ସମ୍ପାଦକୀୟ

ବିବର୍ତିତ ସମାଜର ରୂପରେଖ

Dr Mousumi Parida

ଏ ଯୁଗରେ ମର୍ଯ୍ୟାଦାବନ୍ତ ପୁରୁଷୋତମ ଶ୍ରୀରାମଚନ୍ଦ୍ରଙ୍କୁ ମଧ୍ୟ କାଠଗଡାକୁ ଟଣାଯାଏ ! ଈଶ୍ୱର ମଧ୍ୟ ଦୟାର ପାତ୍ର ଏଠି । କେବେକେବେ ତାଙ୍କ ଅସ୍ଥିତ୍ୱକୁ ନେଇ ତର୍କ ଓ ରକ୍ତପାତ ହୁଏ । ମାନବିକତା ମଧ୍ୟ ବିଭାଜିତ ହୁଏ । ହଁ, ଦେଶ ଆଗେଇଛି ଓ ତା ସହିତ ଅନ୍ୟାୟ, ଅନୀତି, ଅତ୍ୟାଚାର ସବୁକିଛି ବୃଦ୍ଧି ପାଇଛି ।

ବିବର୍ତିତ ସମାଜର ରୂପରେଖ

ଆମେ ସମସ୍ତେ ସମାଜର ମହା ପରିବର୍ତନର ମହାସ୍ରୋତରେ ଆତ୍ମବିସ୍ମୃତ । ନିଜକୁ ଠିକ୍ ରୂପେ ବୁଝିବାର ଅବକାଶ ନାହିଁ । କହିବାକୁ ଗଲେ ନିଜେ ନିଜ ପାଖେ ନିରୁଦ୍ଧିଷ୍ଟ । ମନେହୁଏ ଏ ଯୁଗ ସମସ୍ତଙ୍କୁ ଅତ୍ୟାଧୁନିକତାର ମୋହରେ ଅନ୍ଧ କରିଛି । ହଁ ଆଂଶିକ ସଫଳତାରେ ବିଭୂଷିତ କରିଛି ସତ୍ୟ, ମାତ୍ର ସମସ୍ତଙ୍କୁ ଯେ ନିଃସଙ୍ଗ କରି ଗଢିଦେଇଛି, ଏକଥାକୁ ଅସ୍ୱୀକାର କରିହେବ ନାହିଁ । ସ୍ଥିତି ଅନୁଯାୟୀ ସମସ୍ତେ ସମସ୍ତଙ୍କ ବିପକ୍ଷରେ ଛିଡା ହୋଇଛନ୍ତି । କେହି କାହା ମତକୁ ସମ୍ମାନ ଦେବା ତ ଦୂରର କଥା, ସାମାନ୍ୟ ଉପସ୍ଥିତିକୁ ସହ୍ୟ କରିବା ମୁସ୍କିଲ୍ ! ଲକ୍ଷ୍ୟର ସିଡି ଚଢି ଉପରକୁ ଚାଲିଛନ୍ତି ଉଚ୍ଚାକାଂକ୍ଷୀମାନେ । ଜୀବନର ମୂଲ୍ୟବୋଧ କିନ୍ତୁ ନିମ୍ନଗାମୀ ହେବାରେ ଲାଗିଛି । ଲାଗୁଛି କେଉଁ ରସାତଳକୁ ଆମ ଗତି ! ଲୋଭ , ଅହଂକାର, ସଫଳତା ପାଇଁ ଅନ୍ଧଦୌଡ ଆମକୁ ବିଭିନ୍ନ ରୂପରେ ଦୁର୍ବଳ କରିସାରିଲାଣି ! ନିଜ ଭିତରେ ନିଜକୁ ଆବିଷ୍କାର କରିବା ଆଜି କଷ୍ଟକର ବ୍ୟାପାର । ତଥାପି ଆମେ ଭାବୁ ଅନ୍ୟକୁ ଟପିଯାଇଛୁ । ନିଜ ସୁବିଧା ପାଇଁ ସତକୁ ଅଣଦେଖା କରୁଛୁ । ଭିନ୍ନ ଭିନ୍ନ ଗୋଷ୍ଠୀ ତିଆରି କରି ନିଜକୁ ବିଜ୍ଞପିତ କରିବା ଛଡା ଜୀବନର ପ୍ରକୃତ ଉଦ୍ଧେଶ୍ୟ ଭୁଲିଯାଇଛୁ । ସୁନ୍ଦର କଥା କହି ଶ୍ରୋତାମାନଙ୍କୁ ଚମତ୍କୃତ କରୁଛୁ । ଅଥଚ ନିଜ ଦୃଷ୍ଟିକୋଣକୁ ନିଜେ ବାସ୍ତବ ଜୀବନରେ ସାମିଲ୍ କରିପାରୁନାହୁଁ । ବହି କଥା ବି ବହିରେ ସୀମିତ ରହୁଛି । ନୂଆପଣ ଖୋଜିବା ଆଳରେ ଆମେ ବହୁମୂଲ୍ୟ ରତ୍ନମାନଙ୍କୁ ଛାଡି ଖପରା ଗୋଟାଉଛୁ । ମାନବିକତା ଅପସରି ଯାଉଛି ମନତଳୁ । ଅନ୍ୟକୁ ବୁଝିବା ତ ଦୂରର କଥା, ନିଜକୁ ବୁଝିବାର ଶକ୍ତି ଅପହୃତ ଆମଠି ।

ଯେ ନିଜ ଆଦର୍ଶରେ ବଂଚେ ତାକୁ ଦୁର୍ବଳ ଭାବେ ଆମ ସମାଜ । ପରାସ୍ତ ସୈନିକଟେ ଭାବି ବାଟ କାଟି ଚାଲିଯାଆନ୍ତି ତଥାକଥିତ ସମ୍ମାନିତ ଲୋକେ । ବଣମଲ୍ଲୀ ବଣରେ ହିଁ ଝରିବାକୁ ବାଧ୍ୟ । କିଆଫୁଲ ନଜର ଆଢୁଆଳରେ ରହିବାକୁ ହିଁ ଜନ୍ମ ହୁଏ ! କିନ୍ତୁ ଦିନେ(ମହାଶିବ ରାତ୍ରୀ) ମହାଦେବଙ୍କ ଶିରୋଲାଗି ଅନିବାର୍ଯ୍ୟ ପୁଷ୍ପ ପାଲଟିଯାଏ । ଅଲକ୍ଷ୍ୟରେ ଈଶ୍ୱର ଆମକୁ କଣ କହିଛନ୍ତି, ଏ ବିଚାର କଣ ଆମେ କରିଛୁ କେବେ ? କିଆଫୁଲର ବିନୟୀ ଭାବ କିଏ ଦେଖେ ? ବଣମଲ୍ଲୀର ସଚ୍ଚୋଟତା କିଏ ବା ପରଖେ ? ସତ୍ୟର ବିଜୟ ଘଟିଛି ପ୍ରତିଟି ଯୁଗରେ । କିନ୍ତୁ ସତ୍ୟକୁ ଆମେ କେତେ ସମର୍ଥନ କରିଛୁ ଓ ତା ସହିତ ଆମେ କେତେଜଣ ଅଛୁ ସେଇଟା ଆଜିକାଲିର ଏକ ବିରାଟ ପ୍ରଶ୍ନ ।

ଦୁନିଆର ରଙ୍ଗ ମଞ୍ଚରେ ଅଧିକାଂଶ ନିଜକୁ ସଫଳ ବୋଲି ଦାବି କରନ୍ତି । ସେଥିପାଇଁ ଶ୍ରୋତାମାନଙ୍କର ଚରମ ଅଭାବ ଏଠି । କୌଣସି ସଭା ସମିତିରେ ମଞ୍ଚ ଉପରେ ବସିବାକୁ ଏଠି ଲମ୍ବା ଧାଡି । ସେଠାରେ ମଞ୍ଚତଳ ଲୋକର ଶୁଣିବାର ଧୈର୍ଯ୍ୟକୁ କିଏ ବା ପରଖେ ! ନାମୀଦାମୀ ଲୋକଙ୍କ ସହିତ ପରିଚିତ ହୋଇ ସେମାନଙ୍କ ପ୍ରଶସ୍ତି ଗାନ କରି ଆଗେଇଯିବାର ଚତୁରତା ମାପନ୍ତି ସେମାନେ! ତାକୁ ହିଁ ଭାବିନିଅନ୍ତି ସଫଳତା । ସେ ହେଉ ପଛେ ଅନୁଚିତ ମାର୍ଗ, ସେସବୁକୁ ଆଦରି ନେବାରେ ଯୋଗ୍ୟତା ନିହିତ ଅଛି ବୋଲି ବିଚାର କରାଯାଏ ।

ଏ ଯୁଗରେ ମର୍ଯ୍ୟାଦାବନ୍ତ ପୁରୁଷୋତମ ଶ୍ରୀରାମଚନ୍ଦ୍ରଙ୍କୁ ମଧ୍ୟ କାଠଗଡାକୁ ଟଣାଯାଏ ! ଈଶ୍ୱର ମଧ୍ୟ ଦୟାର ପାତ୍ର ଏଠି । କେବେକେବେ ତାଙ୍କ ଅସ୍ଥିତ୍ୱକୁ ନେଇ ତର୍କ ଓ ରକ୍ତପାତ ହୁଏ । ମାନବିକତା ମଧ୍ୟ ବିଭାଜିତ ହୁଏ । ହଁ, ଦେଶ ଆଗେଇଛି ଓ ତା ସହିତ ଅନ୍ୟାୟ, ଅନୀତି, ଅତ୍ୟାଚାର ସବୁକିଛି ବୃଦ୍ଧି ପାଇଛି । ଏଠି ପ୍ରାୟ ପ୍ରତିଟି ସ୍ତରରେ ଦୁର୍ନୀତି ! ଆମେମାନେ ପରୋକ୍ଷରେ ଅନ୍ୟାୟକୁ ପ୍ରୋତ୍ସାହିତ କରିଚାଲିଛୁ । ଶସ୍ତା ବାହାବା’ ନେବାପାଇଁ ନିମ୍ନଗାମୀ ହେଉଛୁ । ଏସବୁ କେବଳ ବିଡମ୍ବନା । ପ୍ରକୃତ ଗୁଣ ଓ ଗୁଣୀର ଅବମାନନା । ଉଚିତ୍ ମାର୍ଗରେ ଯିବାକୁ ଉତ୍ସୁକତା ନାହିଁ କାହାର । କେବଳ ଅନ୍ଧମୁହାଣୀରେ ପଡି ଧାଉଁଛୁ । କେଉଁଠି ସେ ଦୌଡର ପରିସମାପ୍ତି ତା’ ନିଜେ ବି ଜାଣୁନା । କେବଳ ଅନ୍ୟକୁ ଧାଇଁବା ଦେଖି ଆମେ ବି ସେ ସ୍ରୋତରେ ସାମିଲ୍ ହୋଇଯାଇଛୁ । ଅନ୍ୟକୁ ଶିଖରରେ ଦେଖି ତାର ସଚ୍ଚୋଟତାକୁ ସନ୍ଦେହ କରିବାକୁ ବାଧ୍ୟ । କାରଣ କଳୁଷିତ ସମାଜରେ ଆମେ ପଙ୍କକୁ ଚନ୍ଦନ ବୋଲି ମନେକରୁଛୁ । ମନତଳୁ ବିବେକ ପଣିଆ ଓ ମାନବିକତା ଅଦୃଶ୍ୟ ! ଅନ୍ୟମାନଙ୍କ ସୁଖରେ ସୁଖୀ ହେବା ପରିବର୍ତେ ଅନ୍ୟକୁ ଆଘାତ ଦେବାରେ ଆମର ଅଜସ୍ର ଆନନ୍ଦ । ଲୋଭ ଓ ଅହଂକାରର ମହାସମୁଦ୍ରରେ କେତୋଟି ଗୋଡିକୁ ମୁକ୍ତା ଭାବି ଆତ୍ମତୃପ୍ତିରେ ଆତ୍ମବିସ୍ମୃତ ହୋଇଛୁ । ନିଜ ମୌଳିକତା ଓ ସରଳପଣକୁ ମାରି ଅନ୍ୟକୁ ପଛରେ ପକାଇ ଅନୈତିକ ଭାବରେ ଉପରକୁ ଉଠିବାର ଲାଳସା ଆମ ସ୍ୱଭାବର ରୁଗ୍‌ଣତା ହିଁ ପ୍ରକାଶ କରୁଛି । ଯିଏ ସେହି ଘୋଡାଦୌଡ ଭିତରେ ସାମିଲ୍ ହୋଇପାରୁନି ତାକୁ ଅଯୋଗ୍ୟ ଘୋଷିତ କରାଯାଉଛି ଅଲିଖିତ ଓ ଅପ୍ରକାଶ୍ୟ ଭାବେ । ଉଚ୍ଚାଭିଳାଷୀ ହୋଇ ନିଜର ମୌଳିକତା ହରାଇବା ଏବଂ ନ୍ୟାୟକୁ ଭୁଲିଯିବା ଆଜିକାଲି ସ୍ୱାଭାବିକ କ୍ରିୟା ।

ଏବେ ଆମେମାନେ ନିଜକୁ ପରଖିବା ପାଇଁ ଥରୁଟିଏ ପଛକୁ ଚାହିଁବା । ନିଜ ଜୀବନରାସ୍ତାର ଉତଥାନ ପତନ ଭିତରେ ନିଜକୁ ତଉଲିବା ବର୍ତମାନର ସମୟରେ । ରାତିର ଘନତ୍ୱ ଭିତରେ ଆଲୋକର ଉତ୍ସ ଖୋଜିବା । ସକାଳର ବାଳସୂର୍ଯ୍ୟଙ୍କଠାରେ ନୂତନତା ଲୋଡିବା! ଆତ୍ମତୃପ୍ତିରେ ବଞ୍ଚିବା ଦୃଢ ମନୋବଳ ଓ ସଚ୍ଚୋଟତା ନେଇ । ବାହ୍ୟ ଆଡମ୍ବରରେ ନିଜକୁ ହଜାଇ ଲୋକଦେଖାଣିଆ ଜୀବନ ନ ବଞ୍ଚି ଗାଁର ତେଲଲୁଣ ସଂସାର ଭିତରେ ନିହିତ ପ୍ରକୃତ ଶାନ୍ତିକୁ ଖୋଜିବା । ସେଥିପାଇଁ ନିଜ ଭିତରେ ଅନ୍ତର୍ନିହିତ ମଣିଷପଣିଆର ପ୍ରକୃତ ଉଦାହରଣ ସୃଷ୍ଟି କରିବାକୁ ହେବ । ନହେଲେ ଆମ ପରପିଢି ଉଚିତ୍ ପାଣିପାଗ ପାଇପାରିବେନି ବିକଶିତ ହେବାକୁ । ସେମାନଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କରିବାକୁ ଆମକୁ ବଞ୍ଚିବାର ଢାଞ୍ଚା ବଦଳାଇବାକୁ ହେବ । ନଚେତ୍ ଦୂଷିତ ମାନସିକ ସ୍ଥିତିରେ ନିରିହ କଢିମାନେ ଅନ୍ୟାୟ ଓ ଅନୀତିର ଏସିଡ୍ ମାଡରେ ଝାଉଁଳି ପଡିବା ସୁନିଶ୍ଚିତ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top