ଏହି ସହରକୁ ଭଲ ପାଉଥିବା ବିଜୟ ଆଜି ନିଜେ ତାର ବଦଳି ପାଇଁ ଜେନେରାଲ ମ୍ୟାନେଜରଙ୍କୁ ଅନୁରୋଧ କରିବା ସହକର୍ମୀ ଚିତ୍ରଲେଖାକୁ ଉଦ୍ବେଳିତ କଲା । ହଠାତ୍ କାହିଁକି ବିଜୟ ଏ ସହରଠାରୁ ଦୂରକୁ ଚାଲିଯିବା ଲାଗି ଚାହୁଁଛି ?
କୌଣସି ଜରୁରୀ ଆଲୋଚନା ଲାଗି ଚିତ୍ରଲେଖା ସେତେବେଳେ ମ୍ୟାନେଜରଙ୍କ କ୍ୟାବିନରେ ଉପସ୍ଥିତ ଥିଲା, ଯେବେ ବିଜୟ ଦରଖାସ୍ତ ଦେଲା । ମଥା ସାମାନ୍ୟ ଝୁଙ୍କାଇ, ନଜର ଆଡ଼େଇ, ବିଜୟ ସେଠାରୁ ତୁରନ୍ତ ପ୍ରସ୍ଥାନ କରିଥିଲା । ନିର୍ବାକ୍ ଚିତ୍ରଲେଖା ତା’ପଛେ ପ୍ରାୟ ଧାଇଁଗଲା,ଏପରି ଅପ୍ରତ୍ୟାଶିତ ପଦକ୍ଷେପର କାରଣ ଜାଣିବା ପାଇଁ । କିନ୍ତୁ ତା’ର ସହକର୍ମୀ ଓ ବାଗ୍ଦତ୍ତା ବିଜୟ କେଉଁଠି ବି ଦେଖାଯାଉନଥିଲା । ଫୋନ୍କଲ୍ ବି ଉଠାଇନଥିଲା । ଗତ କିଛିଦିନ ହେଲା ବିଜୟର ହାବଭାବରେ ଅସ୍ୱାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରିଥିଲା ଅବଶ୍ୟ କିନ୍ତୁ ଏହା କାର୍ଯ୍ୟଚାପଜନିତ ଭାବିି ଆଡ଼େଯାଇଥିଲା ।
ହୋଇପାରେ ସେ ସ୍ଥାନ ପରିବର୍ତ୍ତନ ଚାହୁଁଛି, ପେଟଗ୍ୟାସ୍ ସମସ୍ୟା ଓ ଅବସାଦ ଯୋଗୁଁ । ନିଜ ମନକୁ ବୁଝାଇ କାମରେ ମନୋନିବେଶ କଲା ଚିତ୍ରଲେଖା । କିନ୍ତୁ ସେଦିନ ସନ୍ଧ୍ୟାରେ ନିଜ ପିତାମାତାଠୁ ବିଜୟ ବିଷୟରେ ଅନପେକ୍ଷିତ ସୂଚନା ପାଇଁ ବିଚଳିତ ହୋଇପଡ଼ିଥିଲା । ଫୋନରେ ବିଜୟର ବାର୍ତ୍ତା ଥିଲା, “ମୁଁ ଦୁଃଖିତ ଚିତ୍ରା, ସମ୍ଭବ ଯଦି କ୍ଷମା କରିବ । ”
ପରଦିନ ମା’ଙ୍କ ସହିତ ମଲ୍ଲବିରେ କଫିପାନ ବେଳେ ତା’ଦୃଷ୍ଟି ପହଁରିଗଲା । ଟିଭିପରଦାରେ ଦେଖାଯାଉଥିଲା କୌଣସି ପଳାତକର ଫଟୋ ଓ ଉଦ୍ଘୋଷଣା କରୁଥିଲା ‘WANTED’ । ସ୍ତମ୍ଭିତରୁ ଚକିତଜନିତ ଉଦ୍ବେଗରେ ସାରାଦେହ ତା’ର ଝାଳେଇଗଲା । କପ୍ରୁ କଫି ଚହଳିଯାଇ କେଇ ବୁନ୍ଦା ତଳେ ଝରିପଡ଼ିଲା ।
ଫଟୋର ଚେହେରାର ଅନେକଟା ସାମଞ୍ଜସ୍ୟ ଥିଲା ବିଜୟ ସହ; ବିଜୟ, ଯାହାର ମାର୍ଜିତ ବ୍ୟବହାର, ନିରାଡ଼ମ୍ବର, ନିଷ୍ପାପ, ସୌମ୍ୟ ଚେହେରା ତାକୁ ଆକୃଷ୍ଟ କରିଥିଲା, ଦୁଇବର୍ଷ ତଳେ । କେଶବିନ୍ୟାସ କିଛି ଆଧୁନିକ ଥିଲା ଫଟୋରେ, କିନ୍ତୁ ଇଏ ତ ବିଜୟଠାରୁ ଦଶବର୍ଷ କମ୍ ଲାଗୁଛି । ତା’ହେଲେ ବିଜୟ ଜଣେ ଛଦ୍ମବେଶୀ ? ସେହି ଚର୍ଚ୍ଚିତ ଅପରାଧି ଯେ କିଛିବର୍ଷ ପୂର୍ବେ ସାରାଦେଶରେ ଏପରିକି ବିଦେଶରେ ମଧ୍ୟ ନିଜ ଘୃଣ୍ୟକୃତ ସକାଶେ ଚହଳ ସୃଷ୍ଟି କରିଥିଲା ? ପୁଣି ପାରୋଲରେ ଆସି ଏପରି ଅନ୍ତର୍ଦ୍ଧାନ ହେଲା ଯେ ପୁଲିସ କି ପ୍ରଶାସନ କେହି ଟେର୍ ପାଇଲେନି । ବିଜୟ ସହିତ ନିଜ ଏକାନ୍ତ ମୁହୂର୍ତ୍ତର ବେଳାତୀରେ, କୌଣସି କାଫେର ନିଭୃତ କୋଣରେ…କାହିଁ କେବେ ବି ତ ବିଜୟ ଅଶାଳୀନ କିଛି କହିନି, ତା ଶରୀରସ୍ପର୍ଶ ତ ଦୂରର କଥା…ତାହେଲେ ଏପରି ପାଶବିକ ଅପରାଧ ସେ କିପରି କରିପାରିଥିବ ଭାବି ରୁନ୍ଧି ହେଇଯାଉଥିଲା ଚିତ୍ରଲେଖା ।
ଦୀର୍ଘ ଦେଢ଼ବର୍ଷ ପରେ, ଦିନେ ସାଗରତୀରେ ବିଜୟ କହିଥିଲା, “ସୁଯୋଗ ମିଳିଲେ, ଭଲ ମଣିଷ ହେବାକୁ ଚେଷ୍ଟା ନିଶ୍ଚୟ କରିବି” । ଚିତ୍ରଲେଖା ହସିଥିଲା, “ତୁମେ କ’ଣ ଖରାପ?” ବିଜୟ କହିଲା, “ଚିତ୍ରା, ମୁଁ ମୋ ଜୀବନପୁସ୍ତକର ଏକ ଲୁକ୍କାୟିତ ଅଧ୍ୟାୟକୁ ଶୁଣାଇବାକୁ ଚାହେଁ, ଶୁଣିବ?” ଚିତ୍ରା ଅଣଶୁଣା କରି କହିଥିଲା, “ଦେଖ, ଦୂରଦିଗବଳୟରେ ଘନମେଘ ଖଣ୍ଡରେ ସୂର୍ଯ୍ୟକିରଣ ପ୍ରତିବିମ୍ବିତ ହୋଇ କିପରି କାନଭାସ୍ଚିତ୍ରସମ ଦେଖାଯାଉଛି” ।
ସେ କେବଳ ଜାଣିଛି, ଏମବିଏ ଡିଗ୍ରୀଧାରୀ ବିଜୟ କେବେ ଥିଲା ଅଧ୍ୟାପକ, କୌଣସି ବେସରକାରୀ ସଂସ୍ଥାରେ, ଛାତ୍ରବତ୍ସଳ ଓ ବିଚକ୍ଷଣ କର୍ମଚାରୀ । ଚିତ୍ରଲେଖା ମା’ଙ୍କୁ ଅନାଇଲା, କାନ୍ଦକାନ୍ଦ ଦୃଷ୍ଟିରେ, ଠିକ୍ ପିଲାଦିନ ପରି ଯେବେ ମାଆ ତାର କଣ୍ଢେଇ ନେଇଯାଇ ‘ପାଠ ପଢ଼ିବୁ ଯା’ ବୋଲି ତାଗିଦ୍ କରୁଥିଲେ । ତା’ସ୍ମୃତିପଟଳକୁ ଭାସିଆସିଲା ଅବିଚାରିତ ଦୃଶ୍ୟକେତେ ଯାହା ବିଜୟକୁ ନେଇ ତା’ର ସନ୍ଦେହ ଦୃଢ଼ୀଭୂତ କରିଥିଲା । ଥରେ ତ୍ରିଚମ୍ବାରନ କୃଷ୍ଣମନ୍ଦିର ପରିଦର୍ଶନ ବେଳେ ସତର୍କ ନଜର ଘୁରାଉଥିବା ଅନ୍ୟମନସ୍କ ବିଜୟକୁ ଚିତ୍ରା ଚିଡ଼ାଇଥିଲା, “ଆତଙ୍କିତ ଜଣା ପଡ଼ୁଛ ଯେ, କେଉଁ ପାପ କରି ଏଠାରେ ଲୁଚିଛ କି?”
ନୂଆନୂଆ ପରିଚୟ ବେଳେ ବିଜୟର ପରିବାର ବାବଦରେ ଜିଜ୍ଞାସା କରୁଥିଲା ଚିତ୍ରଲେଖା । ପ୍ରାୟ ପ୍ରତ୍ୟେକଥର ଅର୍ନ୍ତମୁଖୀ ବିଜୟର ଉତ୍ତର ଦୁଇତିନି ଶବ୍ଦରେ ସୀମିତ ଥିଲା ଓ ମୃଦୁହସି ଆଡ଼େଇଯାଉଥିଲା । ଫୋନ୍କଲ୍ ଆସିଲେ, ସେ ଦୂରେଇ ଯାଇ କଥା ହେଉଥିଲା, ଧିମା ସ୍ୱରରେ ଅଥଚ ତରବରିଆ । ସୋସିଆଲ ମିଡ଼ିଆରେ ଅନାଗ୍ରହ ସହ ବିଜୟକୁ ଲୋକାରଣ୍ୟ ସ୍ଥାନ ବେଶି ପସନ୍ଦ ଥିଲା, ‘ଗହଳିରେ ହଜିଯିବାକୁ ଖୁବ୍ ଭଲ ଲାଗେ’, ବୋଲି କହୁଥିଲା ।
“ବୋଧହୁଏ, ପୁରୁଣା ଫଟୋ”, ମା’ଙ୍କ କଣ୍ଠ ଥିଲା ସଂଶୟସିକ୍ତ । ଚିତ୍ରଲେଖା ବିଜୟକୁ ତୁରନ୍ତ ଫୋନ କଲା । ପନ୍ଦର ମିନିଟଯାଏ ସେପଟେ ଫୋନ୍ରିଂ ଶୁଣାଯାଉଥିଲେ ବି କେହି ଉଠାଇନଥିଲେ । ଆଗାମୀଦିନରେ ସେ ପରସ୍ପର ବିରୋଧୀ ଆବେଗରେ ଆକ୍ରାନ୍ତ ହେବା ନିଶ୍ଚିତ ଜାଣି ମାନସିକ ସୁସ୍ଥତା ସକାଶେ ଧ୍ୟାନରେ ବସିଲା, ନିଜ ପ୍ରକୋଷ୍ଠରେ । ଏକ କଳଙ୍କିତ ଅପରାଧି ସହିତ ତା’ର ସମ୍ବନ୍ଧ ଜାଣି ସାଙ୍ଗସାଥି,ବନ୍ଧୁବାନ୍ଧବଙ୍କ ନକରାତ୍ମକ ପ୍ରତିକ୍ରିୟାର ଭୟ ତା’ର ଏକାଗ୍ରତାକୁ ଭଙ୍ଗ କରୁଥିଲା । ସେ ଆସନରୁ ଉଠିପଡ଼ିଲା…
ଲେଟରପ୍ୟାଡ୍ ଟାଣିଆଣି ସେ କିଛି ଲେଖିବାକୁ ଯାଉଥିଲା ଯେବେ ଦରଜାରେ ହେଲା କରାଘାତ । ବାହାରେ ତା’ର ମା’ ଛିଡ଼ା ହୋଇଥିଲେ । ସେ ଭିତରକୁ ଆସି ଲେଟରପ୍ୟାଡ୍ରେ କିଛି ସଂକ୍ଷିପ୍ତ ଲେଖିଲେ, ଖଣ୍ଡି ଇଂରାଜୀରେ, ‘ଆମର ସନ୍ଦେହ ହେଉଛି ଯେ…’, । ଚିଠିକୁ ଲଫାପାରେ ଭରି ସେଥିରେ ଲେଖିଲେ ବ୍ୟାଙ୍କର ଠିକଣା ଯେଉଁଠାରେ ବିଜୟ ସଂସ୍ଥାପିତ ଥିଲା ।
x x x
“ମୁହୂର୍ତ୍ତରେ ବଂଚିବାକୁ ଚାହେଁ ”, ସେ କୁହେ ନିଜକୁ ଯେବେ ଅତୀତ ଡରାଉଥିଲା ଓ ଭବିଷ୍ୟତର ଭରସା ନଥିଲା । ଦୋହରାଉଥିଲା ଭିକ୍ଟର ହୁଗୋଙ୍କ ପ୍ରସିଦ୍ଧ ଉପନ୍ୟାସ, ‘ଲେସ୍ ମିଜେରାବଲସ୍’ର କେତୋଟି ବାକ୍ୟ, ‘ସବୁଠାରୁ କଳାରାତିର ସମାପ୍ତି ଅବଶ୍ୟ ଘଟିବ ଓ ସୁନେଲି ସୂର୍ଯ୍ୟୋଦୟ ହେବ । ’ ଅଜଣା ରାଜ୍ୟରେ ପୁତ୍ରବତ୍ ସ୍ନେହ ଦେଇଥିବା ଆଶ୍ରୟଦାତା ଆନ୍ନାଙ୍କ ମାର୍ଗଦର୍ଶନରେ ବ୍ୟାଙ୍କ ପିଓ ପରୀକ୍ଷା ଦେଇଥିଲା । ନକଲି ଦସ୍ତାବିଜରେ, ଲିଖିତ ଓ ସାକ୍ଷାତକାର ପରୀକ୍ଷାର ସଫଳତାରେ ଆତ୍ମହରା ହୋଇ ପାଶୋରିବାକୁ ଚାହିଁଲା ନିଜ କୁଖ୍ୟାତ ଅତୀତ । ମୁଁ ବିଜୟ ରାଜନ…ମୁଁ ବିଜୟ । …ନୁହେଁ । ବାରମ୍ବାର ମିଥ୍ୟାତଥ୍ୟକୁ ସର୍ବସମ୍ମୁଖରେ ବା ନିଜକୁ ନିଜେ ଘୋଷିହେଲେ କୁଆଡ଼େ ମିଥ୍ୟା ହୋଇଯାଏ ସତ୍ୟପ୍ରଲେପିତ ।
“ଅନ୍ତତଃ ପଳାତକ ଭଳି ନିଭୃତକୋଣରେ ତ ମୃତ୍ୟୁ ଲଭିବିନି । ” ଚଷମା ଥୋଇଦେଇ,ହସ୍ପିଟାଲ ବେଡ଼ରେ ସେ କଡ଼ ଲେଉଟାଇଲା । ଏବେ ପାଖରେ ମୋ ପ୍ରିୟଜନ ଅଛନ୍ତି । ” କ୍ୟାନ୍ସର୍ର ଅନ୍ତିମ ପର୍ଯ୍ୟାୟରେ ଏହି ପ୍ରକୋଷ୍ଠରେ ତିନି ମାସ ବିତିଲାଣି । ବାତାବରଣ ଭାରୀ ଲାଗୁଥିଲା, ଔଷଧୀୟ ଆଣ୍ଟିସେପ୍ଟିକ ଓ ରକ୍ତର ଧ୍ୱାତ୍ୱିକ ଗନ୍ଧରେ । ସେ ଆଖିରୁ ଲୁହ ପୋଛିଲା, ପାକସ୍ଥଳୀରେ ଅସହନୀୟ ପୀଢ଼ା ହେଉଥିଲା, ବର୍ଷକ ତଳର ସ୍ଫୂର୍ତ୍ତିଲା ଶରୀର ଏବେ କଙ୍କାଳପ୍ରାୟ, ମର୍ମପୀଡ଼ା ଜର୍ଜରିତ ।
ଅଳିନ୍ଦରେ ପୁଲିସ, ହାସପାତାଳ କର୍ମଚାରୀଙ୍କ ମୃଦୁ ପଦଚାରଣା ଶୁଭୁଥିଲା । ନିଷ୍ଠୁର ମୁହୂର୍ତ୍ତ ବି ଲାଗୁଥିଲା ଅନ୍ତହୀନ । ଏଠାରେ ମୃତ୍ୟୁ ଓ ଜୀବନ ମଧ୍ୟେ ପ୍ରାଚୀର ସଙ୍କଟଜନକ ଭାବେ ଜୀର୍ଣ୍ଣପ୍ରାୟ । ଚାରିଦିନ ତଳେ ଚିତ୍ରଲେଖା ଆସିଥିଲା, ଆଖି ଝଲସୁଥିଲା ସେହି ଆନ୍ତରିକ ସ୍ନେହରେ । ଆଠବର୍ଷ ତଳେ ସେମାନଙ୍କ ଶେଷ ସାକ୍ଷାତରେ ସେ ତାକୁ କହିଥିଲା, “ଠିକ୍ ଅଛି, ବ୍ୟସ୍ତ ହେବାର କିଛି ନାହିଁ । ” ପିତାମାତାଙ୍କ ପସନ୍ଦ ଅନୁଯାୟୀ ବିବାହ କରିନେବାକୁ ଦେଇଥିଲା ପରାମର୍ଶ ।
ଏଲେକ୍ସ୍ ମାଇକେଲିଡିସ୍ ଅପରାଧ ଉପନ୍ୟାସ ‘ଦି ସାଇଲେଣ୍ଟ୍ ପେସେଣ୍ଟ୍ର କିଛି ପୃଷ୍ଠା ଲେଉଟାଇଲା, ରେଖାଙ୍କିତ କେତୋଟି ଧାଡ଼ିକୁ ଗୁଣୁୁଗୁଣୁଇଲା- ଆମେ ସମସ୍ତେ ବିପରୀତଧର୍ମୀ ଉପାଦାନର ସମଷ୍ଟି । କିଛି ଭଲ, କିଛି ଖରାପ, ଆଉ କିଛି ଏମିତି ଯାହା ଆମେ ସ୍ୱୀକାର କରିବାକୁ ସଦା କୁଣ୍ଠିତ । କିନ୍ତୁ ଆମେ ଏହାକୁ ଅସ୍ୱୀକାର କରି ନିଜ ମନୁଷତ୍ୱକୁ ହିଁ ଅଗ୍ରାହ କରୁ ।
କନ୍ନୁର ରାଜରାସ୍ତାରେ, ଚିତ୍ରଲେଖାର ସାନ୍ନିଧ୍ୟରେ, ନୂତନ ପରିଚୟର ଜୀବନଚର୍ଯ୍ୟାରେ ଅପରିବର୍ତ୍ତିତା ପ୍ରାର୍ଥନା କରୁଥିଲା ସେ । ତଥାବି ଏକଲା ଘଡ଼ିରେ ହତାଶା ଓ ଗ୍ଳାନିରେ ହେଉଥିଲା ସଙ୍କୁଚିତ ।
ବୋଝସଦୃଶ ଛଦ୍ମଜୀବନରେ ପ୍ରକୃତ ପରିଚୟ ଅନାବୃତ ହେବାର ଭୟ ସଦା ଗ୍ରାସୁଥିଲା । “ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଜିଇଁବାକୁ ଚାହିଁଥିଲି । କିନ୍ତୁ ସାହସ ଥିଲା କୋଉଠି? ମୁଁ କେବଳ ଛଦ୍ମଜୀବନକୁ ଦୃଢ଼ୀଭୂତ କରିବା ପାଇଁ ବୁଦ୍ଧିବାଟ ଖୋଜୁଥିଲି । ନିଜ ମେଧାର ଅପଚୟ କରିଚାଲିଥିଲି । ” ଅତୀତର ଗୋଟିଏ ପରସ୍ତକୁ ସେ ମୋଡ଼ିମାଡ଼ି ରଖିଦେଇଥିଲା, ଆଉ ତାହା କେବେ କେହି ଯେମିତି ଖୋଲିପାରିବେନି, ସ୍ୱୟଂ ତ କେବେ ନୁହେଁ । “ଅନ୍ଧାରୁଆ ସୁଡ଼ଙ୍ଗରେ ଆଇନର ବିକଟାଳ ଗର୍ଜନ ଡରାଉଥିଲା । ମୁଁ ଦୌଡ଼ୁଥିଲି, ବାସ୍ ଦୌଡ଼ୁଥିଲି, ସୁନାମୀ ପରବର୍ତ୍ତୀ ବେଳାଭୂମି ଦୃଶ୍ୟ ପରି ମୋ ଜୀବନର ସବୁକିଛି ବିକ୍ଷିପ୍ତ ପଡ଼ିଥିଲା, ମୁଁ ସବୁୁ ସାଉଁଟି ନେବାକୁ ଆତୁର ଥିଲି, କିନ୍ତୁ ଫେରି ଚାହିଁବାକୁ ଅବକାଶ ନଥିଲା । ” ସେ ଲେଖିଲା ଡାଏରୀ ପୃଷ୍ଠାରେ ।
“ଜୀବନର ମୋଡ଼ ଚିରଦିନ ଲାଗି ବଦଳାଇ ଦେଇଥିବା ସେହି ଉତ୍ତପ୍ତ ରାତ୍ରିରେ, ଯୌବନର ଆଦିମତା କ’ଣ କେବଳ ମୋର ଥିଲା?” ଉଦ୍ଧ୍ୱର୍ଶ୍ୱାସର ଲହର ମଧ୍ୟେ ସେ ଭାବୁଥିଲା ପାରୋଲ ଡେଇଁବା ହିଁ ତା’ର ଏକମାତ୍ର ଭୁଲ ଥିଲା । କାହିଁକି ତାକୁ କେହି ଅଟକାଇଲେ ନାହିଁ, “ମୋତେ ଛପିଯିବାକୁ ସାହାଯ୍ୟ କର ନହେଲେ ମୁଁ ଜୀବନ ହାରିଦେବି”ର ସୁଆଙ୍ଗ ଆଗେ କାହିଁକି ମୁଣ୍ଡ ପାତିଲେ ? ସାତବର୍ଷର କାରାବାସ ହାହାକାରମୟ ଥିଲା, ଯୁବାବୟସର ସୁନେଲୀ ସ୍ୱପ୍ନର ବାଧକ ଥିଲା । ଛଦ୍ମଜୀବନରେ ତ୍ରାସର ଦାସ ହେବା ବୋଧହୁଏ ଅଧିକ ଗ୍ରହଣୀୟ ଥିଲା ।
ଅଜ୍ଞାତବାସର ଆରାମଦାୟକ ଖୋଳପାରେ ଦିନେ ହଳଚଳ ହେଲା । ଅସ୍ପଷ୍ଟ ଅସ୍ଥିରତା ମଧ୍ୟେ ପ୍ରତିକ୍ଷଣର ସତର୍କତା ଯୋଗୁଁ ତା’ର ତୀକ୍ଷ୍ମ ଦୃଷ୍ଟିରୁ ବର୍ତ୍ତିଲାନି ବିଭିନ୍ନ ଗଣମାଧ୍ୟମରେ ଏପରିକି ଇଣ୍ଟରନେଟ୍ରେ ତା ଫଟୋର ଗହଳି ।
ସମ୍ଭାବ୍ୟ ସନ୍ଦେହର ପ୍ରତିକାର କ୍ରମରେ ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ୍ଶାଖା ବଦଳି ହୋଇ, ଛୁଟିରେ ରହିି ପରେ ବ୍ୟାଙ୍କ ଚାକିରୀରୁ ଇସ୍ତଫା ଦେଇଥିବି ବୋଲି ବିଚାର କଲା । ତାକୁ ଲାଗୁଥିଲା ଯେପରି ସମସ୍ତେ ତାକୁ ନିରେଖି ଦେଖୁଛନ୍ତି । ସେମିତି ବି ସାତବର୍ଷ ତଳର ପ୍ରଗଳ୍ଭ ଯୁବକଟି କେଉଁଠି ହଜିଯାଇଥିଲା ଆଧ୍ୟାତ୍ମିକତାର ଆଢ଼ୁଆଳେ ।
ତା’ର ସନ୍ଧାନ ପାଇଁ ଜୋରଦାର ଉଦ୍ୟମ ଚାଲିଛି ଜାଣି, ମୁହଁ ପ୍ରାୟ ଲୁଚାଉଥିଲା, ଖିଅର ହେଉନଥିଲା, ଢିଲା ସାର୍ଟ ପିନ୍ଧୁଥିଲା । ଜିନିଷ କିଣାକିଣି ଲାଗି ବଜାର ଯିବା ପ୍ରାୟ ଛାଡ଼ିଦେଇ, କାହା ହାତରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଗାଉଥିଲା । ଅବସରରେ ସମୟରେ ସଡ଼କରେ ଦିଶାହୀନ ଘୁରିବା ଅଭ୍ୟାସ ଛାଡ଼ିଦେଇଥିଲା । କାହା ସହିତ ମୁହଁ ମିଳାଇ କଥା କହୁନଥିଲା । ଫଟୋ ସହିତ ତା’ ଚେହେରାର ସାଦୃଶ୍ୟତା କେହି ଠଉରାଇ ନପାରୁ ସେଥିପାଇଁ ସେ ରହୁଥିଲା ସଜାଗ । ପ୍ରତି ଫୋନ୍ କଲ ତାକୁ ଡରାଉଥିଲା । “କ’ଣ ହେବ ନୂତନ ବୃତ୍ତି, ତା’ର ବହୁପରସ୍ତ ଆଚ୍ଛାଦନ?”, ଚିନ୍ତନ ଆଶଙ୍କାରୁ ସାମୟିକ ମୁକ୍ତି ଦେଉଥିଲା ।
ଦିନେ ମେଘାଚ୍ଛାଦିତ ସକାଳେ ବିମାନ ବନ୍ଦରକୁ ଟାକ୍ସିରେ ବାହାରୁଥିଲା କି ବ୍ୟାଙ୍କ୍ରୁ ଫୋନ୍ ଆସିଲା । ତା’ ବଦଳି ପାଇଁ ଆଉ କିଛି ଦସ୍ତାବିଜ ସମର୍ପିବା ବାକିଅଛି ବୋଲି ମ୍ୟାନେଜର କହୁଥିଲେ । ସେ ବ୍ୟାଙ୍କ୍ ଆଡ଼େ ଟାକ୍ସି ଘୁରାଇବାକୁ ଡ୍ରାଇଭରକୁ କହିଲା ।
ମ୍ୟାନେଜରଙ୍କ କ୍ୟାବିନ୍ରେ ଲୋକଙ୍କ ଗହଳି ଥିଲା । ସେ ଦୋଦୋପାଞ୍ଚ ହେଲା । ସେ ଫେରିଯିବାକୁ ବସିଥିଲା ଯେବେ କାନ୍ଧରେ କାହାର ମୃଦୁସ୍ପର୍ଶ ଅନୁଭବ କଲା । ମିଃ… ? ନିଜର ପୁରୁଣା ନାମ ଶୁଣି ତା’ ହୃଦୟର ସ୍ପନ୍ଦନ ଏପରି ତୀବ୍ର ଥିଲା ସେ ଅଫିସର ଜଣକ ବୋଧେ ଶୁଣିପାରୁଥିଲେ । ତା’ଚାରିପାଖେ ତା’ର ପ୍ରିୟ ସହକର୍ମୀମାନେ ରୁଣ୍ଡ ହୋଇଥିଲେ । କିନ୍ତୁ ସେମାନଙ୍କ ଆଖିରେ ଘୃଣା ନଥିଲା, ଥିଲା କିଛି ଆଶ୍ଚର୍ଯ୍ୟମିଶା ପ୍ରଶ୍ନ । “ଜୀବନକୁ ନୂତନ ଦିଗନ୍ତ ଦେବାର ମୋର ପ୍ରଚେଷ୍ଟା କ’ଣ ଭୁଲ ଥିଲା?” ପୁଲିସଗାଡ଼ିରେ ବସି ବିଜୟ ଓରଫ… ବାରମ୍ବାର ନିଜକୁ ପଚାରୁଥିଲା । ଚପଳତାର ଅଜ୍ଞାନତାରୁ ମୁକୁଳିବା ତଥାପି ବାକି ଥିଲା ବୋଧହୁଏ । ପରିଚୟ ଗୋପନ ରଖି ନକଲି ଦସ୍ତାବିଜରେ ଜିଇିଁବାର ଆତିଶଯ୍ୟତାରେ ସେ ଆଉ ଏକ ଅପରାଧ କରି ପକାଇଥିଲା ।
ନିଃସଙ୍ଗ ରୋଗଶଯ୍ୟାରେ ମୃତ୍ୟୁପର ଓ ପୁନଃଜନ୍ମ ଥିଓରୀ ବିଷୟରେ ଅନେକ ଗବେଷଣା କରୁଥିଲା, ପୁସ୍ତକ, ଇଣ୍ଟରନେଟ୍ ଆଦିରୁ । ଅଧୁରା ଆକାଂକ୍ଷାର ଉପଲବ୍ଧି ସକାଶେ ଜନ୍ମମୃତ୍ୟୁଚକ୍ରରୁ ମୁକ୍ତି ଚାହୁଁନଥିଲା ସେ ।
ବହୁକୋଣୀୟ ଜୀବନର ଉପସଂହାରର ସମୟ ହୋଇସାରିଥିଲା । ଝରକାରେ ଦେଖିଲା, ଆକାଶରେ ତାରାମଣ୍ଡଳ ସଜେଇ ହେଉଥିଲେ ତାକୁ ପାଛୋଟି ନେବାକୁ । ଫୋନ୍ରେ ସକାଳୁ ଅନେକ ବାର୍ତ୍ତା ମଧ୍ୟେ ଥିଲା, ଚିତ୍ରଲେଖାର ବି ଆର୍ତ୍ତରେ, ‘ପୁଣି ଥରେ…’ ।
