ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ସବୁ ସମୟର ଖେଳ । ସେ ଦିନ ଆପଣ ଯାହା ଚାହିଁଥିଲେ ଆମେ ମାନି ନେଇଥଲୁ । ଆଜି ଆପଣ ଯାହା ଚାହିଁବେ ତାହା ହିଁ ଆମେ ମାନିବୁ ।

ପୂର୍ବରୁ

ବିପ୍ଳବ ମୁଣ୍ଡରେ ଗୁରୁ ଦାୟିତ୍ବ । ଏ କଥା ମଉସା ମାଉସୀଙ୍କୁ ତ ଫୋ୍‌ନରେ କୁହାଯାଇ ପାରିବ ନାହିଁ । ଏଇ ମଙ୍ଗଳବାର ଛୁଟିଟେ ଅଛି । ରଂଜନାକୁ ସାଥିରେ ନେଇ ମଉସା ମାଉସୀଙ୍କୁ ଭେଟି ଏସବୁ କହିବା ପାଇଁ ବିଦ୍ୟାଙ୍କ ଗାଆଁ ଅହିୟାସକୁ ଗଲେ ।

ଦେଖିଦେଇ ବିପ୍ଳବ ରଂଜନାକୁ ଖୁବ୍‌ ଖୁସୀ ହେଲେ ମଉସା ମାଉସୀ । ଅଧା ଖାଇବା ମଝିରେ ବିପ୍ଳବ ଶୋଭନଙ୍କୁ ଦେଖିବା, କଥା ହେବା ବିଷୟରେ ଡିଟେଲ କହିଲେ । ମଉସା କୃତ୍ୟ କୃତ୍ୟ ହେଇ ପଡୁଥାନ୍ତି । ମାଉସୀ ବିପ୍ଲବକୁ ଆଉଁଷି କଲ୍ୟାଣ କରୁ ଥାଆନ୍ତି କେତେନା କେତେ । ରଂଜନାକୁ କୁଣ୍ଢେଇ ଧରି ଖାଲି କାନ୍ଦି ପକାଉଥାନ୍ତି ।

ଶୋଭନ ବାବୁ ଏବେ ବି ଅବିବାହିତ | ବିଦ୍ୟାର ସ୍ମୃତିକୁ ପାଥେୟ କରି ଜୀବନ କାଟୁଛନ୍ତି | ସେ ଏପରି ପରିବେଶରେ ନିଜକୁ ରଖିଛନ୍ତି, ଆପଣ ସେ ସ୍ଥାନକୁ ଆଶ୍ରମ ଆଉ ତାଙ୍କୁ ଜଣେ ମହାପୁରୁଷ ବୋଲି କେବଳ କହିବେ । ମୋର ତ ସେଇ ଧାରଣା ପ୍ରଥମେ ହେଲା । ତାଙ୍କୁ ଭେଟି ସବୁ କଥା ଶୁଣିଲା ପରେ ପୁଣି ମୋ ମନରେ ଆଶା ସଞ୍ଚାର ହୋଇଛି । ଆପଣ ମଉସା ଆଉ ଡେରି କରନ୍ତୁନି । ଏ ସୁଯୋଗକୁ ଆଦୌ ଆମେ ହାତ ଛଡା କରିବା ନାହିଁ । ସେଥିପାଇଁ ମୁଁ କାର୍ ଧରି ଆସିଛି । ଆଜି ଶୁଭ ହେବ ମାଉସୀ । ଡେରି ତ ଏମିତିରେ ଅନେକ ହେଲାଣି । ରଂଜନାର ଏ କଥାରେ ସମସ୍ତ ସହମତ ହେଲେ ।

‘ତୋ ମୁହଁରେ ମହୁ ଏମିତି ବରଷୁ ଥାଉ ମାଆ । ବିଦ୍ୟାକୁ ଥରେ କାଚ ସିନ୍ଦୁର ବେଶରେ ଦେଖି ଦେଲେ ତୋ ପିଲା ଦୁହିଁଙ୍କର କୋଟି କୋଟି କଲ୍ୟାଣ ଠାକୁର କରିବେ’ କହି ବିଦ୍ୟା ମାଆ ଜୁହାର ହେଉଥିଲେ ଠାକୁରଙ୍କୁ ।

“ଆମେ ଅନୁଗୁଳରୁ ସିଧା ଗଦିଆଁ ବ୍ଲକର ସେ ରହୁଥିବା ଯାଗାକୁ ଯିବା | ସେଠିକି ଜୀବନ ବାବୁ ଯାଇଥିବେ । ଜୀବନ ବାବୁ ଶୋଭନ ବାବୁଙ୍କର ସାନ ଭାଇ । ବହୁତ ଭଲଲୋକ ଓ ପରୋପକାରୀ । ସେ ବି ଚାହୁଁଛନ୍ତି ଶୋଭନ ଆଉ ବିଦ୍ୟାର ବିଭାଘର ଟା ହେଇଯାଉ । ଆମ ଆଗରୁ ଜୀବନ ବାବୁ ଯାଇ ଶୋଭନଙ୍କ ପାଖରେ ଥିବେ । ଆମ ଦୁଇଜଣ ରଂଜନା ଦେହ ଖରାପ ପାଇଁ ଭୁବନେଶ୍ଵର ଯାଇଥିଲୁ । ସେଇଠି ଦେଖିଲୁ ଜୀବନ ବାବୁ ବିଦ୍ୟା ଅଫିସ୍‌ରେ କାମ କରନ୍ତି । ସେ ତାଙ୍କ ଭାଇଙ୍କ କଥାରେ ବିଦ୍ୟାକୁ ସବୁ କଥାରେ ସାହାଯ୍ୟ କରିଥାନ୍ତି ସାନ ଭାଇଟେ ପରି । ସବୁ ଠାକୁରଙ୍କ ଇଚ୍ଛା ମଉସା । ତାଙ୍କର ମୋର ଫୋନରେ ପ୍ଲାନ ପ୍ରସ୍ତୁତ କରି ଏସବୁ ଆୟୋଜନ କରିଛୁ । ଆପଣ ଆଉ କୌଣସି କଥା ଚିନ୍ତା କରନ୍ତୁ ନାହିଁ କି ଡେରିକରନ୍ତୁ ନାହିଁ । ଅପରାହ୍ନରେ ଏଠୁ ଆମେ ବାହାରି ଯିବା । ରାତିରେ ଆମ ବସାରେ ରହି ସକାଳୁ ଯାଇ ଯେମିତି ହେଲେ ସେଠି ପହଞ୍ଚିବା । ଶୋଭନ ବାବୁଙ୍କୁ ଥରେ ଆପଣ ଭେଟନ୍ତୁ । ଆପଣଙ୍କ ମନର କଥା କୁୁହନ୍ତୁ । ଆମେ ସମସ୍ତେ ଥିବୁ । ଦେଖାଯାଉଛି, ସବୁ ଠିକ୍‌ ହୋଇଯିବ । ମୋର ବିଶ୍ଵାସ ହେଉଛି ।”

ବିପ୍ଳବ କହି କହି ଯେମିତି ଜମା ଥକୁନଥିଲେ । ତାଙ୍କ ଭିତରେ କିଏ ଯେମିତି ଅହେତୁକ ପ୍ରାଣ ପ୍ରାଚର୍ଯ୍ୟ ଖୁନ୍ଦି ଦେଇଛି !

“ ବିଦ୍ୟାକୁ ଆଦୌ ଭୁଲି ନାହାଁନ୍ତି ଶୋଭନ ବାବୁ ଏବଂ ପୂର୍ବପରି ତାଙ୍କୁ ଭଲ ପାଇଁ ତାଙ୍କ ସ୍ମୃତିରେ ବଞ୍ଚିଛନ୍ତି ଏହାଠୁ ବଳି ଆଉ ବଡ କଥା ଆମ ପାଇଁ କଣ ମାଉସୀ ? ଆଉ ଡେରି କରି ଭାଲ ନାହିଁ । ଆଜି ରାଜ୍‌ ଆରାଧ୍ୟାକୁ ବି ଏ କଥା କହି ଦିଅନ୍ତୁ ଫୋନ୍‌ରେ, ସର୍ଟରେ | ସେମାନେ ନିିଶ୍ଚୟ ଖୁସୀ ହେବେ ।” ରଂଜନା ମଉସା ପାଖରେ ବସି କହି ପକାଉ ଥିଲା ବିପ୍ଲବ ପରି ଖୁସୀରେ ।

ଏତେ ସମୟ ଧରି ବିଶ୍ଵନାଥ ବାବୁ ପିଲା ଦୁଇଟାଙ୍କ କଥା ଶୁଣୁଥିଲେ କାନଡେରି । ସେ ଶୋକାଚ୍ଛନ୍ନ ହୋଇ ଧୀର ଗମ୍ଭୀର ସ୍ଵରରେ କହିଲେ “ ତମେ ବାପା ବିଦ୍ୟା ପାଇଁ ଏତେ କଥା କରିଛ ।” ଏତେ ବ୍ୟବସ୍ଥା କରି ପୁଣି ମୋ ପାଖକୁ ଧାଇଁ ଆସିଛ । ମୁଁ ସେତିକି ବେଳୁ ଚିନ୍ତା କରୁଛି ଯେ ମୋର ଏ କେଉଁ ପୁଣ୍ୟର ଫଳ ନା ମୋ ମାଆ ବିଦ୍ୟାର ସୁବନ୍ଧୁତ୍ୱର ପରାକାଷ୍ଠା । ତମେ ବିଦ୍ୟାର ସତକୁ କେବଳ ବନ୍ଧୁ ନୁହେଁ, ତମେ ମୋର ରାଜ୍‌ ପରି ପୁଅ ବାପା । ମୁଁ ତମକୁ କରି ନିଜକୁ ଧନ୍ୟ କରୁଛି । ମୁଁ ତମମାନଙ୍କ ସାଙ୍ଗରେ ତମ ମାଉସୀଙ୍କୁ ଧରି ଯିବି । ନିଶ୍ଚୟ ଯିବି । ଗୋଟେ ଜିଦିଆ, ଅହଙ୍କାରିଆ ବାପା ନିଜ କଥା ଓ ସମ୍ମାନ ପାଇଁ ତା ଝିଅର ଇଚ୍ଛା, ଭଲ ପାଇବା ଆଉ ଭବିଷ୍ୟତକୁ କେମିତି ଜାଳି ପୋଡି ଦେଲା ସେ କଥା କହି ଆବଶ୍ୟକ ହେଲେ ଶୋଭନଙ୍କ ହାତଧରି ଭୁଲ୍ ମାଗିବି ।”

“ ନା,ଆପଣ କାହିଁକି ତାଙ୍କ ହାତ ଧରିବେ ? ଆପଣ ତାଙ୍କୁଠୁଁ କେତେ ବଡ । ବିଦ୍ୟାର ବାପା ମାନେ ତାଙ୍କର ବି ବାପାପରି । ଏତିକି କଣ ଯଥେଷ୍ଟ ନୁହେଁ ତାଙ୍କ ପାଇଁ ଯେ ଆପଣ ତାଙ୍କ ପାଖକୁ ଯାଉଛନ୍ତି । ନିଜ ଭୁଲ୍ ପାଇଁ ଅନୁତାପ କରୁଛନ୍ତି ? ଆପଣ ଚାଲନ୍ତୁ ନା ? ମୁଁ ଜୀବନବାବୁ ସମସ୍ତେ ପାଖରେ ଥିବୁ । କିଛି ଖରାପ ହେବ ନାହିଁ । ଯାହା ହେବ ସବୁ ଭଲ ହେବ ।”

ବିଶ୍ଵନାଥ ବାବୁଙ୍କ ଆଖିରେ ଲୁହ ଟଳମଳ ହେଉଥିଲା । ନିଜ ଭିତରର କୋହ ଆଉ ନିଜ ଭିତରେ ଖୁସୀକୁ ରୋକି ପାରୁନଥିଲେ ।

“ ଆରେ ଶୁଣିଲଣି ନା ? ବିପ୍ଳବ ଆମର କଣ କହୁଛି ? କହି କହିକା ରୋଷେଇଘର ଆଡେ ଚାଲିଗଲେ । ସେ ସିଆଡୁ ହସି ହସି ବାହାରି ଆସୁଥିଲେ । ହଁ ହଁ ମୁଁ ସବୁ ଶୁଣି ସାରିଲିଣି । ରାତିରେ ଯାଇ ପୁଅବସାରେ ପହଞ୍ଚିବା ତ ବୋହୂଟା କଣ ପୁଣି ଗାଡି ଥକକାରେ ଯାଇ ରୋଷେଇ କରିବ ? ସେଇଥି ପାଇଁ ରାତି ଲାଗି ପରଟା ଆଉ ତରକାରୀ ତିଆରି କରୁଥିଲୁ ଶାଶୁ ବୋହୂ । ଚାଲ ଚାଲ ଏବେ ବିଦ୍ୟାଧରକୁ ଡାକି, ଘର ଜଗେଇ ଦେଇ ବାହାରିପଡ । ଔଷଧ ଆଉ ବଦଳା ବଦଳି ପାଇଁ ଲୁଗା ଖଣ୍ଡେ ଦିଖଣ୍ଡ ନେଲେ ହେଲା ନା କଣ ?

ବିଦ୍ୟାଧର ଖବର ପାଇ ନସଇ ପସର ହୋଇ ଠିଆ ହେଲା । ତତେ ସବୁ ଲାଗିଲାରେ ବିଦ୍ୟାଧର । ମୁଁ ଦୁଇଦିନ ପାଇଁ ଯାଉଛି । ବିଶ୍ଵନାଥଙ୍କ ମୁଁହରେ ହସରଫୁଆରା ଦେଖି ବିଦ୍ୟାଧର ଆଶ୍ଚର୍ଯ୍ୟ ହେଉଥିଲା । ବାବୁ ପୁଣି ତାଙ୍କ ମୁହଁରେ ହସ ! କଣ ଘଟଣା ? ନିଜ ଭାବନାକୁ ନିଜ ଭିତରେ ରଖି ଠିଆ ହେଲା ବିଦ୍ୟାଧର ଦାଣ୍ଡ ଦୁଆରେ ଚାବି ନେବା ପର୍ଯ୍ୟନ୍ତ ।

ଚାବି ବିଦ୍ୟାଧରକୁ ଧରାଇ ଆଗ ସିଟ୍‌ରେ ବସୁଥିଲେ ବିଶ୍ଵନାଥ । ବିପ୍ଳବ ବାରଣ କଲା। ଆପଣ ମାଉସୀ ଆଉ ରଂଜନା ପାଖରେ ପଛରେ ବସନ୍ତୁ । ମୁଁ ଆଗରେ ବସୁଛି । ଇଂଜିନ ଗରମ ହୋଇ ଭାରି ଗରମ ହେବ ଆଗରେ |

ଗାଡି ଚାଲିଲା ମନ ଭିତରେ ନାହିଁ ନଥିବା ଆଶା ଆଶଙ୍କା, ଅସ୍ଥିରତା | କେତେବେଳେ ଗାଡି ପହଞ୍ଚିବ । ପେଟରୁ ଭୋକ ଆଖିରୁ ନିଦ ତ କିଏ ଯେମିତି ହରଣ କରି ନେଇଯାଇଛି । କେବଳ ମନ ଭିତରେ ଉଦ୍‌ବିଗ୍ନତା । ଠାକୁରଙ୍କ ଉଦ୍ଦେଶ୍ୟରେ କେତେବେଳେ ମାଉସୀଙ୍କର ହାତ ମଥାଉପରକୁ ଉଠିଯାଉଥାଏ ତ କେତେବେଳେ ମଉସାଙ୍କ ହାତ ଯୋଡି ହୋଇଯାଉଥାଏ ।

ରାତି ଏଗାରଟା ବେଳକୁ ଗାଡି ଅଟକିଲା ବିପ୍ଳବ ବସା ଆଗରେ । ସମସ୍ତେ ଓହ୍ଲେଇ ଧୁଆ ଧୋଇ ହୋଇ କ’ଣ ଟିକେ ପାଟିରେ ଦେଇ ବିଛଣାକୁ ଗଲେ । ଭୋକ କାହାର ଅଛି ନା ଶୋଷ !

ରାତିଯାକ ବିଶ୍ଵନାଥ ଆଉ କରୁଣା ନିଜ ନିଜର ଭାବନାରେ ଚିନ୍ତା କରୁଥାନ୍ତି । ଟିକେ ଟିକେ କଡ ଲେଉଟାଉଥାନ୍ତି । ଭାବୁ ଥାଆନ୍ତି କରୁଣା । ଗର୍ଭରେ ନଅମାସ ଦଶ ଦିନ ଧରି କତେ କଷ୍ଟ ସହି ବଢେଇ କୁଢେଇ, ନିଜ ପେଟକୁ ପିଠି, ରକ୍ତକୁ ପାଣି କରି ମଣିଷ କରି ମଧ୍ୟ ମାଇକିନା ଝିଅଟେ ଜନମ କରିଥିଲି ଯେ ତା ଦିନକୁ ଠାକୁର ଏମିତି ପୋକସୁଘାଂ ଫୁଲ କରି ଫୋପାଡି ଦେଲ । ବିଦ୍ୟା ଭଳି ଝିଅର ଭାଗ୍ୟରେ ପୁଣି ଏତେ ଦୁଃଖ ଥିଲା ? ଏବେ କଣ ସତରେ ଦୟା କରୁଛ ଦୀନବନ୍ଧୁ ? ଭାଗ୍ୟ ଲେଉଟିବ । ସବୁ ତମକୁ ଜଣା ସକାଳ ସାତଟା ଭିତରେ ବିପ୍ଳବ ଉଠିଲା ବେଳକୁ ମଉସା ମାଉସୀ ଉଠି ଦିଜଣ ସମସ୍ତ କାମସାରି ଦେଇଛନ୍ତି । ବିପ୍ଳବ ଠାକୁରଙ୍କୁ ପ୍ରଣାମ ଜଣାଇ ନିବେଦନ କରୁଥିଲେ, ପ୍ରଭୁ ଏ ଦୁଃଖୀ ବାପା ମାଆଙ୍କର ମନର ଉଦ୍‌ବିଗ୍ନତାକୁ ବୁଝି ତାଙ୍କ ମନସ୍କାମନା ପୂରଣକର ।

ବାରମ୍ବାର ଘଣ୍ଟା ଦେଖୁଥାଆନ୍ତି ବିଶ୍ଵନାଥ । ଗତକାଲି ରାତିରେ ଖାଇବା ଟେବୁଲରେ ବିପ୍ଳବ କହିଥିଲେ ଦିନ ଦଶ ସାଢେ ଦଶ ଭିତରେ ଶୋଭନଙ୍କ ପାଖରେ ପହଞ୍ଚିଯିବା । ଏବେ ତ ଆଠଟା ପରେ ହେଲାଣି । ସମୟ ରହି ରହି ଚାଲିଛି କି ? ସମୟ ଦୁଃଖରେ ହେଉ କି ସୁଖରେ କେଉଁଠି ତିଳେ ହେଲେ ଅଟକି ଯାଏନା କି ଧିମେଇ ଯାଏନା । ଏସବୁ ତାଙ୍କ ମନର ଭ୍ରମ ଓ ମନର ଚଞ୍ଚଳତା ଯୋଗୁଁ ଲାଗୁଚି ।

କିଛି ସମୟ ଚୁପ୍‌ ଚାପ୍‌ ବସିଲା ପରେ ଗାଡି ଭିତରେ ବିଶ୍ୱନାଥ କହିଲେ, ଦେଖ ବାବା, ତମେ ତ କହୁଥିଲ ସେଠି କେତେ ଜଣ ଛୋଟ ପିଲା ଅଛନ୍ତି । ସେମାନଙ୍କ ପାଇଁ କିଛି ମିଠା, ବିସ୍କୁଟ ନେଇଯିବା କି ?

ବଜାର ଦେଖି ଗାଡି ଅଟକେଇବାକୁ ବରାଦ କଲେ ( ଡ୍ରାଇଭରକୁ) ବିପ୍ଳବ । ସବୁ ଯେମିତି ତାଙ୍କ ଅନୁକୂଳରେ ଯାଉଥିବା ପରି ଲାଗୁଥିଲା । ମନେ ମନେ ଖୁସୀ ହେଉଥିଲେ ବିଶ୍ଵନାଥ । ଠିକ୍‌ ଏଗାରଟାରେ ବିଦ୍ୟାଳୟ ବାଉଁଶ ପାତିଆ ତିଆରି ଗେଟ୍‌ ପାଖରେ ତାଙ୍କ ଗାଡି ଅଟକିଲା । ଆଗ ବିପ୍ଳବ ଓ ରଂଜନା ବାହାରିଲେ । ବିଶ୍ଵନାଥଙ୍କ କାନ ପାଖରେ ବିପ୍ଳବ କହିଲେ, ଆପଣ ଦୁଇଜଣ ଗାଡିରେ ବସିଥାନ୍ତୁ । ମୁଁ ଆସି ଆପଣଙ୍କୁ ନେଇଯିବି ।

ମୁଣ୍ଡ ଟୁଙ୍ଗାରିଲେ ବିଶ୍ୱନାଥ। ପାଞ୍ଚ ମିନିଟ୍ ଅତିକ୍ରମ କଲାଣି , ମନେ ମନେ ବ୍ୟସ୍ତ ହୋଇପଡି ସ୍ୱାମୀ ସ୍ତ୍ରୀ ଦୁଇଜଣ ନଜର ଘୁରାଉ ଥିଲେ ଚାରିଆଡକୁ ।

ବିପ୍ଳବ ସାଂଗରେ ସୌମ୍ୟକାନ୍ତ ଚେହେରାର ଯୁବକ ଠିକ୍‌ ବିପ୍ଳବ ବୟସର, ତାଙ୍କରି ଆଡକୁ ଆସୁଥିଲେ । ଧଳା ଟ୍ରାଉଜର ଉପରେ ଧଳା ପଂଜାବୀ ଟିଏ ବାସ୍‌ । ବୋଧହୁଏ ନୁହଁ, ନିଶ୍ଚିତ ଶୋଭନ ସେ ଅନୁମାନ କଲେ । ଗାଡି ପାଖକୁ ଆସି ଡୋର ଖୋଲିଲେ । ବିନମ୍ର ସହକାରେ କହିଲେ, “ ଆସନ୍ତୁ ନା ସ୍କୁଲ ଭିତରକୁ ମୁଁ ଶୋଭନ ଦାସ ଏମିତି ଏ ସ୍କୁଲରେ ଥାଏ |

ଗାଡିରୁ ବାହାରୁ ବାହାରୁ ପାଦ ଛୁଇଁ ନମସ୍କାର କଲେ ଶୋଭନ ।

ଘର ଭିତରକୁ ପଶୁପଶୁ ଆଉଜଣେ ଯୁବକ ଓ ବୋହୂଟିଏ ମୁଣ୍ଡତଳେ ଲଗାଇ ପ୍ରଣାମ କଲେ । ବିପ୍ଳବ କହିଲେ ଏ ମଉସା ଜୀବନ ବାବୁ ଆଉ ତାଙ୍କ ଧର୍ମ ପତ୍ନୀ ସାଧନା ମାଡାମ୍‌ । ଜୀବନ ବାବୁ ଆମ ବିଦ୍ୟା ଅଫିସ୍‌ ରେ କାମ କରନ୍ତି ।

ବିଶ୍ଵନାଥ ମୁହଁରେ ହସ ରଖି ସେ ବୋହୂଟି ମୁଣ୍ଡ ଉପରେ ହାତ ସାଉଁଳାଇ ଆଣିଲେ । ଜୀବନ ବାବୁଙ୍କୁ ଖାଲି କୃତଜ୍ଞ ଦୃଷ୍ଟିରେ ଚାହିଁ ଥିଲେ ।

ମାଉସୀଙ୍କୁ ଧରି ସାଧନାମାମ୍‌ ଘର ଭିତରେ ବସାଉଥିଲା ବେଳେ ବିପ୍ଳବକୁ ଚାହିଁ କହିଲେ ମାଉସୀ, ‘ ତମେ ପୁଅ, ଏ ପୁଅଙ୍କର ଅସଲ ପରିଚୟ ତ କହିଲେନି । ସେ ପରା ଭାଇ ସାନଭାଇ !

ପ୍ରକାଶ୍ୟରେ ନହେଲେ ବି ସମସ୍ତଙ୍କ ମୁହଁରେ ହସ ଆଉ ଖୁସୀ ପହଁରୁ ଥିଲା । ଚା ପର୍ବ ଭିତରେ ଅଛିଣ୍ଡା ଗପ ଚାଲିଥାଏ । ବିପ୍ଳବ ହଠାତ୍‌ କାନ୍ଦି ପକେଇଲେ, “ ଶୋଭନ ଆମେ ଏଠି ସମସ୍ତେ କାହିଁକି ଆସିଛୁ ବୋଲି ପଚାରିଲ ନାହିଁ ତ ? କଣ ଜାଣି ସାରିଛନ୍ତି ନା କଣ ? ପ୍ରସ୍ତୁତି ଟା ସେମିତି ଜଣାଯାଉଛି ।

ଶୋଭନ୍‌ କିଛି କହିବା ପୂର୍ବରୁ ଜୀବନ ବାବୁ କହିଲେ, ଏଟା କଣ ଅଣ୍ଟିପୂରା କଥା ହେଇଚି ନା କଣ ? ମୁଁ ଭାଇଙ୍କୁ ସବୁ କହିଛି ଯେ କିନ୍ତୁ ତାଙ୍କଠାରୁ ଏ ଯାଏ ହଁ କି ନା କିଛି ଉତ୍ତର ପାଇ ନାହିଁ ।

ସମସ୍ତେ ଶୋଭନଙ୍କୁ ଚାହିଁଥିଲେ ।

ବିଶ୍ଵନାଥ ବାବୁ ତାଙ୍କ ବସିବା ସ୍ଥାନରୁ ଉଠିପଡି ସିଧା ଶୋଭନଙ୍କ ହାତ ଦୁଇଟିକୁ ଧରି କହିଲେ, “ ବାବା ସବୁ ଦୋଷ ମୋର | ଏ ବୁଢା ବାପାଟାର | ନିଜ ଅହଙ୍କାରରେ ଅନ୍ଧ ହୋଇ ତମ ଦୁଇଜଣଙ୍କ ସୁଖ ଶାନ୍ତିକୁ ମୁଁ ଅନୁଭବ କରିପାରିନଥିଲି । ଆଖୁବୁଜିଦେଇଥିଲି । ମୋର ଦୋଷ ଯୋଗୁଁ ସମସ୍ତେ କଷ୍ଟ ପାଇଲ । ତମେଦୁଇ ଜଣଙ୍କ ପାଖରେ ମୁଁ ଦୋଷୀ, ଅପରାଧୀ | ଏ ବୁଢା ବାପାଟାକୁ କ୍ଷମା କରିଦିଅ ।
ଶୋଭନ ବିଶ୍ଵନାଥଙ୍କ ହାତରୁ ନିଜ ହାତରୁ ନେଇ ତୋଳି ଧରିଲେ ନିଜ ହାତରେ । “ ଆପଣ ଭୁଲମାଗି ଆମକୁ ପୁଣି ପାପରେ ଭାଗୀ କରନ୍ତୁ ନାହିଁ । ସବୁ ସମୟର ଖେଳ । ସେ ଦିନ ଆପଣ ଯାହା ଚାହିଁଥିଲେ ଆମେ ମାନି ନେଇଥଲୁ । ଆଜି ଆପଣ ଯାହା ଚାହିଁବେ ତାହା ହିଁ ଆମେ ମାନିବୁ ।”

ସମସ୍ତେ ଖୁସୀ ହୋଇଯାଇ ଥିଲେ ଶୋଭନଙ୍କ କଥାରେ ।

ଏଣିିକି କେବଳ ବିବାହ ପ୍ରସ୍ତୁତି, ତାରିଖ ନିର୍ଦ୍ଧାରଣ ଆଉ ଭୋଜି ଭାତ, କହି ପକାଇଲେ ଜୀବନ ବାବୁ ଓ ରଂଜନା ଏକା ସାଥିରେ |

ବିପ୍ଳବ ଖୁସୀରେ ବିଦ୍ୟାର ମୁହଁକୁ ମନେ ପକାଉଥିଲେ । ଯଦି ଏଇ ଦୃଶ୍ୟକୁ ସତରେ ବିଦ୍ୟା ଦେଖି ପାରି ଥାନ୍ତା !

କଣ ଭାବୁଚ ଯେ ? ରଂଜନା ହଲାଇ ଦେଇ ପଚାରିଲା । “ ନା ଆଉ ଭାବନା କଣ ? ଏଣିକି ତ ବିବାହର ଆୟୋଜନ ଆଉ ବିଦ୍ୟାର ବୋହୂବେଶ । ”

ସମସ୍ତେ ହସୁଥିଲେ ଖୁସୀରେ । ବିଦ୍ୟା ବାପାମାଆ ଆଖିରୁ ଲୁହ ପୋଛୁଥିଲେ ଆନନ୍ଦରେ ।

-ସମାପ୍ତ-

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top