ପ୍ରବନ୍ଧ

ଧର୍ମାନ୍ତରୀକରଣ ; ଏକ ବିବେଚନ

Dr Chhayakanta Sarangi's odia prose Dharmaantikarana Eka Bibechan

ସମ୍ପ୍ରତି ବହୁ ବ୍ୟକ୍ତି ହିନ୍ଦୁଧର୍ମ ତ୍ୟାଗ କରି ଖ୍ରୀଷ୍ଟିଆନ୍ ହେଉଛନ୍ତି । ଏହାର ଏକମାତ୍ର କାରଣ ହେଉଛି ସେମାନେ ଧର୍ମର ପ୍ରକୃତ ତତ୍ତ୍ୱକୁ ବୁଝୁନାହାନ୍ତି । ସେମାନେ ପ୍ରଲୋଭନର ଶିକାର ହୋଇ ଧର୍ମ ପରିବର୍ତ୍ତନ କରୁଛନ୍ତି ।

ଧର୍ମାନ୍ତରୀକରଣ ; ଏକ ବିବେଚନ

-: ପୂର୍ବରୁ :-

ପୂର୍ବ ନିବନ୍ଧରେ କୁହାଯାଇଛି ଯେ ଯେଉଁମାନେ ଧର୍ମାନ୍ତରୀକରଣରେ ପ୍ରବୃତ୍ତ ହେଉଛନ୍ତି, ସେମାନେ ଧର୍ମର ପ୍ରକୃତ ତତ୍ତ୍ୱ ବୁଝନ୍ତି ନାହିଁ । ଯଦି ସେମାନେ ଧର୍ମର ପ୍ରକୃତ ତତ୍ତ୍ୱ ବୁଝନ୍ତେ ତା’ହେଲେ ଧର୍ମ ପରିବର୍ତ୍ତନ କରନ୍ତେ ନାହିଁ, କାରଣ ସମସ୍ତ ଧର୍ମର ମୂଳ କଥା ସମାନ । ଅନେକ ଧର୍ମକୁ ସମ୍ପ୍ରଦାୟ ଅର୍ଥରେ ଗ୍ରହଣ କରି ଧର୍ମ ଶବ୍ଦର ଅର୍ଥକୁ ବିକୃତ କରୁଛନ୍ତି । ସେମାନେ ଭାବୁଛନ୍ତି ଇଂରାଜୀରେ ରିଲିଜନ୍ ଯାହା ଭାରତୀୟ ଭାଷାରେ ଧର୍ମ ତାହା । ଅକ୍ସଫୋର୍ଡ ଭାଷାକୋଷ ଅନୁସାରେ ରିଲିଜନ୍ ଅର୍ଥ ହେଲା,Belief in the existence of a god or gods who has/have created the universe and given man a spiritual nature ଏବଂ a particular system of fair and worship based on such a belief . ଏହାର ମର୍ମ ହେଲା ଈଶ୍ୱର ଅଛନ୍ତି ଓ ସେ ହିଁ ବିଶ୍ୱର ସ୍ରଷ୍ଟା ଏବଂ ନିୟନ୍ତା । ଏହି ବିଶ୍ୱାସକୁ ଆଧାର କରି ଈଶ୍ୱରଙ୍କ ଆରାଧନା ପାଇଁ ଅବଲମ୍ୱନ କରାଯାଉଥିବା ଏକ ନିର୍ଦ୍ଦିଷ୍ଟ ପଦ୍ଧତିକୁ “ରିଲିଜନ୍” କୁହାଯାଏ । କାଳକ୍ରମେ ଈଶ୍ୱର ସମ୍ୱନ୍ଧୀୟ ବିଶ୍ୱାସ ଓ ପୂଜାପଦ୍ଧତିରେ ବିଭିନ୍ନତା ପରିଲକ୍ଷିତ ହୋଇଛି । ଏକ ନିର୍ଦ୍ଦିଷ୍ଟ ଉପାସନା ବିଧିଦ୍ୱାରା ଉଦ୍‌ବୁଦ୍ଧ ଓ ପରିଚାଳିତ ଲୋକମାନଙ୍କୁ ନେଇ ଗୋଟିଏ ଗୋଟିଏ ସମ୍ପ୍ରଦାୟର ସୃଷ୍ଟି ହୋଇଛି, ଯଥା- ଖ୍ରୀଷ୍ଟିଆନ୍, ମୁସଲମାନ, ପାର୍ଶୀ ଇତ୍ୟାଦି । ଏହି ସମ୍ପ୍ରଦାୟମାନଙ୍କର ସେହି ନିର୍ଦ୍ଦିଷ୍ଟ ବିଶ୍ୱାସ ଓ ଆରାଧନା ପଦ୍ଧତିକୁ ସେମାନଙ୍କର ରିଲିଜନ୍ କୁହାଯାଏ ।

ଭାରତୀୟ ଭାଷାକୋଷରେ ଧର୍ମ ଶବ୍ଦ ଏହି ଭାବଧାରା ପ୍ରକାଶ କରେ ନାହିଁ । ଧୃ ଧାତୁରୁ ଧର୍ମ ଶବ୍ଦର ଉତ୍ପତ୍ତି ଓ ଏହାର ଅର୍ଥ ହେଲା ଧାରଣ କରିବା ।

ଧାରଣାତ୍ ଧର୍ମ ଇତ୍ୟାହୂ ଧର୍ମୋଧାରୟତେ ପ୍ରଜାଃ ।
ଯତ୍ ସ୍ୟାଦ୍ ଧାରଣଂ ସଞ୍ଜୁକ୍ତଂ ସ ଧର୍ମଃ ଇତି ନିର୍ଣ୍ଣୟ ।

ଯେଉଁ ମୂଲ୍ୟବୋଧ ସମଗ୍ର ଜଗତର ପ୍ରଜାକୁଳକୁ ଧାରଣ କରି ରଖେ ବା ଶୃଙ୍ଖଳିତ କରି ରଖେ ତାକୁ ଧର୍ମ କୁହାଯାଏ । ଏଣୁ ଧର୍ମ ସାମ୍ପ୍ରୟିକତାର ଉର୍ଦ୍ଧ୍ଵରେ ଏକ ସାର୍ବଜନୀନ ମୂଲ୍ୟବୋଧକୁ ବୁଝାଏ । ମନୁଙ୍କ ମତରେ ଧୈର୍ଯ୍ୟ, କ୍ଷମା, ଦମ, ଏକ ସାର୍ବଜନୀନ ମୂଲ୍ୟବୋଧକୁ ବୁଝାଏ । ମନୁଙ୍କ ମତରେ ଧୈର୍ଯ୍ୟ, କ୍ଷମା, ଦମ, ଆସ୍ତେୟ, ଶୌଚ, ଇନ୍ଦ୍ରିୟନିଗ୍ରହ, ବୁଦ୍ଧି, ବୁଦ୍ୟା, ସତ୍ୟ ଓ ଅକ୍ରୋଧ ହେଉଛି ଧର୍ମର ଦଶଟି ଲକ୍ଷଣ । ଧର୍ମ ବ୍ୟକ୍ତି ଓ ସମାଜର ନୈତିକ ସ୍ତରକୁ ଉନ୍ନତ କରେ । ଏଣୁ ମହାତ୍ମାଗାନ୍ଧୀ କହୁଥିଲେ, ଯଥାର୍ଥ ଧର୍ମ ଓ ଯଥାର୍ଥ ନୈତିକତା ପରସ୍ପର ସହ ଅଭେଦ୍ୟ ଭାବରେ ସଂଶ୍ଳିଷ୍ଟ । ମାଟିରେ ବୁଣାଯାଉଥିବା ମଞ୍ଜି ସହ ପାଣିର ଯେଉଁ ସମ୍ପର୍କ, ଧର୍ମର ନୈତିକତା ସହ ଠିକ୍ ସେହି ସମ୍ପର୍କ । ଜାତି ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ଆମେ ସମସ୍ତେ ମଣିଷ, ତା’ପରେ ହିନ୍ଦୁ, ମୁସଲମାନ, ଶିଖ, ପାର୍ଶୀ ଇଦ୍ୟାଦି । ଏଣୁ ମଣିଷ ଭାବରେ ସମସ୍ତଙ୍କ ଧର୍ମ ଏକ ଅଟେ । କବି ଗଙ୍ଗାଧର ମେହେର ତାଙ୍କର ବିଦୂର ପ୍ରଜାଗର କବିତାରେ ମାନବ ଧର୍ମ ସମ୍ପର୍କରେ କହିଛନ୍ତି :-

“ମାନବ ଜୀବନ ରାଜ୍ୟେ ମନ ନରପତି
ନ୍ୟାୟଦେବ ସେ ରାଜ୍ୟର ଉପଯୁକ୍ତ ମନ୍ତ୍ରୀ ।
ବୁଦ୍ଧି ବିବେଚନା ଧୃତି ରାଜ ସଭାସଦ
ବ୍ୟବସ୍ଥା ଦିଅନ୍ତି ଯହିଁ ନ ହେବ ଆପଦ ।

————– x ————–

କାମ ଆଦି ଷଡ଼ସୈନ୍ୟ ଘେନି ଅବିରତ
ମହାଘୋର ସଂଗ୍ରାମରେ ହୋଇଥାନ୍ତି ରତ ।

————– x ————–

ଜ୍ଞାନ ମହାଶର ବଳେ ଲଭଇ ବିଜୟ
ପ୍ରଦାନତ କରି ରଖେ ବଇରି ନିଚୟ ।

————– x ————–

ଏହାକୁ ମାନବଧର୍ମ ବୋଲି ନରବର
ଇହ ପରକାଳେ ଏହି ଧର୍ମ ଶ୍ରେୟସ୍କର ।”

ମାନବ ଜୀବନ ଏକ ରାଜ୍ୟ ପରି ଓ ଏହି ରାଜ୍ୟରେ ମନ ହେଉଛି ରାଜା । ବିବେକ ହେଉଛି ମନ୍ତ୍ରୀ, ବୁଦ୍ଧି ବିବେଚନା ଓ ଧୈର୍ଯ୍ୟ ହେଉଛନ୍ତି ସଭାସଦ୍‌ବର୍ଗ । ଏମାନଙ୍କ ସୁପରାମର୍ଶ କ୍ରମେ ପରିଚାଳିତ ହେଲେ ମନୁଷ୍ୟ ଜୀବନରେ ଆଉ କୌଣସି ବିପଦର ସମ୍ଭାବନା ନ ଥାଏ । ଏହି ଜୀବନ ରାଜ୍ୟରେ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ଛଅଟି ଶତ୍ରୁ ସର୍ବଦା ଯୁଦ୍ଧରତ । ମନ ରାଜା ଜ୍ଞାନରୂପକ ଶରରେ ଏହି ଯୁଦ୍ଧକୁ ଦମନ କରି ମାନବ ଜୀବନ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରନ୍ତି । ଏହାକୁ କୁହାଯାଏ ମାନବ ଧର୍ମ । ଏହି ତତ୍ତ୍ୱକୁ ବୁଝିଗଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ୍ ଇତ୍ୟାଦି ସମ୍ପ୍ରଦାୟମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖିହୁଏ ନାହିଁ, କାରଣ ସମସ୍ତ ସମ୍ପ୍ରଦାୟର ଲୋକମାନେ ପ୍ରଥମେ ମଣିଷ । ଜଣେ ହିନ୍ଦୁ ମାନବ ଧର୍ମ ପାଳନ କଲେ ତାକୁ ଆଉ ଅନ୍ୟ କୌଣସି ଧର୍ମ ଆକର୍ଷିତ କରିପାରିବ ନାହିଁ । ସମ୍ପ୍ରତି ବହୁ ବ୍ୟକ୍ତି ହିନ୍ଦୁଧର୍ମ ତ୍ୟାଗ କରି ଖ୍ରୀଷ୍ଟିଆନ୍ ହେଉଛନ୍ତି । ଏହାର ଏକମାତ୍ର କାରଣ ହେଉଛି ସେମାନେ ଧର୍ମର ପ୍ରକୃତ ତତ୍ତ୍ୱକୁ ବୁଝୁନାହାନ୍ତି । ସେମାନେ ପ୍ରଲୋଭନର ଶିକାର ହୋଇ ଧର୍ମ ପରିବର୍ତ୍ତନ କରୁଛନ୍ତି । ଦରିଦ୍ର, ବୁଭୁକ୍ଷୁ ବ୍ୟକ୍ତି ଅନ୍ୟ ସମ୍ପ୍ରଦାୟ ନିକଟକୁ ସାହାଯ୍ୟ ପାଇଲେ ସେମାନେ ସେହି ସମ୍ପ୍ରଦାୟ ପ୍ରତି ଆକର୍ଷିତ ହେଉଛନ୍ତି । ଯେଉଁ ସମ୍ପ୍ରଦାୟ ମାନବ ସେବା ନାମରେ ଅନ୍ୟକୁ ସାହାଯ୍ୟ କରନ୍ତି ସେମାନେ ଭୁଲିଯାଆନ୍ତି ଯେ ସେବା ସର୍ବଦା ନିଃସ୍ୱାର୍ଥପର ହେବା ଉଚିତ୍ । ସେବା କଲାବେଳେ ଜାତି, ବର୍ଣ୍ଣ ସମ୍ପ୍ରଦାୟର ବିଚାର କରାଯାଏ ନାହିଁ । କିନ୍ତୁ ସେବା ନାମରେ ଯଦି ଅନ୍ୟର ଧର୍ମବିଶ୍ୱାସକୁ ଅପହରଣ କରାଯାଏ, ତାହା ସେବା ପଦବାଚ୍ୟ ନୁହେଁ । ଅନ୍ୟ ସମ୍ପ୍ରଦାୟର ସାହାଯ୍ୟ ଦ୍ୱାରା ପ୍ରଲୁବ୍ଧ ହୋଇ ଅନେକେ ଏହି କଥା ବୁଝିପାରନ୍ତି ନାହିଁ ଓ ପ୍ରତାରିତ ହୋଇ ସେହି ସମ୍ପ୍ରଦାୟ ମଧ୍ୟରେ ସାମିଲ ହୋଇଥାନ୍ତି, ତାକୁ କୁହାଯାଏ ଧର୍ମାନ୍ତରୀକରଣ ।

ଏଣୁ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଧର୍ମର ପ୍ରକୃତ ମର୍ମ ବୁଝିପାରିଲେ ଏହି ଧର୍ମନ୍ତରୀକରଣ ପ୍ରକ୍ରିୟା ନିୟନ୍ତ୍ରିତ ହେବ । ଧର୍ମ କୌଣସି ବ୍ୟକ୍ତିବିଶେଷ, ସଂଗଠନ ବା ସମ୍ପ୍ରଦାୟକ ଉତ୍ପତ୍ତି ଓ ବିନାଶ ଉପରେ ନିର୍ଭର କରେନା । ଏହାର ଆରମ୍ଭ ନାହିଁ କି ଶେଷ ନାହିଁ । ଏହା ଅନନ୍ତ ଓ ଅପୌରୁଷେୟ । ଏହା ସଙ୍କୀର୍ଣ୍ଣତାରୁ ମୁକ୍ତ । ଏହା ମଣିଷକୁ ଏକ ମହତ୍ତର ସୋପାନକୁ ଉନ୍ନିତ କରେ । ଯେତେବେଳେ ଧର୍ମ ତାର ଏହି ମହାନ୍ ମର୍ଯ୍ୟାଦାରୁ ବିଚ୍ୟୁତ ହୁଏ, ତାହା ରିଲିଜନ୍‌ରେ ପରିଣତ ହୁଏ ଅର୍ଥାତ୍ ଧର୍ମ ତତ୍ତ୍ୱଗତ ତାତ୍ପର୍ଯ୍ୟ ହରାଇ ସମ୍ପ୍ରଦାୟଗତ ଉପାସନା ପଦ୍ଧତିକୁ ଜୋର୍ ଦିଏ । ଲକ୍ଷ୍ୟକୁ ଗୌଣ କରି ମାଧ୍ୟମକୁ ପ୍ରାଧାନ୍ୟ ଦିଏ । ଏଥିରୁ ସମସ୍ତ ଅନର୍ଥ ସୃଷ୍ଟି ହୁଏ । ଯେଉଁ ହିନ୍ଦୁମାନେ ଆଜି ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ବୁଝିବା ଉଚିତ୍ ଯେ ହିନ୍ଦୁତ୍ୱ ଏକ ଧର୍ମ, ରିଲିଜନ୍ ନୁହେଁ । ରିଲିଜନ୍‌ରେ ଏକ ସାମ୍ପ୍ରଦାୟିକତାର ଭାବ ଥିବାବେଳେ, ହିନ୍ଦୁତ୍ୱରେ ତାହା ନାହିଁ । ଉପାସନାରେ ଯେ କୌଣସି ପଦ୍ଧତି ଅନୁସରଣ କରିବା ପାଇଁ ହିନ୍ଦୁମାନଙ୍କୁ ସ୍ୱାଧୀନତା ଦିଆଯାଇଛି । ଏଣୁ ଶିବ ମହିମ୍ନ ସ୍ତୋତ୍ରରେ ପ୍ରାର୍ଥନା କରାଯାଇଛି,

“ରୂଚୀନାଂ ବୈଚିତ୍ର୍ୟାଦୃଜୁ କୁଟିଳ ନାନ ପଥଯୂଷାମ୍
ନୃଣାମେକୋ ଗମ୍ୟସ୍ତ୍ୱମସି ପୟସାମର୍ଣ୍ଣ ବଇବ ।”

ଅର୍ଥାତ୍ ବିଭିନ୍ନ ନଦୀ ବିଭିନ୍ନ ଗତିପଥରେ ପ୍ରବାହିତ ହେଲେ ମଧ୍ୟ ଯେପରି ସମସ୍ତେ ସମୁଦ୍ରରେ ମିଳିତ ହୁଅନ୍ତି, ସେହିପରି ହେ ଭଗବାନ୍ । ନିଜ ନିଜ ରୁଚିର ବୈଚିତ୍ର୍ୟ ହେତୁ ସରଳ କୁଟିଳ ଆଦି ବିଭିନ୍ନ ପଥରେ ଲୋକମାନେ ଗତି କଲେ ମଧ୍ୟ ପରିଶେଷରେ ସମସ୍ତେ ତୁମ ପାଖରେ ପହଞ୍ଚନ୍ତି ଓ ମିଳିତ ହୁଅନ୍ତି । ଏଥିରୁ ସୂଚିତ ହୁଏ ଯେ ଈଶ୍ୱର ଆରାଧନା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିକୁ କେନ୍ଦ୍ର କରି ସୃଷ୍ଟି ହେଉଥିବା ସାମ୍ପ୍ରଦାୟିକ ଭାବ ହିନ୍ଦୁତ୍ୱକୁ ଗ୍ରାସ କରିପାରି ନଥିଲା । ଏହିପରି ସାମ୍ପ୍ରଦାୟିକତା ମୁକ୍ତ ନିଜ ଧର୍ମ ଓ ଈଶ୍ୱରଙ୍କୁ ତ୍ୟାଗ କରି ତଥାକଥିତ ଅନ୍ୟ ଧର୍ମ ଓ ଈଶ୍ୱରଙ୍କ ପ୍ରତି ଆକର୍ଷିତ ହେବାର କୌଣସି ଯୌକ୍ତିକତା ଥିବାର ମନେହୁଏ ନାହିଁ । ମୋଟ ଉପରେ କହିବାକୁ ଗଲେ ସମଗ୍ର ମାନବ ଜାତିର ଧର୍ମ ଏକ । ଏଣୁ ଧର୍ମାନ୍ତରୀକରଣ ଏକ ଉଦ୍ଭଟ ଶବ୍ଦ । ଏଣୁ ଧର୍ମ ସନାତନ ହୋଇଥିବାରୁ ତାକୁ ପରିବର୍ତ୍ତନ କରିବା ଏକ କୃତ୍ରିମ ପ୍ରୟାସ ମାତ୍ର । ଧର୍ମକୁ ଏକ ରିଲିଜନ୍ ବା ସାମ୍ପ୍ରଦାୟିକ ବିଶ୍ୱାସ ଭାବରେ ଗ୍ରହଣ ନ କରି ଏକ ଚିରନ୍ତନ ନୈତିକ ମୂଲ୍ୟବୋଧ ଭାବରେ ଗ୍ରହଣ କଲେ ଓ ଗଙ୍ଗାଧର ମେହେରଙ୍କ ଧର୍ମ ସମ୍ପର୍କୀୟ ନିମ୍ନ ସଂଜ୍ଞାକୁ ହୃଦୟଙ୍ଗମ କଲେ ଧର୍ମାନ୍ତରୀକରଣର ଆବଶ୍ୟକତା ପଡ଼ିବ ନାହିଁ । କବିଙ୍କ ଭାଷାରେ :-

“ଧର୍ମ ମହାତରୁ ପକ୍ଷରେ ମାନବ
ହୃଦୟ କ୍ଷେତ୍ର ଉର୍ବର
ସୁଶିକ୍ଷା ଲାଙ୍ଗଳେ ଚଷି ଧର୍ମବୀଜ
ତହିଁରେ ରୋପଣ କର ।
ଆବଶ୍ୟକ ତହିଁ ସଦାଚାର ଜଳ
ସତ୍ସଙ୍ଗ ଆଳବାଳ
ବାହାରଇ ଶାଖା ବିନୟ କରୁଣା
ସୌଜନ୍ୟ ସତ୍କର୍ମ ଡାଳ ।
ଈଶ୍ୱର ଭକତି ପର ଉପକାର
ପଲ୍ଲବେ ହୋଇ ସୁନ୍ଦର
ଫୁଟଇ ପବିତ୍ର ଶୁଭ୍ର ଦିବ୍ୟ ଫୁଲ
ତା’ ବାସ ଅବିନଶ୍ୱର !
ସୌରଭ ଲୋଭରେ ଜଗତ ଈଶ୍ୱର
ଚୁମ୍ୱନ୍ତି ହୋଇ ଭ୍ରମର
ଫଳଇ ଅମୃତ-ପୂର୍ଣ୍ଣ ଯଶଫଳ
ଭକ୍ଷଣେ ନର ଅମର ।” (ମହିମା)

ତା’ପରେ

ଲୋକପ୍ରିୟ ଲେଖା

To Top