ଗଳ୍ପ

ମଣିମା

Kalindicharana Panigrahi's odia Story Manimaa

ବାପା, ତୁ ତ ଏଇଠି କେଉଁଠି ରହିଛୁ । ମତେ ସାଥିରେ ନ ନେଇ ଏକା କାହିଁକି ଚାଲିଗଲୁ ?

ମଣିମା

-: ପୂର୍ବରୁ :-

ପିତାଙ୍କ ମୃତ୍ୟୁ ପରେ ସାମନ୍ତ ପ୍ରେମାନନ୍ଦ ଯେତେବେଳେ ବେହେଲା ସେତାର ବନ୍ଦ କରି ନିଜ ସମ୍ପତ୍ତିର ପରିମାଣ ଜାଣିବାକୁ ଇଚ୍ଛା କଲେ, ସେତେବେଳେ ସେ ଦେଖିଲେ ଯେ, କେବଳ ଚାରିଶତ ଏକର ମଧ୍ୟରେ ଦେବୋତ୍ତର ସମ୍ପତ୍ତିର ସେ ଅଧିକାରୀ । ଅଥଚ ଶ୍ୟାମବାବୁ ଏବେ ନୂତନ ସୁଦୃଶ୍ୟ ହର୍ମ୍ୟ ନିର୍ମାଣ କରି ସାମନ୍ତମାନଙ୍କର ପ୍ରଭୂତ ସମ୍ପତ୍ତିର ମାଲିକ ହୋଇ ବସିଛନ୍ତି । ବିଶ୍ୱେଶ୍ୱରଙ୍କର ଅନ୍ୟ କେହି ଉତ୍ତରାଧିକାରୀ ନ ଥିବାରୁ ତାଙ୍କର ସମସ୍ତ ଧନ ମଧ୍ୟ ଶ୍ୟାମବାବୁଙ୍କ କରଗତ ହୋଇଛି । ମଧୁପୁରଗଡ଼ ସାମନ୍ତ ଭବନର ଦଶା ଶୋଚନୀୟ । ଗଡ଼ର ସୁବିସ୍ତୃତ ପ୍ରାଚୀରଟା ଧୂଳିଶାୟୀ । ସିଂହଦ୍ୱାରର ପ୍ରକାଣ୍ଡ ଲୌହ କବାଟ ଦୁଇଟା ନିଲାମ ହୋଇଯାଇଛି । ହାତିଶାଳ, ଘୋଡ଼ାଶାଳ ପ୍ରଭୃତିର ଚିହ୍ନ ସୁଦ୍ଧା ନାହିଁ । ଅଟ୍ଟାଳିକାଗୁଡ଼ିକରୁ ସ୍ଥାନେ ସ୍ଥାନେ ଇଟା ଚୂନ ଛାଡ଼ି ଯାଇ ବିକଳାଙ୍ଗ ହୋଇପଡ଼ିଛି । ସେ ସବୁର ବାହାରେ ବର, ଅଶ୍ୱତ୍ଥ ଓ ନାନା ପ୍ରକାର ଗୁଳ୍ମ ଜାତ ହୋଇ ଭିତରଟି ମାଙ୍କଡ଼ସା ଚେମଣୀଙ୍କର ଆବାସ ହୋଇଅଛି । ଜଡ଼ ଉପରେ ଉଦ୍ଭିଦର, ମଣିଷ ଉପରେ କୀଟପତଙ୍ଗର ପୁଣି କୃତ୍ରିମତା ଉପରେ ପ୍ରକୃତିର ଅନ୍ତିମ ବୈଜୟନ୍ତୀ ଉଡ଼ାଇଲେଣି । ପୁଷ୍କରିଣୀଗୁଡ଼ିକ ଦଳଦ୍ୱାରା ବଦ୍ଧ ।

ମନ୍ଦିରର ନୀତି ଦିନେ ପୁରୀମନ୍ଦିର ଅନୁକରଣରେ ସମ୍ପନ୍ନ ହେଉଥିଲା । ସେଠାରେ ଆଉ ତେଲିଙ୍ଗି ବାଜାର ଚହଳ ନାହିଁ । ସଞ୍ଜ ସକାଳେ ଯେଉଁ ପ୍ରକାଣ୍ଡ ଘଣ୍ଟାଟି ଠଣ ଠଣ ହୋଇ ବାଜି ଉଠେ, ତାହାର ପତ୍ତା ନାହିଁ । ପ୍ରେମାନନ୍ଦ ଗୋଟାଏ ଚାଳଘରେ ରହୁଛନ୍ତି । ସେଥିରେ ଜିନିଷପତ୍ର ବେଶି କିଛି ନାହିଁ । କୋଷବଦ୍ଧ ଦୁଇଟା ଗୋଟାଏ ପୁରାତନ ତରବାରି କାନ୍ଥରେ ମାତ୍ର ଝୁଲୁଛି । ଶଯ୍ୟାପାର୍ଶ୍ୱରେ ଗୋଟାଏ କାଠଫର୍ମା ଉପରେ ବେହେଲା, ସେତାର, ବଂଶୀ, ତାବଲା- କେତେଖଣ୍ଡ ନୂତନ ପୁରାତନ ବାଦ୍ୟ ଯନ୍ତ୍ର । ପ୍ରେମାନନ୍ଦ ମଧ୍ୟେ ମଧ୍ୟେ ସେହି ପ୍ରାଚୀନ ତରବାରି ଉପରେ ଉଦାସ ଦୃଷ୍ଟି ନିକ୍ଷେପ କରି ବେହେଲା, ସେତାରରେ ଅନବରତ ମଗ୍ନ ଥାନ୍ତି । ଜମିବାଡ଼ିର ଖବର ଓ ତାଙ୍କ ନିଜ ଖବର ସମସ୍ତ ବୁଝିବାକୁ ହୋଇଥାଏ ନିଜର ସହଧର୍ମିଣୀଙ୍କୁ । ଏପରିକି କୌଣସି ଦିନ ସ୍ତ୍ରୀ ଯଦି ସ୍ନାନାହାରର ସମୟ ଆସି ଜଣାଇ ନ ଦିଅନ୍ତି, ସେଦିନ ପ୍ରାୟ ପ୍ରେମାନନ୍ଦଙ୍କର ସବୁ ବନ୍ଦ । ସାମନ୍ତ ଭବନ ଛାଡ଼ି ପ୍ରେମାନନ୍ଦଙ୍କୁ କେବେ କେହି ବାହାରକୁ ଯିବା ଦେଖି ନାହିଁ । ପ୍ରବାଦ ଅଛି, ସାମନ୍ତମାନେ ନିଜ ଭୂମି ବ୍ୟତୀତ ଅନ୍ୟର ଭୂମିରେ କେବେ ପାଦ ଦେଉ ନଥିଲେ, ଅର୍ଥାତ୍ ନିଜ ଇଲାକା ଛାଡ଼ି ସେମାନେ ସ୍ଥାନାନ୍ତରକୁ ଯାଉ ନଥିଲେ । ବର୍ତ୍ତମାନ ଇଲାକା ହସ୍ତାନ୍ତରିତ ହୋଇଛି । ପ୍ରେମାନନ୍ଦ ଆଉ ପ୍ରଜାମାନଙ୍କଠାରୁ ପୂର୍ବ ସମ୍ମାନ ଦାବି କରି ନ ପାରନ୍ତି, ସୁତରାଂ ଉଆସ ଛାଡ଼ି ସେ କେବେ ପଦାକୁ ବାହାରନ୍ତି ନାହିଁ ।

ଯଦି କେବେ ଉଆସ ଛାଡ଼ି ବାହାରକୁ ଯା’ନ୍ତି, ସେ କେବଳ ରାତ୍ରିରେ- ଯେତେବେଳେ ବେଶି ଲୋକ ତାଙ୍କୁ ଦେଖିପାରିବେ ନାହିଁ । ପ୍ରେମାନନ୍ଦ ଦରିଦ୍ର ହେଲେ ହେଁ ପିତା ପିତାମହଙ୍କ ବଦାନ୍ୟ ସ୍ୱଭାବ ମଧ୍ୟେ ମଧ୍ୟେ ତାଙ୍କ ଭିତରେ ପ୍ରବଳ ହୋଇଉଠୁଥିଲା ଏବଂ ତାଙ୍କର ପୁରାତନ ପ୍ରଜାମାନଙ୍କ ମଧ୍ୟରୁ କାହାରି ଦୁଃଖ ସମ୍ୱାଦ ଶୁଣିପାରିଲେ, ତାହା ସଙ୍ଗୀତର ମୂର୍ଚ୍ଛନା ଭଳି ତାଙ୍କ ଅନ୍ତର ପ୍ରଦେଶରେ ପ୍ରତିଧ୍ୱନିତ ହେଉଥିଲା । ସେଥିପାଇଁ ସେ ସମୟ ସମୟରେ ରାତ୍ରିରେ ବାହାରି ଦୁଃଖୀ ପ୍ରଜାମାନଙ୍କୁ ପଦେ ଅଧେ ସାନ୍ତ୍ୱନା ଦେଇ ଆସୁଥିଲେ । କିଏ ପ୍ରାଣାଧିକ ପୁତ୍ରକୁ ହରାଇ ଶୋକରେ ଅଧୀର ହେଉଛି, ସେ ପ୍ରେମାନନ୍ଦଙ୍କ ମୁଖରୁ ପଦେ ମଧୁର କଥା ଶୁଣି ନିଜକୁ ଧନ୍ୟ ମନେକରିବ । କେଉଁ ଅନ୍ତସତ୍ତ୍ୱା ନାରୀ ଶୀତରେ କଷ୍ଟ ପାଉଛି, ତେବେ ସେ ସାମନ୍ତ ଭବନରୁ ବହୁ ପ୍ରାଚୀନ ଲୁଗା କିମ୍ୱା ଉଇଖିଆ କମ୍ୱଳ ଖଣ୍ଡେ ନିଶ୍ଚେ ପାଇବ । କେଉଁ ଲୋକର ଘର ଭାଙ୍ଗି ତଳେ ପଡ଼ିଛି, ସେ ପାଞ୍ଚଟି ଟଙ୍କା ପାଇବ ଅନ୍ତତଃ ଖଣ୍ଡେ ଚାଳିଆ ତିଆରି କରିବା ପାଇଁ । ସ୍ତ୍ରୀ ଏଥିପାଇଁ ପ୍ରେମାନନ୍ଦଙ୍କୁ ବାରମ୍ୱାର ସାବଧାନ କରାଇ ଦିଅନ୍ତି, କିନ୍ତୁ ବାଧା ଦେଇପାରନ୍ତି ନାହିଁ । କାରଣ ପ୍ରେମାନନ୍ଦଙ୍କର ପିତୃପୁରୁଷମାନଙ୍କ ପରି ଗୋଟାଏ ଝୁଙ୍କ ଥିଲା, ସେଥିରୁ କେହି ତାଙ୍କୁ ଟଳାଇ ପାରିବେ ନାହିଁ ।

ପ୍ରଜାମାନେ ସାମନ୍ତ ବଂଶକୁ ଜନ୍ମରୁ ପ୍ରଭୁ ବୋଲି ଜ୍ଞାନ କରନ୍ତି । ପ୍ରେମାନନ୍ଦଙ୍କ ପ୍ରତି ତାଙ୍କର ଭକ୍ତି ସର୍ବଦା ଉନ୍ମୁଖୀନ, କିନ୍ତୁ ଶ୍ୟାମବାବୁଙ୍କ ଭୟରେ ସେମାନେ ଏହା ପ୍ରକାଶ କରିପାରନ୍ତି ନାହିଁ । କାରଣ, ଶ୍ୟାମବାବୁଙ୍କର ଏଥିପ୍ରତି ସବୁବେଳେ କଡ଼ା ନଜର ଥାଏ । ପ୍ରେମାନନ୍ଦଙ୍କର ପଦେ ଭଲ ଯାହା ମୁଖରୁ ଶୁଣନ୍ତି, ସେଦିନୁଁ ତାଙ୍କୁ ସେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି, ତଥାପି ପ୍ରଜାମାନେ ସୁନିଆଁ ଦଶହରା ଭେଟିରେ ଯେତେବେଳେ ଉତ୍ପୀଡ଼ିତ ହୋଇ ଜମିଦାର ଶ୍ୟାମବାବୁଙ୍କ ଘରେ ନିଜେ ନିଜର ଦେୟ ଆଣି ଦାଖଲ କରନ୍ତି, କେହି କେହି ମଧ୍ୟ ଲୁଚି ଛପି ଅର୍ଦ୍ଧରାତ୍ରିରେ ସେମାନଙ୍କ ପୁରାତନ ମଣିମାଙ୍କୁ ସ୍ମରଣ କରି କିଛି ଭେଟି ଦେଇଯାନ୍ତି । ଶ୍ୟାମବାବୁଙ୍କ ଗୃହରୁ ପାଉଣା ଦୁଇଅଣା ପାଇଲେ, ପ୍ରେମାନନ୍ଦଙ୍କଠାରୁ ପୂର୍ବରୀତି ଅନୁସାରେ ସେମାନେ ଖୋରାକ ମୁଠାଏ ଓ ଲୁଗା ଖଣ୍ଡେ ବିଦାକୀ ପାନ୍ତି ।

ପ୍ରେମାନନ୍ଦଙ୍କ ଗୃହିଣୀଙ୍କୁ ଏସବୁ ସୁଖ ଲାଗେ ନାହିଁ । ସେ ଆସି କହନ୍ତି ଶେଷକୁ କ’ଣ ଏପରି ଚୋରେଇ ଲୁଚେଇ ଜମିଦାର ବୋଲାଇବ । ପ୍ରେମାନନ୍ଦ ହସି ହସି ଉତ୍ତର କରନ୍ତି, ସେମାନେ ତ ଆଣି ଖୁସିରେ ଦେଇ ଯାଉଛନ୍ତି । ଯାହା କେବେ ହୋଇ ନାହିଁ, ଆଜି କେମିତି ମନା କରିବା । ଦୋଷ ଅପରାଧରେ ଶ୍ୟାମବାବୁ କଚେରିରୁ ତାଡ଼ନା ପାଇ ମୁହଁ ଶୁଖାଇ ଲୁହ ପୋଛି କେହି ପ୍ରଜା ଚାଲିଯାଇଥିବାର ଦେଖିଲେ, ପ୍ରେମାନନ୍ଦ ଝରକା ବାଟେ ଧୀରସ୍ୱରରେ ଡାକନ୍ତି- ସାଧୁ ! ରାଧୁ ! କ’ଣ ହୋଇଛି, କାହିଁକି କାନ୍ଦୁଛ ? ସ୍ତ୍ରୀ ଗୃହ ମଧ୍ୟରୁ ତୀବ୍ର ସ୍ୱରରେ କହି ଉଠନ୍ତି, ସାଧୁ ରାଧୁ ଆଉ ସ୍ୱର୍ଗକୁ ନେବେ । ଏତେ ଅବସ୍ଥା ତ ହେଲାଣି, ପୁଣି ସେହି ସାଧୁ ରାଧୁ । ପ୍ରେମାନନ୍ଦ ଟିକିଏ କ୍ଷୀଣ ହାସ୍ୟ ହସି ନିରବ ହୁଅନ୍ତି । ସାଧୁ ରାଧୁ ମଧ୍ୟ ପ୍ରେମାନନ୍ଦଙ୍କ ଦ୍ୱାରରେ ଠିଆ ହୋଇଥିବାର ଶ୍ୟାମବାବୁ ଜାଣି ପାରିଲେ ସେମାନଙ୍କ ଦଶା ଅଧିକ ଶୋଚନୀୟ ହେବ ଭାବି ଧୀରେ ଧୀରେ ପ୍ରସ୍ଥାନ କରନ୍ତି ।

ପ୍ରେମାନନ୍ଦଙ୍କର ଅସଂଖ୍ୟ ଦୁଃଖ ମଧ୍ୟରେ ସେ କେବେହେଲେ ଆପଣାକୁ ଦୁଃଖୀ ବୋଲି ବିଚାରି ପାରନ୍ତି ନାହିଁ । ସେଭଳି ଶିକ୍ଷାରୁ ଅବା ସେ ବଞ୍ଚିତ, କିନ୍ତୁ ଗୋଟିଏ ଦୁଃଖ ତାଙ୍କର ହେଲା, ସେ ନିଃସନ୍ତାନ ! ତେବେ ଏପରି ଦାରିଦ୍ର୍ୟ ମଧ୍ୟରେ ପୁତ୍ର ଜନ୍ମର ଆବଶ୍ୟକତା ଓ ଆନନ୍ଦ ସେ ଅନୁଭବ କରିପାରୁ ନଥିଲେ । ଏହି ନିର୍ଜୀବ ସାମନ୍ତ ଭବନର ବିରାଟ ନିରାନନ୍ଦ ମଧ୍ୟରେ ପ୍ରେମାନନ୍ଦ ସେତାର ଆଳାପରେ ମଗ୍ନ ଥାନ୍ତି । ସ୍ତ୍ରୀ ଗୃହକର୍ମ ସାରି କେବେ କେବେ ପାଖରେ ବସି ଶୁଣନ୍ତି ।

ଶ୍ୟାମବାବୁଙ୍କ ଘୋର ଉତ୍ପୀଡ଼ନ ପ୍ରଜାମାନେ ନିରୁପାୟ ହୋଇ ସହିଲେ । ସେମାନଙ୍କ ରାମରାଜ୍ୟ ପିଶାଚପୁରୀରେ ପରିଣତ ହେଲା । ସାମନ୍ତ ଭବନକୁ ପ୍ରଜାମାନଙ୍କର ଯାତାୟତ କ୍ରମେ ବନ୍ଦ ହୋଇଆସିଲା, କାରଣ ଶ୍ୟାମବାବୁଙ୍କ କର୍ଣ୍ଣକୁ ଏ ଖବର ଗଲେ, ଆଉ ଯେ ରକ୍ଷା ନାହିଁ, କିନ୍ତୁ ଭାଇଗ ବେହେରା କଦାପି ସାମନ୍ତ ଭବନ ଛାଡ଼େ ନାହିଁ । ସେ ଥିଲା ପୁରୁଣା କାର୍ପଟଦାର, ବାପ ଅଜା ସାତପୁରୁଷରୁ ସେ ସାମନ୍ତଙ୍କ ଅନ୍ନରେ ପ୍ରତିପାଳିତ, ତେଣୁ ସାଧାରଣ ବେହେରାଙ୍କ ଅପେକ୍ଷା ତା’ର ଅବସ୍ଥା ଥିଲା ଭିନ୍ନ ଧରଣର । ବର୍ତ୍ତମାନ ଶ୍ୟାମବାବୁଙ୍କ ପ୍ରଜା ହେଲେ ମଧ୍ୟ ଏବଂ ତାଙ୍କଠାରୁ ନାନା ତାଡ଼ନାର ଭୟ ପାଇଲେ ହେଁ, ସେ କେବେହେଲେ ସାମନ୍ତ ଗୃହ ତ୍ୟାଗ କରିବାକୁ ରାଜି ହେଲା ନାହିଁ । ଶ୍ୟାମବାବୁଙ୍କର କ୍ରୋଧ ଦ୍ୱିଗୁଣିତ ହୋଇ ବଢ଼ିଗଲା ।

ସେ କ୍ରୋଧ କେବଳ ଭାଇଗ ଉପରେ ନୁହେଁ, ପ୍ରେମାନନ୍ଦ ଯେ ପ୍ରଜାଙ୍କୁ କୁଶିକ୍ଷା ଦେଇ ତାଙ୍କ ପ୍ରତି ଅଭକ୍ତି ଜନ୍ମାଉଛନ୍ତି, ଏଥିରେ ମଧ୍ୟ ତାଙ୍କର ବିଶ୍ୱାସ ହେଲା । ଭାଇଗର ଜମିତକ ଖଣ୍ଡି ଖଣ୍ଡି ହୋଇ ଶ୍ୟାମବାବୁଙ୍କ ବିଶାଳ ସମ୍ପତ୍ତିର ଅଙ୍ଗୀଭୂତ ହେଲା, ତଥାପି ଭାଇଗ ତା’ ପୁରୁଣା ଖାମିଦଙ୍କ ଅନ୍ନ ବ୍ୟତୀତ ଅନ୍ୟର ଅନ୍ନ ସ୍ପର୍ଶ କରିବାକୁ ନାରାଜ । ସେ ନିଜ ଦୁର୍ଦ୍ଦଶାକୁ ଭ୍ରୁକ୍ଷେପ ନ କରି ହସି ହସି କହିଲା, “ଓଃ, ଯେଉଁ ରାଜୁତି ଗଲା, ତା’ ସଙ୍ଗରେ ଭାଇଗର ଜମି ଦେଢ଼ବାଟି ତ ଗଲା ।” ସେହି ସମ୍ପତ୍ତିରୁ ମିଳିଥିଲା, ତାହାରି ସହିତ ମିଶିଗଲା, ସେଥିପାଇଁ ଶୋଚନା କ’ଣ । କିନ୍ତୁ ଘର ଢିଅ ଖଣ୍ଡିକ ଶ୍ୟାମବାବୁଙ୍କ ହାତକୁ ଯିବା ପୂର୍ବରୁ ନିମକସଚ୍ଚା ଭାଇଗ ଆପଣାର ଏକଇରବଳା ବିଶିକେଶନକୁ ପ୍ରେମାନନ୍ଦଙ୍କ ପାଦତଳେ ରଖି ଦେଇ ଶାନ୍ତିରେ ଆଖି ବୁଜି ଦେଲା । ମାତ୍ର ଭାଇଗ ମୃତ୍ୟୁର ଦଶ ଦିନ ଯାଇ ନାହିଁ, ଶ୍ୟାମବାବୁଙ୍କ ପିଆଦା ଆସି ବିଶିକୁ ଧରି ଘେନିଗଲା । ବିଶି ତା’ର ପିତୃବିୟୋଗର କାରଣ ବୁଝି ନ ପାରି ଦାଣ୍ଡରେ ଅନ୍ୟ ପିଲାଙ୍କ ସଙ୍ଗେ ଖେଳୁଥାଏ । ଶ୍ୟାମବାବୁଙ୍କ ଡକରାର କାରଣ ଜାଣିବାର ବୟସ ତା’ର ହେଇନି । ପିଆଦା ପଛେ ପଛେ ସେ ଚାଲିଲା । ବିଶିକୁ ସାମନ୍ତଙ୍କ ଉଆସରୁ ଧରି ଘେନି ଯିବାକୁ କାହାରି ଅବଶ୍ୟ ସାହସ ହୁଅନ୍ତା ନାହିଁ, କାରଣ ସିଂହ ଶୋଇଥିଲେ ବି ଯେ କୌଣସି ସମୟରେ ଚେଇଁ ଉଠିବାର ଭୟ ସମସ୍ତଙ୍କର ଥାଏ । ମଣିମାଙ୍କର ସେଇ ସୁପ୍ତ ଶକ୍ତିକୁ ଜାଗ୍ରତ କରିବାର ଅର୍ଥ ଯେ ନିର୍ବିଚାରରେ ଶିରଚ୍ଛେଦ, ଏଥିରେ କେହି ସନ୍ଦେହ କରୁ ନ ଥିଲେ ।

ପ୍ରେମାନନ୍ଦ ବିଶିକୁ ଭଲ ପାଉଥିଲେ । ସେ ଅନ୍ୟ କିଛି କାରଣରୁ ନୁହେଁ- ତାହାର ପିତୃପୁରୁଷ ସାମନ୍ତ ପରିବାରର ବହୁକାଳର ଶରଣାଗତ ବୋଲି, କିନ୍ତୁ ବିଶିକେସନକୁ ଏପରି ଭାବରେ ଧରି ଘେନିଯିବାରେ ସେ ପ୍ରକାଶ୍ୟରେ କୌଣସି ପ୍ରତିବାଦ କରିପାରିଲେ ନାହିଁ । ତାଙ୍କର ପ୍ରଧାନ ଅନ୍ତରାୟ ହେଲେ ସ୍ୱୟଂ ରାଣୀମା । ଏହି ସମ୍ୱାଦ ଶୁଣିପାରି ତାଙ୍କ ଦେହରେ ଯେତେବେଳେ ମୁହୂର୍ତ୍ତକ ପାଇଁ ବିଜୁଳି ଖେଳିଗଲା, ସ୍ତ୍ରୀ ଆସି କହିଲେ, “ତୁମର ଏ କି ପ୍ରକୃତି ! ତାଙ୍କ ପ୍ରଜାଙ୍କୁ ସେ ନେଇ ରଖିଲେ, ଆମର ସେଥିରେ କହିବାର ଅଛି କ’ଣ ?”

ବିଶିକୁ ଶ୍ୟାମବାବୁଙ୍କ ଘରେ ଚାକିରି କରିବାକୁ ହେଲା । ପିଲାଦିନୁ ମାଆକୁ ହରାଇଥିବାରୁ ଭାଇଗ ଏକା ତାହାର ଉଭୟ ବାପାମା’ଙ୍କ ସ୍ଥାନ ପୂରଣ କରିଥିଲା । ପ୍ରେମାନନ୍ଦଙ୍କର ମଧ୍ୟ ତା’ ଉପରେ ସ୍ନେହ ଦୃଷ୍ଟି ଥାଏ । ବାରଟି ବର୍ଷ ସେ ଦୁଃଖ କ’ଣ ଜାଣି ନଥିଲା । ବାପ ମରିଯିବା ପରେ ମଧ୍ୟ ସେ ତାହାର ଅଭାବ ଗୁରୁତର କରି ବୁଝିପାରି ନଥିଲା । ତାହାର ମଣିମାକୁ ସେ ବାପ ଅଭାବରେ ବାପ ପରି ପାଇଥିଲା । ପୁତ୍ରହୀନ ପ୍ରେମାନନ୍ଦ ମଧ୍ୟ ତାଙ୍କର ଏହି ଏକାନ୍ତ ଅନୁଗତ ବାଳକଟିକୁ ସବୁବେଳେ ସ୍ନେହ ଓ ଦୟା ଦୃଷ୍ଟିରେ ଦେଖୁଥିଲେ । ନିଜର ଆହାର ପରିଚ୍ଛଦ ପ୍ରତି ଯାହାଙ୍କର କେବେ ଲକ୍ଷ୍ୟ ନଥାଏ, ପିତୃହୀନ ଏହି ବାଳକଟିର ସମସ୍ତ ବିଷୟ ସେ ଆନନ୍ଦରେ ବୁଝୁଥିଲେ । ସମୟେ ସମୟେ ବାଦ୍ୟ ସଙ୍ଗୀତରୁ ବିଶ୍ରାମ ନେଇ ସେ ବିଶି ସହିତ ଖୁସି ଗଳ୍ପ କରିବାକୁ ଭଲ ପାଉଥିଲେ । ବିଶି ତାଙ୍କ ଚିତ୍ତବିନୋଦର ଗୋଟିଏ ପ୍ରଧାନ ସାମଗ୍ରୀ ଥିଲା, ତଥାପି ତାଙ୍କର ନ୍ୟାୟ ଅନ୍ୟାୟର ବିଚାର ଥିଲା ଏବଂ ସେଥିପାଇଁ ସେ ସ୍ତ୍ରୀଙ୍କର ଅବାଧ୍ୟ ହୋଇପାରୁ ନଥିଲେ ।

ଶ୍ୟାମବାବୁଙ୍କର ସମସ୍ତ କ୍ରୋଧର ଫୋକସିଂ ବିନ୍ଦୁ ହେଲା ନିରୀହ ବିଶି । ବିଶି ଚାକିରି କଲା, ତାରି ଜାତିଗତ ବ୍ୟବସାୟ ଗାଈ ଜଗିବା ହେଲା ତା’ର କାମ । ଆପଣାର କୌଳିକ କର୍ମ ହେଲେ ହେଁ ଗୋରୁ ଚରାଇବା ଅଭ୍ୟାସ ତା’ର ବହୁ ପୁରୁଷରୁ ଉଠିଗଲାଣି । ସାମନ୍ତ ପରିବାରର କାର୍ପଟଦାର ହୋଇ ସେମାନେ ବରାବର ଚଳି ଆସିଛନ୍ତି । ବିଶିକୁ ଏ ଚାକିରି ଭଲ ଲାଗିଲା ନାହିଁ । ଗାଈଗୁଡ଼ାକ ମଧ୍ୟ ତାକୁ ଖାତିର କରନ୍ତି ନାହିଁ । ଗୋଟାକୁ ଜଗିଲେ ଆଉ ଦୁଇଟା ପଳାଇ ଯାନ୍ତି । ଦୁଇଟାକୁ ବାନ୍ଧିଲେ ଆରଟା ଧରାଦିଏ ନାହିଁ । ସେଥିପାଇଁ ଅବଶ୍ୟ ଶାସ୍ତି ଭୋଗ କରିବାକୁ ହୁଏ ବିଚରା ବିଶିକୁ । ଗାଈ ଯେବେ ପଳାଇଗଲା, ଗାଈ ଶାସ୍ତି ନ ପାଇ ସେ କାହିଁକି ପାଇବ । ମାଡ଼ ଖାଇଲାବେଳେ ବିଶି ତା’ର ମଣିମାଙ୍କୁ ସ୍ମରଣ କରେ । କେଜାଣି କାହିଁକି, ସେ ସମୟରେ ତା’ ମନଟା ଟିକି ପ୍ରଫୁଲ୍ଲ ହୋଇଉଠେ । ସୁବିଧା ପାଇଲେ ଦଉଡ଼ି ଆସି ମଣିମାଙ୍କ ପାଦ ନିକଟରେ ମୁଣ୍ଡ ଲଗାଇ ଦିଏ । ପ୍ରେମାନନ୍ଦ ତା’ର ମୁଣ୍ଡଟି ଆଉଁଶି ଦୁଇପଦ କଅଁଳ କଥା ପଚାରନ୍ତି । ସେତିକିରେ ବିଶି ମନଟା ଭାରି ଖୁସି । ସେ ଫେରିଯାଇ ପୁଣି ନିଜ କାମରେ ମନ ଦିଏ । ଶ୍ୟାମବାବୁଙ୍କ କାନକୁ ଏ ସମ୍ୱାଦ ଯିବା ପାଇଁ ବେଶି ବିଳମ୍ୱ ହେଲା ନାହିଁ ।

ଶ୍ୟାମବାବୁ ନିଜେ କେବେ ପ୍ରେମାନନ୍ଦଙ୍କ ଆଗରେ ଠିଆ ହୋଇ କଥା ପଦେ କହିବାକୁ ସାହସ କରନ୍ତି ନାହିଁ । ପିଲାଦିନୁ ପ୍ରେମାନନ୍ଦ ତାଙ୍କୁ ଆଜ୍ଞା ମଣିମା କହି ଆସିଛନ୍ତି । ନିଜ ସ୍ତ୍ରୀଙ୍କ ଜରିଆରେ ସାମନ୍ତ ଗୃହିଣୀଙ୍କୁ ସେ କହି ପଠାଇଲେ ଯେ, ପ୍ରେମାନନ୍ଦ ତାଙ୍କ ଚାକର ଟୋକାକୁ ବଦଶିକ୍ଷା ଦେଉଛନ୍ତି । ସ୍ତ୍ରୀ ଆସି ସଙ୍ଗେ ସଙ୍ଗେ ସ୍ୱାମୀଙ୍କୁ କହିଲେ, “ଏ କି ଅଲକ୍ଷଣ କଥା । କୁକୁର ପାଇଁ ତ କଳିତକରାଳରେ ଏ ଅବସ୍ଥା, ପୁଣି ଗଉଡ଼ ଟୋକାଟାକୁ ନେଇ କ’ଣ ସବୁ ହରାଇବ ?” ପ୍ରେମାନନ୍ଦ ନିରବରେ ସବୁ ଶୁଣିଗଲେ । ଏ କଥାର ପ୍ରତ୍ୟୁତ୍ତର ସେ ଖୋଜି ପାଇଲେ ନାହିଁ ।

ଏଣେ ବିଶି ଉପରେ ଶ୍ୟାମବାବୁଙ୍କର ହୁକୁମ ହେଲା ଦଣ୍ଡ- ସେ ଉଦୁଉଦିଆ ଖରାରେ ଗୋଟିଏ ଠ ଉପରେ ଠିଆ ହୋଇ ରହିବ, ହଲଚଲ ହୋଇପାରିବ ନାହିଁ, ତା’ର ଖିଆପିଆ ବନ୍ଦ । ବିଶିକୁ ଦିନଯାକ ଏହି ଦଣ୍ଡ ଭୋଗିବାକୁ ହେଲା । ତା’ ସମକ୍ଷରେ ମରୀଚିକା ନାଚିଉଠି ଜଳର ଲୋଭ ଦେଖାଇଲା, ଅସଂଖ୍ୟ ଜୁଳୁଜୁଳା ପୋକ ଆଖି ଆଗରେ ଉଡ଼ିଲେ । ଚତୁର୍ଦ୍ଦିଗ ଅନ୍ଧକାର । ବିଶିର ଅନ୍ତର ପ୍ରଦେଶରେ ମଣିମା ମଣିମା କ୍ରନ୍ଦନରୋଳ ଉଠିଲା, କିନ୍ତୁ କଣ୍ଠରେ ତା’ର ଶକ୍ତି ନଥିଲା, ଏହି ତିନୋଟି ଅକ୍ଷର ଉଚ୍ଚାରଣ କରିବା ପାଇଁ । ସନ୍ଧ୍ୟାରେ ଆସି ସେ ପ୍ରେମାନନ୍ଦଙ୍କ ପାଦତଳେ ମୁଣ୍ଡଟି ଲଗାଇ ଦେଲା । ବିଶିର ଗୋରା ଦେହଟି ଖରାରେ ସିଝି ଗଲାଣି । ନ ଖାଇ ନ ପିଇ ତୋଟି ଶୁଖିଯାଉଛି । ଆଖିର ଡୋଳା ଦି’ଟା ନିର୍ବୋଧ ହୋଇ ଏଣେ ତେଣେ ବୁଲୁଛି । ଧୀରେ ଧୀରେ ମୁଣ୍ଡକୁ ତା’ର ଆଉଁସି ଦେଉ ପ୍ରେମାନନ୍ଦ ପଚାରିଲେ, କ’ଣ ହେଇଛିରେ ବିଶି ? ବିଶିର କଣ୍ଠରୁଦ୍ଧ ହୋଇଆସୁଥାଏ । ସେ କିଛି ଉତ୍ତର କରିପାରିଲା ନାହିଁ । ପ୍ରେମାନନ୍ଦ ପଚାରିଲେ, ଆଜି କିଛି ଖାଇ ନାହୁଁ କିରେ ? ବିଶିର ନିର୍ବୋଧ ଆଖିଯୋଡ଼ିକ ଛଳ ଛଳ ହୋଇଉଠିଲା । ସେ ମୁଣ୍ଡ ଲଗାଇ ନାସ୍ତି କଲା । ପ୍ରେମାନନ୍ଦ ସେଇଠାକୁ ବିଶି ପାଇଁ ଖାଦ୍ୟ ମଗାଇଲେ । ଆହାର ଅଣାଯିବା ମାତ୍ରେ ଦଶଦିନର ଉପବାସୀପରି ସେ ଏକାଗ୍ରଚିତ୍ତରେ ଭୋଜନ କରିବାକୁ ଲାଗିଲା । ଖାଇସାରି ସେ ଅଇଁଠା ପୋଛୁଚି, ରାଣୀମା’ ଆସି ପହଞ୍ଚିଗଲେ । ପ୍ରେମାନନ୍ଦ ସତୃଷ୍ଣନୟନରେ ବିଶି ଆହାର କରୁଥିବା ଦେଖୁଥିଲେ । ସ୍ତ୍ରୀଙ୍କ ପାଦଶବ୍ଦ ଶୁଣି ମୁଖ ଫେରାଇ ଶୋଇଲେ । ରାଣୀମା’ କ୍ରୋଧରେ ଅଗ୍ନିଶର୍ମା ହୋଇ ଆସି କହିଲେ, “ଏଇଟା କିଏରେ ? ମଣିମାଙ୍କ ପହୁଡ଼ାଘରେ ତତେ ଖାଇବାକୁ ଜାଗା ମିଳିଲା । ନିକଲ, ନିକଲ, ଆଉ ଦିନେ ଏ ଘରକୁ ଆସୁ ତ ବିଶିର ହାତ ଅଇଁଠା ଥାଳି ଉପରେ ରହିଲା ।” ସେ ଅବାକ୍ ହୋଇ ରାଣୀମା’ଙ୍କ ମୁଖକୁ ଚାହିଁ ରହିଲା ସେଇପରି ନିର୍ବୋଧ ଦୃଷ୍ଟିରେ, ଯେପରିକି ସେ ତାଙ୍କ କଥାରୁ ପଦେ ହେଲେ ବୁଝିପାରି ନାହିଁ । ରାଣୀମା’ ଚିତ୍କାର କରି ଉଠିଲେ, ଯାଉଛି କି ପୋଡ଼ା, ଚାହୁଁଚୁ କ’ଣ ? ସେ ଧଡ଼ପଡ଼ ଉଠିପଡ଼ି ବାସନ ଖଣ୍ଡ ଧୋଇଦେଇ ଧୀରେ ଧୀରେ ପ୍ରସ୍ଥାନ କଲା ।

ସ୍ତ୍ରୀ ସ୍ୱାମୀଙ୍କୁ ଉଦ୍ଦେଶ୍ୟ କରି କହିଲେ, “ଓଃ ! ପ୍ରଜାଙ୍କ ପାଇଁ ଆଉ ମୁହଁରେ ଜମାରୁ ପାଣି ଦେଉ ନାହାନ୍ତି ପରା- ଜମିଦାରୀ ତ ଗଲା, ସବୁ ତ ଗଲା, କେଉଁ ପ୍ରଜା କାହିଁକି ରଖି ପକେଇଲେ ନାହିଁ- ସେତେବେଳକୁ କିଏ ପିଠିରେ ପଡ଼ିବେ କି ? ଛି, ଛି, ଏପରି ବେହିଆ ଲୋକ ପୁଣି ଥାଆନ୍ତି । ପ୍ରଜା ତ ଯା’ର ତା’ର, ତୁମେ ମନେ ମନେ ଏତେ ବଡ଼ାଇ କରୁଛ କାହିଁକି ?” ପ୍ରେମାନନ୍ଦ ଭାବିଲେ- ହଁ, ତାଙ୍କର ସେଇଟା ଠିକ୍ ହେଉ ନାହଁ ।

ସେଦିନ ବିଶିର ଅସାବଧାନତାରୁ ବାଛୁରୀ ଦୁଧ ଖାଇଗଲା । ଶ୍ୟାମବାବୁଙ୍କଠାରୁ ଦଣ୍ଡ ହୁକୁମ ହେଲା । ସେ ବାଛୁରୀ ପରି ଦୁଇଗୋଡ଼ ଓ ଦୁଇହାତ ତଳେ ରଖି ପାଞ୍ଚଘଣ୍ଟା ରହିବ । ଟିକିଏ ହଲଚଲ ହେଲେ ବେତ୍ରାଘାତ । ବିଶି ବିଚରା ଯେତେ ସୁସ୍ଥ ସବଳ ହେଉ, ତା’ ପକ୍ଷରେ ଏପରି ଦଣ୍ଡ ଅସହ୍ୟ । କଠୋର ପ୍ରହାର ଖାଇସାରି ସେ ତାହାର ଏକମାତ୍ର ଆଶ୍ରୟ ମଣିମାଙ୍କ ପାଖକୁ ଛୁଟିଲା । ତା’ ମୁହଁ ଲାଲ ହୋଇ ଫୁଲିଯାଇଛି ଏବଂ ପିଠି ଫାଟି ରକ୍ତ ଝରୁଛି । ପ୍ରେମାନନ୍ଦ ସଙ୍ଗୀତାଳାପ କରୁଥିଲେ । ବିଶି ଶୋକ ଗଦ୍‌ଗଦ୍ ହୋଇ ମଣିମାଙ୍କ ପାଦ ତଳେ ପଡ଼ିବାକୁ ଯାଉଛି, ପ୍ରେମାନନ୍ଦ ତୀବ୍ର ସ୍ୱରରେ କହିଲେ, “ଦେଖ୍ ବିଶି, ଏପରି ଯେତେବେଳେ, ସେତେବେଳେ ତୋର ଯା’ ଆସ କରିବାଟା ଠିକ୍ ନୁହେଁ । ଯା’ ଯା’ ମୋର ଦରକାର ହେଲେ ଡାକିବି ।”

ବିଶି ଆଉ ଉତ୍ତରଟି ନ କରି ଫେରି ପଡ଼ିଲା, ପଥ ଉପରକୁ ଆସି ଦେଖେ ଆଶ୍ୱିନ ଆକାଶର ଅସଂଖ୍ୟ ତାରା ତାହାରି ପ୍ରତି ଏକଦୃଷ୍ଟିରେ ଅବା ଚାହିଁଛନ୍ତି । ବହୁଦିନ ପରେ ବାପ କଥା ଆଜି ତା’ର ମନେ ପଡ଼ିଲା । ଉପରକୁ ଚାହିଁ ଦୁଇଆଖିରୁ ଝରଝର ହୋଇ ପଡ଼ିଗଲା ଦୁଇଟା ଲୁହର ଝରଣା । ସେ ତାରାପୂର୍ଣ୍ଣ ନିର୍ମଳ ଆକାଶକୁ ଚାହିଁ କହିଲା, “ବାପା, ତୁ ତ ଏଇଠି କେଉଁଠି ରହିଛୁ । ମତେ ସାଥିରେ ନ ନେଇ ଏକା କାହିଁକି ଚାଲିଗଲୁ ?” ଭୋକରେ ତା’ ପ୍ରାଣ ଅସ୍ଥିର । ଶ୍ୟାମବାବୁଙ୍କ ଘରକୁ ଯିବା ପାଇଁ ତା’ର ଆଉ ଇଚ୍ଛା ହେଲାନି । ଏହି ଶବ୍ଦହୀନ ଆକାଶ ଓ ଜନହୀନ ପଥରେ ସେ କେଉଁ ଦିଗକୁ ଚାଲିଲା, କିଏ ଜାଣେ ?

ସେ ରାତ୍ରିରେ ପ୍ରେମାନନ୍ଦଙ୍କ ସେତାର ଆଳାପ ବନ୍ଦ ହୋଇଗଲା । ସ୍ତ୍ରୀ ଆସି ପଚାରିଲେ, କ’ଣ ହେଲା କି ? ସବୁଦିନେ ତ ଏତେବେଳକୁ ଘର କମ୍ପୁଥିଲା । ଉତ୍ତର ପାଇଲେ, ତାର ଛିଡ଼ିଯାଇଛି । ଆହାର ସମୟରେ ଦୁଇଟା ତରକାରିରେ ପ୍ରେମାନନ୍ଦଙ୍କ ହାତ ବାଜିଛି ତ ଅନ୍ୟ ତିନିଟା ଛୁଇଁବାକୁ ସୁଦ୍ଧା ମନେ ନାହିଁ ।

ତା’ପରେ

ଲୋକପ୍ରିୟ ଲେଖା

To Top