କବିତା

ଅସ୍ତ୍ର ଧର ମା’ ସର୍ବାସ୍ତ୍ରଧାରିଣୀ

Suhani Rout's odia poem Astra Dhara Maa Sarbaastradhaarini

ତବ ଅଂଶ ଅଟୁ ଆମ୍ଭେ ଆହେ ଅନେକବର୍ଣ୍ଣା ,
ରକ୍ତ ବର୍ଣ୍ଣ ସାଜେ ଧରଣୀ ରକ୍ଷାକର ପଟ୍ଟାମ୍ୱରପରିଧାନା।

ଛନ୍ଦ – ଅମିତ୍ରାକ୍ଷର ( ଦାଣ୍ଡି ବୃତ୍ତ )

କରେ ମା’ ଗୋ ଦଣ୍ଡବତ ଅସ୍ତ୍ର ଧର ସର୍ବାସ୍ତ୍ରଧାରିଣୀ,
ସଂହାର ଦାନବ କଳିଯୁଗେ ମା’ ସର୍ବଦାନବଘାତିନୀ। ( ୧ )

ସୁନ୍ଦରୀ ତବ ପଦ୍ମ ପାଦ ପଡ଼ି ପବିତ୍ର ହୃଦ ,
ଆଗମନେ ଲକ୍ଷ୍ମୀ ତବ ଗଣଇ ଅପବିତ୍ରେ ପ୍ରମାଦ। ( ୨ )

ଲଭି ଭାବ ତବ ଭବ ଉଜ୍ଜ୍ୱଳ ଭବାନୀ,
ରକ୍ଷା କର କଳି କାଳୁ ହେ ମା’ ଭବମୋଚନୀ। ( ୩ )

ମାନବତା କ୍ଷୁର୍ଣ୍ଣ କରେ ଏ ମନୁଷ୍ୟ ଆଜ,
ନାହିଁ କେ ମନୁଷ୍ୟ ହୋଇ କରି ପାଶବିକ କାର୍ଯ୍ୟ। ( ୪ )

ଅସ୍ତ୍ର ଧର ପାପୀ ତାର ହେ ପିନାକଧାରିଣୀ,
ସତ୍ୟ ଧ୍ଵନି ସଂସାରେ ବାଜୁ ହେ ସତ୍ୟାନନ୍ଦସ୍ଵରୁପିଣୀ। ( ୫ )

ଭାବ୍ୟା, ଭବ୍ୟା, ଅଭବ୍ୟା ମା’ଗୋ ଆହେ ଦକ୍ଷକନ୍ୟା,
ପାପ ଅଗ୍ନି ହେଉ ନିର୍ବାପିତ ହୋଇ ପୁଣ୍ୟ ବନ୍ୟା। ( ୬ )

ତବ ଅଂଶ ଅଟୁ ଆମ୍ଭେ ଆହେ ଅନେକବର୍ଣ୍ଣା ,
ରକ୍ତ ବର୍ଣ୍ଣ ସାଜେ ଧରଣୀ ରକ୍ଷାକର ପଟ୍ଟାମ୍ୱରପରିଧାନା। ( ୭ )

ବନଦୁର୍ଗା ମା’ଗୋ ପ୍ରାଣ ହଜେ ଘୋର ବନେ,
ଦିଗହରା ପଥିକ ସନ୍ତାନ ତୋ ଡାକେ ଆର୍ତ୍ତ ମନେ। ( ୮ )

ଚିନ୍ତା ନାଶ ଚିନ୍ତା ଗୋ ଅଚିନ୍ତା ଚିତ୍ତରେ,
ଅନନ୍ତା ଗୋ କର ଅନ୍ତ ନ ରହୁ ଦୁଃଖ ସଂସାରେ। ( ୯ )

ପାପୀ କର୍ଣ୍ଣେ କାଳ ରଡି ବାଜୁ ଗୋ ଚାମୁଣ୍ଡା,
ବ୍ରାହ୍ମୀ ରୂପେ ଉଭା ହୁଅ ଧର ହସ୍ତେ ଖଣ୍ଡା। ( ୧୦ )

ବହୁଳା , ବହୁଳପ୍ରେମା ଦିଅ ଆର୍ଶୀବାଦ,
ରକ୍ତ ସ୍ଵାଦ ତ୍ୟାଗୀ ପାପୀ ଚାଖୁ ଭକ୍ତି ସ୍ଵାଦ। ( ୧୧ )

ସତ୍ୟ ପ୍ରାପ୍ତି ପାଇଁ ସତ୍ୟା କର ଗୋ ଆଗମନ,
ସର୍ବଶାସ୍ତ୍ରମୟୀ ମା’ଗୋ ରଖଇ ତବ ପାଦେ ମନ। ( ୧୨ )

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top