ପ୍ରବନ୍ଧ

ସୃଜନଶୀଳତାର ଘାତକ ଇଲେକ୍ଟ୍ରୋନିକ୍ସ୍ ଗଣମାଧ୍ୟମ

Nishikanta Padhi's Odia Prose SHRUJANASHEELATAARA GHAATAKA ELECTRONICS GANAMAADHYAMA

ପାଠ ପଢୁଆ ପିଲାମାନେ ଟି.ଭି. ଆଗରେ ବସି ଘଣ୍ଟା ଘଣ୍ଟା ଧରି କାର୍ଟୁନ୍ ଚ୍ୟାନେଲ୍ ଦେଖୁଛନ୍ତି । ପ୍ରଥମରେ ସମୟ ନଷ୍ଟ ହେବା ସହିତ ଦ୍ୱିତୀୟରେ ପିଲାମାନଙ୍କର ସୃଜନୀ ଶକ୍ତି ମଧ୍ୟ କମିଯିବାର ପରିଲକ୍ଷିତ ହେଉଛି ।

ସୃଜନଶୀଳତାର ଘାତକ ଇଲେକ୍ଟ୍ରୋନିକ୍ସ୍ ଗଣମାଧ୍ୟମ

ବିଜ୍ଞାନ ଆଗଉଛି । ଦେଶ ଆଗଉଛି ସମାଜର ମଣିଷମାନେ ମଧ୍ୟ ନିଜ ନିଜ ବାଟରେ ଆଗେଇ ଚାଲିଛନ୍ତି । ପଙ୍ଗୁ ଲଙ୍ଘୟତେ ଗିରି, ମୁକଂ କରୋତି ବାଚାଳମ୍ ଅର୍ଥରେ ମଣିଷ ପାଖରେ ଆଜି ଆଉ କିଛି ଅସମ୍ଭବ ନାହିଁ । ବିଜ୍ଞାନର ଆଲୋକରେ ମଣିଷ ଧାଇଁ ଚାଲିଛି ଆଧୁନିକତାର ଦୁନିଆଁ ଆଡ଼କୁ । ସାରା ବିଶ୍ୱ ଯେପରି ସଙ୍କୁଚିତ ହେଲା ପରି ମନେ ହେଉଛି । ବିଜ୍ଞାନର ଅବଦାନ ମଧ୍ୟରେ ଶ୍ରେଷ୍ଠତମ ହେଉଛି ଇଲେକ୍ଟ୍ରିସିଟି । ଆଜିର ମଣିଷ ବାଟ ଚାଲୁଛି ଗୋଟିଏ ବୈଦ୍ୟୁତିକ ସର୍କିଟ୍‌ର ଘେର ଉପରେ । ଇଲେକ୍ଟ୍ରୋନିକ୍ ଉପକରଣ ଗୁଡ଼ିକ ଆଜି ବ୍ୟସ୍ତବହୁଳ ମଣିଷର ଜୀବନକୁ ଖୁବ୍ ସୁଖପ୍ରଦ ତଥା ସହଜ କରିଦେଇଛି । ଆଜିର ଇନ୍ଫର୍ମେସନ୍ ଦୁନିଆଁ ଭିତରେ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ଖୁବ୍ ଶକ୍ତିଶାଳୀ ତଥା ଲୋକପ୍ରିୟ ହୋଇ ଉଠିଥିଲେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡୁଛି ଛାତ୍ରଛାତ୍ରୀମାନଙ୍କ ଉପରେ । ଜ୍ଞାନ ଆହରଣର ସମୟଟା ନିସ୍ପେଷିତ ହୋଇପଡୁଛି ଇଲେକ୍ଟ୍ରୋନିକ୍ ଡିଭାଇସ୍ ଗୁଡ଼ିକୁ ନେଇ । ଆଜି ଘରେ ଘରେ ଟି.ଭି., ମୋବାଇଲ୍, କମ୍ପ୍ୟୁଟର, ଇଣ୍ଟରନେଟ୍ ମାନ ସବୁ ଖଞ୍ଜା ହୋଇଗଲାଣି । ପିଲାଠାରୁ ବଡ଼ ଯାଏ ସମସ୍ତେ ଏସବୁକୁ ବ୍ୟବହାର କରିବାର ମଧ୍ୟ ଅଭ୍ୟସ୍ତ ହୋଇ ଉଠିଲେଣି । ତେବେ ସ୍କୁଲ୍ ଯାଉଥିବା ପିଲାମାନେ ଏହି ସବୁ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଗୁଡ଼ିକ କି ପ୍ରକାରର ଉପଯୋଗ କରୁଛନ୍ତି ତାହାକୁ ଦେଖିବା ପାଇଁ ବାପାମା’ମାନଙ୍କ ପାଖରେ ସମୟ ନାହିଁ । ପାଠ ପଢୁଆ ପିଲାମାନେ ଟି.ଭି. ଆଗରେ ବସି ଘଣ୍ଟା ଘଣ୍ଟା ଧରି କାର୍ଟୁନ୍ ଚ୍ୟାନେଲ୍ ଦେଖୁଛନ୍ତି । ପ୍ରଥମରେ ସମୟ ନଷ୍ଟ ହେବା ସହିତ ଦ୍ୱିତୀୟରେ ପିଲାମାନଙ୍କର ସୃଜନୀ ଶକ୍ତି ମଧ୍ୟ କମିଯିବାର ପରିଲକ୍ଷିତ ହେଉଛି । ପିଲାମାନଙ୍କୁ ବାପାମା’ମାନେ ଗୋଟାଏ ଗୋଟାଏ ମୋବାଇଲ୍ ଫୋନ୍ ଧରାଇ ଦେଇ ସମାଜରେ ଷ୍ଟାଟସ୍ ମେଣ୍ଟେନ୍ କରୁଛନ୍ତି । ହେଲେ ଏହି ଫୋନ୍‌ ଗୁଡିକ କିପରି ଛାତ୍ରଛାତ୍ରୀମାନଙ୍କର ଷ୍ଟଡ଼ି କ୍ୟାରିୟର୍ ଉପରେ ପ୍ରଭାବ ପକାଉଛି ସେଥିପ୍ରତି ପ୍ରାୟ ସମସ୍ତେ ଆଖବୁଜି ଦେଇଛନ୍ତି । କିଏ ଫେସ୍‌ବୁକ୍‌ ଖୋଲି ଘଣ୍ଟା ଘଣ୍ଟା ଧରି ଚାଟିଂରେ ବ୍ୟସ୍ତ ରହୁଛି ତ କିଏ ଇଣ୍ଟରନେଟ୍ ଖୋଲି ସେକ୍ସ ଭିଡ଼ିଓ ଦେଖୁଛି । ଅନେକ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପ୍ରେମ ଆଉ ଯୌନ ସମ୍ଭୋଗର ବାର୍ତ୍ତା ବିନିମୟ କରି ଭାବପ୍ରବଣତାରେ ଅନେକ ସମୟ ଅପଚୟ କରୁଛନ୍ତି । ଏବେ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍ ଓ ଫେସ୍‌ବୁକ୍‌ ଉପଯୋଗର ସୁବିଧା ରହିଛି । ତେଣୁ ଅନେକ ଛାତ୍ରଛାତ୍ରୀ କମ୍ପ୍ୟୁଟର ଖୋଲି ଇଣ୍ଟରନେଟ୍ ସାଇଟ୍ ସର୍ଚ୍ଚ ତଥା ଫେସ୍‌ବୁକ୍‌ ଚାଟିଂରେ ବ୍ୟସ୍ତ ରହୁଛନ୍ତି । ଫଳରେ ଅଧ୍ୟୟନ ପାଇଁ ସେମାନେ ଉପଯୁକ୍ତ ସମୟ ଦେଇ ପାରୁନାହାଁନ୍ତି । ତା’ଛଡ଼ା ଜ୍ଞାନ ଆହରଣ ଏବଂ ମାନସିକ ସନ୍ତୁଳନ ବ୍ୟାହତ ହେଉଛି । ଛାତ୍ରଛାତ୍ରୀମାନେ ପରଦା ଉପରର ସାମୟିକ ଦୃଶ୍ୟକୁ ଉପଭୋଗ କରି ନିଜ ନିଜର ସୃଜନଶୀଳତା ତଥା ଜ୍ଞାନ ଆହରଣର ଦକ୍ଷତା ଓ ସ୍ମୃତିଶକ୍ତିକୁ କମାଇ ଦେଉଛନ୍ତି । ଏଥିପ୍ରତି ପରିବାରରେ ସଚେତନତା ସୃଷ୍ଟି ହେବା ଖୁବ୍ ଆବଶ୍ୟକ ମନେହୁଏ । ପିତାମାତାମାନେ ସନ୍ତାନମାନଙ୍କୁ ଏ ବିଷୟରେ ଦିଗ୍‌ଦର୍ଶନ ଦେଇ ସମସ୍ୟାକୁ ନିୟନ୍ତ୍ରଣ କରିବା ଖୁବ୍ ଜରୁରୀ । ନଚେତ୍ ସନ୍ତାନମାନଙ୍କର ସୁନେଲି ଭବିଷ୍ୟତ ଯେ ଏକ ଅନ୍ଧକାରକୁ ଠେଲି ହୋଇଯିବ ତାହା ହୁଏତ ଆମେ ଅସ୍ୱୀକାର କରିପାରିବା ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top