ପ୍ରତିବର୍ଷ ମଇ ମାସ ଏକ ତାରିଖରେ ପାଳିତ ହେଉଥିବା ଅନ୍ତର୍ଜାତୀୟ ଶ୍ରମିକ ଦିବସ ହେଉଛି ଶ୍ରମିକଙ୍କ ଅଧିକାର, ସାମାଜିକ ନ୍ୟାୟ ଏବଂ ଆର୍ଥିକ ସମାନତାର ଏକ ବିଶ୍ୱବ୍ୟାପୀ ଉତ୍ସବ। ଏହି ଦିବସ ସେମାନଙ୍କ ଅଧୀକାରର ସୁରକ୍ଷା ପାଇଁ ଘଟିଥିବା ଐତିହାସିକ ସଂଘର୍ଷ “ହେମାର୍କେଟ୍ ଆଫେୟାର” କୁ ମନେ ପକାଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ହେମାର୍କେଟ୍ ଛକରେ ୧୮୮୬ ମସିହା ମଇ ମାସ ଚାରି ତାରିଖରେ ଦୈନିକ କାର୍ଯ୍ୟ ଦିବସର ଅବଧିକୁ ବାରରୁ ଷୋହଳ ଘଣ୍ଟା ପରିବର୍ତ୍ତେ ଆଠ ଘଣ୍ଟାରେ ପରିଣତ କରିବା ଦାବିରେ ଶ୍ରମିକମାନେ ପ୍ରଦର୍ଶନ କରୁଥିଲେ । ଧାରଣା ସ୍ଥଳରେ ବୋମା ଫିଙ୍ଗାଯିବାରୁ ଦଙ୍ଗା ସୃଷ୍ଟି ହୋଇ ଅନେକ ଲୋକ ମୃତାହତ ହୋଇଥିଲେ । ଶ୍ରମିକଙ୍କ ଅଧିକାର ପାଇଁ ଏହି ଘଟଣା ପାଲଟିଥିଲା ଅନ୍ତର୍ଜାତୀୟ ସଂଘର୍ଷର ପ୍ରତୀକ । ୧୮୮୯ ମସିହାରେ ମଇ ମାସ ଏକ ତାରିଖ ବା ମଇ ଦିବସକୁ “ଶ୍ରମିକ ଦିବସ” ଭାବରେ ନାମିତ କରାଗଲା, ହେମାର୍କେଟ୍ ଘଟଣାର ଦୁଖଦ ସ୍ମୃତିରେ।
ବୈଶ୍ଵିକ କୋଭିଡ଼ ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର, ପ୍ରଯୁକ୍ତିବିଦ୍ୟା ଜନିତ ବାଧା ଏବଂ ବିକଶିତ ଶ୍ରମ ଗତିଶୀଳତାକୁ ନେଇ ଗତି କରୁଥିବାରୁ ଏହି ଦିବସଟି ବର୍ତ୍ତମାନ ସମୟରେ ବିଶେଷ ଗୁରୁତ୍ୱ ବହନ କରେ । ଚଳିତ ୨୦୨୫ ବର୍ଷ ପାଇଁ ଶ୍ରମିକ ଦିବସର ମୁଖ୍ୟ ବିଷୟବସ୍ତୁ ହେଉଛି “ଡିଜିଟାଲ୍ ଯୁଗରେ ସ୍ଥାୟୀ କାର୍ଯ୍ୟ: ସମାନତା, ସୁରକ୍ଷା ଏବଂ ନବସୃଜନ” । ଏହା ପ୍ରଯୁକ୍ତିବିଦ୍ୟା, ପରିବେଶଗତ ଚିନ୍ତା ଏବଂ ଶ୍ରମ ଅଧିକାରର ବର୍ଦ୍ଧିତ ଏକୀକରଣକୁ ପ୍ରତିଫଳିତ କରେ । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଏଠାରେ ଆଲୋଚିତ ହୋଇଛି । କୃତ୍ରିମ ବୁଦ୍ଧିମତା, ସ୍ୱୟଂଚାଳନ ଏବଂ ଦୂରବର୍ତ୍ତୀ କାର୍ଯ୍ୟର ବୃଦ୍ଧି ସହିତ, ଗିଗ୍ କର୍ମଚାରୀ ଏବଂ ଡିଜିଟାଲ୍ ଶ୍ରମିକଙ୍କ ପାଇଁ ଉପଯୁକ୍ତ ମଜୁରୀ ଏବଂ ଚାକିରି ସୁରକ୍ଷା ନିଶ୍ଚିତ କରିବା, ନିଯୁକ୍ତି ଉପରେ କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳର ପ୍ରଭାବକୁ ନିୟନ୍ତ୍ରଣ କରିବା ସହ ଦକ୍ଷତା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ସାମ୍ପ୍ରତିକ କାର୍ଯ୍ୟସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଲୋଚ୍ୟ ବିଷୟ । କ୍ରମବର୍ଦ୍ଧିଷ୍ଣୁ ନବୀକରଣୀୟ ଶକ୍ତି ଏବଂ ସ୍ଥାୟୀ ଶିଳ୍ପକ୍ଷେତ୍ରରେ, ସବୁଜ ଚାକିରିର ଚାହିଦା ବୃଦ୍ଧି ପାଉଛି । ଶ୍ରମିକମାନଙ୍କୁ ଜୀବାଶ୍ମ ଇନ୍ଧନ କ୍ଷେତ୍ରରୁ ପରିବେଶ ଅନୁକୂଳ ଭୂମିକାକୁ ପରିବର୍ତ୍ତନ କରିବାକୁ ସମର୍ଥନ କରୁଥିବା ନୀତିଗୁଡ଼ିକର ଗୁରୁତ୍ୱ ବଢ଼ୁଛି । ମହାମାରୀ ପରବର୍ତ୍ତୀ ସମୟରେ, ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଭାବରେ ଉଭା ହୋଇଛି । ବୃତ୍ତିଗତ କ୍ଷେତ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା, କାର୍ଯ୍ୟକ୍ଷେତ୍ର ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା ସମର୍ଥନରେ ଆରମ୍ଭ ହୋଇଛି ଅନେକ ଅଭିଯାନ ।
ଆଭାଷୀ ମାଧ୍ୟମରେ ପ୍ରତିବାଦ ତଥା ରାଲି, ଗିଗ୍ କର୍ମଚାରୀଙ୍କ ଅଧୀକାର ଦାବି, କର୍ପୋରେଟ୍ ଆକାଉଣ୍ଟେବିଲିଟି ଆନ୍ଦୋଳନ, ଏବଂ ଯୁବ ନେତୃତ୍ୱାଧୀନ ଶ୍ରମିକ ଆନ୍ଦୋଳନ ଇତ୍ୟାଦି ଚଳିତ ବର୍ଷ ଶ୍ରମିକ ଦିବସ ପାଳନର ଉଦୀୟମାନ ଧାରାର ଅଂଶବିଶେଷ । ଶ୍ରମିକ ୟୁନିଅନର ସଭ୍ୟମାନେ ବିଶ୍ୱ ସଂହତି ଅଭିଯାନ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରନ୍ତି, ଲାଇଭ୍ ଷ୍ଟ୍ରିମ୍ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁ ସଂଖ୍ୟକ ଦର୍ଶକଙ୍କ ନିକଟରେ ପହଞ୍ଚିଥାନ୍ତି । ଗିଗ୍ ଅର୍ଥନୀତି ବିସ୍ତାର ଫଳରେ, ରାଇଡ୍-ସେୟାର ଡ୍ରାଇଭର, ଡେଲିଭରି କର୍ମଚାରୀ ଏବଂ ଫ୍ରିଲାନ୍ସରମାନଙ୍କ ପାଇଁ ଉନ୍ନତ ସାମାଜିକ ସୁରକ୍ଷା, ସର୍ବନିମ୍ନ ମଜୁରୀ ଏବଂ ୟୁନିଅନ୍ ଅଧିକାର ଦାବିରେ ସୃଷ୍ଟି ହେଉଛି ଅନେକ ଆନ୍ଦୋଳନ । କର୍ମଚାରୀମାନେ ଔଦ୍ୟୋଗିକ କାର୍ଯ୍ୟଶୈଳୀରେ, କୃତ୍ରିମ ବୁଦ୍ଧିମତା ଜ୍ଞାନ କୌଶଳର ସୁବ୍ୟବହାର ଏବଂ ନ୍ୟାୟସଙ୍ଗତ ଲାଭବଣ୍ଟନ ପ୍ରକ୍ରିୟାର ଯଥାର୍ଥ ଅନୁଶୀଳନ ପରି ସ୍ୱଚ୍ଛତା ଆଣିବା ପାଇଁ ଦାବି କରୁଛନ୍ତି । ପାରମ୍ପରିକ ଧାରଣା, ଧର୍ମଘଟ ସହିତ ବର୍ଜନ ଏବଂ ଅଂଶୀଦାର କାର୍ଯ୍ୟକଳାପ ଗୁଡ଼ିକ କ୍ରମେ ଗତିଶୀଳ ହେଉଅଛି । ନମନୀୟ କାର୍ଯ୍ୟନୀତି, ନେତୃତ୍ୱରେ ବିବିଧତା, ଏବଂ ଭେଦଭାବ ବିରୋଧୀ ଆଇନ ପ୍ରଣୟନ ପାଇଁ ଯୁବଶକ୍ତିର ନେତୃତ୍ୱରେ ଅନେକ ଅଭିଯାନ ଚାଲୁଅଛି ।
ଶ୍ରମିକଙ୍କ ସଂଘର୍ଷ ଏବଂ ସଫଳତାକୁ ସମ୍ମାନ ଜଣାଇବା, ବିଶ୍ୱସ୍ତରୀୟ ଶ୍ରମ ମାନଦଣ୍ଡ ପାଇଁ ସମର୍ଥନ କରିବା ଏବଂ ସାମାଜିକ ସଂହତିକୁ ସୁଦୃଢ଼ କରିବା ହେଉଛି ବର୍ତ୍ତମାନ ସମୟରେ ଶ୍ରମିକ ଦିବସର ମହତ୍ତ୍ୱ । ମଜୁରୀରେ ଥିବା ପ୍ରାର୍ଥକ୍ୟ ଏବଂ ସ୍ୱୟଂଚାଳନ ପ୍ରକ୍ରିୟାଜନିତ ଭୟ ଭଳି ଆଧୁନିକ ଆହ୍ୱାନର ସମ୍ମୁଖୀନ ହୋଇ, ଏହା ଐତିହାସିକ ଶ୍ରମିକ ଆନ୍ଦୋଳନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହୋଇ ରହିଛି। ଭୂରାଜନୈତିକ ପରିବର୍ତ୍ତନ ଏବଂ ଯୋଗାଣ ଶୃଙ୍ଖଳ ସଂସ୍କାର ମଧ୍ୟରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ, ବିଶ୍ୱ ସ୍ତରୀୟ ଶ୍ରମ ଅଧିକାର ଉପରେ ଗୁରୁତ୍ୱାରୋପ କରେ । ଆର୍ଥିକ ଅନିଶ୍ଚିତତାର ଯୁଗରେ, ଶ୍ରମିକ ଦିବସ ସମସ୍ତ ଶିଳ୍ପରେ ଶ୍ରମିକମାନଙ୍କ ମଧ୍ୟରେ ଏକତା, ଏବଂ ନୀତିଗତ ସଂସ୍କାରକୁ ପ୍ରୋତ୍ସାହିତ କରେ ।
୨୦୨୫ ମସିହାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସକୁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ଭାବରେ ପାଳନ ନକରି ଏକ ସମାନ, ସ୍ଥାୟୀ ଏବଂ ସମାବେଶୀ କାର୍ଯ୍ୟସଂସ୍କୃତିର ଗଠନ ନିମନ୍ତେ ପ୍ରୟାସୀ ହେବା ଏକ ବୈଶ୍ଵିକ ଆହ୍ୱାନ । ଡିଜିଟାଲ୍ ଏବଂ ସବୁଜ ଅର୍ଥନୀତି ଶ୍ରମ ବଜାରକୁ ପୁନର୍ଗଠିତ କରିଥିବାରୁ, ଏହି ଦିନଟି ବିଶ୍ୱବ୍ୟାପୀ କାର୍ଯ୍ୟକ୍ଷେତ୍ରରେ ନିରପେକ୍ଷ ବ୍ୟବହାର, ସୁରକ୍ଷା ଏବଂ ନବସୃଜନକୁ ସମର୍ଥନ କରିବା ପାଇଁ ଉତ୍ସାହିତ କରିବା ସହ ବାର୍ତ୍ତା ଦିଏ ଯେ “ଶ୍ରମିକଙ୍କ ଅଧିକାର ହେଉଛି ମାନବାଧିକାର” ।