ଶୋଭାଯାତ୍ରାର ଭ୍ରମ ସୃଷ୍ଟି କରୁଥିଲା ଖଇ କଉଡ଼ିର ଫୁଆରା । ଶବ ପାଇଁ ସମାନ ଲାଗୁଥିଲା ଦୁଇ ପାଖରେ ଗଛ, ଝାପ୍ସା ମୁହଁ ସବୁ ଆଉ ଗାଁ ମନ୍ଦିର କାନ୍ଥର ପୁରୁଣା ଆଁ । ଖଇ କଉଡ଼ିରୁ ଅଧିକ ଲାଗୁଥିଲା ବାକି ରହିଯାଇଥିବା କାମ ସବୁ । “ରାମ ନାମ ସତ୍ୟ ହେ”ର ହୋ ହାଲ୍ଲା ଭିତରେ ମଧ୍ୟ ଉପସ୍ଥିତ ଜାହିର କରୁଥିଲା “ଦେବତା ଭଳିଆ ଲୋକ, ଅଧା ବାଟରେ ଛାଡ଼ି ଗଲ ହେ, ମୋତେ ହେଲେ ନେଇ ଯାଇଥାନ୍ତ ଠାକୁରେ, ସକାଳେ ପରା କଥା ହେଉଥିଲୁ” ଠୁଁ ଆରମ୍ଭ କରି “ଭାରି ଉଦାସିଆ ଉଦାସିଆ ଲାଗୁଥିଲେ କାଲି, ମୋତେ ବାସୁଥିଲା ଏମିତି କିଛି..ହେଲେ ହଠାତ ଏମିତି” ଯାଏଁ ଅଲୋଡ଼ା ଶବ୍ଦ ସବୁ । ହସିବାକୁ ଚେଷ୍ଟା କରୁଥିଲା ଶବ । କହିବାକୁ ଚାହୁଁଥିଲା ଆହା ପଦେ ତ ଶୁଣିବାକୁ ପାଇନି କେବେ ଜୀବ ଥିଲାବେଳେ, ଦୁଇ, ତିନିଠାରୁ ଚାରି ଅକ୍ଷର ଯାଏଁ ମୋ ନାଁ ଆଗରୁ ଲଗେଇ ପଛରେ ଡାକ, ତମ ମହାଭାରତର ଶକୁନିଠୁଁ ବୀରାପ୍ପାନ ଲାଡେନ୍ ଯାଏଁ ଆହୁରି ପୁଣି ତମ ସିନେମାର ଖଳନାୟକ ସବୁ ଚରିତ୍ରରେ ମୁଁ ହିଁ ଥାଏ.. ଆଉ ଏବେ ଏତେ କିଆଁ । ବଡ଼ପୁଅର ସ୍ୱର ଶୁଣି କଡ଼ ଲେଉଟାଇବାର ଅଯଥା ପ୍ରୟାସ କରୁଥିଲା ଶବ । ଯାହାହେଉ ଏବେ ଶାନ୍ତିରେ ସ୍ୱର୍ଗ ଯାଇହେବ । ମୁଁ ତୁଛାଟାରେ ଭାବୁଥିଲି ସମୟ ବଦଳିଯାଇଛି । ପୁଅକି ଆଉ ଆସିବ ।
“ମୁଁ ବାପାଙ୍କ ଶବ ସହ ଯାଇପାରିବିନି । ସେ ଭିତରେ କିଏ ବସିବ ମ । ତମେ ତମର ଯାଅ । ଆମ ଗାଡ଼ିରେ ମୁଁ ଯିବି । ତମେ ଅଲଗା ଗାଡ଼ି ଦେଖ” ନାକକୁ ତାଳୁକୁ ଲଗାଇ କହୁଥିଲା ବଡ଼ ବୋହୁ । ଏପଟେ ସାନପୁଅ ଗାଡ଼ି ଡ୍ରାଇଭର ସହ ହିସାବ ଛିଣ୍ଡାଉଥିଲା । “ଭୁଲରେ ବି ଏଇ ଖର୍ଚ୍ଚଟା ଏକୁଟିଆ ଦେଇଦବନି, ଏଇଟା ବି ଭାଗ ହେବ । ଦେଖିଲ ଏଇ ହାରଟା କେତେ ପୁରୁଣା ଲାଗୁଛି । ତମକୁ ତ କହି କହି ହେଲାନି । ଆଉ ଏବେ….. ଯୋଉ ଖର୍ଚ୍ଚ । ବାପାଙ୍କୁ ଠିକ୍ ଏବେ ଯିବାର ଥିଲା” ବେପରୁଆ କହିଚାଲିଥିଲା ସାନବୋହୁ । ଶବ ଆଉ କିଛି ଶୁଣିବା ଆଗରୁ ଗାଡ଼ି ଡୋର୍ ବନ୍ଦ ହେଇସାରିଥିଲା । ଝାପ୍ସା ଶୁଭୁଥିଲା ଝିଅର କଣ୍ଠସ୍ୱର “ଓହୋ! ଝିଅ ବୋଲି କ’ଣ ମୋର କିଛି ଭାଗ ନାହିଁ? କ’ଣ ନକରିଛି ମୁଁ ବାପାଙ୍କ ପାଇଁ ?” ଇସ୍ୟୁରାନ୍ସ ଟଙ୍କା ବିଷୟରେ କହୁଥିଲା ବୋଧେ । ଶବ ୟା ଭିତରେ ଭୁଲିଯାଇଥିଲା ଶେଷ ଯାତ୍ରା ବିଷୟରେ ।
ଗାଡ଼ି ଚକ ଗଡ଼ି ଚାଲିଥିଲା ଆଉ ଶବ ଭାବୁଥିଲା ସତରେ ମୁଁ କ’ଣ ମରିଛି? ନା ମ! ତଥାକଥିତ ଅମର ପଣିଆଟାକୁ ଖୁବ୍ ପାଖରୁ ଦେଖିପାରୁଥିଲା ଶବ । ସତରେ ମଲା ପରେ ବି ବଞ୍ଚିବାକୁ ପଡୁଛି । ଖଇ କଉଡ଼ି କି ଗଙ୍ଗା ଜଳ ନୁହେଁ, ଭାଗ ଅଧିକାର ଆଉ ସଂପର୍କ ଆଳରେ । ସ୍ୱର୍ଗଦ୍ୱାରର ଉତ୍କଟ ଗନ୍ଧରେ ଶବ ଜାଣିପାରୁଥିଲା ସ୍ୱର୍ଗଦ୍ୱାରଟା ଆଉ ଅଳପ ବାଟ ବୋଧେ । ସ୍ୱର୍ଗଦ୍ୱାରରେ ପୋଡ଼ାହେଲେ କୁଆଡେ଼ ମୁକ୍ତି ମିଳେ । ନା ମ! ଡାହା ମିଛ । ମଣିଷର କ’ଣ ସତରେ ମୃତ୍ୟୁ ହୁଏ ?

Santosh
May 2, 2016 at 7:33 pm
A Thought Provoking question.Are we ready die?
Good story.Well done Subrat babu.