ଗଳ୍ପ

ବୃଷ୍ଟି ଓ ବିସ୍ଫୋରଣ

Dr Bibhuti Pattanaik's odia story Brushti O Bisphorana

ସେ ବର୍ଷ ସେ ଉଚ୍ଚ ପ୍ରାଥମିକ ବୃତ୍ତି ପାଇବା ପରେ ଇଷ୍ଟେଟ୍ ଅଫିସର୍ ଖୁସି ହୋଇ କଟକର ଏକ ଅଢ଼େଇ ଗୁଣ୍ଠିଆ ସରକାରୀ ଜମି ପୁଅର ଅଙ୍କ ଶିକ୍ଷକ ଗୋଲକ ବିହାରୀ ରାୟଙ୍କୁ ଆବଣ୍ଟନ କରିଦେଇଥିଲେ ।

ବୃଷ୍ଟି ଓ ବିସ୍ଫୋରଣ

ବାପା ଯେ ଖୁବ୍ ଚିନ୍ତାରେ ଅଛନ୍ତି, ସବୁବେଳେ ଅନ୍ୟମନସ୍କ ରହୁଛନ୍ତି, ଏକଥା ତାଙ୍କ ମୁହଁକୁ ଅନେଇ ଦେଲେ ବୁଝିଯାଏ ଗୀତା । ସେ ଘରର ବଡ଼ ଝିଅ, ତା’ ତଳେ ଦୁଇ ସାନ ଭଉଣୀ । ଭାଇ ନାହାନ୍ତି । ସେ ବାପାଙ୍କ ମୁହଁକୁ ଚାହିଁ ତାଙ୍କର ମନର କଥା ବୁଝି ନ ପାରିଲେ ଆଉ ବୁଝିବ କିଏ ?

କିନ୍ତୁ ସେ ବୁଝିଲେ ବି କ’ଣ କରିପାରିବ ?

ତା’ର ବୟସ ହୋଇଯାଇଛି । ତିରିଶି ପୂରି ଏଇ ଅଗିରା ପୂର୍ଣ୍ଣମୀ ଦିନ ଏକତିରିଶି ଚାଲିଲା । ବାହା ହେବା ପାଇଁ ବରପାତ୍ର ମିଳିଲେ ନାହିଁ । ସେ ତା’ର ଅନ୍ୟ ଦୁଇ ସାନ ଭଉଣୀଙ୍କ ପରି ଗୋରୀ ଆଉ ସୁନ୍ଦରୀନ ହେଲେ ମଧ୍ୟ କାଳୀ କିମ୍ୱା ଅସୁନ୍ଦରୀ ନୁହେଁ । ରୀତା ଆଉ ନୀତା ବୋଉ ରଙ୍ଗ ପାଇଥିଲା ବେଳେ ତା’ର ଦେହର ରଙ୍ଗ ବାପା ଗୋଲକ ବିହାରୀଙ୍କ ପରି ଶ୍ୟାମଳ । କିନ୍ତୁ ତା’ର ମୁହଁର ଗଢ଼ଣୀରେ ଏପରି ଏକ ସହଜ, ସ୍ନିଗ୍ଧ ଲାବଣ୍ୟ ଥିଲା, ଯାହା ରାସ୍ତାରେ ଯାଉଥିବା ଅନେକ ବିବାହିତ ପ୍ରୌଢ଼ମାନଙ୍କୁ ମଧ୍ୟ ପଛକୁ ଫେରି ଚାହିଁବା ପାଇଁ ବାଧ୍ୟ କରୁଥିଲା ।

ଦିନେ ତା’ର ମୁହଁରେ ଲାବଣ୍ୟ ଥିଲା । ଆଜି ନାହିଁ । ହୃଦ୍‌ଘାତରେ ବୋଉର ଅକାଳ ମୃତ୍ୟୁ ପରେ ତାକୁ ପ୍ଲସ୍ ଟୁ ପାଠ ପଢ଼ାରେ ଡୋରି ବାନ୍ଧି ଘର ସମ୍ଭାଳିବାକୁ ପଡ଼ିଥିଲା । ରୀତା ଆଉ ଗୀତା ତା’ ଠାରୁ ନଅବର୍ଷ, ସାତବର୍ଷ ସାନ । ସେମାନେ ସ୍କୁଲ୍‌ରେ ପଢୁଥିଲେ । ବାପା ଥିଲେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ଅଙ୍କ ମାଷ୍ଟର ଭାବରେ ତାଙ୍କର ସୁଖ୍ୟାତି ଥିଲା । କଟକର ଜଣେ ଛାତ୍ରର ବାପା ଥିଲେ ଓଡ଼ିଶା ସରକାରଙ୍କ ଇଷ୍ଟେଟ୍ ଅଫିସର୍ । ପୁଅ ତାଙ୍କର ବାପାଙ୍କ ପାଖରେ ଅଙ୍କ ଟ୍ୟୁସନ୍ ନେଉଥିଲା । ସେ ବର୍ଷ ସେ ଉଚ୍ଚ ପ୍ରାଥମିକ ବୃତ୍ତି ପାଇବା ପରେ ଇଷ୍ଟେଟ୍ ଅଫିସର୍ ଖୁସି ହୋଇ କଟକର ଏକ ଅଢ଼େଇ ଗୁଣ୍ଠିଆ ସରକାରୀ ଜମି ପୁଅର ଅଙ୍କ ଶିକ୍ଷକ ଗୋଲକ ବିହାରୀ ରାୟଙ୍କୁ ଆବଣ୍ଟନ କରିଦେଇଥିଲେ । ସେତେବେଳେ ପ୍ରାଥମିକ ଶିକ୍ଷକମାନଙ୍କ ଦରମା ଥିଲା ସାମାନ୍ୟ । କଟକରେ ସରକାରୀ ଜମିର ମୂଲ୍ୟ ମଧ୍ୟ ସେମିତି କିଛି ବେଶି ନ ଥିଲା । ଗୀତାର ମନେଅଛି, ତଥାପି ସେଇ ସରକାରୀ ଜମି କବଲା କରିବା ପାଇଁ ବୋଉ ବାପଘରୁ ଆଣିଥିବା ଏକମାତ୍ର ସୁନା ଚେନ୍ ବାପାଙ୍କୁ ବିକ୍ରି କରି ଦେବାକୁ ପଡ଼ିଥିଲା ।

ଘର କରିବା ପାଇଁ ସରକାରୀ ଜମି ଖଣ୍ଡେ ସାମାନ୍ୟ ମୂଲ୍ୟରେ ମିଳିଯାଇଥିଲେ ବି ଘର ତୋଳିବା ପାଇଁ ଗୋଲକ ବିହାରୀଙ୍କ ପାଖରେ ଅର୍ଥ ନ ଥିଲା । ଚାକିରୀରୁ ଅବସର ନେବାର ବେଳ ହୋଇ ଆସୁଥିଲା । ସେ ସହରର ସରକାରୀ ଜମି ଖଣ୍ଡିକ ବିକ୍ରି କରି ଦେଇ ଅବସର ପରେ ଗ୍ରାମକୁ ଫେରିଯିବା ପାଇଁ ମନ ସ୍ଥିର କରିଥିଲେ । ବାଦ ସାଧିଲେ ପତ୍ନୀ ବନଲତା । ଛୁଆ ତିନିଜଣ ଏଇ ସହରରେ ଜନ୍ମ ହୋଇଛନ୍ତି । ବଡ଼ ହୋଇ ପାଠ ପଢୁଛନ୍ତି । ଗୋବିନ୍ଦପୁର ଗାଆଁରେ ତମର ଭାଇ ଭଗାରିଆ ଘର । ସେମାନେ ସେଠି ଯାଇ ଚଳିପାରିବେ । ବରଂ ଗାଆଁରେ ତମର ଭାଗ ଜମିବାଡ଼ି ବିକି ଏଇ ସରକାରୀ ଜମିରେ ଘର ଖଣ୍ଡେ ତୋଳି ଚାକିରୀରୁ ଅବସର ନେଲା ପରେ ଏଠାରେ ତମର ଟ୍ୟୁସନ୍ ପିଲା ଅଭାବ ହେବେ ନାଇଁ । ମୋ କଥା ମାନ –

ପତ୍ନୀ ବନଲତାଙ୍କ କଥା ମାନିଥିଲେ ଗୋଲକବିହାରୀ ।

ଗାଆଁର ଜମିବାଡ଼ି ବିକି ଯେତିକି ମିଳିଥିଲା ତାହା ଥିଲା ସମୁଦ୍ରକୁ ଶଙ୍ଖେ ପାଣି ପରି । ସହରରେ ଘର ତିଆରି ଖର୍ଚ୍ଚ ହୁ ହୁ ବଢ଼ିଯାଇଥିଲା । ଖୋଲା ବଜାରରେ ସିମେଣ୍ଟ ମଧ୍ୟ ମିଳୁନଥିଲା । ତୁଳସୀପୁର ମୁନ୍‌ସିପାଲ୍ଟି କାଉନ୍ସିଲର୍ ପ୍ରତାପ ମିତ୍ରଙ୍କ ପୁଅ ମଧ୍ୟ ଗୋଲକ ବିହାରୀଙ୍କର ଛାତ୍ର ଥିଲା । ତାଙ୍କୁ ଘର ତୋଳାରେ ସହାୟତା କରିବା ପାଇଁ ସେ ପ୍ରଥମ ଶ୍ରେଣୀର ଠିକାଦାର କାଳିଚରଣଙ୍କ ସହ ଯୋଗସୂତ୍ର ସ୍ଥାପନ କରାଇ ଦେଇଥିଲେ । ବାରଶହ ଫୁଟର ପ୍ଳିଣ୍ଟ୍ ଏରିଆରେ ତିନି ବଖରା ଘର ବିଶିଷ୍ଟ ଏକ ମହଲା କୋଠାଘରର ସର୍ବନିମ୍ନ ଖର୍ଚ୍ଚ ତିନିଲକ୍ଷ ଟଙ୍କାର ଏକ ବଜେଟ୍ ଗୋଲକ ବିହାରୀଙ୍କୁ ଧରାଇ ଦେଇଥିଲେ କାଳୁବାବୁ କଣ୍ଟ୍ରାକ୍ଟର୍ । ବାର୍ଷିକ ବାର ଶତାଂଶ ସୁଧରେ ବ୍ୟାଙ୍କରୁ ଦୁଇଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା ମଧ୍ୟ କରିଦେଇଥିଲେ ।

ଗୀତାର ମନେଅଛି ଯେଉଁଦିନ ଘରର ଛାତ ପଡ଼ିଲା, ସେଇଦିନ ହୃଦ୍‌ଘାତରେ ବୋଉ ଚାଲିଗଲା ।

ଘର ତୋଳା ଆରମ୍ଭ ହେବା ପୂର୍ବରୁ ତାଙ୍କର ସଂସାର ଭାଙ୍ଗିଗଲା ।

-: ତାପରେ :-

ଲୋକପ୍ରିୟ ଲେଖା

To Top