କବିତା

ସର୍ବଂସହା

Bisweswar Majhi's odia poem Sarbansahaa

କୋଟି ଜୀବଜନ୍ତୁ ପାଇଁ ଖଂଜିଅଛ ଫଳଫୁଲ ଶଷ୍ୟ ଅସୁମାର
ଶ୍ରେଷ୍ଠ ଜୀବ ମନୁପୁତ୍ର ତହିଁ କରେ ତା’ର ସାମ୍ରାଜ୍ୟ ବିସ୍ତାର ।

ସର୍ବଂସହା

ଉତପ୍ତ ସୂର୍ଯ୍ୟଙ୍କ ଅଂଶ ମହାକାଶେ ହୋଇ ଭାସମାନ
ଧୀରେ ଧୀରେ ହୋଇଲ ଶୀତଳ ଗର୍ଭେ ଧରି ତପ୍ତ ଲାଭାମାନ ।

ସପତ ସାଗର ସାଥେ ନଦ ନଦୀ ସ୍ଥାବର ଜଙ୍ଗମ
କାହିଁ ଶୁଷ୍କ ମରୁଭୂମି କାହିଁ ସବୁଜିମା ବନାନୀ ଦୁର୍ଗମ ।

କୋଟି ଜୀବଜନ୍ତୁ ପାଇଁ ଖଂଜିଅଛ ଫଳଫୁଲ ଶଷ୍ୟ ଅସୁମାର
ଶ୍ରେଷ୍ଠ ଜୀବ ମନୁପୁତ୍ର ତହିଁ କରେ ତା’ର ସାମ୍ରାଜ୍ୟ ବିସ୍ତାର ।

ପାହାଡକୁ ଭାଂଗି ଗୁଣ୍ଡ କରେ ଅଟ୍ଟାଳିକା ଗଢେ ନାନାମତେ
କଂକ୍ରିଟ୍ ଜଂଗଲ ଗଢେ କାରଖାନା ଭାରି ଶିଳ୍ପ କେତେ ।

ହିଂସ୍ର ଜନ୍ତୁ ଭୟେ ଦିନେ ଯିଏ ଗଢିଥିଲା ନିଜର ବସତି
ହାତେ ଦେଖି ମାରଣାସ୍ତ୍ର ତା’ର ପଶୁ ପକ୍ଷୀ ଭୟେ ଲୁଚୁଛନ୍ତି ।

ଲୁଚିବାକୁ ଥାନ ମିଳେ ନାହିଁ ଜଙ୍ଗଲକୁ କାଟି କରେ ପଦା
ଧରଣୀର ଶ୍ରେଷ୍ଠ ଜୀବ ନଭ ଜଳ ସ୍ଥଳେ ରାଜୁତି ସର୍ବଦା ।

ଅଛି ତା’ର ବାଚାଶକ୍ତି ମେଧା ବିବେକ ବିଚାର ସୁମରଣା
ବିଦ୍ୟାବୁଦ୍ଧି ଉପଯୋଗ କରି ଧାରା କରେ ସରା ଭାବେ ଗଣା ।

ଧରିତ୍ରୀ ଗୋ ସର୍ବଂସହା ବୋଲି ସହିବ ତା’ କେତେ ଅତ୍ୟାଚାର
ପ୍ରଦୁଷିତ କରଇ ସୃଷ୍ଟିକୁ ଭାଂଗି ଗଢି କରେ ଛାରଖାର ।

ମହାବାତ୍ୟା ସୁନାମି କ୍ୟାଟ୍ରିନା ଫାଇଲିନ୍ ପୁଣି ଭୂସ୍ଖଳନ
ଚେତାବନୀ ଚେତା ନଫେରାଏ ସତେ ଅବା ଜିତିଛି ମରଣ ।

ଉଗ୍ରମୂର୍ତି ଧରି ଆବିର୍ଭାବ ହୁଅ ମାତ ପ୍ରଳୟ ବରଣା
ମହିଷାର ନିଧନ ପାଇଁକି ଆଉଥରେ ହୁଅ ବିବସନା ।

ନୂତନ ସୃଷ୍ଟିର ଶଂଖନାଦ କର ମାତ ଏ ସୃଷ୍ଟିକୁ ନାଶି
ହସିଉଠୁ ସୁଂଦର ଏ ଧରା ଆଉଥରେ କୁସୁମ ପରଷି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top