ଦ ସିକ୍ସ ବ୍ଲାଇଣ୍ଡ୍ ମେନ୍ ଆଣ୍ଡ ଦ ଏଲିଫ୍ୟାଣ୍ଟ ଏଲିଫ୍ୟାଂଟ୍ ( ଛଅ ଅନ୍ଧବ୍ୟକ୍ତି ଓ ଗୋଟେ ହାତୀ ) କାହାଣୀ ସମସ୍ତେ ଜାଣିଥିବେ ପ୍ରାୟ । ଥରେ ଛଅ ଜଣ ଅନ୍ଧ ଗୋଟେ ହାତୀ କିପରି ଜାଣିବାକୁ ଚେଷ୍ଟା କଲେ । ପ୍ରତ୍ୟେକ ହାତୀର ଗୋଟେ ଗୋଟେ ଅଂଶକୁ ଛୁଇଁ ହାତୀଟା କେଉଁପରି ଜୀବ ଆକଳନ କରିବା ଆରମ୍ଭ କଲେ । ଜଣେ ତା ଶରୀରକୁ ଛୁଇଁ ମତ ବ୍ୟକ୍ତ କଲା- ହାତୀ ଗୋଟେ ମସୃଣ କାନ୍ଥ ପରି, ବେଶ୍ ଶକ୍ତ ଓ ମଜବୁତ୍ । ଆଉ ଜଣେ ତା ଗୋଡକୁ ଛୁଇଁ କହିଲା- ହାତୀ ଗୋଟେ ଖମ୍ବ ବା ଗଛ ପରି ! ଆଉ ଜଣେ ତା ଶୁଣ୍ଢକୁ ଛୁଇଁ କହିଲା- ନା, ଏଇଟା ବିଶାଳକାୟ ସାପ ପରି । ଆଉଜଣେ ହାତୀ ଦାନ୍ତକୁ ଛୁଇଁ କହିଲା- ନା, ସେ ବର୍ଚ୍ଛା ପରି ! ଆଉଜଣେ ତା ଲାଞ୍ଜକୁ ଛୁଇଁ ଜୋରରେ ପାଟି କଲା – ଆରେ ନା ନା । ଏଇଟା ତ ଦଉଡି ପରି ! ଆଉ ଜଣେ ଅନ୍ଧ ତାର ବିଶାଳକାୟ କାନକୁ ନିରେଖି କହିଲା- ହାତୀ ଗୋଟେ ବଡ ହାତ ପଙ୍ଖା କିମ୍ବା ମ୍ୟାଜିକ୍ କାର୍ପେଟ ପରି ଯିଏ ଗଛ ଓ ପାହାଡ ପର୍ବତ ଉପର ଦେଇ ଉଡିଯାଉଥିବ ।
ବିଡମ୍ବନା ଏଇଆ ଥିଲା ଯେ କେହି ଜଣେ ବି ହାତୀର ସଂପୂର୍ଣ୍ଣ ଶରୀରକୁ ଦେଖି ନଥିଲେ । ସମସ୍ତେ ହାତୀର କିଛି କିଛି ଅଂଶକୁ ନେଇ ସଂପୂର୍ଣ୍ଣ ହାତୀଟିକୁ ଆକଳନ କରିଥିଲେ । ବର୍ତ୍ତମାନ ସମସ୍ୟା ଏଇଆ ଯେ ଆମେ କାହାରିକୁ ମାତ୍ର ତିରିଶ ପ୍ରତିଶତ ନ ବୁଝି ବି ତାକୁ ଭଲ କି ଖରାପ କହିବାରେ ତିଳେ ମାତ୍ର ଅବହେଳା କିମ୍ବା କୁଣ୍ଠାବୋଧ କରୁନାହୁଁ । ଅନ୍ୟକୁ ସମାଲୋଚନା କରିବାବେଳେ ମାନସୀୟ ସମ୍ବେଦନାଟିକକ ବି ହରାଇ ବସୁଛୁ । ନିଜର ପ୍ରକୃତିଗତ ଗୁଣକୁ ପରିପ୍ରକାଶ କଲାବେଳେ ଅନେକ ସମୟରେ କୋଉଠି ନା କୋଉଠି ଆଣ୍ଠେଇ ପେଟେଇ ମାଟି କାମୁଡି ପଡୁଛୁ ଏକଥାକୁ ନଜାଣିବା ବା ନ ହେଜିବା ହେଉଛି ଅନ୍ତର୍ନିହିତ ଅଜ୍ଞତା । କାରଣ ଏଭଳି ସମାଲୋଚକମାନେ ଗୋଷ୍ଠୀରେ ବିଶ୍ୱାସ କରନ୍ତି । ସମାଜ ବା ସାହିତ୍ୟ ସୁଧାରକ ନାଁରେ ଅନ୍ୟକୁ କୁତ୍ସାରଟନା କରି ନିଜ ଗୋଷ୍ଠୀକୁ ପ୍ରତିପାଦିତ କରିବା ଏମାନଙ୍କ କାର୍ଯ୍ୟ ।
ଅନେକ ସାହିତ୍ୟ ସୃଷ୍ଟି ହୋଇଛି ବା ହେଉଛି । କାହା ଲେଖା ବିଶ୍ୱକୁ ସକାରାତ୍ମକ ଭାବେ ବଦଳାଇ ପାରିଛି ? ଯୁଦ୍ଧକୁ ରୋକି ହୋଇଛି ? ରକ୍ତପାତକୁ ଥମାଇ ଦିଆଯାଇ ପାରିଛି ? ତେବେ ସାହିତ୍ୟ କାହା ପାଇଁ ? କ୍ଷୁଧାର୍ତ୍ତର ଭୋକ ପାଇଁ ନା ତୃଷାର୍ତ୍ତର ଶୋଷ ପାଇଁ ? ପଥକ୍ଳାନ୍ତ ଲୋକଟିର ନା ବିରାମ ପାଇଁ ନା ଘର୍ମାକ୍ତ ଲୋକଟିର ମନୋରଞ୍ଜନ ପାଇଁ ? ତାହା ବିଚାର୍ଯ୍ୟ । ଅବଶ୍ୟ ସାହିତ୍ୟ ସମାଜର ମଙ୍ଗଳକାରକ ବୋଲି ବିବେଚନା କରାଯାଏ । ସ୍ୱାଧୀନତାବେଳେ ଜାତୀୟତାବାଦୀମାନେ ସେମାନଙ୍କ ସାହିତ୍ୟ ଦ୍ୱାରା ଲୋକମାନଙ୍କୁ ଉଦବୁଦ୍ଧ କରିଥିଲେ । ପ୍ରଗତିଶୀଳ ଲେଖକମାନେ ବୈପ୍ଳବୀୟ ଚେତନାରେ ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ । ସେ ବର୍ଣ୍ଣନାତ୍ମକ ହେଉ ବା ସଟକର୍ଟ ସବୁର ଧାରା, ନିୟମ ଓ ପ୍ରକୃତି ହିଁ ଅଲଗା । କିଛି ଲୋକ ଲମ୍ବା ଡ୍ରାଇଭ୍କୁ ପସନ୍ଦ କରନ୍ତି । ବୁଲାଣି ରାସ୍ତାରେ ପ୍ରକୃତିକୁ ଉପଭୋଗ କରି ଯାଆନ୍ତି । ସେମାନଙ୍କୁ ସଟ୍କର୍ଟ ରାସ୍ତା ବିଷୟରେ କହି ଆକଟ କରିବା ମୂର୍ଖତା । କିଛି ଲୋକଙ୍କୁ ଡାଏରୀ ଗପ ଭଲଲାଗେ କିଛିଙ୍କୁ ରୋମାଂଟିକ୍ ଆଉ କିଛି ବର୍ତ୍ତମାନର ସମମ୍ୟା ସମ୍ବଳିତ ସମ୍ବାଦଭିତ୍ତିକ ଗଳ୍ପ ପସନ୍ଦ । ଆମେ କାହାକୁ କେଉଁ ନିର୍ଦ୍ଧିଷ୍ଟ ବିଷୟକୁ ପସନ୍ଦ କରିବାକୁ ବାଧ୍ୟ କରି ପାରିବାନି । ଜରୁରୀ ନୁହଁ ଯାହା ଜଣକର ପସନ୍ଦ ତାହା ଅନ୍ୟର ବି ହୋଇଥିବ ।
କିନ୍ତୁ ସାହିତ୍ୟ କିଛି ଯାଗାରେ ଦଙ୍ଗା ସୃଷ୍ଟି କରିଛି, ବିଦ୍ୱେଷର ମଂଜି ବୁଣିଛି । ଗୋଷ୍ଠୀବାଦର ପତାକା ଲହରେଇ ଅସନ୍ତୋଷର ନିଆଁ ଜଳେଇଛି । କାହାର ସାହିତ୍ୟ ବିଷୟରେ ଚର୍ଚ୍ଚା କଲାବେଳେ ତାର ସବିଶେଷ କୃତିକୁ ଲକ୍ଷ୍ୟ ନକରି କୌଣସି ଗୋଟିକୁ ନେଇ ପୋଷ୍ଟମର୍ଟମ କରି ଅନ୍ୟମାନଙ୍କୁ ନିଜ ନିରପେକ୍ଷତା ଦେଖାଇବା ବାହାନାରେ ନେଗେଟିଭ୍ କହିବା ମନ୍ଦବୁଦ୍ଧିର ପରିଚାୟକ । ହାତୀକୁ ବୁଝିନଥିବା ଲୋକ ପାଇଁ ଏହା ସାପ କିମ୍ବା ଦଉଡି ହୋଇଥାଇପାରେ । କିନ୍ତୁ ହାତୀ ନୁହଁ । ପ୍ରକାଶ ଥାଉ କି ଭଲ ଓ ଖରାପ ଗୋଟେ ଲେଖାଁ ଆପେକ୍ଷିକ ଶବ୍ଦ । କାହାକୁ ସେ ମନ୍ଦ ବା ଭଲ ଲାଗିଥାଇ ପାରେ । ତେଣୁ ନିଜ ମନ ପସନ୍ଦ ଖାଦ୍ୟକୁ ଅନ୍ୟକୁ ପରଷି ଦେଇ ଆମେ ତାକୁ ବାଧ୍ୟ କରିପାରିବାନି ଯେ ତୁମେ ବି ୟାକୁ ଖାଇ ତାରିଫ୍ କର କିମ୍ବା ବାଃ ବାଃ କହି ପୋତି ପକାଅ ।
ପସନ୍ଦ ନାପସନ୍ଦ ବ୍ୟକ୍ତିବିଶେଷର ଗୁଣ ଉପରେ ବି ନିର୍ଭରଶୀଳ ଏକଥା ସଂପୃକ୍ତ ବ୍ୟକ୍ତି ଭୁଲିଯାଏ ହୁଏତ । ଗଣ୍ଡୁସେ ଜଳମାତ୍ରେଣ ସର୍ଫରି ପର୍ଫରାୟତେ ନୀତିରେ ସବୁବେଳେ ଅନ୍ୟ ଉପରେ ଟିପ୍ପଣୀ ଦେଉଥିବା ଲୋକ ଦଣ୍ଡିକିରୀ ମାଛ ସଦୃଶ । ଫଡଫଡ ହେବା ତାର ସ୍ୱାଭାବିକତା । ଏଭଳି ଜୀବ ସଂସାରରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ଭରି ରହିଛନ୍ତି । କେହି କିଛି କରୁକରୁ ସେମାନେ ଯୋଜନାବଦ୍ଧ ଭାବେ ବାହାରି ପଡିବେ ଟିପ୍ପଣୀ ଦେବାକୁ । ତେଣୁ ସଙ୍ଗତର ଅସର ତ ରହିବ ନିଶ୍ଚୟ । ସେମାନେ ଭୟ ଓ ଚତୁରତାର ସହିତ ମିଳିମିଶି ପରସ୍ପରର ସମର୍ଥନ କରିବାକୁ ଅଣ୍ଟାରେ ଲୁଗା ବା ଗାମୁଛା ଭିଡି ପଦାକୁ ବାହାରି ଆସନ୍ତି । ଅପର ପକ୍ଷେ ସେମାନଙ୍କ ବ୍ୟକ୍ତିତ୍ୱର ବୈକଲ୍ୟ ଜଳଜଳ ହୋଇ ଦିଶିଯାଏ ।
କାଳେ ନିଜ କୃତୀର ଗୁଣକୁ ଅବିଗୁଣରେ ପରିଣତ କରି ଦିଆଯିବ ଏଭଳି ଭଣ୍ଡମାନଙ୍କ ଦ୍ୱାରା ତା ଉପରେ ସନ୍ଦୀହାନ ହୋଇ ସାଧୁ ସାଧୁ ବୋଲି ମତାମତ ଦେଉଥିବା ମୁଖାପିନ୍ଧାମାନେ ବିସ୍ମରି ଯାଆନ୍ତି ନିଜ ଦୋଷ ଦୁର୍ବଳତାର ପରିମାଣ କେତେ ! ତେଣୁ ଗୁଡେ ବାଳୁଙ୍ଗାଙ୍କ ବିଷୟରେ କଣ କହିବା ! ଯିଏ ସାହିତ୍ୟ ସୁଧାରକ ନାଁରେ ଅନ୍ୟର କୌଣସି ଗୋଟେ ଲେଖାକୁ ନିନ୍ଦା କରି ଚାଲେ ଅଥଚ ତାକୁ ପଢେ କାହିଁକି ତାହା ଆଶ୍ଚର୍ଯ୍ୟ ! ଯଦି ପଢି ଆସୁଛ ତେବେ ତାର କୌଣସି ଭଲ ଗପକୁ ଖୋଜି ବାହାର କରିବା ତୁମ କାମ, କାରଣ ତୁମେ ପରା ଓଡିଆ ସାହିତ୍ୟକୁ ଆକାଶମୁହାଁ କରିବାକୁ ପଣ କରିଛ । ବାହାବା କରୁଥିବା ଲୋକ ବି ସମଗୋତ୍ରୀୟ । ପ୍ରଶଂସା ଟିକେ ପାଇଁ ଯେକୌଣସି ସ୍ତରକୁ ଟପି ଯିବା ସେମାନଙ୍କ ପ୍ରବୃତ୍ତି । ଯେଉଁମାନଙ୍କୁ ପ୍ରଶଂସା କଲେ ଆଗକୁ ଲାଭପ୍ରଦ ସେମାନଙ୍କ ଚାଟୁକାର ନହୋଇ ଯିଏ କ୍ଷମତାହୀନ ତାକୁ ମିଳିମିଶି ପୁଳେ ଟେକା ବା ପଥର ପକାଇବା କିଛିଙ୍କ ପାରିବାପଣ । ଏସବୁ ସେମାନଙ୍କ ବ୍ୟକ୍ତିତ୍ୱର ପରିଚାୟକ କାରଣ ସେମାନେ କାଳେ ତଥାକଥିତ ସଂସ୍କାରକ !
କିନ୍ତୁ ସାହିତ୍ୟରେ ଅବାରିତ ଚୋରି ହୋଇ ଆସୁଛି । ନବାଗତଙ୍କ ଭିତରୁ କିଛି ଗପକୁ ରିମିକ୍ସ କରି ପରଷି ଦେଉଛନ୍ତି । ତାକତ୍ ଅଛି ତ ସେମାନଙ୍କୁ ଶୁଣାଇବାକୁ ? ବଡଭାଇ ସେତେବେଳେଯାଏଁ ବଡ ଭାଇ, ଯେପର୍ଯ୍ୟନ୍ତ ସେ ସାନ ଭାଇକୁ ଦାଣ୍ଡରେ ପୁଳେ ଅପରିଚିତଙ୍କ ମେଳରେ ବିଧା ଚାପୁଡା ନମାରିଛି । ଯେବେ ସେ ସଂପର୍କର ନିର୍ଦ୍ଧିଷ୍ଟ ପରିସୀମାକୁ ଅତିକ୍ରମି ଯିବ ସେବେ ସାନ ଭାଇ ସଂପର୍କର ଲକ୍ଷ୍ମଣ ରେଖାକୁ ଅଚିରେ ପାର କରିଦେବ । ତେଣୁ ସେଯାଏଁ ଯିବା ବି ଅନୁଚିତ୍ । କହିବାର ବି ଗୋଟେ କଳାକୁଶଳତା ଥାଏ । ଜଣକୁ କାନମୋଡି କହିବା କିମ୍ବା ତା କାନରେ କହିବା, ତାହା ନିର୍ଦ୍ଧାରିତ କରେ ବ୍ୟକ୍ତିବିଶେଷର ଚିନ୍ତାଧାରା ଉପରେ ।
ଅନ୍ୟର କୁତ୍ସାରଟନା କରିବାକୁ କିଏ ସେ ଅଧିକାର ତୁମକୁ ଦିଏ ? ତୁମ ସେ ଗୋଷ୍ଠୀ, ଯାହାକୁ ଲାଗିପଡି ତୁମେ ତିଆରି କରିଥାଅ ? ରାସ୍ତାଘାଟ, ଖଟିରେ ମିଳିମିଶି ଯେଉଁମାନଙ୍କୁ ଅସହିଷ୍ଣୁତା ଶିଖାଅ, ସେହିମାନେ ଅଧିକାର ଦିଅନ୍ତି ପରକୁ କହିବାକୁ ? ସେ ଗୋଷ୍ଠୀର ଅବିଗୁଣ କେତେ ଥାଏ ? ସେମାନେ କେତେ ସମର୍ଥ ଅନ୍ୟକୁ ତଉଲିବାକୁ ? ଆସନରେ ବସିଥିବା ଲୋକଟିକୁ ଆଉ କେହି ନିରନ୍ତର ଦେଖୁଥାନ୍ତି । ତାର ମାର୍କିଂ ଅନ୍ୟ ସ୍ଥାନରେ ହେଉଥାଏ ବିଚରା କ୍ଷମତାସୀନ ଲୋକଟି ଭୁଲି ଯାଇଥାଏ । ତେଣୁ ଅନ୍ୟମାନଙ୍କୁ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ ସଂପର୍କରେ ଜାଣିବା ଉଚିତ୍ । ନିଜ ବାହାଦୁରୀପଣରେ କାହାକୁ ଲହୁଲୁହାଣ କରିବା ବାହାପିଆମୀ । କହିହେଉଥାଏ ପରକୁ, ବୁଦ୍ଧି ନଦିଶଇ ନିଜକୁ ପରି ନିଜ ଅପରିଣାମଦର୍ଶିତା ହିଁ ସାବ୍ୟସ୍ତ ହୁଏ । ଏ କାଳଖଣ୍ଡ କାହାରିକୁ ଏକମାତ୍ର ସମ୍ରାଟ କରି ଜନ୍ମ ଦେଇ ନାହିଁ । ତେଣୁ ଅନ୍ୟକୁ ଅଙ୍ଗୁଳି ଦେଖେଇ କଟୁ ସମାଲୋଚନା କରୁଥିବା ଲୋକଟି ନିଶ୍ଚୟ ଜଣେ ଅସହିଷ୍ଣୁ ନୋଚେତ୍ ଗୋଷ୍ଠୀବାଦୀ ବୋଲି କହିଲେ ଭୁଲ୍ ହେବନାହିଁ । କିଛିଙ୍କୁ ଆଘାତ ଦେବା ତାର ଲକ୍ଷ୍ୟ କାରଣ କିଛିଙ୍କୁ ଟେକି କି ଧରିବାରେ ହିଁ ତାର ଅନ୍ତର୍ନିହିତ ସ୍ୱାର୍ଥ ।
ଏସବୁ ଆଲୋଚନା ସମାଲୋଚନା ସାହିତ୍ୟ ପାଇଁ ସେତିକିବେଳେ ଅନୁକୁଳ ଯେତେବେଳେ ଏହା ଆକ୍ରୋଶମୂଳକ ନହୋଇ ସକାରାତ୍ମକ ହୁଏ । କେବଳ ନକାରାତ୍ମକତା କଥା କହୁଥିବା ଲୋକେ ନିଜ ପାରିବାପଣିଆ କଥା କହିବା ସହିତ ନିଜେ କେତେ କ୍ଷମ ଆକଳନ କରିବା ଉଚିତ୍ । ସାହିତ୍ୟର ହିତ ପାଇଁ ଅନ୍ୟର କୁତ୍ସାରଟନା ପରିବର୍ତ୍ତେ କିଛି ଭଲଙ୍କୁ ଆଲୋଚନା କରାଯାଉ । କହିବାର ଶୈଳୀ ଟିକେ ବଦଳେଇ ଦେଲେ ଆଘାତ ବି ଦିଶିବନି କିନ୍ତୁ ବୁଝିବା ଲୋକେ ବୁଝିଯିବେ । ଏପରି ନକରି ଆମେ କ୍ଲାସ୍ରେ ଉପସ୍ଥାନ ନେଲା ପରି ନାଁ ଡାକି ସେମାନଙ୍କୁ ଫେଲ୍ ବୋଲି କହିବା ସ୍ୱଳ୍ପବୁଦ୍ଧିର ପରିଚାୟକ । ଅନ୍ୟକୁ ନିଚା ଦେଖାଇ, ମନରେ ବୃଥା ଅହମିକା ପାଳି, କୌଣସି ଗୋଷ୍ଠୀଭୁକ୍ତ ହୋଇ କେତେଜଣ ମହାନ୍ ସାବ୍ୟସ୍ତ ହୁଅନ୍ତି । ମଣିଷ ସାହିତ୍ୟ ନାଁରେ ଅସମ୍ବେଦନଶୀଳ ହେବା କଣ ସାହିତ୍ୟ ପାଇଁ ଶୁଭଙ୍କର ?
