ନଦୀ କେବଳ ପାହାଡ଼ରୁ ଗଡ଼ି ଆସୁଥିବା ଜଳଧାରା ନୁହେଁ । ନଦୀ ହେଉଛି ପ୍ରକୃତିର ଏକ ଜୀବନ୍ତ ସ୍ପନ୍ଦନ, ପୃଥିବୀର ଶିରାଉପଶିରାରେ ବହୁଥିବା ଜୀବନର ରକ୍ତଧାରା । ପାହାଡ଼, ଅରଣ୍ୟ, ହିମବାହ, ଝରଣା ଓ ବର୍ଷାରୁ ଜନ୍ମ ନେଇ ନଦୀ ମାଟି, ଜଳ, ଖଣିଜ, ପୋଷକତତ୍ତ୍ୱ ଓ ଜୀବନକୁ ସାଙ୍ଗରେ ନେଇ ସମତଳ ଭୂମି, ଉପତ୍ୟକା, ତ୍ରିକୋଣଭୂମି ଅତିକ୍ରମ କରି ଶେଷରେ ସମୁଦ୍ରରେ ମିଶିଯାଏ । ଏହି ଅବିରତ ଯାତ୍ରାରେ ନଦୀ କେବଳ ଭୂମିକୁ ଗଢ଼େ ନାହିଁ; ସେ ଗଢ଼େ ମଣିଷର ଜୀବନ, ଅର୍ଥନୀତି, ସଂସ୍କୃତି, ଆସ୍ଥା ଓ ସଭ୍ୟତାର ଇତିହାସ । ପୃଥିବୀର ଜଳଚକ୍ରରେ ନଦୀର ଭୂମିକା ଅତ୍ୟନ୍ତ ମୌଳିକ । ନଦୀ ନିଜ ଗତିପଥରେ ମାଟି, ପଟୁମାଟି, ଖଣିଜ ଓ ପୋଷକତତ୍ତ୍ୱ ବୋହି ନେଇଯାଏ । କେଉଁଠି ତାହାର ସ୍ରୋତ ଭୂମିକୁ କ୍ଷୟ କରି ଉପତ୍ୟକା ତିଆରି କରେ, ଆଉ କେଉଁଠି ସେହି ପଟୁମାଟି ଜମି ଉର୍ବର ସମତଳ ଭୂମି ଓ ତ୍ରିକୋଣଭୂମୀ ଗଢ଼େ । ନଦୀକୂଳର ଉଦ୍ଭିଦ, ଜଳଚର ଜୀବ, ମାଛ, ଉଭୟଚର, ପକ୍ଷୀ ଓ ଅନେକ ସ୍ତନ୍ୟପାୟୀ ପ୍ରାଣୀ ଏହି ଜଳଧାରା ଉପରେ ନିର୍ଭରଶୀଳ ।
ପୃଥିବୀର ପ୍ରାଚୀନ ସଭ୍ୟତାଗୁଡ଼ିକ ସିନ୍ଧୁ, ନୀଳ, ଟାଇଗ୍ରିସ-ୟୁଫ୍ରେଟିସ୍ ଓ ପୀତନଦୀ ନଦୀକୂଳରେ ହିଁ ବିକଶିତ ହୋଇଥିଲା । ଅନେକ ନଦୀ ଉପତ୍ୟକା ପୃଥିବୀର ମୁଖ୍ୟ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ପରିଣତ ହୋଇଛି । ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ନଦୀ ପୁରାତନ କାଳରୁ ଏକ ସହଜ ଓ ଶସ୍ତା ଜଳପଥ ଭାବରେ କାମ କରିଆସିଛି । ଶିଳ୍ପକ୍ଷେତ୍ରରେ ପ୍ରକ୍ରିୟାକରଣ ଓ ଶୀତଳୀକରଣ ପାଇଁ ଜଳ ଆବଶ୍ୟକ, ଆଉ ପ୍ରବାହମାନ ଜଳର ଶକ୍ତିକୁ ଜଳବିଦ୍ୟୁତରେ ପରିଣତ କରାଯାଏ । ନଦୀ ଓ ଯାନ୍ତ୍ରିକ ଉନ୍ନତିର ସମ୍ପର୍କ ମଧ୍ୟ ଅତ୍ୟନ୍ତ ଗଭୀର । ପର୍ଯ୍ୟଟନ କ୍ଷେତ୍ରରେ ନଦୀ ମନୋରଞ୍ଜନର ଏକ ବିଶାଳବ୍ୟବସ୍ଥା ସୃଷ୍ଟି କରିଛି । ମଣିଷର କଳ୍ପନା, କଳା ଓ ସାହିତ୍ୟରେ ନଦୀ ଚିରକାଳର ଏକ ଅନନ୍ୟ ପ୍ରତୀକ । ଗୋଟିଏ ଦେଶ ମଧ୍ୟରେ ନଦୀ ବିଭିନ୍ନ ଅଞ୍ଚଳକୁ ଯୋଡ଼ିଥାଏ, ଜୀବନ ଓ ବାଣିଜ୍ୟର ସେତୁ ତିଆରି କରେ । ଆଉ ଯେତେବେଳେ ଏକ ନଦୀ ଏକାଧିକ ଦେଶ ଦେଇ ପ୍ରବାହିତ ହୁଏ, ସେତେବେଳେ ତାହା ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ସୃଷ୍ଟି କରେ ।
ବିଶ୍ୱର ବିଭିନ୍ନ ବଡ଼ବଡ଼ ନଦୀ ମଣିଷ ଓ ପ୍ରକୃତିର ଏହି ସମ୍ପର୍କର ଭିନ୍ନ ଭିନ୍ନ ଚିତ୍ର ଦେଖାଏ । ଉତ୍ତର ଆମେରିକାର ମିସୋରି-ମିସିସିପି, କଲୋରାଡୋ ନଦୀ; ଦକ୍ଷିଣ ଆମେରିକାର ଆମାଜନ୍ ନଦୀ; ଆଫ୍ରିକାର ନୀଳ ନଦୀ ଓ କଙ୍ଗୋ ନଦୀ; ଅଷ୍ଟ୍ରେଲିଆର ମରେ-ଡାର୍ଲିଙ୍ଗ ନଦୀ; ୟୁରୋପର ଡାନୁବ୍ ଓ ରାଇନ୍ ନଦୀ ଏବଂ ଏସିଆର ୟାଙ୍ଗ୍ସି ଓ ମେକଙ୍ଗ ନଦୀ ଅନେକ ଦେଶକୁ ବାଣିଜ୍ୟ, ପରିବହନ ଓ ଇତିହାସର ସୂତ୍ରରେ ଯୋଡ଼ିବା ସହ କୃଷି, ସହର, ଶିଳ୍ପ, ଜୈବବିବିଧତା ଓ ଜଳବିଦ୍ୟୁତର ମୁଖ୍ୟ ଆଧାର ହୋଇଛନ୍ତି । ଭାରତର ଗଙ୍ଗା, ଯମୁନା, ଗୋଦାବରୀ, କୃଷ୍ଣା, କାବେରୀ, ନର୍ମଦା, କୋଶୀ, ତାପୀ, ମହାନଦୀ ତଥା ଅନ୍ୟାନ୍ୟ ନଦୀଗୁଡ଼ିକ ସୃଷ୍ଟି କରିଛନ୍ତି ଜୀବନ, କୃଷି, ଅର୍ଥନୀତି ଓ ସଂସ୍କୃତିର ଏକ ବିଶାଳ ସମନ୍ବିତ ବ୍ୟବସ୍ଥା । ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ଇନ୍ଦ୍ରାବତୀ,ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ସାଳନ୍ଦୀ, ବଂଶଧର, ନାଗାବଳୀ ପରି ନଦୀଗୁଡ଼ିକ କେବଳ ଓଡ଼ିଶାର ଭୂଗୋଳ ନୁହେଁ; ଓଡ଼ିଆ ଜୀବନ ଓ ଭାବନାର ଅଂଶ ।
ହିନ୍ଦୁ ଧର୍ମରେ ନଦୀ ପ୍ରତି ମଣିଷର ସମ୍ପର୍କ ଆହୁରି ଗଭୀର ଓ ଆଧ୍ୟାତ୍ମିକ । ନଦୀକୁ କେବଳ ଜଳର ଉତ୍ସ ଭାବେ ନୁହେଁ, ବରଂ ଦେବୀସ୍ୱରୂପା, ପବିତ୍ର ଓ ଜୀବନଦାୟିନୀ ଭାବେ ସମ୍ମାନ କରାଯାଏ । କିନ୍ତୁ ଏହି ଶ୍ରଦ୍ଧା ଆମ ସମ୍ମୁଖରେ ଏକ ବଡ଼ ଦାୟିତ୍ୱ ମଧ୍ୟ ସୃଷ୍ଟିକରେ । ଯଦି ନଦୀ ଆମ ପାଇଁ ପବିତ୍ର, ତେବେ ତାହାକୁ ଅପବିତ୍ର କରିବା କିପରି ଧର୍ମସମ୍ମତ ହୋଇପାରେ ? ନଦୀର ଅବିରତ ପ୍ରବାହ, ଅବିରଳ ଧାରା ଓ ନିର୍ମଳତା, ନିର୍ମଳ ଧାରା ପ୍ରତି ଯତ୍ନ ନେବା ଆମର ନୈତିକ କର୍ତ୍ତବ୍ୟ ।
କାରଖାନାର ରାସାୟନିକ ବର୍ଜ୍ୟ, ଭାରୀ ଧାତୁ, ଦୂଷିତ ଘରୋଇ ନର୍ଦ୍ଦମାଜଳ, କୃଷିକ୍ଷେତ୍ରରୁ ବହିଆସୁଥିବା ରାସାୟନିକ ସାର ଓ କୀଟନାଶକ, ପ୍ଲାଷ୍ଟିକ ଓ କଠିନ ବର୍ଜ୍ୟବସ୍ତୁର ପ୍ରଭାବରୁ ଜଳ ପ୍ରଦୂଷଣ ବଢ଼ିଲେ ନଦୀ ଜଳରେ ଅମ୍ଳଜାନର ପରିମାଣ କମିପାରେ, ଜଳଜୀବ ମରିପାରନ୍ତି ଏବଂ ଜଳର ପ୍ରାକୃତିକ ସନ୍ତୁଳନ ଭାଙ୍ଗିପାରେ, ନଦୀକୂଳର ଐତିହ୍ୟସ୍ଥଳ ଓ ଧାର୍ମିକ ସ୍ଥାନମାନଙ୍କର ସୌନ୍ଦର୍ଯ୍ୟ ଓ ମର୍ଯ୍ୟାଦା ମଧ୍ୟ ହ୍ରାସ ପାଏ । ଅର୍ଥାତ୍ ନଦୀ ପ୍ରଦୂଷିତ ହେଲେ କ୍ଷତି କେବଳ ଜଳରେ ସୀମିତ ରହେ ନାହିଁ; ତାହା ସମଗ୍ର ସମାଜକୁ ପ୍ରଭାବିତ କରେ । ତେଣୁ ନଦୀ ପ୍ରଦୁଷଣ ସମସ୍ୟାର ସମାଧାନ ନିମନ୍ତେ ସହର ଓ ଶିଳ୍ପାଞ୍ଚଳରେ ଉଚ୍ଚମାନର ଦୂଷିତ ଜଳ ବିଶୋଧନ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ବିଶୋଧନ କେନ୍ଦ୍ର ସୁଚାରୁ ଭାବେ ଚାଲିବା ଦରକାର । କୃଷିକ୍ଷେତ୍ରରେ ଅତ୍ୟଧିକ ରାସାୟନିକ ସାର ବ୍ୟବହାର କମାଇବା ଦରକାର । ନଦୀକୂଳରେ ଥିବା ଗଛ ଓ ପ୍ରାକୃତିକ ଉଦ୍ଭିଦମାନଙ୍କର ସୁରକ୍ଷା, ଆର୍ଦ୍ରଭୂମିର ସଂରକ୍ଷଣ, ପ୍ଲାଷ୍ଟିକ ନିୟନ୍ତ୍ରଣ ଓ ଦାୟିତ୍ୱସମ୍ପନ୍ନ ବର୍ଜ୍ୟବସ୍ତୁ ପରିଚାଳନା କରିବା ଆବଶ୍ୟକ ।
ନଦୀପ୍ରତି ଥିବା ବିଶ୍ୱବ୍ୟାପୀ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ପ୍ରତିବର୍ଷ ସେପ୍ଟେମ୍ବର ମାସର ଚତୁର୍ଥ ରବିବାର ଦିନ “ବିଶ୍ୱ ନଦୀ ଦିବସ” ପାଳନ କରାଯାଏ । ଦୁଇ ହଜାର ପାଞ୍ଚ ମସିହାରେ ମିଳିତ ଜାତିସଂଘର “ଜଳ ପାଇଁ ଜୀବନ ଦଶକ” ପରିପ୍ରେକ୍ଷୀରେ ଏହାର ଆରମ୍ଭ ହୋଇଥିଲା ଏବଂ କାନାଡ଼ାର ନଦୀ ସଂରକ୍ଷଣକର୍ମୀ ମାର୍କ ଆଞ୍ଜେଲୋଙ୍କ ଅବଦାନ ଏହି ଆନ୍ଦୋଳନ ସହ ଜଡ଼ିତ । ଦୁଇ ହଜାର ପାଞ୍ଚରୁ ଦୁଇ ହଜାର ପଚିଶି ମସିହା ମଧ୍ୟରେ ଏହି ଉତ୍ସବ ପାଳନର ଧାରା ସ୍ଥାନୀୟ ସଫେଇ ଓ ସଚେତନତାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ସମୁଦାୟ ଅଂଶଗ୍ରହଣ, ଡିଜିଟାଲ ଯୋଗାଯୋଗ ଓ ନାଗରିକ ବିଜ୍ଞାନ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଦୁଇ ହଜାର ଛବିଶି ମସିହାରେ ଏହାର ମୌଳିକ ଭାବନା “ଜଙ୍ଗଲ ନାହିଁ ତ ନଦୀ ନାହିଁ, ନଦୀ ନାହିଁ ତ ଜଳ ନାହିଁ, ଜଳ ନାହିଁ ତ ଜୀବନ ନାହିଁ ।” ଆମକୁ ମନେ ପକାଇଦିଏ ଯେ ନଦୀ କେବଳ ଦୃଶ୍ୟମାନ ଜଳଧାରା ନୁହେଁ, ତାହାର ଜୀବନ ଆରମ୍ଭ ହୁଏ ପାହାଡ଼, ଜଙ୍ଗଲ, ଆର୍ଦ୍ରଭୂମି, ଝରଣା, ଭୂତଳଜଳ ଓ ଉଦଗମସ୍ଥଳରୁ । ତେଣୁ ନଦୀକୁ ବଞ୍ଚାଇବା ମାନେ ତାହାର ସମଗ୍ର ଜଳଗ୍ରହଣ ଅଞ୍ଚଳକୁ ବଞ୍ଚାଇବା ।
ଶେଷରେ ନଦୀ ଆମକୁ ଏକ ଅତି ସରଳ, କିନ୍ତୁ ଗଭୀର ଜୀବନଦର୍ଶନ ଦିଏ ଯେ ପ୍ରବାହ ହିଁ ଜୀବନ । ନଦୀକୁ ବଞ୍ଚାଇବା କେବଳ ଗୋଟିଏ ଦିନର ଉତ୍ସବ, ଗୋଟିଏ ଆଇନ କିମ୍ବା ଗୋଟିଏ ବନ୍ଧ ନିର୍ମାଣରେ ସମ୍ଭବ ନୁହେଁ । ଏହା ଆମର ପ୍ରତିଦିନର ଆଚରଣ ସହ ଜଡ଼ିତ । ନଦୀ ପ୍ରତି ପ୍ରକୃତ ସମ୍ମାନ କେବଳ ତା’ କୂଳରେ ଠିଆ ହୋଇ ତାହାର ସୌନ୍ଦର୍ଯ୍ୟ ଦେଖିବାରେ ନାହିଁ, କେବଳ ତାକୁ ଦେବୀଭାବେ ପୂଜା କରିବାରେ ମଧ୍ୟ ନାହିଁ । ନଦୀକୁ ଏତେ ନିର୍ମଳ ରଖିବା, ଯେଉଁଥିରେ ଜୀବନ ବଞ୍ଚିପାରିବ; ଏତେ ସ୍ୱାଧୀନ ରଖିବା, ଯେଉଁଥିରେ ତାହାର ପ୍ରାକୃତିକ ପ୍ରବାହ ଜାରି ରହିପାରିବ; ଏବଂ ଏତେ ସୁସ୍ଥ ରଖିବା, ଯେପରି ଆସନ୍ତା ପିଢ଼ି ମଧ୍ୟ ତାହାର କୂଳରେ ଜୀବନର ଗୀତ ଶୁଣିପାରିବ ହେଉଛି ନଦୀ ପ୍ରତି ଆମର ପ୍ରକୃତ ସମ୍ମାନ । ନଦୀ କେବଳ ଅତୀତର ସ୍ମୃତି ହୋଇ ନ ରହି ଆମ ବର୍ତ୍ତମାନର ଜୀବନଧାରା ଓ ଭବିଷ୍ୟତର ଆଶା ହୋଇ ବହୁ । ନଦୀ ବହୁ, ନିର୍ମଳ ରହୁ, ଜୀବନକୁ ପୋଷଣ କରୁ ଏବଂ ମଣିଷ ସଭ୍ୟତାର କାହାଣୀକୁ ଅନନ୍ତକାଳ ପର୍ଯ୍ୟନ୍ତ କହିଚାଲୁ ।
