ଗଳ୍ପ

ମୁଠାଏ ଭିକ୍ଷାରେ ଆଞ୍ଜୁଳାଏ ଲୁହ

Laxmidhara Nayak's odia story Muthaae Bhikshaare Aanjulaae Luha

ହଠାତ୍ ଶାଶୁ କହିଲେ- ସ୍ୱାମୀ ଓ ପରିବାରର ସହିତ ଦୀର୍ଘକାଳ ସୁଖରେ ଲୁହ ବୋଲି ଆଶୀର୍ବାଦ କରିବେ ନାହିଁ ଯୋଗୀବର । ସାଧ୍ୱୀ ହେବାର ଆଶୀର୍ବାଦ ।

ମୁଠାଏ ଭିକ୍ଷାରେ ଆଞ୍ଜୁଳାଏ ଲୁହ

-: ପୂର୍ବରୁ :-

ପଦ୍ମା ତାକୁ ଅସୀମଙ୍କ ଫଟୋ ଦେଖାଇ କହିବ କେମିତି- ଏହି ତୋ ବାପା । ମିଛ ଛଳନାର ମୂଳଦୁଆ ଉପରେ ଠିଆ ହେବାକୁ ଥିବା ଛୁଆଟା- ଶେଷକୁ ଛଳିଆ ହେଇ ଯିବନି କି । ମା’ର ପ୍ରଥମ ମିଛଶିକ୍ଷାର ଅଦୃଶ୍ୟ ସ୍ପର୍ଶ ଯୋଗୁ ।

ଦିନେ ନା ଦିନେ, କେଉଁ ଦିଗରୁ ହେଲେ, ପବନରେ ଭାସିଆସିବ ସତର ଦୁର୍ଗନ୍ଧ । ପଚାରିବ ସେ ଛୁଆ- ବୋଉ । ଅସୀମ ସାମନ୍ତ ମୋର ମିଛବାପା ।

କେଉଁ ମୁହଁରେ ସେ ଚାହିଁବ ତାକୁ ।

ପଦ୍ମାର ଅଡୁଆତୁଡୁଆ ଭାବନା ହଠାତ୍ ତୁଟିଗଲା- ଗୋସେଇଁ ଶାଶୁଙ୍କ ବାଡ଼ି ଠୁକୁଠୁକୁ ଶବ୍ଦରେ । ବାହାର ବାରଣ୍ଡାରୁ କହି କହି ସେ ଆସୁଥିଲେ- ୟାଙ୍କରି ହେଲେ ପୁଅ ଘଇତା ମରିଛନ୍ତି । ମୁଇଁ ଏକା ସଧବା ସାଜି, ଦୀପଧୂପ ଧରି, ବଇଚି । ଦିଅଁ ବୁଡ଼ି ସଞ୍ଜ ହେଲା, ସାମାନ୍ତରା ଘର ଗାଦି ଘର ଗୁମୁଟରେ ଶଙ୍ଖ ବାଜିବ କି ନାଇଁ । ମା ବୃନ୍ଦାବତୀ ଅପୂଜା ରହିବେ । ମାଣ ଠାକୁରାଣୀଙ୍କ ଆଗରେ ଦୀପ ଜଳିବ କି ନାଇଁ । ଦଧିବାମନ ମହାପ୍ରୁ… ୟାଙ୍କ କୃପାକୁ ଅନେଇ ରହିବେ । କେତେବେଳେ ଯାଇ ମା ସାଆନ୍ତାଣୀମାନଙ୍କ ପହୁଡ଼ ଭାଙ୍ଗିବ… ଦିଅଁ ଦେବୀଙ୍କ ପାଖରେ ସଞ୍ଜଆଳତି ହେବ । … ତିନି ରାଣ୍ଡର ଘର ହେଇଗଲା ସାମନ୍ତରା ଘର । ଚେର ଟିକେ ଲାଗିଆସୁଚି ନାତୁଣୀବୋହୂ ପେଟରେ.. ତା ପାଇଁ ହେଲେ ଧରମ କରମ କେହି କର ଲୋ… ରାଣ୍ଡେ ।

ରାଗରେ ଥରି ଉଠିଲା ପଦ୍ମା… ।

ସେ କାହିଁକି ରାଣ୍ଡ ହେବ । ତାର ସ୍ୱାମୀ ସୁଦୀପ… ସେ ଅଛନ୍ତି । ସଞ୍ଜରେ ସୂର୍ଯ୍ୟ ବୁଡ଼ି, ସକାଳେ ଆସିଲା ପରି… ସେ ଅପେକ୍ଷା କରୁଥିବେ ସକାଳକୁ । ନିଶ୍ଚୟ ଉଇଁବେ ।

କାହାରିକୁ କିଛି ବି କହିଲା ନାହିଁ ପଦ୍ମା ।

ଲୁହ ପୋଛି, ଶାଢ଼ି ବଦଳାଇ, ଧୁଆଧୋଇ ହେଲା । ବାହାରିଗଲା- ସାମନ୍ତରା କୁଳର ସନ୍ଧ୍ୟା କର୍ମ କରିବାକୁ । ଜେଜୀଙ୍କ ପ୍ରତି, ଦେବାଦେବୀଙ୍କ ପ୍ରତି, ସୁଦୀପ ଓ ଅସୀମଙ୍କ ପ୍ରତି ରାଗରେ… ଥରୁଥାଏ ସେ । ସମସ୍ତେ ମିଳିମିଶି, ତାକୁ ବୁନ୍ଦାବୁନ୍ଦା କରି ଚିପୁଡ଼ି ଚାଲିଛନ୍ତି ଯେମିତି ।

… ସାତସାହି କମ୍ପିବା ପରି, ଖୁବ୍ ଜୋର୍ ଶଙ୍ଖ ଫୁଙ୍କିଲା… ।

ଘଣ୍ଟକୁ ଏତେ ଯୋର୍ ପିଟିଲା ଯେ, ଯେମିତି ଫାଟିଯିବ ତା ପିଠି, କି ଭାଙ୍ଗିଯିବ ବେତର ବଙ୍କୁଲି ପିଟାବାଡ଼ିଟା । ଠାକୁରଘର ଛାତରୁ ଓହଳିଥିବା ଘଣ୍ଟାକୁ ମଧ୍ୟ ମନଇଚ୍ଛା ଟଂ… ଟଂ… କଲା । ଭାବୁଥାଏ, ମନ ତ ପୋଡ଼ିଯାଉଛି, ଭାଙ୍ଗୁ ଠାକୁର ଠାକୁରାଣୀଙ୍କ ନିଦ । ପଶିଯାଉ ସେମାନଙ୍କ କାନରେ ଅତାଡ଼ି । ବନ୍ଦ୍ ହେଇଯାଉ… ଦୁଃଖିନୀର ଗୁହାରି ଶୁଣୁନଥିବା କାନ ।

ପଦ୍ମା ଏତେ ଅଥୟ ହେଉଥାଏ, ଲାଗୁଥାଏ ଯେମିତି- କୌଣସି ପଥର ହୃଦୟ ତରଳି ଯାଉଛି… କିମ୍ୱା ତରଳ ହୃଦୟ ପଥର ହେଇଯାଉଛି ।

ବିଚାରୀ ଲୁହ ଉବୁଟୁବୁ ଆଖିରେ ଚାହିଁଲା ଦଧିବାମନଙ୍କୁ । ସେ ବି ଯେମିତି ତାଙ୍କର ଚକାନେତ୍ରରେ ଡବଡବ ହେଇ ଚାହିଁ ରହିଛନ୍ତି- ପଦ୍ମାର ବୈଧବ୍ୟକୁ । ତାଙ୍କୁ ପଛ କରି, ଫେରି ଆସୁଥିବାବେଳେ ବି… ତା ଅସ୍ଥିର ପାଦତଳୁ ଘୁଞ୍ଚି ଯାଉଥିବା ମାଟିକୁ ଅବା ଅନେଇ ରହିଛନ୍ତି- ବିଲୋଳ ହସଧାରେ ରଙ୍ଗା ଅଧରରେ ଖେଳାଇ ।

ପଦ୍ମା ଦେଖିଲା- ଦ୍ୱାରପାଖ ପାହାଚ ତଳେ ଠିଆ ହେଇଛନ୍ତି- ତାର ବିଧବା ଶାଶୂ । ବୁଢ଼ାବୟସର ସାହା ଭରସାର ଏକମାତ୍ର ପୁଅ ଅସୀମ ଚାଲିଗଲା ଦିନରୁ… ସେ ଅବା ଜାଡ଼ୀ ହେଇଯାଇଛନ୍ତି । ଓଠରେ ଭାଷା ନାହିଁ… କେବଳ ବେଳେବେଳେ ଗୋଟିଏ ଯୋଡ଼ିଏ ଶବ୍ଦ । ସେଇଥିରୁ ଯିଏ ଯାହା ବୁଝୁ ।

ତାଙ୍କ ସାମ୍ନାରେ ପଦ୍ମା ନିଜକୁ ଦୋଷୀ ଦୋଷୀ ଭାବିଲା ।

ଆଖି ଆଗରେ ସବୁ ଅସହାୟତା ଯେମିତି ଅନ୍ଧାର ହେଇ, ଘୋଟି ଆସିଲା । ମୁଣ୍ଡ ବୁଲାଇ ଦେବାରୁ, ସେ ପଡ଼ି ଯାଉଥିଲା । ସ୍ୱାମୀହରା, ପୁଅହରା, ସେହି ଉଦାରହୃଦୟା ବୁଢ଼ୀ ମାଟିର ଛାତି ଥରି ଉଠିଲା… ବିଚାରୀର ଦୁଃଖରେ । ସେ ତାକୁ ଛାତିକୁ ଆଉଜାଇ ନେଲେ ।

କେହି କାହାକୁ କିଛି କହିଲେ ନାଇଁ… ।

କେବଳ କାନ୍ଦିଲେ… ।

ଶାଶୂଙ୍କ ଛାତିରେ ଚଞ୍ଚଳ କମ୍ପନ… ।

ଖର ନିଃଶ୍ୱାସରେ ସହି ନ ହେବା ପରି ଉଷ୍ମତା… ।

ପଦ୍ମାକୁ ଲାଗୁଥାଏ- ଭୟଙ୍କର ବିସ୍ଫୋରଣ ଆଗରୁ, ଯେମିତି ବାରୁଦ ସୂତୁଲୀରେ ନିଆଁ ଲାଗିଲା ପରି, ଝୁରୁଝୁରୁ ହେଉଛି ଶାଶୂଙ୍କ ଛାତି ।

ସେ ଦୃଢ଼ ସ୍ୱରରେ ପଚାରିଲେ- କୁଳଦେବଙ୍କ ଆଗରେ ସତ କହ ପଦ୍ମା- ଚଉଠି ରାତିରେ ମୋ ପୁଅ ଟ୍ରେନ୍ ଲାଇନ୍‌ରେ ଶୋଇଗଲା କାହିଁକି । ତାକୁ କଣ କହିଲୁ । କାହିଁକି ତାକୁ ବାଧିଲା । ସମସ୍ତଙ୍କ ମୁହଁକୁ ପଛ କରିଦେଲା କାହିଁକି । ବିଧବା ବୋଉଟାକୁ ବି ଅନେଇଲା ନାହିଁ ।

ହଠାତ୍ ପାଦ ତଳର ମାଟି ଯେମିତି ଖସିଗଲା… ।

ଆକାଶ ଅବା ଛିଡ଼ିପଡ଼ିଲା ।

ପଦ୍ମା କଣ କହିବ ।

ସତ ।

ସତ ଶୁଣାଇଲେ ଯେଉଁ ଭୂକମ୍ପନ ହେବ… ଶାଶୁ, ଗୋସେଇଁଶାଶୁ ଓ ସେ… କିଏ ତା ଆଁ ଭିତରୁ ରକ୍ଷା ପାଇବ । ମିଛ ବି କହିବ କେମିତି । ଗୋସେଇଁ ଶାଶୁ ଭାବୁଛନ୍ତି- ପଦ୍ମା ପେଟରେ ଛୁଆ… ତାଙ୍କ ନାତିର । ଶାଶୁ ବି ସେମିତି ଭାବୁଥିବେ । ଆଜି କାଲିର ଡି.ଏନ୍.ଏ. ପରୀକ୍ଷା ଯୁଗରେ, ମିଛ କଣ ଲୁଚିବ । ସବୁ ଜାଣିଲେ, ସମସ୍ତେ ତାକୁ ଘୃଣା କରିବେ । କାହାକୁ ମୁହଁ ଦେଖାଇବ ସେ ।

କିଛି ବି ନ କହି, ଶାଶୁଙ୍କ ଛାତିରେ ଲୋଟି, କଇଁକଇଁ ହେଇ, ଏତେ ଜୋର୍ କାନ୍ଦିଲା ଯେ ପଦ୍ମା… କେବଳ କାନ୍ଦି ଚାଲିଲା । ସେ କାନ୍ଦରେ ଗୋଟେ ବସୁଧାର ଛାତି ତରଳିଗଲା… । ଗୋଟେ ମେଘ ଅନ୍ଧାର ଆକାଶ ଫର୍ଚ୍ଚା ହେଇଆସିଲା । ନ କହି ମଧ୍ୟ ପଦ୍ମାର ଲୁହ ଅନେକ କିଛି କହିଦେଲା ।

ତଥାପି ଶାଶୁ ପଚାରିଲେ- ଯେଉଁ କଥା କଦାପି ସହିପାରେନି ସ୍ୱାମୀ… ବାପଘରେ ଅର୍ଜିଥିବା, ସେମିତି କିଛି ପାପ କଥା କହିଦେଲୁ କି ମୋ ପୁଅକୁ । ଅଭିଜ୍ଞତା ନଥିବାରୁ ଜାଣିପାରିଲୁନି- ସ୍ୱାମୀର ଛାତି କେଉଁ କଥାରେ ଫାଟିଯାଏ ।

ଏଇତକ ପଚାରି, କାନ୍ଦି କାନ୍ଦି ଭୟରେ ଥରୁଥିବା ପଦ୍ମାର ପିଠି ଓ ମୁଣ୍ଡକୁ ଆଉଁସି ଚାଲିଲେ- ସେହି ବୃଦ୍ଧା । ପଦ୍ମା ଆହୁରି ଅଥୟ ହେଲା । ଭିଜାଇ ଦେଲା ଶାଶୁଙ୍କ ଛାତିକୁ… ।

ଲୁହ ଗୋଟେ ଏମିତି ଦ୍ରାବକ… ଯଦି ପଥର କେହି ଥାଏ, ତା ପ୍ରଭାବରେ ତରଳିବ ହିଁ ତରଳିବ । ସେମିତି ଅବସ୍ଥା ପଦ୍ମାର ଶାଶୁଙ୍କର ।

ପଦ୍ମା… ଶାଶୁଙ୍କ ବାଁ ହାତଟିକୁ ତା ଫୁଲି ଆସିଥିବା ପେଟରେ ବୁଲାଇ ଆଣିଲା କେବଳ । କିଛି ବି କହିଲାନାହିଁ । ତାର ନିଶ୍ଚୁପତା ଯେମିତି କହୁଥିଲା… ଏ ଦେବ ପ୍ରତିମାଟିର କିଛି ଦୋଷ ନାହିଁ ବୋଉ… । ସବୁ ଦୋଷ ମୋର… ।

ଶାଶୁ ଏବେ ପଦ୍ମାର ଦୁଇ ହାତ ଧରି, ତା ଆଖିକୁ ଚାହିଁଲେ.. ।

ଡରକୁଳୀ ଆଖି ଦୁଇଟିର ନରମ ଚାହାଁଣିରୁ ଯାହା ବୁଝିଲେ, ସେ ପାଇଁ ଏମିତି କହିଲେ- ତୋ ଗର୍ଭକୁ ସନ୍ତାନ ଯେଉଁଠୁ ଆସିଥାଉ, ତାକୁ ମୁଁ ଏଇ ସଞ୍ଜ ପ୍ରହରରେ, କୁଳଦେବତାଙ୍କ ଆଗରେ, ସାମନ୍ତରା ବଂଶର ଉତ୍ତରାଧିକାରୀ ବୋଲି ଘୋଷଣା କରିଦେଲି ବୋହୂ । ସ୍ୱୀକାର କରିନେଲି । ତୁ ତାକୁ ବାପଘରୁ ଆଣିନଥିଲେ ବି ପୁଅ ଗଲା ପରେ… ମୁଁ କେଉଁ ଅନାଥାଶ୍ରମରେ ବଂଶ ରକ୍ଷାକାରୀ ଖୋଜିଥାନ୍ତି । ଆଉ କାନ୍ଦନା… । ଲୁହ… ସବୁ ପାପକୁ ଧୋଇଦିଏ । ଯା… ଜୀବନ ଯଜ୍ଞର ଆହୁତି ହେଇଯା । ସେଥିରୁ ଯେଉଁ ଯଜ୍ଞପୁରୁଷ ବାହାରିବ… ତା ପାଇଁ ଯାହା ଚାହୁଁଛୁ କରିଯା । ଏବେ ତୋ ଆଖିରୁ ଆନନ୍ଦ ଝରିବା ଉଚିତ୍ । ସେ ଦେବପ୍ରତିମା ଆସୁଚି ନା… ।

ପଦ୍ମା ଅନୁତାପର ଜ୍ୱାଳାରେ ସିଝିଗଲା ଯେମିତି… ।

ତାର ଲହୁ ଯେମିତି ଲୁହ ହେଇ ଝରିଲା ଆଖି ଦୁଇଟିରୁ… ।

କାନ୍ଦି କାନ୍ଦି ଶାଶୂଙ୍କ ପାଦ ଦୁଇଟିକୁ ଜାବୁଡ଼ି ଧରିଲା… ।

କୃତଜ୍ଞତାରେ ପୁରିଗଲା ତାର ହୃଦୟ… ।

… ନିଶକ୍ତ ଶାଶୁ ତାକୁ ତଳୁ ଉଠାଇ ପାରିଲେ ନାହିଁ । ତାହାରି ପାଖରେ ବସିପଡ଼ି, ତା ଅଲରା ମୁଣ୍ଡକୁ ନିଜ ଜଙ୍ଘ ଉପରେ ରଖିଲେ… ଚୁଳକୁ ସଜାଡ଼ିଲେ… କାନକୁ ଥାପୁଡ଼ାଇଳେ । କହିଲେ- ଏବେ ନିଶ୍ଚିନ୍ତ ହେଇ ଯା ମା । ଯିଏ ଆସୁଛି, ତାକୁ ଶୋକରେ ନୁହେଁ…, ଆନନ୍ଦରେ ଡାକ୍ । ଏବେଠୁ… ଛିଡ଼ିଯାଇଥିବା ବଂଶଲତାକୁ ଆଗକୁ ମଡ଼େଇବାର ଦାୟିତ୍ୱ ତୋର ।

ପଦ୍ମା ଥର ଥର ସ୍ୱରରେ ବୋଉ ବୋଲି ଥରେ ମାତ୍ର କହି, ଶୋଇଗଲା ଶାଶୁଙ୍କ କୋଳରେ… ।

ତା ଆର ଦିନଠୁ… ବଦଳିଗଲା ମାନଚିତ୍ର… ।

ଶାଶୁ ବୋହୂକୁ ହଳଦୀ ଲଗାଇ ଦେଲେ, ମୁଣ୍ଡ ଧୁଆଇ ସିଙ୍ଗାର କଲେ, ବଳେଇ ବଳେଇ ନାନା ସୁଖାଦ୍ୟ ଖୁଆଇଲେ ଓ ଶେଷରେ ଶାଶୁ ବାନ୍ଧବୀ ହେଇଗଲେ । ସରଳା ପଦ୍ମା… ତା ଜୀବନର ସମସ୍ତ ଜଟିଳ କଥା ଗୋଟି ଗୋଟି କରି ଜଣାଇ ଦେଲା ତାଙ୍କୁ ।

ଦିନେ ଶାଶୁ କହିଲେ- ସୁଦୀପର ଫଟୋ ଥିବ ତ ତୋ ଆଲ୍‌ବମ୍‌ରେ । ମତେ ଟିକେ ଦେଖେଇବୁ । ତା ଫଟୋକୁ ଦେଖିଲେ ବୁଝି ହେଇଯିବ- ତୋ ଭାଇର ଭୁଜାଲି ଦାଢ଼ରୁ ତତେ ବେଞ୍ଚଇବାକୁ ଯାଇ ସେ ଘରଛଡ଼ା ହେଇଛି, ନା… ଠକି ଦେଇଛି ।

ଫଟୋକୁ ଖୁବ୍ ନିରୀକ୍ଷଣ କଲେ, ସେହି ଅଭିଜ୍ଞା ଶାଶୁ ।

କହିଲେ- ହତଭାଗା । ଜାଣିପାରିଲୁନି- ତୋତେ ପଦ୍ମାର ବାଟରୁ ସବୁଦିନକୁ ଘୁଞ୍ଚାଇବା ପାଇଁ, ଭୁଜାଲି ଉଞ୍ଚାଇବାଟା ଗୋଟେ ଚାଲାକି ଥିଲା । ଏତେ ଭଲପାଉ ଯେ… ହଜିଗଲୁ କେଉଁଠି । ତୋ ଯୋଗୁ… ଦୁଇ ଦୁଇଟା କୁଳ ଭାସିଗଲା ନା, ରେ । ଏବେ… କଣ କରେ ଏ ବିଚାରୀ, ଭାବିଲୁଣି । ତା ପେଟର ଛୁଆ ବି ।

ଶାଶୁ, ସୁଦୀପର ଫଟୋକୁ ଏଇତକ କହି, ପଦ୍ମାକୁ କହିଲେ- ସେ ଫଟୋ ତାଙ୍କ ପାଖରେ ଥାଉ । ସବୁବେଳେ ୟାକୁ ଦେଖି ଦେଖି, ମନ ଖରାପ ହେଉଥିବ, ତାହାର ଖରାପ ପ୍ରଭାବ ପଡ଼ିବ- ଛୁଆ ଉପରେ ।

ପଦ୍ମା ରାଜି ହେଇଗଲା… । ସୁଦୀପ ତ… ତାର ସମଗ୍ର ଆତ୍ମାକୁ ଛାଇ ହେଇ ରହିଛନ୍ତି । ଆଖି ଖୋଲିଲେ ସେ… ବୁଜିଲେ ସେ । ଥାଉ ଫଟୋଟି ଶାଶୁଙ୍କ ପାଖରେ… ।

ଶାଶୁ କହିଲେ- ତୋ ବାଁ ହାତ ଅନାମିକା ଆଙ୍ଗୁଳିର ସେ ମୀନାକରା ମୁଦି… ସୁଦୀପର ହେଇଥିବ ତ ।

– ହଁ, ବୋଉ… ।

… ହେଉ, ସେଇଟା ତୋ ଆଙ୍ଗୁଳିରେ ଥାଉ । ତାକୁ ଚାହିଁ ଦେଲେ, ସୁଦୀପ ସହିତ ତୋର ସମ୍ପର୍କ ମନେପଡୁଥିବ । ସେ ମୁଦିରେ ସୁଦୀପର ପରଶ ରହିଛି । ଥାଉ ତୋ ହାତରେ । ମୁଁ ଫଟୋଟିକୁ ରଖୁଛି… ।

ବନ୍ଧୁଟିଏ ପରି, ମନକୁ ବୁଝିଲା ପରି ବ୍ୟବହାର… ଶାଶୁଙ୍କର ।

ସମୟ ଗଡ଼ିଗଡ଼ିଗଲା… ।

ଦିନେ ଶାଶୁ କହିଲେ- ଗାଁ ମୁଣ୍ଡ ଯଜ୍ଞ ପଡ଼ିଆରେ ପ୍ରତିବର୍ଷ ପରି ଏ ବର୍ଷ ବି ଧର୍ମ ସମ୍ମେଳନ ହେବ । ରାଜ୍ୟର ବିଭିନ୍ନ ଆଡୁ ପ୍ରବଚକ ଓ ସନ୍ନ୍ୟାସୀମାନେ ଆସି, ନିଜ ନିଜ ଧର୍ମ ସମ୍ପ୍ରଦାୟର ସାରବଚନ କହିବେ । ଯଦି ପଦ୍ମା ଚାହେଁ, ତା ପାଇଁ ସେଠି ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏ ସମୟରେ ଧର୍ମପ୍ରବଚନ ଶୁଣିବା କଥା । ଭାରି ଦେହଯୋଗୁ, ଦୀର୍ଘ ସମୟ ଗୋଟାଏ ଜାଗାରେ, ସେ ବସିପାରିବ ତ ।

ପଦ୍ମା କହିଲା- ନା ବୋଉ । ଦେହ ବହୁତ ଅଳସ ଲାଗୁଛି ।

ଶାଶୁ କହିଲେ- ତେବେ ଆଉ ଗୋଟେ କାମ କରିବା । ଧର୍ମ ସଭାର ଆଠଦିନ ଆଗରୁ ସାଧୁ ସନ୍ନ୍ୟାସୀମାନେ ପହଞ୍ଚି, ମଠ ମନ୍ଦିରମାନଙ୍କରେ ରହିବେ । ସେମାନଙ୍କ ମଧ୍ୟରୁ କେହି ଜଣଙ୍କୁ, ଆମ ଗାଦିଘରେ କିମ୍ୱା ଦଧିବାମନ ପୀଠରେ ରହିବାର ବ୍ୟବସ୍ଥା କରିବା । ଧର୍ମସଭାଦିନ ଆସିବା ଆଗରୁ, ଆମେ ତାଙ୍କଠୁ ଧର୍ମକଥା ଶୁଣିବା… କଣ କହୁଚୁ ।

ରହି ରହି ପଦ୍ମା ନିଜ ମନକୁ ସ୍ଥିର କଲା । ପଚାରିଲା- ନାଥପନ୍ଥୀ ଯୋଗୀ ସମ୍ପ୍ରଦାୟରୁ କେହି ଆସୁଛନ୍ତି କି ବୋଉ ।

… ହଁ ଯୋଗୀ ସୁଦୀପଦର୍ଶନ ସରସ୍ୱତୀ ଆସିବେ ।

– ବୋଉ । ସେ ସୁଦୀପ ନୁହନ୍ତି ତ ।

… ମୁଁ କେମିତି ଜାଣିବି ମା । … ତାଙ୍କୁ ଆଣିବାର ବ୍ୟବସ୍ଥା କରିବି । ତୁ ବ୍ୟସ୍ତ ହ ନା… ।

ଶାଶୁ ବାହାରିଗଲେ- ଗୋଟେ ସମ୍ଭାବନାର ଆଶା ଖେଳାଇ ଦେଇ… ।

ପଦ୍ମା ହାତ ଯୋଡ଼ିଦେଲା- ପ୍ରଭୁ ଦଧିବାମନ । ସୁଦୀପଦର୍ଶନ ସରସ୍ୱତୀ… ସୁଦୀପ ହିଁ ହେଇଥାନ୍ତୁ । ତାଙ୍କୁ ସେ ପ୍ରାର୍ଥନା କରିବ- ତାଙ୍କ ସନ୍ତାନ ଜନ୍ମ ନେଲା ପରେ, ସନ୍ନ୍ୟାସୀ ଧର୍ମ ଯୋଗୁ କ୍ରମାଗତ ଆସିବା, ତାଙ୍କର ଦରକାର ନାହିଁ । ଥରକ ପାଇଁ ହେଲେ ଆସି, ତାକୁ ଆଶୀର୍ବାଦ କରିଯିବେ… ବାପ ହିସାବରେ ।

… ସେ ତାଙ୍କର ସନ୍ନ୍ୟାସୀ ଜୀବନ ବଞ୍ଚନ୍ତୁ । ବିଚ୍ଛେଦର ନିଆଁରେ, ତ୍ୟାଗର ଘିଅ ଢାଳି ପୋଡ଼ି ହେଉଥାଉ ବରଂ ତାଙ୍କରି ପଦ୍ମା… କିନ୍ତୁ ଅମୃତର ସନ୍ତାନଟା, ତା ବାବାଙ୍କର ସ୍ପର୍ଶ ଥରେ ପାଉ… । ଏତିକି ପ୍ରାର୍ଥନା ପୂର୍ଣ୍ଣକର ମହାପ୍ରଭୁ… ।

ଆଜି ସନ୍ଧ୍ୟାରେ… ।

ନିର୍ମଳ ଜ୍ୟୋତ୍ସ୍ନା ଝରିପଡୁଥିବା ରୂପେଲି ରାତିର ପ୍ରଥମ ପ୍ରହର ଧର୍ମବେଳା ଇଏ । ସାମନ୍ତରା କୁଳର ଗାଦିଘର ଚଉଁରା ମୂଳରୁ, ମାଣଘରୁ ଓ ମହାପ୍ରଭୁ ଦଧିବାମନ ଜୀଉଙ୍କ ମନ୍ଦିରରୁ… ଝୁଣା, ଗୋଗୁଳ, ଅଗୁର, ଧୂପର ପବିତ୍ର ମହକ ଝରିଆସୁଛି ଶୀତଳ ପବନରେ । ସବୁ ଦୁର୍ଭାବନା ଘୁଞ୍ଚିଯାଇ, ମନ ପବିତ୍ର ପବିତ୍ର ହେଇଯାଉଛି… ।

ଚଉପାଢ଼ିରେ, ମୋଟା କମ୍ୱଳ ଆସନରେ ବସିଛନ୍ତି-ଯୋଗୀ ସୁଦୀପଦର୍ଶନ ସରସ୍ୱତୀ ମହାରାଜ । ଗାଁର ଅନେକ ଧର୍ମପ୍ରାଣା ମହିଳା ତାଙ୍କ ସାମ୍ନାରେ… ଶ୍ରୋତା ଆସନରେ । ସେମାନଙ୍କ ସବା ପଛରେ… ଶାଶୁ ଓ ଗୋସେଇଁ ଶାଶୁଙ୍କ ମଝିରେ, ଧଳାଶାଢ଼ିଟିରେ ଆବୃତ୍ତା ହେଇ, ପଦ୍ମା ଚାହିଁ ରହିଛି ଅପଲକ ଦୃଷ୍ଟିରେ-ସୁଦୀପଦର୍ଶନ ସରସ୍ୱତୀ ମହାରାଜଙ୍କୁ ।

ଯେତେ ବି ରୂପ ବଦଳାନ୍ତୁ, ସେ ତାର ସୁଦୀପ ନିଶ୍ଚୟ ।

ସୁଦୀପ ପ୍ରବଚନ ହେଉଛନ୍ତି… ।

… ସେଠି ପୂର୍ଣ୍ଣବ୍ରହ୍ମ… ଏଇଠି ଆତ୍ମବ୍ରହ୍ମ । ଦୁହେଁ ଅଲଗା ହେଲେ ବି ଗୋଟିଏ । ଆତ୍ମବ୍ରହ୍ମଙ୍କ ସବୁବେଳେ ନିଜ ଆଡ଼କୁ ଟାଣୁଥାନ୍ତି- ପୂର୍ଣ୍ଣବ୍ରହ୍ମ । ସହଜରେ ଦୁହିଁଙ୍କ ମିଳନ ସମ୍ଭବ ହୁଏନା । କାରଣ… ଆତ୍ମବ୍ରହ୍ମଙ୍କୁ ଏଠି ମାୟା, ଛାୟାପରି ଘୋଟି ରହିଥାଏ । ପୂର୍ଣ୍ଣବ୍ରହ୍ମଙ୍କ ପାଖକୁ ଯିବାର ସବୁବାଟ ବନ୍ଦ କରି ରଖିଥାଏ । ଆମକୁ ମାୟାକୁ ଚିହ୍ନିବାକୁ ହେବ… ଚେତନାକୁ ନିଦରୁ ଉଠାଇବାକୁ ହେବ… ତେବେ ଯାଇ ପୂର୍ଣ୍ଣବ୍ରହ୍ମଙ୍କ ପର୍ଯ୍ୟନ୍ତ ପଡ଼ିଥିବା ବାଟ ପରିଷ୍କାର ଦିଶିବ । ଆତ୍ମାକୁ ଆଘାତ ଲାଗିଲେ ଯାଇ, ଚେତନା ଜାଗ୍ରତ ହୁଏ । ଯୋଗୀ ହେଇଯାଏ ଅସାଧାରଣ ମଣିଷ । ଯୋଗ ଯଜ୍ଞରେ ସମସ୍ତ ବିକାର ଭସ୍ମ ହୋଇଥାଏ… ।

ପଦ୍ମାର ଆଖି, ଲୁହ ଛଳଛଳ ହେଇଗଲା… ।

ସୁଦୀପ ଗୋଟେ ଦୃଶ୍ୟମାନ ଶରୀର କଥା ନ କହି, କେଉଁ ପୂର୍ଣ୍ଣବ୍ରହ୍ମ କଥା କହୁଛନ୍ତି । କାହିଁକି କହୁଛନ୍ତି ।

ଯୋଗୀ କହୁଥାନ୍ତି- ମାୟା… ଭାରି ନଟଖଟୀ । ସେ ଯୋଗୀ ଛଡା ଆଉ କାହାରିକୁ ଭୟ କରେନା । ମହାକାଳ ଫଳ ପରି, ମାୟା ବାହାରକୁ ସୁନ୍ଦର, ଭିତରେ ବିଷ । ଏହି ମାୟାବିଷରେ ଘାରି ହୋଇ, ମୁଷ୍ୟ ନାନା ରୋଗରେ ପଡୁଛି ଓ କ୍ଷୀଣଆୟୁ ହେଇ, ତାର କଣ କରିବା ଉଚିତ୍, ଜାଣିବା ଆଗରୁ, ସଂସାର ଛାଡୁଛି । ଏହି ମାୟାରେ ବୁଡ଼ିଥିବା ମନୁଷ୍ୟ, ନଦୀର ଲହରୀ ପରି । ଟିକି ଟିକି ତରଙ୍ଗ । ନଈରୁ ଆସି କୂଳରେ ମଥା କୋଡୁଛନ୍ତି… ଫେରିପାରୁ ନାହାନ୍ତି ନଦୀଗର୍ଭକୁ । ଯେଉଁମାନେ ମାୟାତ୍ୟାଗୀ… ସେମାନେ ସମୁଦ୍ରର ଲହରୀ ପରି କୂଳକୁ ଆସୁଛନ୍ତି, ବାନ୍ଧି ହେଇ ରହୁନାହାନ୍ତି, ଫେରିଯାଉଛନ୍ତି ସମୁଦ୍ର ଗର୍ଭକୁ । ଏହା ହିଁ ନିର୍ମାୟା ପୁରୁଷ ଓ ମାୟା କବଳିତ ପୁରୁଷ ମଧ୍ୟରେ ପାର୍ଥକ୍ୟ । ପୂର୍ଣ୍ଣବ୍ରହ୍ମଙ୍କ ନିକଟକୁ ଫେରିଯିବା ପାଇଁ… ଯୋଗୀ ମାୟାଠାରୁ ଦୂରରେ ରହେ… ମାୟା ମଧ୍ୟ ଯୋଗୀକୁ ଡରି ଥାଏ ।

ପଦ୍ମା ଭାବିଲା- ସୁଦୀପ ତାକୁ ମାୟା ଓ ନିଜକୁ ମାୟଛିନ୍ନ ବୋଲି କହି, ଜଣାଇ ଦେଉଛନ୍ତି ଯେ… ମାୟା ମଧ୍ୟ ଯୋଗୀକୁ ଡରେ । ସତରେ ସେ କଣ ଡରୁଛି ।

ତା ମନ କହିଲା- ହଁ ଡରୁଛୁ ।

ଡରୁ ନାହୁଁ ତ… ପଚାରୁନୁ ସିଧା- ତାର ଯଦି ଯୋଗୀ ହେବାକୁ ମନ… ତୋତେ ଯୋଗିଆଣୀ କରୁନାହିଁ କାହିଁକି । ସେ କଣ ଜାଣିନି- ତୋ ପେଟର ସନ୍ତାନ ତାର । ପଚାରୁନୁ ସୁଦୀପକୁ- ସତକୁ ପ୍ରକାଶ ନ କରି, ମିଛର ପ୍ରବଚନ ଦେଉଛି କାହିଁକି । ଯଜି ଡରୁନାହୁଁ, ପଚାର- ଯୋଗୀ କଣ ସତ୍ୟର ସାମ୍ନା ନ କରି, ଛଳନା କରେ ।

ପଦ୍ମା ଛାତିରେ ଛନ୍‌କାଟିଏ ପଶିଗଲା… ।

ଭାବିଲା- ନିଜେ ତ ନିଜ ଭିତରେ ଉପହସିତା । ଶାଶୁଙ୍କ ଉଦାରତା ନିକଟରେ ଋଣୀ । ସେ କାହିଁକି ତା ପ୍ରିୟତମ ସୁଦୀପକୁ ଉପସହିତ କରିବ । ନାରୀଟିଏର ଜନ୍ମ ତ୍ୟାଗ ପାଇଁ । ଭୋଗ ଲାଳସାରେ ପ୍ରାଣାଧିକ ପ୍ରିୟଙ୍କୁ ଅପଦସ୍ତ କରିବା କଣ ତ୍ୟାଗ ।

ସୁଦୀପଦର୍ଶନ ସରସ୍ୱତୀ କହୁଥାନ୍ତି-

… ଏ ଶରୀର ଗୋଟେ ହାଟ । ଏଠିକୁ ଆସିବା ବାଟର ନାଁ ଜନ୍ମ । ଏଠୁ ଯିବାର ବାଟର ନାଁ- ମୃତ୍ୟୁ । ମୃତ୍ୟୁ ଆଗରେ ବାଟ ଦୁଇଟା- ଗୋଟେ ସ୍ୱର୍ଗକୁ… ଅର୍ଥାତ୍ ଆନନ୍ଦ କ୍ଷେତ୍ରକୁ, ଅନ୍ୟଟି ନର୍କକୁ… ଅର୍ଥାତ୍ ଯନ୍ତ୍ରଣାର କ୍ଷେତ୍ରକୁ । ଜୀବନହାଟରେ ଛଅଟା ବେପାରୀ ବସିଛନ୍ତି… ନର୍କ ଆଡ଼କୁ ନେବା ପାଇଁ । ସେମାନେ ହେଉଛନ୍ତି- ରୂପ, ରସ, ଗନ୍ଧ, ସ୍ପର୍ଶ, ଶବ୍ଦ ଓ ସ୍ୱାଦ । ଏଇ ଛଅଜଣ ବେପାରୀ ମାୟାରୂପିଣୀ ବେଶ୍ୟାକୁ ନିଜ ନିଜର ଗୁଣ ଦେଇ, ସଜାଇଛନ୍ତି । ଏବେ ବୁଝନ୍ତୁ- ମାୟାବେଶ୍ୟ କିପରି ନର୍କକୁ ଟାଣିନିଏ ମନୁଷ୍ୟକୁ ।

ପଦ୍ମା ଦୁଇ ହାତରେ ନିଜ ମୁଣ୍ଡକୁ ଚାପି ଧରିଲା… ।

ସୁଦୀପ ତାକୁ ମାୟା କହିଥିଲେ । ତାକୁ ସେ ସହିଯାଇଥିଲା । ଶେଷରେ ତାକୁ ସେ ମାୟାରୂପିଣୀ ବେଶ୍ୟା ବୋଲି କହିଦେଲେ । କଣ ବୁଲେଇ ବାଙ୍କେଇ ଏମିତି କହିଲେ, ସେ ତାଙ୍କୁ ଘୃଣା କରିବ । ଭୁଲିଯିବ ।ଏହିପାଇଁ, ଏଡ଼େବାଗରେ ପ୍ରବଚନ । ।

ଅଭିମାନରେ, ବାୟାଣୀ ପରି ହେଇ ଏତେ କାନ୍ଦିଲା ଯେ ପଦ୍ମା… ଗୋସେଇଁ ଶାଶୁ କହିଲେ- ଚାଲ୍ ବୋହୂ… ପଦୁଆଁକୁ ଘର ଭିତରକୁ ନେଇ ଚାଲ୍ । ପିଲାଟା ଯୋଗୀ ସନ୍ନ୍ୟାସୀଙ୍କ ଏତେ ଗହନ କଥା ବୁଝିପାରୁନାହିଁ ।

ଶାଶୁ କହିଲେ-ନାଇଁ ମା । ପ୍ରବଚନ ଶେଷରେ… ପଦ୍ମା ଟିକେ ଯୋଗୀବରଙ୍କ ସାମ୍ନାକୁ ଯିବ । ପେଟର ସନ୍ତାନ ପାଇଁ, ତାଙ୍କର ଆଶୀର୍ବାଦ ପାଇବାକୁ, ପାଦରେ ପ୍ରଣାମ କରିବ… ।

ଶାଶୁଙ୍କ ପ୍ରସ୍ତାବରେ ପଦ୍ମା ଶିହରି ଉଠିଲା… ।

ଶାଶୁ ତେବେ ତା ମନକଥା ବୁଝିସାରିଛନ୍ତି ।

ଯୋଗୀଙ୍କର ନିର୍ଦ୍ଦେଶ ଥିଲା- ମୁଠାଏ ତଣ୍ଡୁଳ ବ୍ୟତୀତ, ପ୍ରବଚନ ଦକ୍ଷିଣା ରୂପେ ଅନ୍ୟ କିଛି ସେ ଗ୍ରହଣ କରିବେ ନାହିଁ । ଅନ୍ୟମାନଙ୍କ ପରି, ସବା ଶେଷରେ ମୁଠାଏ ଚାଉଳ ଅଞ୍ଜଳିରେ ଭରି ପଦ୍ମା ପହଞ୍ଚିଲା… ।

ଯୋଗୀ ଚାହିଁ ରହିଥିଲେ, ତାର ବିଧବା ହାତକୁ… ।

ତାଙ୍କ ଆଡ଼େ ଚାହିଁଥିବା… ଦୁଇଟି ଛଳଛଳ ଆଖିକୁ… ।

ସିନ୍ଦୂରହରା ସିନ୍ଥୀ ଉପରେ ଧଡ଼ି ନଥିବା ଧଳାଶାଢ଼ିକୁ… ଓ ତା ବାମହାତ ଅନାମିକା ଅଙ୍ଗୁଳିରେ ଚକ୍ ମକ୍ କରୁଥିବା… କେଉଁ ସ୍ମୃତିଜଡ଼ିତ ମୀନାକରା ସୁନାର ମୁଦିକୁ… ।

ଯୋଗୀ ଆଖି ଦୁଇଟିରୁ ଯୋଗାଭ୍ୟାସର ସ୍ଥିରତା ହଜିସାରିଥିଲା… । ତା ଜାଗାରେ ଛଳଛଳ ଲୁହ… ଠିକ୍ ପଦ୍ମା ପରି । ମୁହୂର୍ତ୍ତ କେତୋଟି ପରେ, ସେ ହରିଓଁ ହରିଓଁ ଉଚ୍ଚାରଣ କରି, ଆଶୀର୍ବାଦ କଲେ- ଦେବୀ । ସୁପୁତ୍ରବତୀ ହୁଅ… ।

ହଠାତ୍ ଶାଶୁ କହିଲେ- ସ୍ୱାମୀ ଓ ପରିବାରର ସହିତ ଦୀର୍ଘକାଳ ସୁଖରେ ଲୁହ ବୋଲି ଆଶୀର୍ବାଦ କରିବେ ନାହିଁ ଯୋଗୀବର । ସାଧ୍ୱୀ ହେବାର ଆଶୀର୍ବାଦ ।

ଯୋଗୀ ଚମକି ପଡ଼ିଲେ ।

କହିଲେ- ପତିବ୍ରତା ସଧବା ରମଣୀ ହିଁ ସାଧ୍ୱୀ… ମା ।

– ମା ବୋଲି କହିଲ… ସେହି ମା ରୂପେ କହୁଛି- ତୁମେ କଣ ଜାଣିନ… ପଦ୍ମା ପତିବ୍ରତା । ଚରିତ୍ରକୁ ଉଜ୍ଜ୍ୱଳ ରଖିବା ପାଇଁ, ସମାଜ ଆଖିରେ ସେ ଚଉଠି ରାତିରୁ ସଧବା ଥାଇ… ବିଧବା । ଜାଣି ପାରିନା… ନା ଜାଣିଥାଇ, ନ ଜାଣିବାର ଛଳନା କରୁଛ ।

ଯୋଗୀ ନିରୁତ୍ତର ରହିଗଲେ… ।

ଓଠ ଥରୁଥାଏ… ଶବ୍ଦ ମୂକ ହେଇସାରିଥାନ୍ତି ।

ଶାଶୁ କହିଲେ- ପଦ୍ମାବିବାହର କେବଳ ପାଞ୍ଚଟା ମାସରେ, ତୁମର ଏତେ ବହଳନିଶ- ଦାଢ଼ି ତଳକୁ ନଇଁପଡ଼ିଲା । ଉଚ୍ଚକୁ ଉଠିଥିବା ଲମ୍ୱ ଲମ୍ୱ କେଶରେ ଗଣ୍ଠୁଳା ହେଇଥିବା ଜଟା ବି ବଢ଼ିଗଲା… ପୁଅ । ଧର୍ମ… ଯାହା ଜଗତକୁ ଠିକ୍ ବାଟ ହିଁ ଦେଖାଏ… ତାକୁ ଆଖି ଆଗରେ ରଖି, ଦେହସାରା ବୋଳି ହେଇ, ଅହରହ ପ୍ରବଞ୍ଚନାରେ ଜଳୁଛ… ପଦ୍ମାକୁ ବି ଜାଳୁଛ । ଏ କଣ ଯୋଗୀର ଜୀବନ ପୁଅ । ଏଇ ତୁମର ଫଟୋ ଦେଖ… କେଡ଼େ ସୁନ୍ଦର ରୂପକୁ କେତେ ଯେ ଅସୁନ୍ଦର କରିଦେଇଛ- ମିଛ ଦାଢ଼ି, ନିଶ, ଜଟା ଭିତରେ ।

ମୁଁ ତୁମର ମା କହୁଛି- ଫୋପାଡ଼ି ଦିଅ ମିଛର ପୋଷାକ… ନିଶ, ଦାଢ଼ି, ଜଟାଜୂଟ । ସତ୍ୟର ସମାଜରେ ଦୃଢ଼ ହେଇ, ଠିଆହୁଏ । ଅମୃତର ଜୀବନକୁ ମଧୁରତାରେ ଭରିଦିଅ । ନାରୀର ଅଶ୍ର୍ର ଉପରେ ଠିଆ ହୋଇଥିବା କୌଣସି ଆଦର୍ଶ ବଞ୍ଚି ରହିନାହିଁ… ତୁମର ବି ରହିବ ନାହିଁ… ଫିଙ୍ଗିଦିଅ ଏ ମିଛ ଆଦର୍ଶ ।

… ତୁମେ ତୁମ ପଦ୍ମାର ନିରାପଦ ଜୀବନ ପାଇଁ ଲୁଚି ଲୁଚି ଜଳୁଛ,ନା ।

… ଏବେ ପଦ୍ମା ସମ୍ପୂର୍ଣ୍ଣ ନିରାପଦ… ।

… ତାର ଏଇ ବୋଉ କୋଳରେ…ଗୋଟେ ନୂଆ ଜୀବନ ଆଶାରେ ।

… ଏବେ ପଦ୍ମା ହସୁ… ତୁମେ ହସ । ଆମେ ବିଧବା ଶାଶୁବୋହୂ… ବୁଢ଼ୀ ଦୁଇଟା… ।

… ପୁଅ-ନାତିଙ୍କୁ ହରାଇଥିବା ଦୁଃଖକୁ ଭୁଲିଯାଉ । ଗୋଟାଏ ନୂଆ ପ୍ରକାର ସଂସାର ଗଢ଼ି ହେଇଯାଉ ଆମ ସମସ୍ତଙ୍କର ।

ହଠାତ୍ ଯୋଗୀ ସୁଦୀପ ଉଭା ହୋଇଗଲେ ।

ତାଙ୍କର ଆଖି ଯୋଡ଼ିକରୁ ଦାଢ଼ି ଦେଇ, ଅନୁତାପ ଓ କୃତଜ୍ଞତାର ଅଶ୍ରୁ ଧାର ଝରି ପଡୁଥାଏ । ଯୋଡ଼ି ହୋଇଥିବା ନିଜର ପାଦ ଯୋଡ଼ିକ ଭିଜୁଥାଏ ସେଥିରେ ।

ସେହି ପାଦ କଡ଼ରେ ଥିବା ଲାଉତୁମ୍ୱାରେ ଦକ୍ଷିଣା-ଚାଉଳ ମୁଠାଏ ଅଜାଡ଼ି ଦେଇ, ପଦ୍ମା ଝରାଉଥାଏ- ଆଞ୍ଜୁଳା ଆଞ୍ଜୁଳା ଲୁହ । ସେଥିରେ ଧୋଇ ଦେଇଥାଏ- ତା ପ୍ରିୟତମର ପାଦ ଯୋଡ଼ିକ ।

… ହରିଓଁ ହରିଓଁ କହୁଥିବା ସୁଦୀପଙ୍କ ଶଙ୍ଖସ୍ୱର… ଓଦା ହେଇଗଲା ।

… କଣ୍ଠ ବାଷ୍ପରୁଦ୍ଧ । କିଛି କହିବାର ସ୍ୱରରେ… ଅଜସ୍ର କମ୍ପନ… ।

… ଛାତିଥରା ଅସହ୍ୟ ନିଃଶ୍ୱାସ ଓ ଓଠଥରା ଯନ୍ତ୍ରଣାରେ- ଜଡ଼ତା ହିଁ କେବଳ ।

ଶାଶୂ କହିଲେ-ବିଚାରୀକୁ ତଳୁ ଉଠାଅ ସୁଦୀପ । ଉଠାଅ… ।

ଆକାଶରୁ ଅଜାଡ଼ି ହେଉଥାଏ ନିର୍ମଳ ଜ୍ୟୋତ୍ସ୍ନା… ।

ଚୈତ୍ରପବନରେ ଭାସି ଆସୁଥାଏ… ମଲ୍ଲୀ ଫୁଲର ମହକ… ।

ଶାଶୁ… ସୁଦୀପ ଓ ପଦ୍ମାକୁ ଛାତି ଆଡ଼କୁ ଆଉଜାଇ ଆଣୁଥାନ୍ତି… ।

ଲୋକପ୍ରିୟ ଲେଖା

To Top