ବିଦାୟ ନେଇଛି ଶ୍ରାବଣର ଧାରା
ଖୁସିରେ ବରଷା ରାଣୀ
ପ୍ରକୃତିର ଶୋଭା ଦିଶେ ମନଲୋଭା
ହସୁଛି ଆଜି ଧରଣୀ ॥
ଚିର ସବୁଜିମା କି ସୁନ୍ଦର ଦିଶେ
ସ୍ବଚ୍ଛ ନିର୍ମଳ ବେଶେ
ଶରତ ରାଜାକି ଆସିଛି ଓହ୍ଲାଇ
ଥିଲାକି ଅମ୍ବର ଦେଶେ ॥
ଜୋଛନା ଭରାଏ ରଜନୀରେ ସତେ
ହସି ଉଠେ ଶଶଧର
ଗଙ୍ଗଶିଉଳି ର ସୁଗନ୍ଧ ଆଳରେ
ମହକୁଛି ପାରାବାର ॥
ନଈ ପଠାମାଳେ ଝୁଲେ କାଶତଣ୍ଡୀ
ଭକତିର ଗୀତ ଗାଇ
ହସେ ଶତ ଦଳ ସରୋବରେ ଆଜି
ହସି ଉଠେ ନୀଳ କଇଁ ॥
ପାର୍ବଣର ରତୁ ଆସିଲା ଫେରି
ଉଲ୍ଲାସ ଜନ ମାନସେ
ସୁଭାଶିସେ ମାଁ ଧରାକୁ ଆସିବେ
ଜଗତ ଜନନୀ ବେଶେ ॥
ନବ ବଧୂ ବେଶ ସାଜିଅଛି ଆଜି
ମରତେ ପୂଜା ମଣ୍ଡପ
ମାଁଙ୍କର ପାଦ ପଡିବ ମଣ୍ଡପେ
ବାଜୁଛି ଢ଼ୋଳ ବାଇଦ ॥
ଉଦ୍ଧରିବେ ଭକ୍ତ ସଂହାରିବେ ଦୁଷ୍ଟ
ଆସିବେ ମାଁ ଜଗତେ
ନୂଆଁଏ ମସ୍ତକ କୋଟି କୋଟି ଭକ୍ତ
ମାଁଙ୍କର ଚରଣାର ବିନ୍ଦେ ॥
