ଗଳ୍ପ

ଆତ୍ମା

Dr Bijaya Kumar Mishra's odia story Aatmaa

ତୋ ଭଲି ଲମ୍ପଟଟାଏ ଯେତେବେଳେ ନଶ୍ୱର ଶରୀର, ଭାସ୍ୱର ଆତ୍ମା ଭଳି ଟପିକ୍ ଉପରେ ଭାଷଣ ଦିଏ, ମନେ ହୁଏ ବିରାଡ଼ି ବୈଷ୍ଣବ ଉପାଧିଟା ତୋ ପାଇଁ ହିଁ ଉପଯୁକ୍ତ ।

ଆତ୍ମା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସେଦିନ ରାତିରେ ଜହ୍ନ ସଡ଼କ ପାର୍ଶ୍ୱସ୍ଥିତ ବକ୍ଷମାନଙ୍କଠାରୁ ଛାୟା ଧାର ମାଗି ନେଇ ସଡ଼ ଉପରେ ବିଛାଇ ଦେଇଥିଲା । ଅଜିତ ନିଜ ଟଳମଳ ପାଦ ଦୁଇଟିକୁ କାବୁ କରି ନିଜ କାର୍ ଆଡ଼କୁ ଅଗ୍ରସର ହେବାକୁ ଚେଷ୍ଟା କରୁ କରୁ ବୁଲା କୁକୁରଟାଏ ଲାଙ୍ଗୁଡ଼ ହଲେଇ ହଲେଇ ତା’ ଚତୁଃପାର୍ଶ୍ୱରେ ପରିକ୍ରମା କରିବାକୁ ଲାଗିଲା । ବୁଲା କୁକୁରମାନଙ୍କର ଏତାଦୃଶ ଆଚରଣ ଦେଖିଲେ ମନେ ହୁଏ ସତେ ଯେପରି ସେମାନେ ନିଜ ପାଇଁ ମାଲିକଟିଏ ଯୋଗାଡ଼ କରିନେବାକୁ ସର୍ବଦା ବ୍ୟଗ୍ର । ଅଜିତ୍ ବିରକ୍ତ ହୋଇ କୁକୁରଟାକୁ ପଦାଘାତ କଲା । କୁକୁରଟା ରିଜେକ୍ସନ୍‌ର ଗ୍ଲାନି ମନରେ ନେଇ ଅଜିତ୍‌କୁ ଗାଳି ଦେଇ ଦେଇ କିଛି ଦୂରକୁ ଅପସରି ଗଲା ।

ଅଜିତ୍‌ର ଗତିବିଧି ଲକ୍ଷ୍ୟ କରି ପଛରୁ ସୁରେଶ ଚିନ୍ତା ବ୍ୟକ୍ତ କଲା, “ଆର ୟୁ ସିୟୋର୍- ତୁ ଗାଡ଼ି ଚଲେଇ ଯାଇପାରିବୁ ? ନିଶା ଟିକେ ଅଧିକ ହୋଇଯାଇଛି ଲାଗୁଛି ।”

ଚିନ୍ତା କରନା । ମୁଁ ଆରାମରେ ଯାଇ ପାରିବି ।

ଆଜିର ସେମିନାର୍‌ରେ ତୋ ଭାଷଣଟା ବେଶ ଭଲ ହେଲା । ଚମତ୍କାର ଟପିକ୍ ନଶ୍ୱର ଶରୀର, ଭାସ୍ୱର ଆତ୍ମା । ଶ୍ରୋତାମାନଙ୍କ ପ୍ରଶଂସା ଓ ତାଳିର ସୀମା ନଥିଲା ।

ମୋ ନଜର କିନ୍ତୁ କେବଳ ଗୋଟିଏ ଶ୍ରୋତା ଉପରେ ଥିଲା । ତୋ ପାଖ ସିଟ୍‌ରେ ବସିଥିବା ଝିଅଟି ଉପରେ । ଏଭଳି ସୌନ୍ଦର୍ଯ୍ୟ ମୁଁ ଆଗରୁ କେବେ ଦେଖି ନାହିଁ ।

ସୁରେଶ ଆଶ୍ଚର୍ଯ୍ୟ ପ୍ରକଟ କଲା, କିନ୍ତୁ ମୋ ପାଖ ସିଟ୍ ତ ଖାଲି ଥିଲା ।

ମୋତେ ଲାଗୁଛି ମୋର ନୁହଁ, ବରଂ ତୋର ନିଶା ଟିକିଏ ଅଧିକ ହୋଇଯାଇଛି । ଝିଅଟିର ସୌନ୍ଦର୍ଯ୍ୟକୁ ମୋ ଆଖି ପୂରା ସନ୍ଧ୍ୟା ଉପଭୋଗ କରିଛି । ଆଉ ତୁ କହୁଛୁ ତୋ ପାଖ ସିଟ୍ ଖାଲି ଥିଲା ।

ସୁରେଶ ଯୁକ୍ତି ନ କରି କଥାର ମୋଡ଼ ବଦଳାଇଲା । ତୋ ଭଲି ଲମ୍ପଟଟାଏ ଯେତେବେଳେ ନଶ୍ୱର ଶରୀର, ଭାସ୍ୱର ଆତ୍ମା ଭଳି ଟପିକ୍ ଉପରେ ଭାଷଣ ଦିଏ, ମନେ ହୁଏ ବିରାଡ଼ି ବୈଷ୍ଣବ ଉପାଧିଟା ତୋ ପାଇଁ ହିଁ ଉପଯୁକ୍ତ ।

ଦୁହେଁ ହସି ଉଠିଲେ । ଅଜିତ୍ କହିଲା, “ମୁଁ ଯଦି ଭାଷଣ ଦେବା ପୂର୍ବରୁ ଦୁଇ ପେଗ୍ ନିଅନ୍ତି, ତେବେ ମୋ ଭାଷଣର ଫିଲୋସଫିଗୁଡ଼ାକ ଆହୁରି ଭଲ ହୁଅନ୍ତା ।”

ନିଶ୍ଚୟ, ନିଶ୍ଚୟ, କାରଣ କିଛି ପେଗ୍ ନେଲା ପରେ ତ ଯେ କେହି ବି ଆପଣା ଛାଏଁ ଫିଲୋସଫର୍ ପାଲଟି ଯାଏ । ଏ ଥର ଦୁହେଁ ଖୁବ୍ ଜୋର୍‌ରେ ଅଟ୍ଟହାସ୍ୟ କଲେ । ରିଜେକ୍ସନ୍ ଗ୍ଲାନି ଭୋଗୁଥିବା କୁକୁରଟା ସେମାନଙ୍କ ଖୁସିରେ ଈର୍ଷାପରାୟଣ ହୋଇ ଅନବରତ ଭୁକି ଚାଲିଲା, ଉଭୟ ଅଜିତ୍ ଓ ସୁରେଶ ନିଜ ନିଜସ୍ୱ କାର୍‌ରେ ସେଠାରୁ ଚାଲି ନ ଯିବା ପର୍ଯ୍ୟନ୍ତ ।

ଦିନ ତମାମ ସହରର ଟ୍ରାଫିକ୍‌କୁ ବରଦାସ୍ତ କରି କରି ଏବେ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରୁଥିବା ସଡ଼କଗୁଡ଼ାକୁ ପୁନର୍ବାର ହଇରାଣ ହରକତ କରି ଅଜିତ୍‌ର କାର୍‌ଟି ଅଗ୍ରସର ହେବାକୁ ଲାଗିଲା । ଅଜିତ୍ ଯନ୍ତ୍ରବତ୍ କାର୍ ଚଳାଉଥାଏ, କିନ୍ତୁ ତା’ର ଅବଚେତନ ମନରେ ବାରମ୍ୱାର ଉଙ୍କି ମାରୁଥାଏ ସୁରେଶର ପାଖ ସିଟ୍‌ରେ ବସିଥିବା ସେହି ତରୁଣୀଟିର ଛବି ।

ଅଜିତ୍ର କାର୍ ଓଭର୍‌ବ୍ରିଜ୍ ଆରୋହଣ କରିବାର ଉପକ୍ରମ କରୁ କରୁ କ୍ଷଣଟିଏ ପାଇଁ ସେ ଭୟ ଅନୁଭବ କଲା । ଏହି ଓଭର୍‌ବ୍ରିଜ୍ ପାର୍ଶରେ ଅବସ୍ଥିତ ଗୋଦାମ ଘରଗୁଡ଼ିକ ସମ୍ପର୍କରେ ପ୍ରଚଳିତ ଥାଏ ଅନେକ ଭୌତିକ କିମ୍ୱଦନ୍ତୀ । କିନ୍ତୁ ସେ ଆଉ କିଛି ଭାବି ପାରିବା ପୂର୍ବରୁ ହଠାତ୍ ହେଡ୍ ଲାଇଟ୍ର ଆଲୋକରେ ଦୃଷ୍ଟିଗୋଚର ହେଲା ଏକ ମାନବ ଆକୃତି । ତତ୍‌କ୍ଷଣାତ୍ ଅଜିତ୍‌ର ପାଦ ବ୍ରେକ୍ କଷିଲା ।

ଅଜିତ୍‌କୁ ଆଶ୍ଚର୍ଯ୍ୟ ହେବାର ଖୋରାକ ଯୋଗାଇ ଲିଫ୍ଟ ମାଗିବା ଭଙ୍ଗୀରେ ଛିଡ଼ା ହୋଇଥିଲା ସେ ଦିନ ସନ୍ଧ୍ୟାରେ ସୁରେଶ ପାଖ ସିଟ୍‌ରେ ବସିଥିବା ସେହି ତରୁଣୀଟି । ଅଜିତ୍ ଓ ତରୁଣୀଟି ମଧ୍ୟରେ ବାକ୍ୟ ବଦଳରେ କେବଳ ସ୍ମିତହାସ୍ୟ ବିନିୟମ ହେଲା । ପର କ୍ଷଣରେ ତରୁଣୀଟି କାର୍‌ରେ ପ୍ରବେଶ କରି ଅଜିତ୍‌ର ପାଖ ସିଟ୍‌ରେ ବସି ସାରିଥିଲା ।

ଅଜିତ୍ ତରୁଣୀଟିର ପରିଧାନର ସ୍ୱଳ୍ପତା ଲକ୍ଷ୍ୟ କଲା । କହିଲା, “ଘଟଣାଟା କୌଣସି ଚଳଚ୍ଚିତ୍ର କାହାଣୀ ଭଳି ଲାଗୁଛି ।”

ତରୁଣୀଟି ପଚାରିଲା, “କେଉଁ ଘଟଣାଟା ?”

ଅନ୍ଧାର ରାତି ! ଶୂନ୍‌ଶାନ ସଡ଼କ ! ଯୁବକଟିଏ ଏକା କାର୍ ଚଳେଇ ଯାଉଛି । ସୁନ୍ଦର ଯୁବତୀଟିଏ ଲିଫ୍ଟ ମାଗୁଛି. . . ।

ତରୁଣୀଟି ହସି ଦେଇ କହିଲା, “ତୁମେ ମୋ ସୌନ୍ଦର୍ଯ୍ୟର ସିଧାସଳଖ ପ୍ରଶଂସା କରିପାର । କାହାଣୀର ସାହାଯ୍ୟ ନେବା ଦରକାର ନାହିଁ ।”

ସ୍ମାର୍ଟ ! କିନ୍ତୁ ଏତେ ରାତିରେ ଏକ ନିଛାଟିଆ ସ୍ଥାନରେ କ’ଣ କରୁଥିଲ ?

ଡ୍ୟୁଟି ସାରି ଫେରୁଥିଲି । ମୋ କ୍ଲାଏଣ୍ଟ ମୋତେ ଏହି ପର୍ଯ୍ୟନ୍ତ ଲିଫ୍ଟ ଦେବାକୁ ରାଜି ହେଲା । କାମ ଆଦାୟ ହୋଇଗଲା ପରେ କିଏ କାହାକୁ ପଚାରେ ?

ତୁମ ଅଫିସ୍ କେଉଁଠି ?

କ୍ଲାଏଣ୍ଟ୍ ଯେବେ ଯେଉଁଠି ଚାହିଁଲା, ସେବେ ସେଇଠି ମୋ ଅଫିସ୍ ।

ମାନେ ? ତୁମେ କି କାମ କର କି ?

ତରୁଣୀଟି ପୁନଶ୍ଚ ହସିଲା । ତୁମେ ଏତେ ବୁଦ୍ଧୁ ତ ନୁହଁ ଯେ ମୁଁ କି କାମ କରେ ତାହା ତୁମେ ଏବେ ବି ଅନୁମାନ କରିପାରୁ ନାହିଁ ।

ଅଜିତ୍ ମଧ୍ୟ ହସିଲା । ବୁଝିଲି ! ମୁଁ ବେକାରଟାରେ ଏତେ ବେଳ ଯାଏଁ ସଙ୍କୋଚ କରୁଥିଲି ।

କେଉଁ ପ୍ରକାର ସଙ୍କୋଚ ?

ତୁମକୁ ଲିଫ୍ଟ ଦେବା ପ୍ରତିବଦଳରେ କିଛି ପ୍ରତ୍ୟୁପକାର ଆଶା କରିବାରେ ସଙ୍କୋଚ ।

କେଉଁ ପ୍ରକାର ପ୍ରତ୍ୟୁପକାର ଚାହୁଁଛ ?

ଏବେ ତୁମେ ବି ତ ଏତେ ବୁଦ୍ଧୁ ନୁହଁ ଯେ ମୁଁ କ’ଣ ଚାହୁଁଛି ତାହା ତୁମେ ଅନୁମାନ କରିପାରୁ ନାହଁ ?

ଅନୁମାନ ତ କରିପାରୁଛି । କିନ୍ତୁ ବିଶ୍ୱାସ କରିପାରୁ ନାହିଁ । ଆତ୍ମା ମହାନ୍ ଓ ଶରୀର ତୁଚ୍ଛ ବୋଲି ଯିଏ କିଛି ସମୟ ପୂର୍ବରୁ ଭାଷଣ ଦେଉଥିଲା, ତା’ର ପୁଣି ସେହି ତୁଚ୍ଛ ଶରୀର ପାଇଁ ଏତେ ଆସକ୍ତି ।

ଭାଷଣ ଦେବାଟା ମୋର ପେସା । ଜରୁରୀ ନୁହଁ ଯେ ମଦ୍ୟ ବିକୁଥିବା ଲୋକଟି ନିଜେ ମଦ୍ୟପାନ କରୁଥିବ ବା କାର୍ ବିକୁଥିବ ସେଲ୍ସମ୍ୟାନ୍ ପାଖରେ ନିଜର ଗୋଟାଏ କାର୍ ଥିବ । ସେହି ଭଳି ଜ୍ଞାନ ବିକିବା ମୋ ପେସା । ସେହି ଜ୍ଞାନକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମୁଁ ବାଧ୍ୟ ନୁହେଁ । ବାକି ରହିଲା ଶରୀର ଓ ଆତ୍ମା କଥା । ମୁଁ କେବଳ ଶରୀରକୁ ବିଶ୍ୱାସ କରେ, ଆତ୍ମାକୁ ନୁହେଁ କାରଣ ଶରୀର ବିଦ୍ୟମାନ ଏବଂ ଆତ୍ମାର ଅସ୍ତିତ୍ୱରେ ଗୋଟାଏ ବିରାଟ ପ୍ରଶ୍ନବାଚୀ ।

ତା’ମାନେ ସେ ଓଭରବ୍ରିଜ୍ ପାଖରେ କେଉଁ ମୃତ ବ୍ୟକ୍ତିର ଆତ୍ମା ଥିବାର ଯାହା କୁହାଯାଏ, ତା’ ତୁମେ ବିଶ୍ୱାସ କର ନାହିଁ ।

ଅଜିତ୍ ଅଟ୍ଟହାସ୍ୟ କଲା । ମୁଁ ଆତ୍ମାରେ ହିଁ ବିଶ୍ୱାସ କରେ ନାହିଁ- ନା ଜୀବିତ, ନା ମୃତ । କିନ୍ତୁ ତୁମେ ବିଶ୍ୱାସ କର ବୋଧ ହୁଏ ?

ନିଶ୍ଚିତ ଭାବେ ।

ତେବେ ସେ ଓଭରବ୍ରିଜ୍ ପାଖରେ ଏକୁଟିଆ ଠିଆ ହେବାରେ ଭୟ ଲାଗୁ ନଥିଲା ।

ତରୁଣୀଟି ସିଗାରେଟ୍ଟାଏ ମୁହଁରେ ଦେଇ ସେଥିରେ ଅଗ୍ନି ସଂଯୋଗ କଲା । କାର୍‌ର ପୁସ୍‌ବ୍ୟାକ୍ ସିଟ୍‌କୁ ସାମାନ୍ୟ ପଛକୁ ଠେଲି ଦେଇ ଆରାମରେ ବସି କହିଲା, “ଭୟ !” କ୍ୟାନସର୍‌ର ଭୟ, ତଥାପି ସିଗାରେଟ୍‌ର ଲୋଭ । ପ୍ରେତାତ୍ମାର ଭୟ, ତଥାପି ପେଟର ଭୋକ ଲୋଭ । ବିଫଳତାର ଭୟ, ତଥାପି ସଫଳତାର ଲୋଭ । ଭୟ ଏବଂ ଲୋଭ ମଧ୍ୟରେ ଅହରହ ଚାଲୁଥିବା ଯୁଦ୍ଧକୁ ପରିଣାମ ଉପରେ ହିଁ ତ ସମସ୍ତଙ୍କ ଭାଗ୍ୟ ନିର୍ଭର କଲେ ।

ଆଲୋଚନାଟା ଗମ୍ଭୀର ମୋଡ଼ ନେଉଥିବାର ଦେଖି ପରିସ୍ଥିତି ଟିକିଏ ହାଲୁକା କରିବାକୁ ଅଜିତ୍ ରେଡ଼ିଓ ଚାଲୁ କଲା । କାର୍ ଭିତରକୁ ପଶି ଆସୁଥିବା ଶୀତଳ ପବନ, ରେଡ଼ିଓରେ ସୁମଧୁର ସଙ୍ଗୀତର ମୂର୍ଚ୍ଛନା ଓ ତରୁଣୀଟିର ସାନ୍ନିଧ୍ୟ ସଂଘବଦ୍ଧ ଭାବେ ଅଜିତ୍‌ର ନିଶାକୁ ଦ୍ୱିଗୁଣିତ କରି ତୋଳୁଥିଲେ । କିନ୍ତୁ ହଠାତ୍ ଏକ ଭୟ ଅଜିତ୍‌ର ମନକୁ ଆଲିଙ୍ଗନ କଲା । ସେ ଭୟରେ ଥରି ଉଠୁଥିବା ନିଜ ହାତଟିକୁ ତରୁଣୀଟିକୁ ଛୁଇଁବା ନିମନ୍ତେ ବଢ଼ାଇଲା ।

ତରୁଣୀଟି ତାହା ଦେଖିପାରି ମୃଦୁ ହସି ଦେଇ କହିଲା, “କ’ଣ ହେଲା ? ଲିଫ୍ଟ ଦେଇଥିବାର ପ୍ରତ୍ୟୁପକାର ଆଦାୟ କରିବାକୁ ଚେଷ୍ଟା କରୁଛ ନା ମୁଁ ପ୍ରେତାତ୍ମା କି ନୁହଁ ଛୁଇଁ କରି ପରୀକ୍ଷା କରିବାକୁ ଚାହୁଁଛ ?”

ଅଜିତ୍ ନିଜ ଚୋରି ଧରା ପଡ଼ି ଯାଇଥିବାର ଦେଖି ତରୁଣୀଟିକୁ ନ ଛୁଇଁ ହାତ ପଛକୁ ଫେରାଇ ଆଣିଲା । ତରୁଣୀଟି ପୁଣି ହସି ଦେଇ କହିଲା, “ତୁମେ ତ କହୁଥିଲ ତୁମେ ଆତ୍ମା ଓ ପ୍ରେତାତ୍ମାରେ ବିଶ୍ୱାସ କର ନାହିଁ ବୋଲି । ତେବେ ଭୟ କାହିଁକି କରୁଛ ? ଭୟ କରନି । ମୁଁ କୌଣସି ପ୍ରେତାତ୍ମା ନୁହଁ ।”

ଅଜିତ୍ ତଥାପି ତରୁଣୀଟି ପ୍ରେତାତ୍ମା ହୋଇଥିବାର ସମ୍ଭାବନାକୁ ନିଜ ମନରୁ ପୂରାପୁରି ଏଡ଼ାଇ ପାରିଲା ନାହିଁ । ନିଜ ଭୟ ଲୁଚାଇବାକୁ ଚେଷ୍ଟା କରି କହିଲା, “ନା, ନା, ମୁଁ ଭୟ କରୁନି । ତେବେ ତୁମେ କିଏ ? ତୁମ ନାଁ କ’ଣ ?”

ଏମିତି ତ ମୋର କିଛି ନାଁ ନାହିଁ । କିନ୍ତୁ ତୁମେ ମୋତେ ଅଜିତ୍ ବୋଲି ଡାକି ପାର ।

ଭଲ ଥଟ୍ଟା କରୁଛ । ମୁଁ ତୁମ ନାଁ ପଚାରୁଛି ମୋ ନାଁ ନୁହେଁ ।

ତୁମ ଓ ମୋ ଭିତରେ କ’ଣ କିଛି ପାର୍ଥକ୍ୟ ଅଛି ? ତୁମେ ଓ ମୁଁ ତ ଏକ ଓ ଅଭିନ୍ନ !

ମୋତେ ଲାଗୁଛି ତୁମକୁ ବି ନିଶା ହୋଇଯାଇଛି । ତାହା ନ ହେଲେ ଏମିତି ପାଗଳଙ୍କ ଭଳି କଥା କୁହନ୍ତ ନାହିଁ । ସଫା ସଫା କୁହ ତୁମେ କିଏ ?

କହିଲି ତ – ତୁମେ ଯିଏ, ମୁଁ ସିଏ ।

ମାନେ ?

ମାନେ ମୁଁ ତୁମ ନିଜ ଆତ୍ମା ।

ଅଜିତ୍‌ର ଚେହେରାରେ ବିସ୍ମୟ ଓ ବିରକ୍ତିର ମିଶ୍ରିତ ଭାବ ଦେଖା ଦେଲା । କହିଲା, “ଏବେ ତୁମେ ମୋତେ ବିରକ୍ତ କରୁଛ । ଥଟ୍ଟା କରିବାର ଗୋଟାଏ ସୀମା ଥାଏ ।”

ତରୁଣୀଟି ଏଥର ଗମ୍ଭୀର ହୋଇ କହିଲା, “ମୁଁ ଥଟ୍ଟା କରୁନି । ଆଚ୍ଛା, ମୋର ଗୋଟାଏ ପ୍ରଶ୍ନର ଜବାବ୍ ଦିଅ । ସେମିନାର୍‌ରେ ତୁମେ ମୋତେ ତୁମ ବନ୍ଧୁ ସୁରେଶର ପାଖ ସିଟ୍‌ରେ ବସିଥିବାର ଦେଖିଲ । କିନ୍ତୁ ସେ ଦେଖି ପାରିଲାନି । କାହିଁକି ।

ଅଜିତ୍ ଚୁପ୍ ରହିଲା ।

ତରୁଣୀଟି ନିଜ ପ୍ରଶ୍ନର ଜବାବ୍ ନିଜେ ଦେଲା । କାରଣ ମୁଁ ତୁମ ଆତ୍ମା । ମୋତେ କେବଳ ତୁମେ ଅନୁଭବ କରିପାରିବ, ଅନ୍ୟ କେହି ନୁହଁ ।

ଅଜିତ୍ ଏକ ଅଭୂତପୂର୍ବ ଭୟରେ ଶିହରି ଉଠିଲା । ନିଜ ଉପରେ ସନ୍ଦୀହାନ ହୋଇ ଉଠିଲା । କହିଲା, “କିନ୍ତୁ ମୁଁ ତ ପୁରୁଷ ଓ ତୁମେ ଜଣେ ନାରୀ । ତେବେ ତୁମେ କେମିତି ମୋ ଆତ୍ମା ହୋଇପାରିବ ?”

ତା’ ତ ତୁମ ଦୃଷ୍ଟିର ଭ୍ରମ ମାତ୍ର । ଶରୀର ପୁରୁଷ ବା ନାରୀର ହୋଇଥାଏ । ଆତ୍ମା କେବେ ପୁରୁଷ ବା ନାରୀ ନୁହେଁ । ଆତ୍ମା କେବଳ ଆତ୍ମା ।

ଅଜିତ୍ ବିଶ୍ୱାସ ଓ ଅବିଶ୍ୱାସର ଦ୍ୱନ୍ଦ୍ୱରେ ଦୋଳାୟମାନ ଅବସ୍ଥାରେ ଥିଲା । କହିଲା, “ତୁମେ ଏତେ ସୁନ୍ଦର । ତଥାପି ତୁମର ଏ ବାରାଙ୍ଗନାର ରୂପ କାହିଁକି ?”

ଈଶ୍ୱର ମୋତେ ଖୁବ୍ ସୁନ୍ଦର କରି ଗଢ଼ିଥିଲେ । କିନ୍ତୁ ମୋତେ ନିଜ ଲମ୍ପଟତାର ଶିକାର ବନାଇ ଓ କିଛି ଅର୍ଥ ଲୋଭରେ ଅନ୍ୟମାନଙ୍କ ପାଖରେ ବିକ୍ରି କରି ବାରାଙ୍ଗନା ବନାଇଲ ତୁମେ । ମୁଁ କହିଥିଲି ନା ଲୋଭ ଓ ଭୟ ମଧ୍ୟରେ ଚାଲୁଥିବା ଯୁଦ୍ଧର ପରିଣାମ ଉପରେ ହିଁ ସମସ୍ତଙ୍କ ଭାଗ୍ୟ ନିର୍ଭର କରେ । ତୁମ କ୍ଷେତ୍ରରେ ଅର୍ଥର ଲୋଭ ଓ ବିବେକର ଭୟ ମଧ୍ୟରେ ଯୁଦ୍ଧ ହେଲା । ଲୋଭ ଜିତିଗଲା ।

ଭୟର ଏକ ଅସ୍ୱସ୍ତିକର ଅନୁଭୂତିରେ ଅଜିତ୍ର ହାତ କାର୍‌ର ଷ୍ଟିଅରିଙ୍ଗ୍ ଉପରୁ ଶିଥିଳ ହୋଇ ଆସୁଥିଲା । ତଥାପି ସେ ସନ୍ଦେହ ପୋଷଣ କଲା, ତୁମେ ଯଦି ମୋ ଆତ୍ମା, ତେବେ ତୁମେ ମୋ ଠାରୁ ଅଲଗା ହୋଇ କିପରି ଅଛ ? ମୁଁ ତୁମଠାରୁ ଅଲଗା ହୋଇ ଜୀବିତ କିପରି ଅଛି ?

କହିଲି ନା- ଏ ସବୁ ତ ତୁମ ଦୃଷ୍ଟିର ଭ୍ରମ ମାତ୍ର । ମୁଁ ତୁମଠାରୁ କେବେ ବି ଭିନ୍ନ ନୁହଁ । ଏତିକି କହି ତରୁଣୀଟି ଅଜିତ୍‌କୁ ଦୃଢ଼ ଆଲିଙ୍ଗନରେ ବାନ୍ଧି ଧରିଲା । ପରପକ୍ଷଣରେ ଅଜିତ୍ ଅନୁଭବ କଲା ତରୁଣୀଟି ତିଳ ତିଳ ହୋଇ ତା’ ଶରୀର ସହିତ ଏକାକାର ହୋଇ ଚାଲିଛି । ତା’ର ଅଣୁ ଅଣୁ ଅଜିତ୍‌ର ଶରୀରରେ ଲୀନ ହୋଇ ଚାଲିଛି । ଅଜିତ୍‌ର ମୁଣ୍ଡ ଘୂରାଇ ଦେଲା, ଆଖି ବନ୍ଦ ହୋଇ ଆସିଲା ଓ ହାତ ଷ୍ଟିଅରିଙ୍ଗରୁ ଖସିଗଲା । ତା’ର ଏକ କରୁଣ ଚିତ୍କାର ପରେ ସବୁ କିଛି ନିଃଶବ୍ଦ ହୋଇଗଲା ।

ତା’ପର ଦିନ ଜନୈକ ଚିକିତ୍ସାଳୟରେ ସୁରେଶର ଡାକରେ ଅଜିତ୍‌ର ଆଖି ଖୋଲିଲା । ସୁରେଶ କହିଲା, “ଭାଗ୍ୟ ଭଲ । ଏତେ ବଡ଼ ଦୁର୍ଘଟଣାରେ ବି ତୋର ବିଶେଷ କିଛି କ୍ଷତି ହୋଇନି । ଶୀଘ୍ର ଶୀଘ୍ର ସୁସ୍ଥ ହୋଇଯାଆ । ଆସନ୍ତା ସପ୍ତାହରେ ଆଉ ଦୁଇଟା ସେମିନାର୍‌ରେ ତୋର ଭାଷଣ ଅଛି ।”

ଅଜିତ୍ ନିଜ ଶରୀରର କ୍ଷତଗୁଡ଼ିକୁ ଅବଲୋକନ କରି ପୂର୍ବରାତ୍ରିର ଘଟଣାବଳୀକୁ ସ୍ମରଣ କଲା । ବୁଝିପାରୁ ନଥିଲା ଯେ ତା’ ଅସ୍ତିତ୍ୱ ଉପରେ ଆତ୍ମାର ପ୍ରଭାବ ଥିଲା ନା ନିଶାର । ସେ ସୁରେଶ ଉଦ୍ଦେଶ୍ୟରେ କେବଳ ଏତିକି କହିଲା, “ମୋର ସବୁ ଭାଷଣ କ୍ୟାନ୍ସଲ୍ କରି ଦେବାକୁ କହ । ଆଉ କାହାରିକୁ ଆତ୍ମା ବିଷୟରେ ଜ୍ଞାନ ଦେବା ପୂର୍ବରୁ ମୋତେ ଆଗ ନିଜ ଆତ୍ମାକୁ ଘଷି ମାଜି ସୁନ୍ଦର କରିବାକୁ ପଡ଼ିବ ।”

6 Comments

6 Comments

  1. Ganesh swain

    July 8, 2017 at 12:49 am

    Sir Lekha ti ati chamtkar o lekha ra saili ati sundar..Atma o sarira ra prakruta artha ku apana nkara upsthapana saili uchha kotira.

    Dhanyabad
    Ganesh(MSD)

    • Bijaya Kumar Mishra

      July 8, 2017 at 6:44 pm

      Anek anek dhanyabad.

  2. Manas Kumar Barik

    July 6, 2017 at 3:58 pm

    Chamatkar barnana lekha ra saili pathaka ra mana ku mugdha karibaku jathesta ru tike besi

  3. Pragnya Mishra

    June 22, 2017 at 5:27 pm

    eka bhinna swada ra galpa. bhala lagila. lekhaka nku dhanyabad.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top