ପ୍ରବନ୍ଧ

ଧର୍ମାନ୍ତରୀକରଣ : ଏକ ବିବେଚନ

Dr Chhayakanta Sarangi's odia prose Dharmaantikarana Eka Bibechan

ଜଣେ ଅବ୍ରାହ୍ମଣ ବ୍ରାହ୍ମଣର କର୍ମ କଲେ ତାକୁ ବ୍ରାହ୍ମଣ ବୋଲି ସମାଜ ଗ୍ରହଣ କରୁଥିଲା । ଏଣୁ ମାତଙ୍ଗ, ବଶିଷ୍ଠ, ସତ୍ୟକାମ ଇତ୍ୟାଦି ଋଷିମାନେ ଅବ୍ରାହ୍ମଣ ଗର୍ଭରେ ଜନ୍ମ ହୋଇଥିଲେ ମଧ୍ୟ କର୍ମାନୁସାରେ ବ୍ରାହ୍ମଣ ଭାବରେ ସ୍ୱୀକୃତ ହୋଇଥିଲେ

ଧର୍ମାନ୍ତରୀକରଣ : ଏକ ବିବେଚନ

-: ପୂର୍ବରୁ :-

ପୂର୍ବ ନିବନ୍ଧରେ କୁହାଯାଇଛି ଯେ ଧର୍ମର କ୍ଷେତ୍ର ହେଉଛି ହୃଦୟ ।”ଧର୍ମ” କହିଲେ “ପ୍ରବୃତ୍ତି”କୁ ବୁଝାଏ । ପ୍ରତ୍ୟେକ ମଣିଷର ଏକ ପ୍ରବୃତ୍ତି ରହିଛି । ତାହା ହେଉଛି ତା’ର ଧର୍ମ । ମହାଭାରତରେ ଅର୍ଜୁନଙ୍କ କ୍ଷାତ୍ର ପ୍ରବୃତ୍ତି ଥିଲା । ଏଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କ କ୍ଷାତ୍ର ପ୍ରବୃତ୍ତି ତ୍ୟାଗ ନ କରିବା ପାଇଁ ଉପଦେଶ ଦେଇ କହିଥିଲେ-“ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ ।” ଅର୍ଥାତ୍ “ନିଜ ଧର୍ମରେ ମରିବା ଶ୍ରେୟସ୍କର, ପରଧର୍ମ ଭୟାବହ ଅଟେ ।” ଏଠାରେ ଧର୍ମ କହିଲେ ହିନ୍ଦୁ ଧର୍ମ, ଖ୍ରୀଷ୍ଟିଆନ୍ ଧର୍ମ ବା ମୁସଲମାନ ଧର୍ମ କଥା କୁହାଯାଇ ନାହିଁ । ଏଠାରେ ଚାରିତ୍ରିକ ଗୁଣ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ନିଜର ସ୍ୱଭାବସିଦ୍ଧ ଧର୍ମକୁ ପରିବର୍ତ୍ତନ କରନ୍ତି ତାହା ସେମାନଙ୍କ ପାଇଁ ଭୟାବହ ହୋଇପଡ଼େ । ଏ ପ୍ରସଙ୍ଗରେ ସାରଳା ମହାଭାରତର ଏକ କାହାଣୀ ପ୍ରଣିଧାନ ଯୋଗ୍ୟ ।

ଜଣେ ଗରିବ ଲୋକ ଶୁଖିଲା କାଠ ସଂଗ୍ରହ କରି ବିକ୍ରି କରେ ଓ ସେଥିରୁ ଯାହା ଅର୍ଥ ରୋଜଗାର କରେ ସେଥିରେ ଚଳିଯାଏ । ଥରେ କ୍ରମାଗତ ବହୁଦିନ ଧରି ବର୍ଷା ଲାଗି ରହିଲା । ତା’ର ସମସ୍ତ ସଞ୍ଚିତ କାଠ ସରିଗଲା । ଶେଷରେ ଜୀବନ ଧାରଣ କରିବା ମଧ୍ୟ ତା’ ପାଇଁ ଅସମ୍ଭବ ହୋଇ ପଡ଼ିଲା । ହଠାତ୍ ତା’ର ମନେ ପଡ଼ିଲା ଗାଁର ମନ୍ଦିର ଭିତରେ ଦେବତାଙ୍କର ମୂର୍ତ୍ତିଟି କାଠରେ ତିଆରି । ତାକୁ ଚିରି ଦେଇ ବିକ୍ରି କଲେ କିଛି ଦିନ ଚଳି ଯାଇ ହେବ । ଏହା ଭାବି ସେ ଲୋକଟି କୁରାଢ଼ି ଧରି ମନ୍ଦିର ଭିତରକୁ ପଶିଲା ଓ କାଠ ମୂର୍ତ୍ତିଟିକୁ ଚିରିବା ପାଇଁ ଉଦ୍ୟତ ହେଲା । ଏହି ସମୟରେ ସେ ଶୁଣିଲା ଏକ ଦୈବବାଣୀ, ଏହି ମୂର୍ତ୍ତିକୁ ଚିରନା । ଯା’ ନଈରେ ହାତକୁ ମୁଠା କରି ବୁଡ଼ିବୁ ଓ ଉପରକୁ ଉଠି ହାତ ଖୋଲିଲେ ସ୍ୱର୍ଣ୍ଣମୁଦ୍ରା ପାଇବୁ । ଦୈବବାଣୀ ଶୁଣି ଗରିବ ଲୋକଟି ଆଶ୍ୱସ୍ତ ହେଲା ଓ କାଠ ମୂର୍ତ୍ତିକୁ ନ ଚିରି ଫେରି ଆସିଲା । ତା’ ପରଦିନ ସକାଳୁ ସେ ନଈକୁ ଗଲା ଓ ହାତ ମୁଠା କରି ବୁଡ଼ିଲା । ସତକୁ ସତ ଉପରକୁ ଉଠି ହାତ ଖୋଲି ଦେଖିଲା ଏକ ସ୍ୱର୍ଣ୍ଣମୁଦ୍ରା । ସେ ପ୍ରତ୍ୟହ ସେହିଭଳି ସ୍ନାନ କରି ଅନେକ ସ୍ୱର୍ଣ୍ଣମୁଦ୍ରା ପାଇଲା ଓ ଜଣେ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ ହେଲା । ଜଣେ ପଣ୍ଡିତ ଥିଲେ ତା’ର ପଡ଼ୋଶୀ । ସେହି ପଣ୍ଡିତଙ୍କ ସ୍ତ୍ରୀ ମଧ୍ୟ ଧନୀ ହେବାର ସ୍ୱପ୍ନ ଦେଖିଲେ ଓ ସେହି ପୂର୍ବ ଗରିବ ଲୋକର ସ୍ତ୍ରୀଠାରୁ ଧନୀ ହେବାର ରହସ୍ୟ ବୁଝିଆସିଲେ । ସେ ତାଙ୍କ ସ୍ୱାମୀଙ୍କୁ କହିଲେ,”ତୁମେ କୁରାଢ଼ି ଧରି ଯାଅ, ମନ୍ଦିରରେ ଥିବା ଦେବତାଙ୍କ କାଠ ମୂର୍ତ୍ତିକୁ ଚିରିବା ପାଇଁ ଉଦ୍ୟତ ହୁଅ । ଆମର ଭାଗ୍ୟ ବଦଳିଯିବ । ସ୍ତ୍ରୀ କଥା ମାନି ପଣ୍ଡିତ ମନ୍ଦିର ଭିତରକୁ ପଶିଲେ । କିନ୍ତୁ ମୂର୍ତ୍ତି ଚିରିବା ପାଇଁ କୁରାଢ଼ି ଉଠାଇବା ପାଇଁ ଉଦ୍ୟତ ହୁଅନ୍ତେ ତାଙ୍କର ହାତ ଥରି ଉଠିଲା ଓ ସେ ସଙ୍ଗେ ସଙ୍ଗେ ମୂର୍ଚ୍ଛା ଗଲେ । କାହାଣୀଟିର କେନ୍ଦ୍ରୀୟ ବକ୍ତବ୍ୟ ହେଲା ଯେ ପ୍ରଥମ ଗରିବ ବ୍ୟକ୍ତିର ଚେତନା ଓ ପଣ୍ଡିତଙ୍କ ଚେତନା ମଧ୍ୟରେ ପାର୍ଥକ୍ୟ ଥିଲା । ଗରିବ ଲୋକଟି ମୂର୍ଖ ଓ ବିବେକଶୂନ୍ୟ ଥିଲା । ଏଣୁ ସେ ଅଚିରରେ କାଠ ମୂର୍ତ୍ତିଟିକୁ ଚିରି ଦେଇପାରିଥାନ୍ତା । ମାତ୍ର ପଣ୍ଡିତଙ୍କ ଚେତନା ବିକଶିତ ଥିଲା । ସେ ତା’ ଭଳି ମୂର୍ଖ ଓ ବିବେକଶୂନ୍ୟ ନଥିଲେ । ସେ ନିଜ ଧର୍ମ ଛାଡ଼ି ମୂର୍ଖ ଓ ବିବେକଶୂନ୍ୟ ସେହି ଗରିବର ଧର୍ମକୁ ଅବଲମ୍ୱନ କରିବା ପାଇଁ ଉଦ୍ୟତ ହେଲେ । ମାତ୍ର ତାଙ୍କର ସ୍ୱଧର୍ମ ତାଙ୍କୁ ସେହି କାର୍ଯ୍ୟ କରିବାକୁ ଦେଲା ନାହିଁ । ତାହା ତାଙ୍କୁ ଭୟାବହ ଅନୁଭବ ହେଲା । ଠିକ୍ ଏହି ମର୍ମରେ ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରଧର୍ମ ଭୟାବହ ବୋଲି କହିଛନ୍ତି ।

ସ୍ୱଧର୍ମକୁ ଗୀତାରେ ସହଜ କର୍ମ ବୋଲି କୁହାଯାଇଛି । ଅବଶ୍ୟ ଗୀତାର ସ୍ୱଧର୍ମ ତତ୍କାଳୀନ ବର୍ଣ୍ଣ ବ୍ୟବସ୍ଥା ସହ ସଂଶ୍ଳିଷ୍ଟ । ଶ୍ରୀକୃଷ୍ଣଙ୍କ କହିବା ଅନୁଯାୟୀ ନିରପେକ୍ଷ କ୍ଷାତ୍ର କର୍ମ ହିଁ ଅର୍ଜୁନଙ୍କ ସ୍ୱଧର୍ମ । କ୍ଷତ୍ରିୟର ସ୍ୱଭାବଜ କର୍ମ ହେଲା ବୀରତ୍ୱ, ତେଜ, ଧୈର୍ଯ୍ୟ, ଦକ୍ଷତା, ଯୁଦ୍ଧରେ ପଛଘୁଞ୍ଚା ନ ଦେବା, ଦାନ ଦେବା ଓ ଶାସନ କରିବା (୧୮/୪୭) ସମାଜରେ ସମସ୍ତ ପ୍ରକାର କର୍ମର ଆବଶ୍ୟକତାକୁ ଉପଲବ୍ଧି କରି ଚତୁଃବର୍ଣ୍ଣ ପ୍ରଥାର ପ୍ରଚଳନ ହୋଇଥିଲା । ମାତ୍ର ସ୍ୱାଭାବିକ୍ ଗୁଣ ଓ କର୍ମ ଅନୁସାରେ ହିଁ ବର୍ଣ୍ଣ ବିଭାଜନ ହୋଇଥିଲା । ଜଣେ ଅବ୍ରାହ୍ମଣ ବ୍ରାହ୍ମଣର କର୍ମ କଲେ ତାକୁ ବ୍ରାହ୍ମଣ ବୋଲି ସମାଜ ଗ୍ରହଣ କରୁଥିଲା । ଏଣୁ ମାତଙ୍ଗ, ବଶିଷ୍ଠ, ସତ୍ୟକାମ ଇତ୍ୟାଦି ଋଷିମାନେ ଅବ୍ରାହ୍ମଣ ଗର୍ଭରେ ଜନ୍ମ ହୋଇଥିଲେ ମଧ୍ୟ କର୍ମାନୁସାରେ ବ୍ରାହ୍ମଣ ଭାବରେ ସ୍ୱୀକୃତ ହୋଇଥିଲେ । ଠିକ୍ ସେହିପରି କେବଳ କ୍ଷତ୍ରିୟ ପରିବାରରେ ଜନ୍ମ ହୋଇଥିଲେ ବୋଲି ଅର୍ଜୁନ ଏକ କ୍ଷତ୍ରିୟର କର୍ମ କରିଥିଲେ । କ୍ଷାତ୍ରବୃତ୍ତି ତାଙ୍କ ସ୍ୱଭାବସିଦ୍ଧ ଥିଲା । ଏଣୁ ସ୍ୱଜନ ପ୍ରତି ଆସକ୍ତିଜନିତ ମୋହ ହେତୁ ସେ ଯୁଦ୍ଧରୁ କ୍ଷାନ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ସ୍ୱାଭାବିକ୍ କ୍ଷାତ୍ରବୃତ୍ତିର ଅଧୀନ ହୋଇଥାନ୍ତେ । ଏହା ଶ୍ରୀକୃଷ୍ଣ ଭଲ ଭାବରେ ଜାଣିଥିଲେ ଓ ଅର୍ଜୁନଙ୍କୁ କହିଥିଲେ, ଅହଂକାରର ଆଶ୍ରୟ ନେଇ ତୁମେ ଯୁଦ୍ଧ କରିବ ନାହିଁ ବୋଲି ଯାହା ମନସ୍ଥ କରିଛ ତୁମର ଏହି ବିଶ୍ୱାସ ସମ୍ପୂର୍ଣ୍ଣ ମିଥ୍ୟା, କାରଣ କ୍ଷାତ୍ର ପ୍ରକୃତି ତୁମକୁ ଯୁଦ୍ଧରେ ନିୟୋଜିତ କରିବ । (୧୮/୫୯) ଶ୍ରୀକୃଷ୍ଣଙ୍କ କହିବା ଉଦ୍ଦେଶ୍ୟ ହେଲା ଯେଉଁ ସ୍ୱାଭାବିକ୍ କ୍ଷାତ୍ର ବୃତ୍ତିରୁ ଅର୍ଜୁନଙ୍କ କ୍ଷାନ୍ତି ନାହିଁ, ସେହି ବୃତ୍ତିକୁ ନିରପେକ୍ଷ, ନିରାସକ୍ତ ଓ ନିର୍ଲିପ୍ତ ଭାବରେ ସମ୍ପାଦନ କରିବା ତାଙ୍କର କର୍ତ୍ତବ୍ୟ । ଆଜି ଅନେକ ଅର୍ଜୁନଙ୍କ ଭଳି ମୋହଗ୍ରସ୍ତ ହୋଇ ନିଜର ଧର୍ମ ତ୍ୟାଗ କରି ଅନ୍ୟ ଧର୍ମ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଧର୍ମ କେବେ ପରିବର୍ତ୍ତନ କରାଯାଇପାରେ ନାହିଁ । ଏକ ନିର୍ଦ୍ଦିଷ୍ଟ ପରମ୍ପରା ଓ ସଂସ୍କାର ମଧ୍ୟରେ ପ୍ରକାଶ ପାଇଥିବା ପ୍ରବୃତ୍ତିକୁ କ୍ଷଣିକ ପ୍ରଲୋଭନରେ ବଶବର୍ତ୍ତୀ ହୋଇ ପରିବର୍ତ୍ତନ କରିବା ଏକ ପ୍ରହସନ ଓ ଆତ୍ମପ୍ରବଞ୍ଚନା । ଏଣୁ ଯେଉଁମାନେ ଆଜି ହିନ୍ଦୁ ଧର୍ମ ତ୍ୟାଗ କରି ଅନ୍ୟ ଧର୍ମ ପ୍ରତି ଆକୃଷ୍ଟ ହେଉଛନ୍ତି ଓ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ହୃଦୟଙ୍ଗମ କରିବା ଉଚିତ୍ ଯେ ସବୁବେଳେ ପରଧର୍ମ ଭୟାବହ ଅଟେ । ଉପଯୁକ୍ତ କାହାଣୀର ପଣ୍ଡିତ ଓ ଗୀତାର ଅର୍ଜୁନ ଏହି ଅନୁଭବର ଜଣେ ଜଣେ ଉଦାହରଣ । ଏଣୁ ଶ୍ରୀକୃଷ୍ଣଙ୍କ ଭାଷାରେ ନିଜ ଧର୍ମକୁ ନିଷ୍କାମ, ନିରାସକ୍ତ ଓ ଅହଂକାରଶୂନ୍ୟ ଭାବରେ ପାଳନ କରିବା ହିଁ ମଣିଷର କର୍ତ୍ତବ୍ୟ । ଧର୍ମାନ୍ତରୀକରଣ ଏକ ପ୍ରହସନ ଓ ଆତ୍ମପ୍ରବଞ୍ଚନା ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top