ଗଳ୍ପ

ମଣିମା

Kalindicharana Panigrahi's odia Story Manimaa

ସାମନ୍ତମାନେ ଲୁଗା ଖୋଷଣି ଖସିଯିବ ବୋଲି ଅଣ୍ଟାରେ ଗୋଟିଏ ଗୋଟିଏ ଗିନି ମାରି ବୁଲୁଥିଲେ ଏବଂ ରାସ୍ତାରେ କେହି ଲୋକ କିଛି ମାଗିଲେ, ଭ୍ରୁକ୍ଷେପ ନ କରି ତାହା ତାକୁ ଦାନ କରୁଥିଲେ ।

ମଣିମା

କେହି ଦାନ ଗ୍ରହଣ କରି କାଙ୍ଗାଳ ବୋଲାଏ, ଆଉ କେହି ଦାନ ଦେଇ କାଙ୍ଗାଳ ହୁଏ । ମଧୁପୁରଗଡ଼ର ସାମନ୍ତ ପରିବାର ଶେଷୋକ୍ତ ଧରଣର କାଙ୍ଗାଳି ହେବାକୁ ବସିବା ସଙ୍ଗେ ସଙ୍ଗେ ତାଙ୍କରି ଅନ୍ନରେ ପ୍ରତିପାଳିତ ମ୍ୟାନେଜର ଶ୍ୟାମବାବୁଙ୍କର ସମ୍ପତ୍ତି କ୍ରମେ ବୃଦ୍ଧ କରିବାକୁ ଲାଗିଲା ।

ସାମନ୍ତ ପରିବାରର ଇତିହାସ ବହୁ ପ୍ରାଚୀନ । ତାହାର କୌଣସି ଲିଖିତ ଫର୍ଦ୍ଦ ନାହିଁଷ କେବଳ ଲୋକମୁଖରୁ ଶୁଣାଯାଇଥାଏ ସେମାନେ ଥିଲେ ଉତ୍କଳର ପ୍ରାଚୀନ କ୍ଷତ୍ରିୟ ବଂଶସମ୍ଭୁତ । ତାଙ୍କ ପୂର୍ବପୁରୁଷମାନେ ନିଜ ନିଜ ଭବିଷ୍ୟତ୍‌ର ପୁଣି ଦେଶର ପକ୍ଷ ନେଇ ମରହଟ୍ଟା, ମୁସଲମାନ ପ୍ରଭୃତି ବିଦେଶୀ ଶତ୍ରୁମାନଙ୍କ ବିରୋଧରେ ଲଢ଼ାଇ କରି କେତେ ଶତ୍ରୁ-ମସ୍ତକକୁ ଧୂଳିରେ ଲୁଣ୍ଠିତ କରିଅଛନ୍ତି, କେତେ ଶତ୍ରୁ ରକ୍ତରେ ଏ ଦେଶ ମାଟିକୁ ପ୍ଲାବିତ କରିଛନ୍ତି । ଶେଷରେ ବୀରତ୍ୱର ପୁରସ୍କାର ରୂପେ ଲାଭ କରିଛନ୍ତି- ବିସ୍ତୃତ ଜମିଦାରୀ-ବୀରଭୋଗ୍ୟା ବସୁନ୍ଧରା । କିନ୍ତୁ ଆଜି ସେମାନଙ୍କର ତୀକ୍ଷ୍ଣ ବର୍ଚ୍ଛା କଳଙ୍କିତ । ଶାଣିତ ତରବାରି କୋଷ ମଧ୍ୟରେ କଠିନ ଭାବରେ ଆବଦ୍ଧ କେବଳ ଦଶହରା ଆଦି ପର୍ବରେ ସେ ସବୁରେ ଚୁଆ ସିନ୍ଦୂର ଲଗାଇ ପୂଜା କରାଯାଏ । ଏହା ଅବଶ୍ୟ କୌଣସି ଭବିଷ୍ୟତ୍ ଯୁଦ୍ଧ ଆୟୋଜନର ସୂଚନା ନୁହେଁ, କେବଳ ଏକ ସ୍ମୃତିପୂଜା ।

ଯେଉଁମାନେ ସହଜରେ ଜୀବନ ଉତ୍ସର୍ଗ କରିପାରନ୍ତି, ସେମାନଙ୍କୁ ସାଧାରଣତଃ ବିଶେଷଭାବରେ ପୁରସ୍କୃତ କରାଯାଇଥାଏ । ମଧୁପୁରଗଡ଼ର ସାମନ୍ତମାନେ ଏହି କାରଣରୁ ବିପୁଳ ସମ୍ପତ୍ତିର ମାଲିକ ହୋଇପାରିଥିଲେ । ମରହଟ୍ଟାମାନଙ୍କ ସହିତ ଯୁଦ୍ଧ କରିବା ପରେ ଏମାନଙ୍କୁ ଦୀର୍ଘ ବିଶ୍ରାମ କରିବାକୁ ହେଲା । ସେ ବିଶ୍ରାମ ଭଗ୍ନ କରିବାର ସମୟ ଏ ପର୍ଯ୍ୟନ୍ତ କୌଣସି ନିଦ ଉପସ୍ଥିତ ହୋଇ ନାହିଁ । ଆହାର ପରିଚ୍ଛଦ ପରି ସଂଗ୍ରାମ ଯେଉଁମାନଙ୍କର ଏକାନ୍ତ ଅଭ୍ୟାସଗତ ହୋଇପଡ଼ିଥିଲା, ସେମାନଙ୍କୁ କେବଳ ସ୍ତ୍ରୀଜନୋଚିତ ବିଳାସିତାରେ ଅଜସ୍ର ସମ୍ପତ୍ତି ଭୋଗ କରିବାକୁ ପ୍ରଥମେ ଭଲ ଲାଗିଲା ନାହିଁ । କୌଣସି କାରଣରୁ କାହାରି ସହିତ ରାଗ ରୋଷ ଆରମ୍ଭ ହେଲେ, ସେମାନେ ହାତ ହତିଆର ଧରି ଯୁଦ୍ଧ ପାଇଁ ଆହ୍ୱାନ କରୁଥିଲେ, କିନ୍ତୁ ଏ ସକଳ ଆଉ ବେଶିଦିନ ରହିଲା ନାହିଁ, କ୍ରମେ ସେମାନେ ଶାନ୍ତ ପ୍ରକୃତିକ ହୋଇ ପଡ଼ିଥିଲେ । ଜୀବନ ଅଥବା ମୃତ୍ୟୁ, ଏ ଦୁଇଟା ମଝିରେ ଯେପରି ସେମାନେ ପୂର୍ବେ ଆଉ କିଛି ଦେଖିପାରି ନଥିଲେ, ବର୍ତ୍ତମାନ ମଧ୍ୟ ଅପରିସୀମ ବିଳାସିତ କିମ୍ୱା ଏକାବେଳକେ ଦାରିଦ୍ର୍ୟ- ଏ ଦୁଇ ଭିତରେ କୌଣସି ମଧ୍ୟବର୍ତ୍ତୀ ଖୋଜି ପାଇଲେ ନାହିଁ ।

ଦେହରେ ଖଣ୍ଡାଧାର ଶତ କ୍ଷତ ବହନ କରି ଯେଉଁମାନେ ଦିନେ ନିଜକୁ ପରମ ଗୌରବାନ୍ୱିତ ମନେ କରୁଥିଲେ, ଆଜି ସାମାନ୍ୟ ପିପିଲିକାର ଦଂଶନରେ ତାଙ୍କର ହୃତ୍‌କମ୍ପ ହୁଏ । ତରୁଚ୍ଛାୟାରେ କଠିନ ଶିଳାଖଣ୍ଡ ଉପରେ ଯାହାଙ୍କର ଗାଢ଼ ନିଦ୍ରା ହେଉଥିଲା, ଆଜି ନବନୀତ କୋମଳ ଶଯ୍ୟାରେ ମଧ୍ୟ ସେମାନଙ୍କ ରାତ୍ରି ଉଜାଗର ରହିବାକୁ ହୁଏ । ଅର୍ଥୋପାର୍ଜନରେ ଲୋକଙ୍କୁ ଯେପରି ଗୋଟିଏ ନିଶା ଧରି ବସେ, ଅର୍ଥବ୍ୟୟରେ ମଧ୍ୟ ସେହିପରି ଗୋଟାଏ ନିଶା ଥିବ ପରା । ସାମନ୍ତ ଦ୍ୱାରା ଏହି ବ୍ୟୟ ଲାଗି ଚତୁର୍ଦ୍ଦିଗରେ ଉଦ୍ଘାଟିତ ହୋଇପଡ଼ିଲା । ଅସଂଖ୍ୟ ଦାସଦାସୀ ପରିବେଷ୍ଟିତ ହୋଇ ନୃତ୍ୟଗୀତ, ଆମୋଦପ୍ରମୋଦରେ ହିଁ ସେମାନେ ବୁଡ଼ି ରହିଲେ । ବିଳାସ ବ୍ୟଭିଚାରରେ ଯେପରି ଦାନ ଧର୍ମରେ ମଧ୍ୟ ସେମାନଙ୍କର ଅପବ୍ୟୟର ମାତ୍ରା ବଢ଼ିଚାଲିଲା, ଅର୍ଥାତ୍ ଦାନଧର୍ମକୁ ସେମାନେ ଏହି ବିଳାସିତାର ଗୋଟିଏ ଅଙ୍ଗ ବୋଲି ଜ୍ଞାନ କରୁଥିଲେ । ପୂଜା ପାର୍ବଣରେ ସେମାନେ ରାଜ୍ୟର ପ୍ରଜାମାନଙ୍କୁ ଯେପରି ଅକାତରରେ ଦାନ କରୁଥିଲେ, ବୋଧହୁଏ ତାହା ବୌଦ୍ଧରାଜା ହର୍ଷବର୍ଦ୍ଧନଙ୍କ ଦାନ ଅପେକ୍ଷା ନ୍ୟୁନ ହେବ ନାହିଁ । ଶୁଣାଅଛି, ସାମନ୍ତମାନେ ଲୁଗା ଖୋଷଣି ଖସିଯିବ ବୋଲି ଅଣ୍ଟାରେ ଗୋଟିଏ ଗୋଟିଏ ଗିନି ମାରି ବୁଲୁଥିଲେ ଏବଂ ରାସ୍ତାରେ କେହି ଲୋକ କିଛି ମାଗିଲେ, ଭ୍ରୁକ୍ଷେପ ନ କରି ତାହା ତାକୁ ଦାନ କରୁଥିଲେ । କେଲୁଣୀ ନାଟରେ ଯେପରି ଶତ ଶତ ଟଙ୍କା ବ୍ୟୟିତ ହେଉଥିଲା, କୌଣସି ବିଦଶାଗତ ଅତିଥିଙ୍କ ସମ୍ୱର୍ଦ୍ଧନାରେ ମଧ୍ୟ ସେହିପରି ମୁକ୍ତହସ୍ତତା ଦେଖାଯାଉଥିଲା । ମଧୁପୁରଗଡ଼ର ପ୍ରଜାମାନେ ଏହାକୁ ରାମରାଜ୍ୟ ମନେକରି କୃତ-କୃତ୍ୟ ହୋଇଥିଲେ । ଗଡ଼ ବାହାରେ ମଧ୍ୟ ସାମନ୍ତ ପରିବାରର ଖ୍ୟାତି ବିସ୍ତୃତ ହୋଇପଡ଼ିଥିଲା । ଯେ ଥରେ ମଧୁପୁରଗଡ଼କୁ ଆସିଛି, ସାମନ୍ତମାନଙ୍କ ପ୍ରଶଂସା ସେ ଚତୁର୍ଦ୍ଦିଗରେ ଗାଇ ବୁଲିଛି, କିନ୍ତୁ ଏମାନଙ୍କ ମଧ୍ୟରୁ କେହି ସାମନ୍ତ- ରାଜ୍ୟର କାଗଜପତ୍ର ହିସାବ ଦେଖିବାକୁ ଯାଇ ନାହିଁ । ଏକ ସକଳ ବ୍ୟୟ, ଅପବ୍ୟୟ, ସଙ୍ଗେ ସଙ୍ଗେ ଋଣର ପରିମାଣ କିପରି କ୍ଷିପ୍ରଗତିରେ ବୃଦ୍ଧିଲାଭ କରୁଛି, ତାହା ବୁଝିବାକୁ କେହି ଆବଶ୍ୟକ ମନେ କରି ନାହିଁ ।

ଯାହା ହେଉ ସାମନ୍ତ ପରିବାରର ଋଣ ଯାହା ହୋଇପଡ଼ିଥିଲା, ତାହା କରିବା ପାଇଁ ବିଶେଷ କଷ୍ଟ ଅନୁଭବ କରିବାକୁ ପଡ଼ନ୍ତା ନାହିଁ, କିନ୍ତୁ ସେଥିରେ ଦୁଇତିନିଟା କାରଣ ଯୁକ୍ତ ହୋଇଗଲା । ସାମନ୍ତ ପରିବାରର ମୁରବି ଦୁଇଜଣ- କନିଷ୍ଠ ଜଗଦାନନ୍ଦ ଓ ଜ୍ୟେଷ୍ଠ ବିଶ୍ୱେଶ୍ୱର ଦୁହେଁ ଖୁଡୁତା, ଦେଡୁତା ଭାଇ ଓ ପୃଥକ୍ ଅନ୍ନବର୍ତ୍ତୀ, କିନ୍ତୁ ରାଜ୍ୟ ପରିଚାଳନାରେ ଉଭୟେ ଅପାରଗ । ଜଗଦାନନ୍ଦଙ୍କର ପାରା, କୁକୁରରେ ବଡ଼ ସୌକ । ଗୋଟାଏ ଗୋଟାଏ କୁକୁର ପିଛା ତିନିଟା ଚାକର ନିଯୁକ୍ତ ଥାଆନ୍ତି । ଜ୍ୟେଷ୍ଠ ବିଶ୍ୱେଶ୍ୱର କେବଳ ଦାସଦାସୀ, ନୃତ୍ୟ ସଙ୍ଗୀତ ଘେନି ଅହରହ ମତ୍ତ । ଯେଉଁଠାରେ ମନୁଷ୍ୟ ଅପେକ୍ଷା ପଶୁର ଆଦର ବେଶି ଏବଂ ସହଧର୍ମିଣୀଙ୍କ ଅପେକ୍ଷା ପରିଚାରକମାନଙ୍କ ପ୍ରତିପତ୍ତି ଅଧିକ, ସେଠାରେ ପରିଣାମ ଯାହା ହୋଇଥାଏ, ବିଶ୍ୱେଶ୍ୱର ଓ ଜଗଦାନନ୍ଦଙ୍କୁ ତାହା ଭୋଗ କରିବାକୁ ହୋଇଥିଲା ।

ତହସିଲଦାର ଶ୍ୟାମବାବୁ ବିଶ୍ୱେଶ୍ୱରଙ୍କର ଦାସୀପୁତ୍ର । ତାଙ୍କର ଔରସ ସନ୍ତାନ କେହି ନଥିଲେ । ଶ୍ୟାମବାବୁ ହିଁ ଦୁଇ ଭ୍ରାତାଙ୍କର ଇଲାକା ଦେଖୁଥିଲେ । ସେହି କେବଳ ହାତଟେକି ଯେଉଁ ଭାଇକୁ ଯାହା ଦାନ କରୁଥିଲେ, ସେ ତହିଁରେ ସନ୍ତୁଷ୍ଟ ରହୁଥିଲେ । କାଗଜପତ୍ର ବୁଝି ହିସାବ ଦେଖିବାକୁ ସେମାନେ ସଂକୀର୍ଣ୍ଣତା ମନେ କରୁଥିଲେ କିମ୍ୱା ତହିଁରେ ଅପାରଗ ଥିଲେ । ଜଗଦାନନ୍ଦଙ୍କର ପୁତ୍ର ପ୍ରେମାନନ୍ଦ ଶ୍ୟାମବାବୁଙ୍କଠାରୁ ବୟସରେ ଅନେକ ସାନ । ପ୍ରେମାନନ୍ଦ ଦୁଇଭାଇଙ୍କର ଏକମାତ୍ର ଉତ୍ତରାଧିକାରୀ, ତେଣୁ ବାଲ୍ୟାବସ୍ଥାରୁ ସେ ସେ ଅସାମାନ୍ୟ ବିଳାସିତାରେ ବଢ଼ିଲେ ।

ଶ୍ୟାମବାବୁ ଲୋକ ବଡ଼ ବିଚକ୍ଷଣ- ପ୍ରେମାନନ୍ଦଙ୍କ ଆବିର୍ଭାବରେ ସେ ବୁଝିପାରିଲେ ଯେ, ସେ ସମସ୍ତ ସମ୍ପତ୍ତିର ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଅତଏବ ତାଙ୍କର ଧ୍ୟାନ ହେଲା କିପରି ସେ ସମ୍ପତ୍ତି କରାୟତ କରିପାରିବେ । ଭାଗ୍ୟକୁ ତାଙ୍କର ଗୋଟାଏ ସୁଯୋଗ ମିଳିଗଲା । ଅକସ୍ମାତ୍ ଘୋଡ଼ାରୁ ପଡ଼ି ବିଶ୍ୱେଶ୍ୱରଙ୍କର ଜୀବିତାବସ୍ଥାରେ ଶ୍ୟାମବାବୁ ଜଗଦାନନ୍ଦଙ୍କ ପ୍ରତି କୌଣସି ମନ୍ଦ ବ୍ୟବହାର କରିବାକୁ ସାହସୀ ହୋଇନାହାନ୍ତି । କାରଣ ବିଶ୍ୱେଶ୍ୱର ଯେତେ ଅଧୋଗତି ଲାଭ କରନ୍ତୁ, ବଂଶ ମର୍ଯ୍ୟାଦା ପ୍ରତି ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଥିଲା । ଜଗଦାନନ୍ଦଙ୍କୁ ସେ ପୁତ୍ରଭଳି ସ୍ନେହ କରୁଥିଲେ ଏବଂ ତାଙ୍କ ବଂଶର କାହାରି ପ୍ରତି କିଛି ଅସମ୍ମାନର ସୂଚନା ଦେଖିଲେ ଖଡ୍ଗହସ୍ତ ହୋଇଉଠୁଥିଲେ । ଯାହା ହେଉ, ଶ୍ୟାମବାବୁ ବିଶ୍ୱେଶ୍ୱରଙ୍କ ମୃତ୍ୟୁରେ ନିଜକୁ ସ୍ୱାଧୀନ ଜ୍ଞାନ କଲେ ଏବଂ ସମସ୍ତ ସମ୍ପତ୍ତି ଯେପରି ତାଙ୍କର କରାୟତ୍ତ ହେବ, ସେହି ଉପାୟ ଖୋଜିଲେ । ଯେ କଳହପ୍ରିୟ ଅତି ସହଜରେ ତାକୁ କଳହର କାରଣ ମିଳିଯାଏ । ବିଶ୍ୱେଶ୍ୱରଙ୍କ ମୃତ୍ୟୁ ପରେ ଜଗଦାନନ୍ଦ ଦେଖିଲେ ଶ୍ୟାମବାବୁଙ୍କର ବ୍ୟବହାର କ୍ରମେ ତାକୁ ପ୍ରତି ଅପମାନଜନକ ହୋଇଉଠୁଛି । ଇଷ୍ଟେଟର ମାଲିମକଦ୍ଦମା ସଂଖ୍ୟା କ୍ରମେ ବୃଦ୍ଧି ପାଉଅଛି ଏବଂ ତାଙ୍କ ଖର୍ଚ୍ଚର ପରିମାଣ ହ୍ରାସ ପାଇଆସୁଛି, କିନ୍ତୁ ସେ ଏ ସକଳ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ, ଶ୍ୟାମବାବୁ ହିଁ ସର୍ବେସର୍ବା । ନିରୁପାୟ ହୋଇ ସେ ସର୍ବଦା ଶ୍ୟାମବାବୁଙ୍କ ଅନୁଗ୍ରହଭିକ୍ଷୁ ହୋଇଥାନ୍ତି । ସବୁବେଳେ ତାଙ୍କର ହାତଟେକା ଅର୍ଥ ଅପେକ୍ଷା କରୁଥାନ୍ତି ।

ଶ୍ୟାମବାବୁ ସର୍ବଦା ଇଷ୍ଟେଟ୍‌ର ଦୁରବସ୍ଥା ଜଣାଇ ଜଗଦାନନ୍ଦଙ୍କୁ ସାବଧାନ କରିବା ସଙ୍ଗେ ସଙ୍ଗେ ନିଜ ଉପାର୍ଜନ ବୃଦ୍ଧିର ଚେଷ୍ଟାରେ ଥାନ୍ତି । ଆଜି ଅମୁକ ମହାଜନ ନାଲିଶ କଲା, ଅମୁକ ମୌଜା ନିଲାମ ହୋଇଗଲା, ଅମୁକ ପ୍ରଜା ରାଜସ୍ୱ ଦେଲା ନାହିଁ, ଯେ ଯାହାର ମାଲିକାନା ବୁଝିନେବା ଉଚିତ୍, ଇତ୍ୟାଦି ଇତ୍ୟାଦି, କିନ୍ତୁ ଜଗଦାନନ୍ଦ ଜନକ ମହର୍ଷିଙ୍କ ପରି କୌଣସି କଥା କାନକୁ ନ ଆଣି କେବଳ ଉତ୍ତର କରନ୍ତି, ତୁମେ ତ ସବୁ ବୁଝୁଛ, ଏଗୁଡ଼ା ଆଉ କ’ଣ ଏତେ ଗପୁଛ । କିନ୍ତୁ ଏପରି ଆଉ କେତେଦିନ ଚଳିବ । ଜଗଦାନନ୍ଦ ଦେଖିଲେ, ତାଙ୍କର ଦାସଦାସୀର ସଂଖ୍ୟା କ୍ରମେ ହ୍ରାସ ପାଉଅଛି । ପ୍ରେମାନନ୍ଦଙ୍କ ଶିକ୍ଷକମାନେ ବିଦାୟ ନେଇଛନ୍ତି, ପାକଶାଳାରେ ଦୁଇଜଣ ମାତ୍ର ପାଚିକା ଅବଶିଷ୍ଟ ଅଛନ୍ତି । ପାରାଗୁଡ଼ାକ ବାରପଣ ଉଡ଼ିଗଲେଣି, କୁକୁରଙ୍କ ଦେହରେ ଅସଂଖ୍ୟ ଡାଆଁଶ ବସିଲେଣି । ଅବଶେଷରେ ଏହି କୁକୁରଙ୍କ ପାଇଁ ସବୁ ଓଲଟ ପାଲଟ ହୋଇଗଲା । ଶ୍ୟାମବାବୁଙ୍କ ଗୃହରେ ଜଗଦାନନ୍ଦଙ୍କର ସ୍ନେହପାଳିତ କୁକୁରଟି ପଶିଯିବାରୁ ତା’ ଉପରେ ଦାରୁଣ ପ୍ରହାର ହେଲା । ଏଥିରେ ଜଗଦାନନ୍ଦଙ୍କ ସୁପ୍ତ କ୍ଷାତ୍ରତେଜ ଜାଗ୍ରତ ହୋଇଉଠିଲା । ସେ ଶ୍ୟାମଳବାବୁଙ୍କଠାରୁ ତାଙ୍କର ଅଂଶ ବୁଝି ନେବାକୁ ମାଗିଲେ । ଶ୍ୟାମବାବୁ କାଗଜପତ୍ରର ଯାହା ବୁଝାଇ ଦେଇଗଲେ, ସେଥିରେ ଜଗଦାନନ୍ଦଙ୍କର ବିଶ୍ୱାସ ହେଲା ନାହିଁ । ତାଙ୍କର ଜଣେ ଜଣେ ପ୍ରଜା ଯେତେ ସମ୍ପତ୍ତିର ମାଲିକ ହୋଇଅଛନ୍ତି, ତାଙ୍କର ଆଜି ସେତିକି ମଧ୍ୟ ନାହିଁ । ଶ୍ୟାମବାବୁଙ୍କ ସହିତ ମକଦ୍ଦମା ଆରମ୍ଭ ହେଲା, କିନ୍ତୁ ସେଥିରେ ଓକିଲ, ମୁକ୍ତାର, ମୋହରିର, ଅମଲା ଓ ହାକିମାନଙ୍କର ଅବସ୍ଥା ହିଁ ଭଲ ହେଲା ଏବଂ ଜଗଦାନନ୍ଦଙ୍କର ଅବଶିଷ୍ଟ ଜମିଦାରୀ ନିଃଶେଷ ହୋଇଗଲା ।

– ତା’ପରେ –

ଲୋକପ୍ରିୟ ଲେଖା

To Top