ତୁମେ ଗଲାପରେ ,
ବାହାରକୁ ପକ୍ଵ ବନିଥିବା
ଭିତରେ ଲୁଚି ରହିଥିବା କୁନିଝିଅ
କେବେ କେବେ ପଦାକୁ ବାହାରେ ।
ବସି ଯିବାକୁ ଚାହେଁ
ତୁମ ସାଇକେଲ ଆଗେ
ବୁଲି ବଜାରକୁ,ଆତ୍ମାଭରି
ଖାଇବାକୁ ହରି ଦୋକାନର
ସେଇ ବରା ଗୁଲଗୁଲା ପୁଣି ।
ଆଖି ଝଲସାଇବାକୁ ଚାହେଁ
ଭିକା ଖଲିଫାର ନୂଆ ଫ୍ରକଟିରେ
ପିନ୍ଧି ତୁମେ ଆଣିଥିବା ନୂଆ ସୁଏଟର
ସ୍କୁଲ ନେଇ ଯିବା ପାଇଁ ଦସ୍ତା ବାକ୍ସ ।
ତୁମେ ଗଲାପରେ
ଆସୁନାହିଁ ବିସ୍କୁଟ ମିକ୍ସଚର ପ୍ରତିଟି ସନ୍ଧ୍ୟାରେ
ଭୁଲିଛି ମୁଁ ବଜାରରୁ
ଆସୁଥିବା ଆମ୍ବ ଓ କମଳା ର ବାସ୍ନା
କଦଳୀର ମିଠା ସୁଆଦ ।
ଏଠି ଖାଲି ଫ୍ୟାନଆଉ ଏସିର
ଘୂଁଘୂଁ ଶବ୍ଦ
ତା ଭିତରେ ଖୋଜୁଛି ମୁଁ
ତୁମ ହାତ ବିଞ୍ଚଣାର ଶବ୍ଦ
ଯାହା ରାତିସାରା ହୁଏ ନାହିଁ ବନ୍ଦ ।
ଥକି ପଡୁଚି ଦୁନିଆର ବୋଝରେ
ତୁମ କୁନି ଝିଅ ର
କଅଁଳିଆ କାନ୍ଧ
ତୁମେ କ’ଣ ବନାଇ ନାହଁ
ବିଧାତା ସହ ସମସ୍ତ ସମ୍ବନ୍ଧ?
ତୁମେ ଗଲାପରେ
ରସ୍ତା ସବୁ ନିହାତି ନିର୍ଜନ
ଖାଁଖାଁ ଲଗେ
ଜଳୁଥିବା ରାସ୍ତା ବତି ଆଲ
ଭାରି ନିଶ୍ପ୍ରଭ ଦିଶେ ।
ବୋଉର ମୁହଁର ସତେଜତା
ସ୍ୱପ୍ନ ପରି, ହସୁଥିଲେ ବି
କାନ୍ଦିଲା ପରି ଜଣା ପଡେ
ଅନେକ ଦୁଃଖ କୁ ଚାପି ଧରି
ଅଭିନୟ କରେ,ଖୁସି ହେବାର
ମିଛ ନିଶାଟାରେ ।
ତୁମେ ଗଲାପରେ
ଏ ବଦଳିବା ଦୁନିଆରେ
ପାଦେ ପାଦେ ସତର୍କତା
ଖଣ୍ଡା ଧାରେ ଚାଲିବାକୁ ପଡେ
ପର୍ବ ପର୍ବାଣୀର ସମ୍ଭାର କେବେଠୁ ଗଲାଣି
ତୁମ ପଛେ ପଛେ ଧାଉଁ ଥିବା ଲୋକ
ସବୁ ମୁହଁ ମୋଡ଼ି ଲେଣି ।
ତୁମେ ଗଲାପରେ
ଅନେକ ରାହା ଖୋଜିଛି ମୁଁ
ନିରବତା ମଧ୍ୟେ,
ଚେଷ୍ଟିତ ସମ୍ଭାଳିବା ପାଇଁ
ଏବେ ନିଜକୁ ନିଜ ପାରିଲା ପଣରେ
ସମ୍ବଳ କରି ତୁମ ଦିଆ ସଂସ୍କାର
ଓ ଭଲ ପାଇ ବାକୁ …।