନିଶ୍ଚୟ ହୋଇଛି, ଯାହା ହୋଇଛି ,ହେବାକୁ ଯାଉଛି ଆଉ ଗତକାଲି ହୋଇଯାଇଛି ଏସବୁ ପୂର୍ବ ନିର୍ଧାରିତ । ଈଶ୍ଵର, ଭଗବାନ , ଆତ୍ମା ଓ ପରମାତ୍ମାଙ୍କ ନିର୍ଦ୍ଦେଶ କିମ୍ବା ବିଧିର ବିଧାନ ଏ ସବୁ ଗୋଟିଏ ମାଳିର ପନ୍ଥା । ଜଣେ ଆର ଜଣଙ୍କ ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ । ସେଥିପାଇଁ ଘଟୁଥିବା ପ୍ରତିଟି ଘଟଣା , ଦୁର୍ଘଟଣା ,ହସ, ଖୁସି ଓ ଲୁହକୁ ଅଙ୍ଗେ ନିଭେଉଛି । ତିଳେ ମାତ୍ର ମୋର ସଙ୍ଗ୍ୟାନ ନଥାଏ ଯେ ମୋ ସହ ଏହା ହେବାର ଥିଲା ଆଉ ମୋତେ ଏଥିପାଇଁ ପୂର୍ବ ପ୍ରସ୍ତତି କରିବାକୁ ପଡ଼ିବ । ସେଥିପାଇଁ ନାଁ କେବେ ଦୁଖଃରେ ଭାଙ୍ଗି ଯାଇଛି ନାଁ କେବେ ଖୁସିରେ ଆତ୍ମହରା ହୋଇଛି । ସବୁବେଳେ ଭଗବାନଙ୍କ ନାଁ ନେଇ ସବୁକିଛିକୁ ନିଜର କରିବା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନଥାଏ ମାନବ ନାମ ଧାରୀ (ମୁଁ )ମାନେ ଏକଥା କହୁଥିବା, ଲେଖୁଥିବା ଓ ନିଜ ସହ ନିଜେ ଆଳାପ କରୁଥିବା ବ୍ୟକ୍ତିଟିଏ । ମୋ ନାଁ ମୋତେ ଜନ୍ମ ଦେଇଥିବା ଦୁଇଟି ଈଶ୍ଵରଙ୍କ ଅନନ୍ୟ ସୃଷ୍ଟି ଦେଇଛନ୍ତି । ମୋତେ ଜନ୍ମ ଦେଇଥିବା ମୋ ମା’ ଜାଣିନଥିଲେ ମୁଁ ନାରୀ କିମ୍ବା ପୁରୁଷ, ସେଥିପାଇଁ ମୋ ଜନ୍ମ ପରେ ସେମାନଙ୍କ ପସନ୍ଦର ନାଁ ଦେଇଛନ୍ତି ମୋତେ । ନାମଟି ମୋତେ କେତେ ଭଲ ଲାଗିଛି କିମ୍ବା ବଦଲାଇବାକୁ ଚେଷ୍ଟା କରିଛି ତାହା ଉପରେ କେବେ ମୁ ତର୍କ କିମ୍ବା ବିତର୍କ କରିନି । କିନ୍ତୁ ମୋ ଜନ୍ମ ପରେ ହିଁ ଯେମିତି ମୋ ନାମ ସ୍ଥିର କରିଥିଲେ ମୋ ବାପା ମା ଠିକ୍ । ସେହିଭଳି ମୋତେ ଏ ପୃଥିବୀକୁ ପଠାଇଥିବା ମୋ ଧର୍ମର ଦସ୍ତାବିଜ କହୁଥିବା ସୃଷ୍ଟି କର୍ତ୍ତା ମୋ ଭାଗ୍ୟ ଲେଖିଥିବା ବିଧାତା ଯିଏ ମୋ ଜନ୍ମ ସହ ମୋର ୱିକିପିଡିଆ ଲେଖିଛନ୍ତି ବୋଲି ମୋ ଘର ଲୋକେ କୁହନ୍ତି । ମୁଁ କଣ କରିବି , କେମିତି ହେବ କଣ ହେବ ମୋର ଭବିଷ୍ୟତ , କେମିତି ଚାଲିବ ମୋ ବର୍ତ୍ତମାନ ଓ କେତେ ଦୁଖଃ କିମ୍ବା ଖୁସି ଦେବ ମୋ ଅତିତ । କେବେ ମୁଁ ଜାଣିବାକୁ ଚେଷ୍ଟା କରିଛି ନା କେବେ ମସ୍ତିସ୍କକୁ ଭାରାକ୍ରାନ୍ତ କରିଛି ଏଭଳି ଚିନ୍ତାଧାରା ପାଇଁ । ସବୁବେଳେ ମୁଁ ଭଗବାନଙ୍କ ଇଙ୍ଗିତରେ ଚଳ ପ୍ରଚଳ ହେଉଥିବା ଏ ପ୍ରାଣିଟିଏ । ଯାହା ପୃଥିବୀ ପୃଷ୍ଠର ତଥା ମୋ ଧର୍ମର ମହାନ ମହାପୁରୁଷଗଣ କହିଯାଇଛନ୍ତି ‘କରି କରାଉଥାଏ ସେହି ତା ବିନୁ ଅନ୍ୟଗତି ନାହିଁ’। ଏହାବି ପିଲାବେଳୁ ଶୁଣିଛି ଯେ, ଆମେ ସବୁ କଳାକାର ନିର୍ଦ୍ଦେଶକ ଉପରେ ବସି ନିର୍ଦ୍ଦେଶ ଦେଉଛନ୍ତି । ଆଉ ଭଗବାନଙ୍କ ନିର୍ଦ୍ଦେଶରେ ହିଁ ଆମେ ସବୁ ଏଠି ଅଭିନୟ କରୁଛି । 18 ବର୍ଷ ବୟସରେ ଆମ ଗାଁରେ ସାମାଜିକ ନାଟକରେ ହାସ୍ୟ କଳାକାରର ଅଭିନୟ କରିଛି କିନ୍ତୁ ପ୍ରକୃତରେ ମୁଁ କେବେ ଦର୍ଶକଙ୍କ ଆଗରେ ହସ ଫୁଟାଇପାରିବ କେବେ ସ୍ୱପ୍ନରେ ଭାବି ନଥିଲି । କିନ୍ତୁ ଆଜି ଏତେ ଦିନ ପରେ ବିଁ ସେଦିନର ମୋ ଚରିତ୍ରକୁ ଭଲପାଇଥିବା ମୋ ଦର୍ଶକ ଓ ପ୍ରଶଂସକ ମନେ ରଖିଛନ୍ତି । କିନ୍ତୁ ମୁଁ ସେହି ନାଟକର ସଂଳାପ ପ୍ରକୃତରେ ଭୁଲି ସାରିଲିଣି । ଯଦି ମୁଁ ଭଗବାନ ବା ସୃଷ୍ଟି କର୍ତ୍ତାଙ୍କ ପାଇଁ ଜଣେ ଅଭିନେତା ଆଉ ବିଧିଙ୍କ ସଂଳାପ ଅନୁଯାୟୀ ମୋତେ ଅଭିନୟ କରିବାକୁ ପଡ଼ିବ ସୃଷ୍ଟି କର୍ତ୍ତାଙ୍କ ନିର୍ଦ୍ଦେଶରେ ତେବେ, ମୁଁ କାହିଁକି କରତାଳି କିମ୍ବା ଗାଳିକୁ ଡରିବି । ମୁଁ ମୋ ଅଭିନେତା ଧର୍ମ ପାଳନ କରିବି । ଯେଉଁ ପର୍ଯ୍ୟନ୍ତ ଏ ଧରା ପୃଷ୍ଠରେ ମୋ ପାଇଁ ଦିନଧାର୍ଯ୍ୟ ହୋଇଥିବ । ହଁ ଏହା ସତ ଯେ, ଜଣେ ତନ, ମନ, ଶରୀର ଓ ଦୃଦୟଧାରୀ ମଣିଷଟେ ମୁଁ ତେବେ ମୋ ମନରେ ଇଛା, ଅନିଛା, ଭଲ ପାଇବା , ଘୃଣା କରିବା ପସନ୍ଦ ନା ପସନ୍ଦ କରିବାର ଇଛା ଥାଏ ତଥାପି ଏଥିରେ ବି ଭଗବାନଙ୍କ ଇଛା ସାମିଲ ଥାଏ । ଆଉ ସେଥିପାଇଁ ତ ସକାଳୁ ଖବର କାଗଜ କିମ୍ବା ଟିଭିରୁ ଜାଣିବାକୁ ଆଉ ଦେଖିବାକୁ ଇଚ୍ଛା ରହିଥାଏ ଯେ ଆଜି କଣ ଅଛି ମୋ ରାଶିରେ । ଅବଶ୍ୟ ଆଜି କାଲିର ଡିଜିଟାଲ ଯୁଗରେ ଇମେଲ ଜରିଆରେ ପ୍ରତିଷ୍ଠିତ ଜ୍ୟୋତିର୍ବିଦ ସଂସ୍ଥା ପକ୍ଷରୁ ମାଗଣାରେ ଆଜିର ରାଶିଫଳ ମୁଁ ବଡ଼ି ଭୋରରୁ ପାଇପାରୁଛି, ତଥାପି ହଁ ଯାହା ହେବାର ଥିବ ହେବ । ଆଉ ତାପରେ ସତକୁ ସତ ଯାହା ହେବାକୁ ଥିବ ତାହାହିଁ ହେବ । ହୁଏତ କିଛି ସତ ହୁଏ ଆଉ କିଛି ନ’ବି ଘଟିଥାଏ । କହିବା ବାହୁଲ୍ୟ ହୁଏ ଯେ, ବେଳେ ବେଳେ ସତ ହୁଏ ଭବିଷ୍ୟବାଣୀ କରିଥିବା ସେହି ଲେଖା ଗୁଡ଼ିକ । ଆଉ ବିପଦକୁ ଏଡାଇବା ପାଇଁ ଯେଉଁ ପରାମର୍ଶ ଦିଆଯାଇଥାଏ ତାକୁ ମାନିବା ଗ୍ରହଣ କରିବା କିମ୍ବା ହଁ କହିଁ ଏଡାଇଯିବା ନିଜସ୍ୱ ମତ ହୋଇପାରେ । ଆଜି କାଲିତ ଆମ ରାଜନେତା ଓ ସିନେ କଳାକାର ଓ ବୁଦ୍ଧିଜୀବୀ ପ୍ରତ୍ୟକ ସମୟରେ ନିଜସ୍ୱ ମତ ପାଇଁ ବେଶ୍ ଚର୍ଚ୍ଚାକୁ ଆସିଯାଇଥାନ୍ତି ଖବରର ଶିର୍ଷକ ବି ମଣ୍ଡନ କରିବାର ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟ ବି ପାଇଥାନ୍ତି । ତେବେ ଯଦି ଏ ସବୁ ସତ ତେବେ ମୁଁ କାହିଁକି ଉପରେ ପଡ଼ି ବିଧିଙ୍କ ବିଧାନଙ୍କୁ ଅସମ୍ମାନ କରିବାକୁ ଯିବି ? ବରଂ ମୋ ପାଇଁ ଉପଯୁକ୍ତ ହେବ ଯେ ମୁଁ ହସି ହସି ସେ ସବୁ ଗ୍ରହଣ କରିବି ଯାହା ମୋ ଭାଗ୍ୟରେ ଲେଖା ଅଛି କିମ୍ବା ଘଟୁଛି ବା ଘଟିବାକୁ ଯାଉଛି । ପିଲା ବେଳେ ପଢ଼ିଥିଲି କାମନାର ବିନାଶରେ ଦୁଖଃର ବିନାଶ, ଯଦି ମୋତେ ହସ, ଖୁସି ଦରକାର ଆଉ ପରମାତ୍ମା ମୋ ପାଇଁ ବେଳେ ବେଳେ ଦୁଖଃ ରଖିଛନ୍ତି ତେବେ ତାକୁ ଡରି ଭୟଭିତ ହେବାର କୌଣସି କାରଣ ନାହିଁ ବରଂ ତାକୁ ସାଦରେ ଗ୍ରହଣ କରିବି ସାମ୍ନା କରିବି ଓ ବିଜୟ ଲାଭ କରି ଦୁଖଃକୁ ଖୁସିରେ ପରିଣତ କରିବି ।
ମୋ ମନର କଥା
ସେହିଭଳି ମୋତେ ଏ ପୃଥିବୀକୁ ପଠାଇଥିବା ମୋ ଧର୍ମର ଦସ୍ତାବିଜ କହୁଥିବା ସୃଷ୍ଟି କର୍ତ୍ତା ମୋ ଭାଗ୍ୟ ଲେଖିଥିବା ବିଧାତା ଯିଏ ମୋ ଜନ୍ମ ସହ ମୋର ୱିକିପିଡିଆ ଲେଖିଛନ୍ତି ବୋଲି ମୋ ଘର ଲୋକେ କୁହନ୍ତି ।