ଜଗନ୍ନାଥଙ୍କୁ ନେଇ ଓଡ଼ିଆମାନଙ୍କର ଭାରି ଗର୍ବ । ସେ ହେଉଛନ୍ତି ଜଗତର ନାଥ । ସମଗ୍ର ଜଗତବାସୀଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ଆବିର୍ଭାବ । ମାତ୍ର ବିଡ଼ମ୍ୱନାର ବିଷୟ ଯେ ଆଜି ସେ ଜଗତର ନାଥ ନ ହୋଇ ହିନ୍ଦୁନାଥ ହୋଇଯାଇଛନ୍ତି । କାରଣ ବିଦେଶୀ ଅଣହିନ୍ଦୁମାନଙ୍କର ଶ୍ରୀମନ୍ଦିରକୁ ପ୍ରବେଶ କରିବାର ଅଧିକାର ନାହିଁ । ଏହି ପ୍ରସଙ୍ଗରେ ଦୁଇଟି ପ୍ରଶ୍ନ ମନକୁ ଆସେ । ପ୍ରଥମତଃ ଯଦି ବିଦେଶୀ ଅଣହିନ୍ଦୁମାନେ ଜଗନ୍ନାଥଙ୍କ ଦର୍ଶନ କରିପାରିବେ ନାହିଁ, ତେବେ ଜଗନ୍ନାଥ ଜଗତର ନାଥ ହେଲେ କିପରି ? ଦ୍ୱିତୀୟତଃ ଯଦି କେବଳ ହିନ୍ଦୁମାନେ ଜଗନ୍ନାଥ ଦର୍ଶନ କରିପାରିବେ, ତେବେ କେଉଁମାନେ ପ୍ରକୃତ ହିନ୍ଦୁ ? ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କୁ ଶାସ୍ତ୍ରଗୁଡ଼ିକରେ ଅଭେଦ୍ୟ ଭାବରେ କଳ୍ପନା କରାଯାଇଛି । ପ୍ରଥମ ପ୍ରଶ୍ନଟିର ଆଲୋଚନା କଲାବେଳେ ଭଗବଦ୍ ଗୀତାରେ ପ୍ରଦତ୍ତ ଭଗବାନ୍ ଶ୍ରୀକୃଷ୍ଣଙ୍କ ବାଣୀ ପ୍ରାସଙ୍ଗିକ ମନେହୁଏ । ଶ୍ରୀକୃଷ୍ଣ ଚତୁର୍ଥ ଅଧ୍ୟାୟରେ ଅର୍ଜୁନଙ୍କୁ କହିଛନ୍ତି :-
ଯେ ଯଥା ମାଂ ପ୍ରପ୍ନଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ ।
ମମ ବର୍ତ୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।।
ଅର୍ଥାତ୍ ହେ ଅର୍ଜୁନ ! ଯେଉଁ ଭକ୍ତ ଯେପରି ଭାବରେ ମୋର ଶରଣାପନ୍ନ ହୁଅନ୍ତି, ମୁଁ ସେମାନଙ୍କୁ ସେହିପରି ଆଶ୍ରୟ ଦିଏ, କାରଣ ସମସ୍ତ ମନୁଷ୍ୟ ସର୍ବଭାବରେ ମୋର ମାର୍ଗ ଅନୁସରଣ କରନ୍ତି । ଯଦି ଭଗବାନ୍ ଭକ୍ତି ଦ୍ୱାରା ସମସ୍ତ ମଣିଷଙ୍କ ପ୍ରାପ୍ୟ, ବିଦେଶୀ ଭକ୍ତମାନଙ୍କ ପାଇଁ ପ୍ରାପ୍ୟ ନ ହେବେ କାହିଁକି ? ମାତ୍ର ମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ ବିଦେଶୀ ଅଣହିନ୍ଦୁମାନଙ୍କୁ ମନ୍ଦିର ପ୍ରବେଶ ଅଧିକାର ନ ଦେବା ଭାରତୀୟ ଧର୍ମ-ଦର୍ଶନର ବିରୁଦ୍ଧାଚରଣ ନୁହେଁ କି ? ଗତ ତା’ ୧୬/୦୧/୦୯ରେ ଚିଲିର ସେବାସ୍ତିଆନ୍ ନାମକ ଜଣେ ଭକ୍ତ ଜଗନ୍ନାଥ ଦର୍ଶନ ଇଚ୍ଛା କରି ମନ୍ଦିର ପରିସରକୁ ପ୍ରବେଶ କରି ହଟହଟା ହୋଇଛନ୍ତି । ଏହା ଅବଶ୍ୟ ପ୍ରଥମ ଘଟଣା ନୁହେଁ । ୨୦୦୭ ମାର୍ଚ୍ଚ ୧ ତାରିଖରେ ଦୁଇଜଣ ଭାରତୀୟ ବନ୍ଧୁଙ୍କ ସହ ବିଦେଶୀ ରୋଡ଼ିଗର୍ ମନ୍ଦିର ଭିତରକୁ ପଶିଯାଇଥିଲେ । ସେ ଅଣହିନ୍ଦୁ ଥିବା ଜଣାପଡ଼ିବାରୁ ତାଙ୍କୁ ଜୋରିମାନା କରାଗଲା । ଘଟଣାଟି ସେଇଠି ସରି ନଥିଲା । ପଣ୍ଡାମାନେ କହିଲେ ମନ୍ଦିର ଅପବିତ୍ର ହେଲା । ମନ୍ଦିରକୁ ମାର୍ଜନା କରାଗଲା । ଯେଉଁ ଓଡ଼ିଶାରେ ଖାଦ୍ୟାଭାବରୁ ବହୁ ଲୋକ ମୃତୁ୍ୟମୁଖରେ ପଡୁଛନ୍ତି, ସେଇଠି ଚାରିଲକ୍ଷ ଟଙ୍କାର ମହାପ୍ରସାଦକୁ ନଷ୍ଟ କରି ଦିଆଗଲା । ଗତ ତା’ ୧୬/୦୧/୦୯ରେ ମଧ୍ୟ ଚିଲିର ସେହି ଭଦ୍ରବ୍ୟକ୍ତି ମନ୍ଦିର ବେଢ଼ାରେ ପ୍ରବେଶ କରିଥିବାରୁ ମନ୍ଦିର ମାର୍ଜନା କରାଗଲା । ମନରେ ପ୍ରଶ୍ନ ଉଠେ, ଭଗବାନ୍ ତ ପବିତ୍ରତାର ସ୍ୱରୂପ, ସେ ଅପବିତ୍ରକୁ ପବିତ୍ର କରନ୍ତି । ତାଙ୍କ ନିବାସସ୍ଥଳ ବି ପବିତ୍ରତାର ପୀଠ ଭାବରେ ପରିଗଣିତ । ତେବେ ଯଦି ଜଣେ ବିଦେଶୀ ଅଣହିନ୍ଦୁଙ୍କ ପ୍ରବେଶଦ୍ୱାରା ମନ୍ଦିର ଅପବିତ୍ର ହେଉଛି, ତେବେ ଜଗନ୍ନାଥଙ୍କ ପବିତ୍ର ରୂପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉ ନାହିଁ କି ? ଭଗବାନ୍ କେବେ ଅପବିତ୍ର ହୋଇପାରିବେ ନାହିଁ, ସେ ଅପବିତ୍ରକୁ ପବିତ୍ର କରନ୍ତି ।
ଯଦି କେବଳ ହିନ୍ଦୁମାନେ ଜଗନ୍ନାଥ ମନ୍ଦିର ପ୍ରବେଶ କରିପାରିବେ, ସେହି ହିନ୍ଦୁମାନେ କିଏ ? ରାମ ବା କୃଷ୍ଣ ଜନ୍ମ ହେବା ସମୟରେ ହିନ୍ଦୁ ଶବ୍ଦ ନ ଥିଲା । ଏପରିକି ବେଦରେ ମଧ୍ୟ ହିନ୍ଦୁ ଶବ୍ଦର ବ୍ୟବହାର ନାହିଁ । ଆର୍ଯ୍ୟମାନେ ସିନ୍ଧୁ ତୀରରେ ବାସ କରିଥିବାରୁ ସିନ୍ଧୁ ଶବ୍ଦ ଅପଭ୍ରଂଶ କ୍ରମେ ହିନ୍ଦୁ ଉଚ୍ଚାରିତ ହୋଇଛି । କାଳକ୍ରମେ ସିନ୍ଧୁ ତୀରବାସୀ ଆର୍ଯ୍ୟମାନଙ୍କୁ ହିନ୍ଦୁ କୁହାଯାଇଛି । ଅତଏବ ହିନ୍ଦୁ ଏକ ଭୌଗୋଳିକ ଓ ଧର୍ମନିରପେକ୍ଷ ଶବ୍ଦ । ଏହି ଆର୍ଯ୍ୟମାନଙ୍କର ଜୀବନଶୈଳୀ ପରବର୍ତ୍ତୀ କାଳରେ ହିନ୍ଦୁଧର୍ମ ରୂପରେ ବିଦିତ ହୋଇଛି । ଏଣୁ ଐତିହାସିକ ଓ ଭୌଗୋଳିକ ଦୃଷ୍ଟିରୁ ବିଚାର କଲେ ଏବେ ଯେଉଁ ସିନ୍ଧୁ ଅଞ୍ଚଳ ଭାରତ ବାହାରେ ଅଛି ସେଠାକାର ବାସିନ୍ଦା ବି ହିନ୍ଦୁ । ପୁନଶ୍ଚ ଏହି ତଥାକଥିତ ହିନ୍ଦୁମାନେ ଅତି ପ୍ରାଚୀନ କାଳରୁ ଅତ୍ୟନ୍ତ ଉଦାର ଥିବାର ଜଣାପଡ଼ନ୍ତି । ଏମାନେ ବହୁ ଦେବଦେବୀଙ୍କୁ ପୂଜା କରୁଥିଲେ । ମାତ୍ର ସମସ୍ତ ଦେବଦେବୀ ଏକମାତ୍ର ପରମାତ୍ମାଙ୍କୁ ବିଭିନ୍ନ ରୂପ ବୋଲି ସ୍ୱୀକାର କରୁଥିଲେ । ଋଗ୍ବେଦରେ କୁହାଯାଇଛି “ଏକଂ ସଦ୍ବିପ୍ରାଃ ବହୁଧା ବଦନ୍ତି” । ଅର୍ଥାତ୍ ଈଶ୍ୱର ଏକ, ପଣ୍ଡିତମାନେ ତାଙ୍କୁ ବିଭିନ୍ନ ନାମରେ ବର୍ଣ୍ଣନା କରନ୍ତି । ଏହି ଦୃଷ୍ଟିରୁ କୃଷ୍ଣ, ବୁଦ୍ଧ, ଖ୍ରୀଷ୍ଟ ସମସ୍ତେ ଏକ ଓ ଅଭିନ୍ନ । ନାରୀକବି କୁନ୍ତଳା କୁମାରୀ ସାବତ ଏହି ଭାବକୁ ପ୍ରକାଶ କରି ଲେଖିଛନ୍ତି :-
କୃଷ୍ଣ ରୂପେ କେହି କରେ ଆରାଧନା
ଖ୍ରୀଷ୍ଟ କହି କେହି କରୁଛି ବନ୍ଦନା
ସବୁ ତ ପ୍ରାର୍ଥନା, ସବୁ ତ ବନ୍ଦନା,
ସବୁ ସତ୍ୟ ମିଥ୍ୟା ନୁହେଁ ।
ଏହା ବୈଦିକ ଦୃଷ୍ଟିଭଙ୍ଗୀ ଓ ସେହି ଅନୁସାରେ ଜଗନ୍ନାଥ ଏବଂ ଖ୍ରୀଷ୍ଟ ମଧ୍ୟ ଈଶ୍ୱରଙ୍କ ଦୁଇଟି ଭିନ୍ନ ରୂପ ଓ ନାମ ମାତ୍ର । ଏଣୁ ଜଣେ ଖ୍ରୀଷ୍ଟିଆନ୍ ମଧ୍ୟ ଜଗନ୍ନାଥଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କୁ ଦର୍ଶନ କରିପାରେ । ବେଦର ଏହି ଉଦାର ଦୃଷ୍ଟିଭଙ୍ଗୀକୁ ବିଚାରକୁ ନେଲେ ଅନ୍ୟ ଧର୍ମାବଲମ୍ୱୀମାନଙ୍କୁ ଜଗନ୍ନାଥ ଦର୍ଶନ ସୁଯୋଗରୁ ବଞ୍ଚିତ କରିବା ଯଥାର୍ଥ ମନେହୁଏ ନାହିଁ । ଅବଶ୍ୟ ଏହି ଦର୍ଶନ ଇଚ୍ଛା ପଛରେ ଦୃଢ଼ ଭକ୍ତି ଥିବା ଆବଶ୍ୟକ, ଆହ୍ୱାନ ନୁହେଁ ।
ଜନ୍ମରୁ ଧର୍ମ ସ୍ଥିର ହୁଏ ନାହିଁ । ଧର୍ମ ହେଉଛି ବିଶ୍ୱାସ ଓ ଅନୁଭବର ବିଷୟ । ଏକ ହିନ୍ଦୁ ପରିବାରରେ ଜନ୍ମ ହୋଇ ଯଦି ଜଣେ ହିନ୍ଦୁ ଜୀବନଶୈଳୀ ଅବଲମ୍ୱନ ନ କରେ ସେ ହିନ୍ଦୁ ପଦବାଚ୍ୟ ନୁହେଁ, କାରଣ ମନୁଙ୍କ ମତରେ “ଆଚାର ପ୍ରଭବୋ ଧର୍ମଃ ।” ଅର୍ଥାତ୍ ଆଚାରରୁ ଧର୍ମ ଜାତ ହୁଏ । ଜଣେ ଖ୍ରୀଷ୍ଟିଆନ ବା ମୁସଲମାନ ପରିବାରରେ ଜନ୍ମ ହେଲେ ମଧ୍ୟ ସେ ଯଦି ହିନ୍ଦୁ ଆଚରଣ କରେ ସେ ହିନ୍ଦୁ । କିଛି ବର୍ଷ ତଳେ କେରଳର ଚଳଚ୍ଚିତ୍ର ପଟ୍ଟଗାୟକ ୟେଶୁ ଦାସଙ୍କୁ ଗୋଟିଏ ହିନ୍ଦୁ ମନ୍ଦିରରେ ଅନୁଷ୍ଠିତ ଉତ୍ସବକୁ ଡକା ହେଲା । ସେ ସେଠାରେ ଭକ୍ତିମୂଳକ ସଙ୍ଗୀତ ଗାନ କରି ସମସ୍ତଙ୍କୁ ଚମତ୍କୃତ କରିଦେଲେ । ମାତ୍ର ଜଣେ ହିନ୍ଦୁ ପ୍ରଶ୍ନ ଉଠାଇଲେ, ହିନ୍ଦୁ ଉତ୍ସବରେ ଅଂଶଗ୍ରହଣ କରିବାର ଅଧିକାର ଜଣେ ଅଣହିନ୍ଦୁ ପାଇଲା କେଉଁଠୁ ? କଥା ଗଲା ଉଚ୍ଚନ୍ୟାୟାଳୟ ପର୍ଯ୍ୟନ୍ତ । ୟେଶୁ ଦାସ କହିଲେ “ସେ ହିନ୍ଦୁ ଧର୍ମରେ ବିଶ୍ୱାସ କରନ୍ତି । ଭଗବାନ୍ ଅସୀମ । କୌଣସି ଧର୍ମ ତାଙ୍କ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିପାରେନା । ସଙ୍ଗୀତର ପ୍ରେରଣା ଅସୀମରୁ ସ୍ଫୁରିତ ହୁଏ । ସଙ୍ଗୀତଜ୍ଞ ଯେଉଁ ଧର୍ମଗୋଷ୍ଠୀରେ ଜନ୍ମ ହୋଇଛି ସେଇଟା ଆଦୌ ପ୍ରାସଙ୍ଗିକ ନୁହେଁ । ପୁନଶ୍ଚ ସେ ସୁପ୍ରାଚୀନ ଆୟପ୍ପା ମନ୍ଦିରକୁ ବ୍ରତଚାରୀ ରୂପେ ଯାଆନ୍ତି ଓ ବ୍ରତ ପାଳନ କରି ପବିତ୍ର ପ୍ରେରଣା ଅନୁଭବ କରନ୍ତି ।” ସେତେବେଳେ କୋର୍ଟ ରାୟ ଦେଲେ, “ୟେଶୁ ଦାସଙ୍କୁ ହିନ୍ଦୁ ଉତ୍ସବରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରି ମନ୍ଦିର କର୍ତ୍ତୃପକ୍ଷ କୌଣସି ଭୁଲ କରି ନାହାନ୍ତି । ଯିଏ ହିନ୍ଦୁ ଧର୍ମରେ ବିଶ୍ୱାସ କରେ, ତା’ର ଜନ୍ମ ଯେଉଁ ଧର୍ମରେ ହୋଇଥାଉ ନା କାହିଁକି, ସେ ହିନ୍ଦୁ ।” ଠିକ୍ ସେପରି ଜଗନ୍ନାଥଙ୍କ ପ୍ରତି ପ୍ରକୃତ ଭକ୍ତି ପ୍ରଦର୍ଶନ କରୁଥିବା ଆନ୍ତର୍ଜାତିକ କୃଷ୍ଣଚେତନା ସଂଘର ସଦସ୍ୟମାନେ ବିଦେଶୀ ହେଲେ ମଧ୍ୟ ହିନ୍ଦୁ ପଦବାଚ୍ୟ । ବ୍ୟାସଦେବ କୈବର୍ତ୍ତ କନ୍ୟା ଗର୍ଭରୁ, ବଶିଷ୍ଠ ଗଣିକା ଗର୍ଭରୁ ମାତଙ୍ଗ ଚଣ୍ଡାଳୁଣୀ ଗର୍ଭରୁ ଓ ଐତରେୟ ଶୂଦ୍ରାଗର୍ଭରୁ ଜାତ ହୋଇ ମଧ୍ୟ ନିଜର ସଂସ୍କାର ବଳରେ ବ୍ରାହ୍ମଣ ଭାବରେ ଗୃହୀତ ହୋଇଥିଲେ । ଆଚାର ପ୍ରଭବୋ ଧମଃ ନ୍ୟାୟରେ ବିଦେଶୀମାନେ ଯଦି ସଂସ୍କାରସମ୍ପନ୍ନ ହୋଇ ହିନ୍ଦୁ ଦେବତାଙ୍କୁ ଭକ୍ତି କରନ୍ତି, ସେମାନେ ହିନ୍ଦୁ ପଦବାଚ୍ୟ ନ ହେବେ କାହିଁକି ? ପରିବେଷିତ ସମ୍ୱାଦ ଅନୁସାରେ ଚିଲିର ଭଦ୍ରବ୍ୟକ୍ତିଜଣକ କହିଛନ୍ତି “ମୁଁ ହିନ୍ଦୁଧର୍ମ ଗ୍ରହଣ କରିଛି ଓ ଜଣେ ହିନ୍ଦୁ ଭାବରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆସିଥିଲି ।” ତାଙ୍କର ବକ୍ତବ୍ୟ ଯଦି ପ୍ରକୃତରେ ସତ୍ୟ, ତାଙ୍କୁ ଜଗନ୍ନାଥ ଦର୍ଶନରୁ ବଞ୍ଚିତ କରିବା ଯଥାର୍ଥ ମନେ ହୁଏ ନାହିଁ ।
ଗତ ୨୦୦୫ ମସିହାରେ ଜଣେ ଆମେରିକୀୟ ମହିଳା ପାମେଲା ଲିଙ୍ଗରାଜ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରି ନଥିଲେ, ଯଦିଓ ସେ ଆଗରୁ ଜଣେ ଭାରତୀୟ ହିନ୍ଦୁଙ୍କୁ ବିବାହ କରି ନ୍ୟାୟତଃ ହିନ୍ଦୁଧର୍ମକୁ ଧର୍ମାନ୍ତରିତ ହୋଇ ସାରିଥିଲେ । ହିନ୍ଦୁ ଧର୍ମର ନୀତି ଅନୁସାରେ ସ୍ତ୍ରୀ ହେଉଛି ପୁରୁଷର ଅର୍ଦ୍ଧାଙ୍ଗିନୀ ଓ ଧର୍ମପତ୍ନୀ । ସେହି ଦୃଷ୍ଟିରୁ ଜଣେ ହିନ୍ଦୁର ପତ୍ନୀ ବି ହିନ୍ଦୁ । ତଥାପି ପାମେଲାଙ୍କୁ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ କରାଇ ଦିଆଯାଇନଥିଲା । ଏହା ହିନ୍ଦୁ ଧର୍ମ ପରିପନ୍ଥୀ ନୁହେଁ କି ? ମୋଟ ଉପରେ ବିଦେଶୀ ଅଣହିନ୍ଦୁମାନଙ୍କୁ ଓ ଏପରିକି ଧର୍ମାନ୍ତରିତ ହିନ୍ଦୁମାନଙ୍କୁ ମନ୍ଦିର ପ୍ରବେଶରୁ ବାରଣ କରିବା ଦ୍ୱାରା ଜଗନ୍ନାଥ ନାମ ବିଡ଼ମ୍ୱିତ ହେଉଛି ଓ ହିନ୍ଦୁଧର୍ମର ଉଦାରତା ପ୍ରତି ଏକ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶାଳ ଜଗନ୍ନାଥ ଚେତନା ଆଜି ଜଗନ୍ନାଥ ଲିମିଟେଡ୍ରେ ପରିଣତ ହୋଇଛି ଏବଂ ଆମ ଜାତିର ଏହି ଅଗ୍ରଦେବତା ଏକ ରକ୍ଷଣଶୀଳ ହିନ୍ଦୁ ଦେବତା ଭାବରେ ପ୍ରତିପାଦିତ ହୋଇଛନ୍ତି । ହିନ୍ଦୁ ଦେବତାଙ୍କ ଏହି ରକ୍ଷଣଶୀଳତା ଧର୍ମାନ୍ତରୀକରଣର ଏକ ମୁଖ୍ୟ କାରଣ । ଯେଉଁ ଜାତିର ଲୋକମାନଙ୍କୁ ମନ୍ଦିର ପ୍ରବେଶ କରିବାକୁ ଦିଆଗଲା ନାହିଁ, ସେମାନେ ଅନ୍ୟ ଧର୍ମର ଦେବତାଙ୍କୁ ଦର୍ଶନ କରିପାରୁଥିବାରୁ ସେମାନେ ସେହି ଧର୍ମର ଦୀକ୍ଷିତ ହେବା ପାଇଁ ଇଚ୍ଛା ପ୍ରକାଶ କରିବା ସ୍ୱାଭାବିକ୍ ପରମ୍ପରା ନାମରେ ରକ୍ଷଣଶୀଳତାକୁ ଜାବୁଡ଼ି ଧରିବା ଦ୍ୱାରା ଧର୍ମାନ୍ତରୀକରଣର ପଥ ସୁଗମ ହେଉଛି ଓ ହିନ୍ଦୁଧର୍ମ ସଂକୀର୍ଣ୍ଣତାର ଗଣ୍ଡିରେ ଆବଦ୍ଧ ହେଉଛି ।
ଅବଶ୍ୟ ଆତଙ୍କବାଦୀମାନଙ୍କ ପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା ନିହାତି ଜରୁରୀ । ସେହି ଦୃଷ୍ଟିରୁ ବିଦେଶୀମାନଙ୍କୁ ପ୍ରବେଶ ପ୍ରତି କଡ଼ା ନଜର ଦେବାର ଆବଶ୍ୟକତା ରହିଛି । ପୋଷାକ ବା ବେଶଭୂଷାରୁ ହିନ୍ଦୁତ୍ୱ ବିଚାର କରିବା ଠିକ୍ ନୁହେଁ । ଏମିତି ଲୋକ ବି ଅଛନ୍ତି ଯେଉଁମାନେ ବେଶଭୂଷାରେ ହିନ୍ଦୁ, ମାତ୍ର ଆଚରଣରେ ଠିକ୍ ଓଲଟା । ସାମ୍ପ୍ରତିକ ବ୍ୟବସ୍ଥା ଅନୁସାରେ ସେମାନେ ମନ୍ଦିରକୁ ପ୍ରବେଶ କରିପାରିବେ । ଅପରପକ୍ଷରେ ଅଣହିନ୍ଦୁ ବେଶଭୂଷାରେ ଥାଇ ମଧ୍ୟ ଜଣେ ହିନ୍ଦୁ ବିଚାରଧାରାରେ ଉଦ୍ବୁଦ୍ଧ ହୋଇଥାଇପାରେ ଓ ସେ ହିଁ ପ୍ରକୃତ ହିନ୍ଦୁ । ଏଣୁ ବିଦେଶୀମାନେ ଯେଉଁ ଧାର୍ମିକ ପରିବାରରେ ଜନ୍ମଗ୍ରହଣ କଲେ ବି ଯଦି ବିଶ୍ୱାସ ଓ ଆଚରଣରେ ହିନ୍ଦୁତ୍ୱର ଦର୍ଶନକୁ ଜୀବନରେ ପ୍ରତିଫଳିତ କରନ୍ତି, ସେମାନଙ୍କୁ ହିନ୍ଦୁ କହିବାରେ କୌଣସି ଆପତ୍ତି ରହିବା ଉଚିତ୍ ନୁହେଁ । ବିବେକାନନ୍ଦଙ୍କ ଭାଷାରେ
“ଧର୍ମ ଏକ ସ୍ଥିରୀକୃତ ମତବାଦ ନୁହେଁ, ଏହା ହେଉଛି ଆତ୍ମାନୁଭବ ।”
ଏଣୁ ଜଗନ୍ନାଥ ମନ୍ଦିର ଦେଶୀବିଦେଶୀ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ହେଲେ ଜଗନ୍ନାଥଙ୍କର ଜଗତର ନାଥ ନାମ ସାର୍ଥକ ହେବ । ମାତ୍ର ଜଗନ୍ନାଥ ଦର୍ଶନାଭିଳାଷୀ ପ୍ରକୃତ ବିଶ୍ୱାସ ଓ ଭକ୍ତି ଭାବରେ ଉଦ୍ବୁଦ୍ଧ ଓ ସଦାଚାରୀ ହୋଇଥିବା ଆବଶ୍ୟକ ।
