ଜନ୍ମ
ଉଦୟର ସମୟ ଆସିଲେ
ଆକାଶ ଓ ମାଟିକୁ
ଦୁଇଫାଳ କରି
ଚିରି ଘନ ଅନ୍ଧକାର
ଧୂସର ବାଦଲ
ଡାକ ଦେବ
ରାସ୍ତାଛାଡ଼, ରାସ୍ତାଛାଡ଼
ଆସିଚି ମୁଁ ସମୟର
ଅତନ୍ଦ୍ର ପ୍ରହରୀ ।
ଦୁଃସ୍ୱପ୍ନ
ରାତିସାରା ଛଟପଟ
କାମୁଡୁଚି ସାପ
ବୁଡ଼ିଯାଉଚି ପାଣିରେ
ଶୂନ୍ୟକୁ ଜାବୁଡ଼ି ଧରି
ଖୋଜୁଚି ଅତୀତ
ଭୟାତୁର ମୁଁ ସ୍ୱପ୍ନ ଦେଖୁଚି ବାରବାର
ଉଲଗ୍ନ ମୋ ପ୍ରାଣପ୍ରିୟା
ପାଲଟୁଚି ବାଘ ।
ସ୍ୱପ୍ନ ଦେଖୁଚି ମୁଁ
ମଲାମାଟି-ମୃତ୍ୟୁର ଆକାଶ
ମୋ ଦେହରେ ଯକ୍ଷ୍ମାକୀଟ
ମୃତ୍ୟୁ ଆସେ ପାଟି ମେଲି
ଫିଟି ପଡ଼େ ପାଞ୍ଚାଳିର କେଶ ।
ମୃତ୍ୟୁ
ଝଡ଼ିବାର ବେଳ ଆସିଗଲେ
ଉଠୁ ବା ନ ଉଠୁ ଝଡ଼
ଆସୁ ବା ନ ଆସୁ ରାତି
ଝଡ଼ିବ ନିଶ୍ଚୟ
ପାହାଡ଼ ଓ ନଦୀ ପାରକରି
ହଜିଯିବ ହଠାତ୍ କେଉଁଠି !
