ଗଳ୍ପ

ସହାନୁଭୂତି

Ashis Ranjan Das's Odia Story Sahaanubhuti

ଅନିଚ୍ଛା ସତ୍ଵେ ନିଜର ବ୍ୟାଗ୍‌ଟିକୁ ପାଖ ସିଟ୍‌ରେ ରଖିଲା । ଯାହା ହେଲେବି ସିନିଅର୍ ଅଫିସର୍ । ତାଙ୍କ ହାତରେ ଚାକିରୀ । ତାଙ୍କୁ ଖୁସି ନରଖିଲେ ଚାକିରି ଚାଲିଯିବା ମଧ୍ୟ ଅସମ୍ଭବ ନୁହେଁ ।

ସହାନୁଭୂତି

ଠେଲା ପେଲା ଭିତରେ ବସ୍‌ରେ ପସି ଯାଇ ସିଟ୍‌ଟିଏ ପାଇଗଲା ପରେ ଆଶ୍ଵସ୍ଥ ହେଲା ଅଭିଜିତ । ନିତିଦିନିଆ ଘଟଣା ହେଇଥିଲେ ମଧ୍ୟ, ସିଟ୍‌ଟିଏ ନ ମିଳିଲେ ଠିଆ ହୋଇ ଭିଡ ଭିତରେ ଅଣନିଶ୍ଵାସୀ ହେଇଯାଏ । ତେଣୁ, ସିଟ୍‌ଟିଏ ମିଳିଗଲେ ରାଜ୍ୟ ଜୟ କରିବାର ଖୁସି ଅନୁଭୂତ ହେଉଥିଲା ତା ପାଇଁ । ଗପ ବହିଟିଏ ବାହାର କରି ପଢୁ ପଢୁ ହଠାତ୍ ମନେ ପଡିଲା, ରାଜୁ ବାବୁଙ୍କ ପାଇ ମଧ୍ୟ ସିଟ୍‌ଟିଏ ରଖିବାକୁ ପଡିବ । ଅନିଚ୍ଛା ସତ୍ଵେ ନିଜର ବ୍ୟାଗ୍‌ଟିକୁ ପାଖ ସିଟ୍‌ରେ ରଖିଲା । ଯାହା ହେଲେବି ସିନିଅର୍ ଅଫିସର୍ । ତାଙ୍କ ହାତରେ ଚାକିରୀ । ତାଙ୍କୁ ଖୁସି ନରଖିଲେ ଚାକିରି ଚାଲିଯିବା ମଧ୍ୟ ଅସମ୍ଭବ ନୁହେଁ । ଯଦିଓ ତାଙ୍କୁ କେହି ପସନ୍ଦ କରନ୍ତିନି, ହେଲେବି ତାଙ୍କ ଆଗରେ କେହି ମୁହଁ ଖୋଲି କିଛି କହିବାକୁ ସାହସ କରନ୍ତିନି । ଅଭିଜିତ ବି ମନେ ମନେ ବହୁତ ରାଗେ । ବୁଢା ମାସକୁ ଏତେ ଦରମା ପାଉଛି, ଘରେ କାର୍, ବାଇକ୍ ସବୁ ଅଛି, ହେଲେ କଂଜୁସ୍ ଅଫିସ୍ ଯିବ ବସ୍‌ରେ । ତା ପାଇଁ ପୁଣି ସିଟ୍ ରିଜର୍ଭ ରଖିବାକୁ ପଡିବ । ଏଥିରେ ପୁଣି ବୁଢା ଦିନେ ଆସିଲେ ଦୁଈ ଦିନ ଛୁଟିରେ ରହିବ । ବଡ ଅଫିସର୍ । ତାଙ୍କୁ ପ୍ରଶ୍ନ କରିବାକୁ କେହି ନାହି । ଗତ ଦୁଈ ଦିନ ତଳର କଥା, ସିଟ୍ ରଖିବା ପରେ ବି ବୁଢା ଆସିଲା ନାହିଁ । ବ୍ୟାଗ୍ ଉଠାଇବା ବେଳକୁ ବସ୍ ଭିତରେ ଠିଆ ହେଇଥିବା ଲୋକ ମାନେ ପାଟି ତୁଣ୍ଡ କଲେ । କହିଲେ, ହୋ ବାବୁ, କେହି ନାହାନ୍ତି ଯଦି ବ୍ୟାଗ୍‌ଟାକୁ କାହିଁକି ସିଟ୍ ଉପରେ ରଖିଥିଲ? ଏଠି ଏତେ ଲୋକ ଠିଆ ହେଇ ଯାଉଛନ୍ତି, ଆଉ ତମେ ସିଟ୍ ଖଣ୍ଡେ ପାଇ ଯାଇଛ ବୋଲି ଆଉ ଗୋଟିଏ ସିଟ୍ ଦଖଲ କରି ବସିଛ? ସିଏ ସବୁ ଶୁଣି ଚୁପ୍ ରହିବାକୁ ବାଧ୍ୟ ହେଲା । କାରଣ, ଭୂଲ୍ ତ ତା’ର । ତାକୁ ଆଗରୁ ପଚାରି ବୁଝିନେବାର ଥିଲା, ବୁଢା ଆସୁଛି ନା ନାହିଁ ।

ହାତ ଘଣ୍ଟା ଦେଖିଲା ଅଭିଜିତ୍ । ଆଉ ପାଞ୍ଚ ମିନିଟ୍ ରହିଲା ବସ୍ ଛାଡିବାକୁ । ବୁଢାର ଏଯାଏ ଦେଖା ନାହି । ଏତେ ବଡ ପୋଷ୍ଟ୍‌ରେ ଥାଇ ବି ସମୟର ବିଲକୁଲ୍ ଧାରଣା ନାହି । ରାଗ ଶାନ୍ତ କରି ପୁଣି ଗପ ବହି ପଢିବାରେ ଲାଗିଗଲା । ଭିଡରେ ଠେଲା ପେଲା ଭିତରେ କିଛି ଲୋକ ଓଲ୍ହେଇ ଯିବା ପରେ ଲୋକମାନେ ଚଢିବା ଆରମ୍ଭ କଲେ । ତିରିଶ୍ ଜଣିଆ ସିଟ୍‌ର ମିନି ବସ୍ ଭିତରେ ପଚାଶ୍ ଜଣ ଚଢିବା ପରେ ମଧ୍ୟ ଆହୁରି ଲୋକ ଚଢୁଥାନ୍ତି । ଅଭିଜିତକୁ ବିରକ୍ତ ଲାଗୁଥିଲେ ମଧ୍ୟ ସେ ଗପ ପଢାରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚେଷ୍ଟା କରୁଥାଏ ।

ହଠାତ୍ ତା ନଜର୍ ପଡିଲା, ଗୋଟିଏ ଛୋଟ ଝିଅ ଟିଏ ବସ୍ ଭିତରେ ଚଢିଲା ଓ ତା ପଛେ ପଛେ ବାଡିଟିଏ ଧରି ଗୋଟେ ଲୋକ ଚଢିଲା । ଲୋକଟି କଳା ଚଷମା ପିନ୍ଧି ଥାଏ ଓ ବାଡିଟିର ଗୋଟିଏ ମୁଣ୍ଡକୁ ଧରି ଧିରେ ଧିରେ ବସ୍ ଭିତରକୁ ଚଢୁଥାଏ । ବାଡିଟିର ଆର ମୁଣ୍ଡ ଟିକୁ ଧରି ଥାଏ ଛୋଟ ଝିଅଟି । ଜାଣିବାରେ କିଛି ଅସୁବିଧା ନଥିଲା ଯେ ଲୋକଟି ଅନ୍ଧ, ଏବଂ ଝିଅଟି ଯେ କେହିବି ହେଇଥାଉ, ଲୋକଟିର ଏକମାତ୍ର ସାହାଭରଷା । ଲୋକଟି ବହୁତ୍ କଷ୍ଟରେ ଅଣ୍ଡାଳି ଅଣ୍ଡାଳି ଅଭିଜିତ୍ ବସିଥିବା ସିଟ୍‌ର ଉପର ଭାଗକୁ ଧରି ଠିଆ ହେଲା । ଝିଅଟି ଅଳି କରିବା ପରି ଲୋକଟିକୁ କହିଲା, “ବାପା, ମୁ ଆଇସ୍କ୍ରିମ୍ ଖାଇବି । ଲୋକଟି କହିଲା, ଠିକ୍ ଅଛି ଝିଅ, ପଇସା ନେ, ଜଲଦି ଆଇସ୍କ୍ରିମ୍ ନେଇ ଆସିବୁ । ନହେଲେ ବସ୍ ଛାଡିଦବ ।”

ଝିଅଟି ଖୁସିରେ ଆଇସ୍କ୍ରିମ୍ ଆଣିବାକୁ ଗଲା ।

ଲୋକଟି ସେମିତି ଠିଆ ହେଇଥାଏ । ବିଲକୁଲ୍ ହଲଚଲ୍ ହେଉ ନଥାଏ । କାରଣ, ଆଖପାଖର ଅବସ୍ଥା ବିଶୟରେ ସେ କିଛିବି ଜାଣିପାରୁନଥାଏ । ତା’ ଅନ୍ଧର ଲଉଡି ତା ଠାରୁ କିଛିସମୟ ପାଇ ଦୂରରେ । ଅଭିଜିତ୍ ହଠାତ୍ କଣ ଭାବି ବ୍ୟାଗ୍ ଟିକୁ ପାଖ ସିଟ୍‌ରୁ ଉଠାଇ ଦେଲା ଓ ହାତ ଧରି ଅନ୍ଧ ଲୋକଟିକୁ ସେଥିରେ ବସାଇ ଦେଲା । ଭାବିଲା, ବୁଢାର ଆସିବାର ତ ଠିକ୍ ଠିକଣା ନାହି, କମ୍ ସେ କମ୍ ଜଣକୁ ସାହାଯ୍ୟ ତ କରିପାରିଲି ! ବୁଢା ଆସିଲେ କହିଦେବି ସିଟ୍ ନଥିଲା ।

କିଛି ସମୟ ପରେ ବସ୍ ହର୍ନରେ ଅଭିଜିତ୍ ପ୍ରକୃତିସ୍ଥ ହେଲା । ହଠାତ୍ ଅନ୍ଧ ଲୋକଟି ଉଠି ଠିଆ ହୋଇ ପଡିଲା । ଜୋର୍‌ରେ ଡାକ ଛାଡିଲା, “ଗୀତା, ଜଲଦି ଆ ମା, ବସ୍ ଛଡିଲାଣି ।” ତା କଳା ଚଷମା ପିନ୍ଧା ମୁଖମଣ୍ଡଳରୁ ବ୍ୟସ୍ତତା ସଂପୂର୍ଣ ବାରି ହେଉଥିଲା । ବସ୍ ଛାଡିବା ଉପରେ । ଲୋକଟିକୁ ଅଭିଜିତ୍ କହିଲା “ଭାଈ, ଆପଣ ବସିଯାନ୍ତୁ । ମୁ ଡ୍ରାଇଭର୍‌କୁ କହୁଛି, ଆଉ କିଛି ସମୟ ଗାଡି ରଖିବ, ଝିଅ ଆସିବା ପରେ ଛାଡିବ । ଆପଣ ବ୍ୟସ୍ତ ହୁଅନ୍ତୁନି । ”

ଠିକ୍ ବସ୍ ଛାଡିବା ପୂର୍ବରୁ ଝିଅଟି ବସ୍‌ରେ ଚଢି ଡାକିଲା “ବାପା, ମୁ ଆଇସ୍କ୍ରିମ୍ ନେଇ ଆସିଗଲି ।” ଲୋକଟି ହାତ ବଢାଇଲା, ଝିଅଟି ହାତଧରି ସିଟ୍ ପାଖକୁ ଆସିଲା ଓ ଲୋକଟିର କୋଳରେ ବସିଗଲା । ଲୋକଟି ତାକୁ ଅତି ଆଦରରେ କୋଳେଇ ନେଲା । କହିଲା, “ତୋ ବିନା ଗୋଟିଏ ମୁହୁର୍ତ୍ତ ବି ମୋ ପାଇ ବର୍ଷେ ସହ ସମାନ । ଆଉ କେବେ ଗୋଟିଏ ମିନିଟ୍ ବି ମତେ ଛାଡି ଯିବୁନି । ମୁ ତ ଅନ୍ଧ । ତୁ ମୋର ଆଖି । ତୋ ଆଖିରେ ମୁ ଦୂନିଆ ଦେଖୁଚି ।” ଲୋକଟିର ଆଖିରୁ ଦୁଈ ଟୋପା ଲୂହ ଝରି ପଡିଲା ।

ଝିଅଟି କିନ୍ତୁ ଆଇସ୍କ୍ରିମ୍ ଖାଇବାରେ ବ୍ୟସ୍ତ ଥାଏ ।

ଲୋକପ୍ରିୟ ଲେଖା

To Top