ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

ମୋର ତା ପ୍ରତି ବୈରାଗ୍ୟ ମନୋଭାବକୁ ନେହା ବଳେ ହୃଦୟଙ୍ଗମ କରିଯିବ । ବାସ୍, ସେ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବା ଛଡ଼ା ଅନ୍ୟ ଉପାୟ ନାହିଁ ।

ପ୍ରତୀକ୍ଷା

-: ପୂର୍ବରୁ :-

ସମୟ ଯେତିକି ଗଡୁଥିଲା, ନେହାର ମୋ ପ୍ରତି ଆକର୍ଷଣ ସେତିକି ବଢୁଥିଲା । ମୋ ଗମ୍ଭୀର, ଉଦାସ, ବୁଦ୍ଧ ସମ ସ୍ଥିର ମୁଖଭଙ୍ଗୀରୁ ନେହା କଣ ଖୋଜି ପାଉଥିଲା କେଜାଣି ପ୍ରଫେସନାଲ୍ ଏକ୍ଟିଭିଟିଜ୍‌ର ଆଳ ଦେଖାଇ ଅଧିକାଂଶ ସମୟ କାଟୁଥିଲା ମୋ ଆଖପାଖରେ। ମୋ ଅଫିସ୍ ରୁମ୍‌ରେ ।

– ସମ୍ଭ୍ରମ୍, ମୋ ଘରେ ନେଟ୍ ନାହିଁ । ତମର ଏଇଠୁ ମୁଁ ଟିକିଏ ଫଟୋ ଓ ଭିଡ଼ିଓ ଅପ୍‌ଲୋଡ଼ କରିଦିଏ।

– ଆରେ ସମ୍ଭ୍ରମ୍, ଏତେ କଣ ସ୍ଳୋ ତମର ଇଣ୍ଟର୍ନେଟ୍ । ପ୍ଳାନ୍ ବଦଳାଅ ।

– ସମ୍ଭ୍ରମ୍, ଟିକେ ଚାଲନା ମୋ ସାଙ୍ଗରେ । ମୁଁ ଡ୍ରାଇଭିଂ କରିପାରୁନି । ଦେଖୁନ ଏ ଶିରଟା କେମିତି ମକଚି ଯାଇଛି । କଚିଟା ଭାରି ପେନ୍ ହେଉଛି ।

ଏମିତି ଅନେକ କଥା । ନେହାକୁ ବାଧା ଦେବା ଆଦୌ ସମ୍ଭବ ହୁଏ ନାହିଁ । ତା ମନକୁ ଟିକିଏ ବି ଆଘାତ କଲା ଭଳି କଟୁ କଥା ମୋ ପାଟିରୁ ବାହାରେ ନାହିଁ । ମୁଁ ଧୈର୍ଯ୍ୟ ଧରି ସମୟର ଅପେକ୍ଷା କରେ । ମୋର ତା ପ୍ରତି ବୈରାଗ୍ୟ ମନୋଭାବକୁ ନେହା ବଳେ ହୃଦୟଙ୍ଗମ କରିଯିବ । ବାସ୍, ସେ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବା ଛଡ଼ା ଅନ୍ୟ ଉପାୟ ନାହିଁ ।

ମୋ ଚେୟାର୍‌କୁ ଲାଗି କମ୍ପ୍ୟୁଟର ପାଖରେ ବସେ ନେହା । ଅନେକ ସମୟ ନିଏ । ମଝିରେ ମଝିରେ ମୋତେ ଭାରି ଡିଷ୍ଟର୍ବ କରେ । ମୋ ହାତ ଧରି ମୋତେ କମ୍ପ୍ୟୁଟର ଆଡ଼େ ଚାହିଁବାକୁ ବାଧ୍ୟ କରେ । ମଝିରେ ଅଟକି ଯାଇଥିବା କାମକୁ ସହଜ କରିବାରେ ମୋର ସାହାଯ୍ୟ ଲୋଡ଼େ । ବେଳେ ବେଳେ ଉଠି ପଡ଼ି ମୋ କାନ୍ଧ ଉପରେ ଲଦି ହୋଇ ମୋତେ ସ୍କ୍ରିନ୍ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରେ ତା କାମଟିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ । ଦିନେ ଭାରି ଅସହିଷ୍ଣୁ ହୋଇ ହାତ ମୋର ଠେଲି ଦେଇଥିଲା ନେହାର ଶରୀରକୁ ଖୁବ୍ ଜୋର୍‌ରେ । ନେହା ପଡ଼ି ଯାଉ ଯାଉ ସମ୍ଭାଳି ନେଲା ନିଜକୁ । ବାସ୍, ଅପମାନିତ ହୋଇ ଅଭିମାନ ଭରା ଭାରି ହୃଦୟ ନେଇ ନେହା ଚାଲି ଯାଇଥିଲା ସେଦିନ ।

ଦୁଇ ଦିନ ନେହା ସହ କଥାବାର୍ତ୍ତା ବନ୍ଦ । ତା ଆଡୁ ଫୋନ୍ କରୁନଥିଲା କି ଫୋନ୍ କଲେ ରିସିଭ୍ କରୁନଥିଲା । ବହୁତ ଭାବିଚିନ୍ତି ମୁଁ ତା ଘରେ ଯାଇ ପହଞ୍ଚିଲି । କଲିଂ ବେଲ୍ ଶବ୍ଦରେ ନେହାର ମାଆ ଆସି ଦରଜା ଖୋଲିଲେ । ନେହାର ଘରେ ମୋର ଅବାଧ ପ୍ରବେଶ । ମୋ ପ୍ରତି କାହାରି କିଛି ମନ୍ଦ ଭାବନା ନାହିଁ । ନେହାର ମା ମୋତେ ଦେଖି ଦେଇ ଭିତରକୁ ଡାକି ନେଲେ । ପଚାରିଲେ – ତମ ଦୁହିଁଙ୍କର କିଛି ମନୋମାଳିନ୍ୟ ହେଇଛି କି ? ଦୁଇ ଦିନ ହେଲା ଘରୁ ବାହାରୁନି ନେହା । ଶୋଇ ରହୁଛି ତା ବେଡ୍‌ରୁମ୍‌ରେ । ପଚାରିଲେ କିଛି କହୁନି ।

ମୁଁ ନିଜକୁ ଶାନ୍ତ ରଖି କହିଲି – ନା, ସେମିତି କିଛି ନୁହଁ । ଆଚ୍ଛା, ମୁଁ ଦେଖେ । ମୁଁ ନେହା ରୁମ୍‌କୁ ଧୀରେ ଧୀରେ ଅଗ୍ରସର ହେଲି । ନେହା ମୋର କଣ୍ଠସ୍ୱର ଶୁଣି ପାରିଥିଲା । ଉଠି ବସିଥିଲା ଶଯ୍ୟା ଉପରେ । ମୁଁ ଷ୍ଟୁଲଟିଏ ଟାଣି ବସିଲି । ପଚାରିଲି – କଣ ହେଇଛି ? କଥା ହେବନି ? ନେହା ସେମିତି ମୁହଁ ବୁଲାଇ ବସିଲା । ମୁଁ ତା ହାତକୁ ଏ ମାସର ମ୍ୟାଗାଜିନ୍‌ଟିଏ ବଢ଼ାଇ ଦେଇ କହିଲି – ତମ ଆର୍ଟିକଲ୍ କ୍ଲିକ୍ କରିଛି । ପଢିବନି ? ନେହା ମ୍ୟାଗାଜିନ୍‌କୁ ଶଯ୍ୟା ଉପରେ ଦୂରକୁ ଫୋପାଡ଼ି ଦେଲା । ମୁଁ କହିଲି – ଦେଖ, ସେଦିନର ବ୍ୟବହାର ପାଇଁ ମୁଁ ଦୁଃଖିତ । ତୁମକୁ ମୁଁ କେମିତି ବୁଝେଇବି ସେଦିନ ମୁଁ ଇଚ୍ଛା କରି କରିନାହିଁ ସେମିତି । ତା ପଛରେ ଏକ କାରଣ ଅଛି । ତମର ମୋ ପ୍ରତି ଏ ଆକର୍ଷଣ ପଛରେ ପ୍ରତ୍ୟକ୍ଷ ଭାବରେ ହେଉ ଅବା ପରୋକ୍ଷ ଭାବରେ ମୁଁ ହିଁ ଦାୟୀ । ମୋତେ ଲୋପାମୁଦ୍ରା ବିଷୟରେ ତମକୁ ଆଗରୁ କହିଦେବାର ଥିଲା । ନେହା ମୋ ଆଡ଼େ ଚାହିଁଲା । ମୁଁ ଲୋପାମୁଦ୍ରା ବିଷୟରେ ଆମୂଳଚୁଳ ନେହାକୁ କହିଲି । କଥା ଶେଷ ହେଲା ବେଳକୁ ନେହା ଚକ୍ଷୁରେ ଲୋତକ ଢ଼ଳ ଢ଼ଳ ହେଉଥିଲା । ମୋ ଦୁଃଖରେ ନେହା ସମଦୁଃଖୀ ଥିଲା ଅଥବା ମୋତେ ନ ପାଇବାର ଦୁଃଖରେ ଦୁଃଖୀନୀ ଥିଲା ମୁଁ ବୁଝି ପାରିଲି ନାହିଁ । ମୋ ହାତଟାକୁ ଧରି ପକାଇ କହିଲା – ମୁଁ ତମକୁ ଏତେଦିନ ପରେ ବି ବୁଝି ପାରିଲି ନାହିଁ, ମୋତେ କ୍ଷମା କରିଦିଅ । ମୁଁ ଆଶ୍ୱସ୍ତ ହେଲି । ଯାହାହେଉ, ଜୀବନରେ ଗୋଟିଏ ସମସ୍ୟା ତ ଦୂର ହେଲା ।

ତା ପରଠାରୁ ନେହା ସହଜ ଓ ସ୍ୱାଭାବିକ ହୋଇ ଉଠିଥିଲା ମୋ ପାଖରେ । ପୁଣି ସେଇ ପ୍ରଥମ ପ୍ରଥମ ଦେଖା ସାକ୍ଷାତର ନେହା ପରି । ହେଲେ ମଝିରେ ମଝିରେ ପଚାରିଦିଏ ଲୋପାମୁଦ୍ରାର ଅପ୍‌ଡେଟ୍‌ ଜାଣିବାକୁ।

କୁହାଯାଏ, ସମସ୍ୟା ନ ଥିଲେ କିମ୍ବା ଜୀବନରେ ଅନୁଭୁତି ନ ଥିଲେ ମନର ଦୃଢ଼ତା ବୃଦ୍ଧି ପାଏ ନାହିଁ । ବୋଧହୁଏ, ସେଇଥିପାଇଁ ନିୟତି ମୋତେ ସମସ୍ୟା ବି ଦେଉଥିଲା, ପୁଣି ତାକୁ ମୁକାବିଲା କରିବା ପାଇଁ ସାହସ ବି ଯୋଗାଉଥିଲା । ମୋର ବିବାହ ବୟସ ଗଡ଼ି ସାରିଥିଲା । ମାଆ ଅନେକ ଥର ମୋର ବିବାହ କଥା କହି କହି ଥକି ପଡ଼ିଥିଲେ । କିନ୍ତୁ ଦିନେ ଅତିଶୟ ଭାବରେ ଜିଦ୍ ଧରି ବସିଲେ ମୋର ବିବାହ ବିଷୟ ନେଇ । କହିଲେ, ତୁ ବିବାହ ନ କଲା ଯାଏଁ ମୁଁ ସନ୍ଦୀପ୍‌କୁ ବାହା କରି ପାରିବି ନାହିଁ । ଏମିତି ଦୁହେଁ ମୋରି ଆଗରେ ବୁଢ଼ା ହୋଇଯାଅ । ଆଉ ମୁଁ ତମ ଦୁହିଁଙ୍କର ବିବାହ ନ ଦେଖି, ନାତି ନାତୁଣି ନ ଦେଖି ଆର ପାରିକୁ ଚାଲିଯାଏ । ମାଆ ତାଙ୍କ ଲୁଗା କାନିରେ ଆଖି ପୋଛିଲେ । ମୋର ସବୁ ବୁଝେଇବା ବିଫଳ ହୋଇଗଲା । ଏକା ସନ୍ଦୀପ୍‌ର ବିବାହରେ ମାଆ ରାଜି ନ ଥିଲେ । ମୁଁ କିଛି ଦିନ ସମୟ ମାଗି ମାଆଙ୍କୁ ଚୁପ୍ କରାଇଲି ।

କିଛି ଦିନ ପରେ ମୁଁ ଜାଣିବାକୁ ପାଇଲି, ଏସବୁ ନେହା ଓ ସନ୍ଦୀପ୍‌ର କାମ ଥିଲା । ମୋର ସେ କିଛି ଦିନର ଅବଧି ଗଡ଼ି ଚାଲିଲା ଅନେକ ଦିନ ଯାଏ । ହଠାତ୍ ଥରେ କୌଣସି ଏକ କାମରେ ମୋର ଦିଲ୍ଲୀ ଯିବାକୁ ହେଲା । ମୁଁ ସ୍ଥିର କଲି, ମାଆଙ୍କ ଜିଦ୍ ରହୁ । ମୋର ସବୁ ଅହଂକୁ ଜଳାଞ୍ଜଳି ଦେଇ ଲୋପାମୁଦ୍ରାର ହାତ ଗୋଡ଼ ଧରି ପଛେ ତାକୁ ମନେଇ ନେବି, କିନ୍ତୁ ମାଆଙ୍କୁ ଆଉ ଅଧିକ କଷ୍ଟ ଦେବି ନାହିଁ । ଲୋପାମୁଦ୍ରାର ଠିକଣା ସଂଗ୍ରହ ସକାଶେ ଏଥର ଶ୍ରୀୟା ନୁହେଁ, ମୁଁ ସିଧା ଯାଇ ପହଞ୍ଚିଲି ସାନ ମାମୁଁଙ୍କ ଗାଁରେ ।

ତା’ପରେ

ଲୋକପ୍ରିୟ ଲେଖା

To Top