ଗଳ୍ପ

ବୃଷ୍ଟି ଓ ବିସ୍ଫୋରଣ

Dr Bibhuti Pattanaik's odia story Brushti O Bisphorana

ଅପା ! ତୁ ଯଦି ମ୍ୟାଟ୍ରିକ୍ ଫେଲ୍ ମଟର ମେକାନିକ୍‌କୁ ବାହା ହୋଇ ଯାଉ – ତା’ହେଲେ ମୁଁ ଆଉ କଲେଜ୍‌ରେ ସାଙ୍ଗସାଥୀମାନଙ୍କ ପାଖରେ ମୁହଁ ଦେଖାଇପାରିବି ନାହିଁ ।

ବୃଷ୍ଟି ଓ ବିସ୍ଫୋରଣ

-: ପୂର୍ବରୁ :-

ପଚିଶ ବର୍ଷ ପୁରିଗଲା ପରେ ଗୋଲକ ବିହାରୀଙ୍କୁ ବଡ଼ ଝିଅର ବାହାଘର ଚିନ୍ତା ଘାରିଥିଲା । ଭଲ ପ୍ରସ୍ତାବ କେତୋଟି ମଧ୍ୟ ଆସିଥିଲା । କିନ୍ତୁ ବରପାତ୍ରମାନଙ୍କ ଯୌତୁକ ଦାବି ପୂରଣ କରିବାର କ୍ଷମତା ନଥିବାରୁ ସେ ସବୁ ପ୍ରସ୍ତାବ ବେଶି ଦୂର ଆଗେଇ ପାରିନଥିଲା ।

ଗୀତା ନିଜେ ମଧ୍ୟ ବାପାଙ୍କ ମନୋନୀତି ଯେକୌଣସି ପାତ୍ରକୁ ବାହା ହୋଇଯିବା ପାଇଁ ପ୍ରସ୍ତୁତ ଥିଲା । ଧନୀ ହେଉ କି ଦରିଦ୍ର ହେଉ, ଗେଡ଼ା ହେଉ କି ଡେଙ୍ଗା ହେଉ, ଗୋରା ହେଉ କି କଳା ହେଉ-ପିଲାଟି ଯଦି ସୁପୁରୁଷ ହୋଇଥିବ, ନିଜ ଗୋଡ଼ରେ ଠିଆ ହେବାର ସାମର୍ଥ୍ୟ ଥିବ, ସେ ଯେଉଁ ଜାତିର ହେଉ-ବେଶି ପାଠ ପଢ଼ି ଥାଉକି ନ ଥାଉ-ତାକୁ ବାହା ହେବାରେ ତାର କୌଣସି ଆପତ୍ତି ନଥିଲା । ଏପରିକି ମ୍ୟାଟ୍ରିକ୍ ପାସ୍ କରି ନ ପାରି ଗୋଟିଏ ମଟର ଗ୍ୟାରେଜ୍‌ରେ ମେକାନିକ୍ କାମ କରୁଥିବା ଅନାଦି ନାୟକଙ୍କୁ ମଧ୍ୟ ସେ ବାହା ହେଇଯିବା ପାଇଁ ରାଜି ହୋଇଯାଇଥିଲା । ବାଧା ଦେଲା ରୀତା । କହିଲା- “ଅପା ! ତୁ ଯଦି ମ୍ୟାଟ୍ରିକ୍ ଫେଲ୍ ମଟର ମେକାନିକ୍‌କୁ ବାହା ହୋଇ ଯାଉ – ତା’ହେଲେ ମୁଁ ଆଉ କଲେଜ୍‌ରେ ସାଙ୍ଗସାଥୀମାନଙ୍କ ପାଖରେ ମୁହଁ ଦେଖାଇପାରିବି ନାହିଁ ।”

ଗୋଲକ ବିହାରୀ ଝିଅ ମୁହଁରେ କହିପାରି ନଥିଲେ ବି ତାକୁ ଶୁଣାଇ ଶୁଣାଇ ତା’ର ମାଉସୀ, ପିଉସୀମାନଙ୍କ ଆଗରେ କହିଥିଲେ- କେତେ କାଣୀ, କୁଜି ଝିଅ ଭଲ ପାଇ ବିନା ଯୌତୁକରେ ସତ୍ ପାତ୍ରରେ ବାହା ହୋଇ ଯାଉଛନ୍ତି । ଗୀତା ରୂପରେ, ଗୁଣରେ ସେମାନଙ୍କଠାରୁ କୌଣସିଥିରେ ଊଣା ନୁହେଁ । ଅଥଚ. . . ।

ବନଲତା ସବୁବେଳେ ବଡ଼ ଝିଅକୁ ପ୍ରଥମେ କଲେଜକୁ ପଢ଼ିବା ପାଇଁ ଯିବାବେଳେ ତାଗିଦ୍ କରିଥିଲେ- “ଦେଖ ! ବାହାଘର ପୂର୍ବରୁ ତୁ ଏମିତି କିଛି ଅପକର୍ମ କରି ବସିବୁ ନାଇଁ- ଯେଉଁଥିରେ ଆମ ମୁଣ୍ଡ ତଳକୁ ହୋଇଯିବ ।”

ବୋଉର କଥା ମାନି ବାପବୋଉଙ୍କ ମୁଣ୍ଡ ତଳକୁ ନ କରିବା ପାଇଁ ଘରୁ ବାହାରିଲା ପରେ ସବୁବେଳେ ମୁହଁ ତଳକୁ କରି ଚାଲେ । କଲେଜରେ ଦୁଇବର୍ଷ ପଢୁଥିବାବେଳେ ଏବଂ କଲେଜ ଛାଡ଼ି ରାସ୍ତା ଘାଟ, ଦୋକାନ ବଜାରରେ ବୁଲୁଥିବାବେଳେ କିଏ ତାକୁ ଦେଖୁଛି କି ନାହିଁ, ଭାବ କରିବାକୁ ଚାହୁଁଛି କି ନାହିଁ ସେ କେବେ ମୁହଁ ଉଠାଇ ଦେଖି ନାହିଁ କି ଜାଣି ନାହିଁ । ତେଣୁ ତା’ ଠାରୁ ଊଣା ରୂପଗୁଣ ଥିବା ଝିଅ ସମର୍ଥ ପୁରୁଷମାନଙ୍କୁ କେଉଁ ଉପାୟରେ ଫାନ୍ଦରେ ଧରି ବିନା ଯୌତୁକରେ ବାହା ହୋଇଯାଆନ୍ତି, ତାହା ତାକୁ ଜଣାନାହିଁ, ପାରି ନାହିଁ ବୋଲି ତା’ର ମଧ୍ୟ ଦୁଃଖ ନାହିଁ, ଶୋଚନା ନାହିଁ ।

ବାପାଙ୍କ ସକଳ ଚେଷ୍ଟା ସତ୍ତ୍ୱେ ବାହାଘର ହୋଇପାରୁ ନ ଥିବାରୁ ଗୀତାର ମଧ୍ୟ ଦୁଇ ତିନିବର୍ଷ ମନ କଷ୍ଟ ହେଉଥିଲା । ବାପାଙ୍କ ଶୁଖିଲା ମୁହଁକୁ ଚାହିଁ ଦେଲେ ତା’ର ଛାତିରୁ ଅତଡ଼ା ଖସି ପଡୁଥିଲା । ମଝି ରାତିରେ ବାଜେ ସ୍ୱପ୍ନ ସବୁ ଦେଖି ତା’ର ନିଦ ଭାଙ୍ଗି ଯାଉଥିଲା । ତା’ର ସାଙ୍ଗ ସାଥିମାନେ ସେମାନଙ୍କ ବାହାଘର ଭୋଜି ପାଇଁ ନିମନ୍ତ୍ରଣ କରିଗଲେ ମଧ୍ୟ ସେ ଯାଇପାରୁନଥିଲା । କିନ୍ତୁ ଅଠେଇଶି ବର୍ଷ ପାର ହୋଇଗଲା ପରେ ରୀତା ପାଇଁ ଯେତେବେଳେ ବାହାଘର ପ୍ରସ୍ତାବମାନ ଆସିବାକୁ ଲାଗିଲା, ଗୋଲକ ବିହାରୀ ମଧ୍ୟ ବଡ଼ ଝିଅର ବାହାଘର କଥା ଭୁଲିଗଲେ । ଗୀତା ମଧ୍ୟ ଅବଶିଷ୍ଟ ଜୀବନ ଅତିବାହିତ ରହିବ ବୋଲି ମନ ସ୍ଥିର କରିନେଲା । ତା’ପରେ ରାତିରେ ଆଉ କୌଣସି ଦୁଃସ୍ୱପ୍ନ ଦେଖି ତା’ର ମଝି ରାତିରେ ନିଦ ଭାଙ୍ଗିଲା ନାହିଁ କିମ୍ୱା ତା’ଠାରୁ ସାତ ସାନ ଆତ୍ମୀୟା, ଅନାତ୍ମୀୟା ଝିଅଙ୍କ ବାହାଘର ଭୋଜିରେ ସାଜିସୁଜି ଗଲାବେଳେ ତାକୁ କାନ୍ଦ ମାଡ଼ିଲା ନାହିଁ ।

କିନ୍ତୁ ଗତ ଦେଢ଼ମାସ ତଳେ ବ୍ୟାଙ୍କର ଘର ନିଲାମ ନୋଟିସ୍ ପାଇ ଗୋଲକ ବିହାରୀଙ୍କ ମୁହଁ ପୁଣି ଦୁଶ୍ଚିନ୍ତାରେ ରେଖାଙ୍କିତ ହୋଇଗଲା ।

ଚାକିରୀରୁ ଅବସର ନେଲା ପରେ ସେ ଘର ପାଇଁ ଯେଉଁ ଦୁଇଲକ୍ଷ ଟଙ୍କା ଋଣ ଆଣିଥିଲେ ତା’ର ସୁଧ ସୁଦ୍ଧା ବ୍ୟାଙ୍କରେ ପରିଶୋଧ କରି ନାହାନ୍ତି । ଦଶ ବର୍ଷରେ ସୁଧମୂଳ ମିଶି ଦୁଇଲକ୍ଷ ଟଙ୍କା ଋଣ ପାଞ୍ଚ ଲକ୍ଷରେ ପହଞ୍ଚିଛି । ଘର ତୋଳା ଜମି ବନ୍ଧକ ରଖି ବ୍ୟାଙ୍କ ଘର ତୋଳିବା ପାଇଁ ଋଣ ଦେଇଥିଲା । ଆସନ୍ତା ଦୁଇ ମାସ ମଧ୍ୟରେ ସୁଧ-ମୂଳ ପାଞ୍ଚଲକ୍ଷ ଟଙ୍କା ପରିଶୋଧ ନ କଲେ ଟଙ୍କା ଆଦାୟ କରିବା ପାଇଁ ଘର ନିଲାମ କରିବାକୁ ବ୍ୟାଙ୍କ ନୋଟିସ୍ ଦେଇଛି ।

ଚିନ୍ତାରେ ପଡ଼ିଯାଇଛନ୍ତି ଗୋଲକ ବିହାରୀ । ମୁକ୍ତିର ଉପାୟ ଖୋଜି ପାଉ ନାହାନ୍ତି । କେବଳ ବ୍ୟାଙ୍କର ଦୁଇଲକ୍ଷ ଋଣ ଟଙ୍କାରେ ସେ ଘର ତୋଳି ନାହାନ୍ତି । ଏହା ସହିତ ତାଙ୍କର ଗ୍ରାମର ଜମିବାଡ଼ି ବିକ୍ରି ଟଙ୍କା ମଧ୍ୟ ମିଶିଛି । ଘର ନିଲାମ ହୋଇଗଲେ ତାଙ୍କର ସର୍ବନାଶ ହୋଇଯିବ । ଗ୍ରାମରେ କିମ୍ୱା ଏ ସହରରେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କୁ ଜାଗା ମିଳିବ ନାଇଁ ।

କ’ଣ କରିବେ ଗୋଲକ ବିହାରୀ ?

ଗତ ଦଶବର୍ଷ ମଧ୍ୟରେ କେବଳ ବ୍ୟାଙ୍କର ସୁଧ ବଢ଼ିନାହିଁ । ବଢ଼ିଛି ମଧ୍ୟ ଏ ସହରରେ ଘର ଓ ଜମିର ମୂଲ୍ୟ । ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଏ ଯେଉଁ ଘର ତୋଳିଛନ୍ତି, ତା’ର ଦାମ୍ ବର୍ତ୍ତମାନ ଦଶ ଲକ୍ଷରୁ କମ୍ ହେବ ନାହିଁ । କିନ୍ତୁ ଘରକୁ ବିକ୍ରି କରିବାକୁ ହେଲେ ପ୍ରଥମେ ପାଞ୍ଚଲକ୍ଷ ଟଙ୍କା ପରିଶୋଧ କରି ଘରକୁ ଋଣମୁକ୍ତ କରିବାକୁ ପଡ଼ିବ ।

କିନ୍ତୁ ତାଙ୍କୁ ପ୍ରଥମେ ଏ ଋଣମୁକ୍ତି ପାଇଁ ବିନା ବନ୍ଧକରେ ପାଞ୍ଚଲକ୍ଷ ଟଙ୍କା ଋଣ ଦେବ କିଏ ?

କାଳୁବାବୁ କଣ୍ଟ୍ରାକ୍ଟର ।

ଶବ ପଡ଼ିଥିବାର ବାସ୍ନା ବାରି ଶାଗୁଣା ଉଡ଼ି ଆସିଲା ପରି ଘର ବିକ୍ରି ସମ୍ୱାଦ ପାଇ ସମ୍ୱଲପୁରରୁ ଗାଡ଼ି ଚଢ଼ି ମାଡ଼ି ଆସିଲେ ଛଅଫୁଟ ଲମ୍ୱ କୃଷ୍ଣାଙ୍ଗ କଣ୍ଟ୍ରାକ୍ଟର କାଳୀଚରଣ ।

ଘର ତୋଳା ପାଇଁ ଆୟୋଜନବେଳେ ବନଲତା ବଞ୍ଚିଥିଲେ । କାଳୀଚରଣ ତାଙ୍କ ଘରକୁ କାମରେ ଆସିଲେ ସେ ତାଙ୍କୁ ଚା’, ଜଳଖିଆ ଦେଇ ଚର୍ଚ୍ଚା କରୁଥିଲେ । କିଶୋରୀ ଗୀତା ସେତେବେଳେ ସ୍କୁଲ୍‌ରେ ପଢୁଥିଲା । ତାଙ୍କୁ ଅଙ୍କଲ୍ ଅଙ୍କଲ୍ ବୋଲି ଡାକୁଥିଲା ।

ଆଜି ବନଲତା ନାହାନ୍ତି । ଚା’ କପ୍ ଆଉ ବିସ୍କୁଟ୍ ପ୍ଲେଟ୍ ନେଇ ତାଙ୍କୁ ଚର୍ଚ୍ଚା କରିବା ପାଇଁ ଆସିଲା ଗୀତା ।

ଥରେ ଗୀତା ମୁହଁକୁ ଚାହିଁ କାଳୀଚରଣ ଦୃଷ୍ଟି ଫେରାଇ ନେଲେ ।

ପଚାରିଲେ- “ଝିଅ କ’ଣ ଏ ଯାଏ ବାଡୁଅ ଅଛି ।'” ତା’ ସୀମନ୍ତରେ ସିନ୍ଦୂର-ଗୋଲକ ବିହାରୀ ମୂଳ ପ୍ରସଙ୍ଗକୁ ଏଡ଼ାଇ ଯିବା ପାଇଁ କହିଲେ-

– ତା’ର ଆଉ ବାହାଘର ହେବ କେମିତି ? ବର୍ତ୍ତମାନ ପାଞ୍ଚ ଲକ୍ଷ ଟଙ୍କା ଋଣଶୋଧ ଚିନ୍ତାରେ ଆମେ ସମସ୍ତେ ଘାଣ୍ଟି ହେଉଛୁ । ଆପଣ ମତେ ପାଞ୍ଚଲକ୍ଷ ଟଙ୍କା ଧାର୍ ଦିଅନ୍ତୁ । ବ୍ୟାଙ୍କରୁ ମୁକୁଳି ଗଲା ପରେ ଘରଟା ବିକ୍ରି କରିଦେଇ ମୁଁ ଆପଣଙ୍କ ପାଞ୍ଚଲକ୍ଷ ଟଙ୍କା ଶୁଝି ଦେବି- ଅବଶିଷ୍ଟ ଟଙ୍କାରେ ଝିଅ ବାହାଘର-

କଫି ପିଉ ପିଉ କାଳୀଚରଣ ଦୃଢ଼ କଣ୍ଠରେ କହିଲେ-

– “ଯଦି ଘର ବିକ୍ରି କରିବା କଥା, ମୁଁ ପାଞ୍ଚଲକ୍ଷ ନୁହେଁ, ଦଶଲକ୍ଷ ଟଙ୍କା ଦେଉଛି । ବ୍ୟାଙ୍କରୁ ମୁକୁଳିଲା ପରେ ଏ ଘର ମୋ ନାମରେ କବଲା କରି ଦେଇ ଅବଶିଷ୍ଟ ପାଞ୍ଚଲକ୍ଷ ଟଙ୍କା ନେଇ ଘର ଛାଡ଼ି ଚାଲିଯାଆନ୍ତୁ । ମୁଁ ଏ ଘର ଭାଙ୍ଗି ଗୋଟାଏ ନୂଆ ଆପାର୍ଟମେଣ୍ଟ ତିଆରି କରିବି ।”

ବାଷ୍ପରୁଦ୍ଧ କଣ୍ଠରେ ଗୋଲକ ବିହାରୀ ନିଜକୁ ନିଜେ ପ୍ରଶ୍ନ କଲା ଭଳି କହିଲେ- “ଏ ଘର ଛାଡ଼ି ଦେଲେ ଆମେ ଯିବୁ କୁଆଡେ଼ ? ତିନିତିନିଟା ଅଭିଆଡ଼ୀ ଝିଅ ।”

କଫି ପାନ ଶେଷ କରି ଛଅଫୁଟ ଲମ୍ୱ କୃଷ୍ଣାଙ୍କ କଣ୍ଟ୍ରାକ୍ଟର କାଳୁବାବୁ ତାଙ୍କର ଶେଷ କଥା ଶୁଣାଇ ଦେଲେ- “ଆପଣଙ୍କର ତ ଆଉ ବନ୍ଧକ ଦେଇ ଋଣ ଆଣିବା ପାଇଁ କିଛି ମୂଲ୍ୟବାନ୍ ସ୍ଥାବର ଅସ୍ଥାବର ସମ୍ପତ୍ତି ନାହିଁ । ଆପଣ ଯଦି ବଡ଼ ଝିଅକୁ ମତେ ବିବାହ ଦିଅନ୍ତି- ମୁଁ ସେ ବାବଦ ଆପଣଙ୍କୁ ଦଶଲକ୍ଷ ଟଙ୍କା ଦେଇପାରେ । ଆପଣ ଭାବିଚିନ୍ତି ଯାହା ସ୍ଥିର କରିବେ ମତେ ଜଣାଇବେ । ମୁଁ ଉଠୁଛି- ମୋ ମୋବାଇଲ୍ ନମ୍ୱର ରହିଲା ।”

ତା’ପରେ

ଲୋକପ୍ରିୟ ଲେଖା

To Top