ଅଣୁଗଳ୍ପ

ଚୋରା ଚଇତାଳି

Pradip Nayak's short story Chora Chaitali

ବେଙ୍ଗାଲୁରୁ ଅଭିମୁଖେ ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ୍‌ର ଘୋଷଣା ଆରମ୍ଭ ହୋଇଯାଇଥାଏ ।

ସେ କମ୍ କଥା କହୁଥିଲା । ବିଲ୍‌କୁଲ ଜଣେ ଗମ୍ଭୀର ତାପସୀଙ୍କ ପରି ।

ମୁଁ କିନ୍ତୁ ସବୁବେଳେ ତା’ ଠାରୁ ବେଶୀ ଶୁଣିବାକୁ ଅପେକ୍ଷାରତ ଥାଏ । ଚାହିଁ ବସିଥାଏ, କେବେ ନା କେବେ ସେ ନିଶ୍ଚୟ ତା’ ଭାବନାର ଜଟାବେଣୀକୁ ଖୋଲି ଝରଣା ପରି କଳକଳ ହୋଇ ବହିଯିବ । ବଣୁଆ ଚଢେ଼ଇ ପାଲଟି ଅଧିର ଆନନ୍ଦରେ ଏ ଗଛରୁ ସେ ଗଛ ଡାଳକୁ ଡେଇଁଲାପରି କଥାରୁ ନଥା ପୁଣି ନଥାରୁ କଥା ଯାଏଁ ଗପର ପସରା ମେଲେଇ ବସିବ । କାଉଁରିଆ କାଠି ପରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇବ ତା’ର ଗୋଟିକ ପରେ ଗୋଟିଏ ପୂର୍ବ ସ୍ଥିରୀକୃତ ବ୍ୟକ୍ତିତ୍ୱର ବଳୟକୁ ।

ମାତ୍ର ସେ କେବେ ଚାଲୁଥିବା ଟ୍ରାକ୍‌ର ଗାର ଡେଇଁବା ମୁଁ ଦେଖିପାରି ନଥିଲି । ସେହି ମହାର୍ଘ ସୁଯୋଗର ପ୍ରତୀକ୍ଷାରେ ଚାହୁଁ ଚାହୁଁ ମୋର ଶେଷ ବର୍ଷର ପି.ଜି. ସରିଯାଇଥିଲା । ଅଗତ୍ୟା ମନର କଥା ମନରେ ରଖି ଅବସୋସର ସହ ମୁଁ ବାଣୀବିହାର ସବୁଦିନ ପାଇଁ ଛାଡ଼ି ନୂଆ କର୍ମକ୍ଷେତ୍ରରେ ଆସି ଯୋଗଦେଲି ନବରଙ୍ଗପୁର ଜୀବନବୀମା କାର୍ଯ୍ୟାଳୟରେ ।

ୟା’ ଭିତରେ ବେଲଗାମ୍ ଚଲାବାଦଲ ପିଠି ଉପରେ ବସି ସମୟ କେତେବେଳେ ଫୁରକିନା ପାରି ହୋଇଯାଇଥିଲା କୋଶ କୋଶ ବାଟ । ହଁ… ପ୍ରାୟ ପଚିଶି ବର୍ଷ ପରେ ଲିଭିଯାଇଥିବା ସ୍ମୃତିର ଦୀପଶିଖାଟି ହଠାତ୍ ଜଳିଉଠିଲା ।

ଭୁବନେଶ୍ୱର ଏୟାରପୋର୍ଟ କାଉଣ୍ଟରରେ ବୋର୍ଡିଙ୍ଗ ପାସ୍ ସଂଗ୍ରହ କରିସାରି ସିକ୍ୟୁରିଟି ଚେକିଂ ପରେ ଦିଲ୍ଲୀ ଅଭିମୁଖେ ଥିବା ଭିସ୍ତାରା ଫ୍ଲାଇଟ୍‌କୁ ଅପେକ୍ଷା କରି ବସିଥାଏ । ଆହୁରି ଚାଳିଶି ମିନିଟ୍ ସମୟ ଥାଏ ବୋର୍ଡିଙ୍ଗ ପାଇଁ । ଏହି ସମୟରେ ପଛପଟ ଚେୟାରରୁ ଅଜଣା ମହିଳାଙ୍କ କଣ୍ଠସ୍ୱର ଶୁଭିଲା –

“ଆପଣ ସେଇ ଦୟାନିଧି ନୁହଁନ୍ତି ତ ! ମାନେ, ବାଣୀବିହାରର ସତାନବେ ଅଠାନବେ ବ୍ୟାଚ୍‌ର ପାସ୍ ଆଉଟ୍…!”

ଆଶ୍ଚର୍ଯ୍ୟାନ୍ୱିତ ହୋଇ ମୁଁ ପଛକୁ ମୁହଁ ବୁଲାଇ ଦେଖେତ, ଅତି ପରିଚିତ ଲାଗୁଥିବା ଏକ ସହାସ୍ୟ ଚେହେରା ଉତ୍ସୁକତାର ସହ ଚାହିଁ ରହିଛନ୍ତି ମୋର ପ୍ରତ୍ୟୁତ୍ତରକୁ । ଦେଖୁ ଦେଖୁ ସ୍ମୃତିକୋଷରେ ତଡ଼ିତ ବେଗରେ ଏକ ବିସ୍ଫୋରଣ ସଂଘଟିତ ହୋଇଗଲା ଯେପରି । ବିଗତ ଦିନର ନିରବୀ ଯାଇଥିବା ସ୍ଥିରଚିତ୍ର ସବୁ ଚାହୁଁ ଚାହୁଁ କଥା କହିବା ଆରମ୍ଭ କରିଦେଲେ ନିମିଷେକ ମଧ୍ୟରେ । ମୋ ଅପଲକ ଆଖିର ପରଦା ଉପରେ ସହସା ଚେଇଁ ଉଠିଲା ବିସ୍ମୃତପ୍ରାୟ ପାଶୋରା ଅତୀତ । ମୁହଁର ମେକ୍ଅପ୍ ଆଉ ବୟସର ଛାପକୁ ଅତିକ୍ରମ କରି ଚିହ୍ନିପାରିଲି କ୍ଷଣପ୍ରଭାକୁ ।

ମୋ ଭିତରର ଅଧିର ଉଛୁଳା ଆନନ୍ଦ ଅପ୍ରତ୍ୟାଶିତ ଭାବେ କିଛି ଗୋଟେ ହାତ ପାହାନ୍ତାରେ ପାଇଯିବା ପରି ପ୍ରଗଳ୍ଭ ହେବାକୁ ଚାହୁଁଥିଲା । ପର ମୁହୂର୍ତ୍ତରେ ଏୟାରପୋର୍ଟର ସେଇ ଗମ୍ଭୀର ପରିବେଶରେ ସତର୍କ ହୋଇପଡ଼ି ନିଜର ଆବେଗକୁ ଯଥାସମ୍ଭବ ନିୟନ୍ତ୍ରଣରେ ରଖି ମୁଣ୍ଡ ହଲାଇ ହସହସ ମୁହଁରେ ତା’ ଆଡ଼କୁ ଚାହିଁ ହଁ’ ଭରିଥିଲି ।

– “ମୋତେ ଚିହ୍ନିପାରୁଛ ନା ! ମନେ ପକେଇ କହିଲ ମୁଁ କିଏ ?” ତା’ ଦୁଇ ଆଖିରେ ଭରି ରହିଥିଲା ଉତ୍ସୁକତାର ଏକ ସୁଉଚ୍ଚ ଢେଉ । ଯାହା ପ୍ରାପ୍ତିର ପୁଲକରେ ମଥା ପିଟିବ ବୋଲି ବେଳାଭୂଇଁଟିଏ ଚାହୁଁଥିଲା ।

– “ବେଶ୍ ଚିହ୍ନି ସାରିଛି । ଭାବିଛ କି ବୟସ ସହ ଆଖି ଚଷମାର ପାୱାର ବଢ଼ିଲେ ସୁଦ୍ଧା ମୁଁ ପୁଣି କ୍ଷଣପ୍ରଭା ମହାକୁଡ଼କୁ ଚିହ୍ନିପାରିବି ନାହିଁ!” କହି ଠୋ ଠୋ ହସି ଉଠୁଥିଲି ମୁଁ । ଏୟାରପୋର୍ଟରେ ସେଇ ଉପର ମହଲା ବୋର୍ଡିଙ୍ଗ ଗେଟ୍ ପାଖ ପ୍ରତୀକ୍ଷାଳୟଟି ଦୁଇ ଦଶନ୍ଧି ତଳର ବାଣୀବିହାର ପରି ଲାଗୁଥାଏ ।

ଯେପରି ଏକ ହଜିଲା ସ୍ମୃତିର ସୁବର୍ଣ୍ଣ ଫରୁଆ ପୁଣି ଥରେ ପ୍ରାପ୍ତ ହେବାପରି ଉଲ୍ଲସିତ ହୋଇ କ୍ଷଣପ୍ରଭା ଅବିଳମ୍ବେ ପଛ ଧାଡ଼ି ଚେୟାରରୁ ଉଠିଆସି ମୋ ପାଖରେ ବସିପଡ଼ିଲା । ଗୋଟିଏ ଲମ୍ବା କାଳଖଣ୍ଡର ଅନ୍ତରାଳ ପରେ ପୁଣି ଯେପରି ଆମ ଦୁହିଁଙ୍କ ମଝିରେ ଆଉ ଥରେ ଚେଉଁ ଉଠୁଥାଏ ଅଫେରା ଅତୀତର ଛାଇ ।

ଏଥର କିନ୍ତୁ ସମୟର ସେହି ଲେଉଟାଣି ସୁଅରେ ଖୁବ୍ ବେଶୀ ବିଚିତ୍ରତା ଥିଲା । ଥିଲା ଭରପୁର ବିସ୍ମୟ କରିଦେବା ପରି ଉପାଦାନ । ସବୁ ଆକଳନକୁ ଓଲଟାଇ ଦେବା ପରି ସଶକ୍ତ ଚମକ । ହଁ, କ୍ଷଣପ୍ରଭା ପୂରାପୂରି ବଦଳି ଯାଇଥାଏ । କେବେ ଥରକୁ ଥର ପଚାରିଲେ ଖୁବ୍ କଷ୍ଟରେ ତା’ ମୁହଁରୁ ପଦୁଏ ଶବ୍ଦ ବାହାରୁଥିବା ବେଳେ, ସେ ପାଲଟି ଯାଇଥିଲା ଜୁଆରୀ ନଈପରି ଉଚ୍ଛୁଳା । ଅନବରତ କିଚିରିମିଚିରି ଶବ୍ଦକରି ଚାଲିଥିବା ଘରଚଟିଆଟି ପରି ଅଣାୟତ୍ତ ଆବେଗରେ ମୁଖର । ଶୁଣୁଥିଲା ଅଳ୍ପ, କହୁଥିଲା ବେଶି ।

– “ଏହା ଭିତରେ ବହୁତ ବଦଳି ଯାଇଛ ତମେ ! ମାନେ… ସମୟର ଏହି ଆଶ୍ଚର୍ଯ୍ୟ ଅଭିସାରକୁ ମୁଁ ବିଶ୍ୱାସ ସୁଦ୍ଧା କରିପାରୁନାହିଁ!” ରହି ରହି ବିସ୍ମୟଭରା ଆଖିରେ ପଚାରିଲି ।

– “ପାହାଡ଼ କେବେ ଜାଣିପାରେନା ତା’ର ବନ୍ଧୁର ଛାତିର ଅଙ୍କାବଙ୍କା ପଥ ଦେଇ କୁଳୁକୁଳୁ ଝରଣାଟିଏ ବହୁଥାଏ ବୋଲି ! ଯଦି ଜାଣୁଥାନ୍ତା, ସିଏ ବି ଝରଣା ପରି ତରଳି ମିଳେଇବାକୁ ଚାହୁଁଥାନ୍ତା ! ମୁଁ ବହୁତ ଡେରିରେ ଜାଣିଲି ମୋ ଭିତରେ ଗୋଟିଏ ଝରଣା ଅଛି ବୋଲି ।” ଓଠରେ ଧାରେ ରହସ୍ୟଭରା ହସ ଖେଳାଇ ଉତ୍ତର ଦେଲା କ୍ଷଣପ୍ରଭା ।

ମୋ ଅବୁଝା ଆଖିର ପ୍ରଶ୍ନକୁ ବେଶ୍ ପଢ଼ିପାରିଲା ବୋଧେ ।

– “ସମୟ ମଣିଷକୁ ବଦଳାଇ ଦେଇଥାଏ ଦୟା ! ମୁଁ ଯାହାକୁ ବାହା ହୋଇ ହାତ ଧରିଲି, ତାଙ୍କ କର୍ମକ୍ଷେତ୍ର ଥିଲା ଉପସାଗରୀୟ ଅଞ୍ଚଳ । ଯଦିଓ ଆମେ ରହୁଥିଲୁ ବେଙ୍ଗାଲୁରୁରେ । ସେ ବର୍ଷକରୁ ଅଧିକାଂଶ ସମୟ ସେପଟେ ରହନ୍ତି । ଯେଉଁ କିଛିଦିନ ନିଜ ଦେଶକୁ ଆସନ୍ତି, ସେଥିରୁ ଦିନକୁ ଅଠର ଘଣ୍ଟା ଲାପ୍ଟପ୍ ସହିତ କାଟନ୍ତି । ମୋର ଯେମିତି କମ୍ କହିବା ସ୍ୱଭାବ, ତାଙ୍କର ମଧ୍ୟ ସେମିତି । ଝିଅଟିଏ ହେଲା । ବେଙ୍ଗାଲୁରୁ ମେଟ୍ରୋ ସହରରେ ଆପାର୍ଟମେଣ୍ଟ ଭିତରେ ଏକାକୀ ଝିଅକୁ ଧରି ରହି ବଡ଼ କରୁ କରୁ କେତେବେଳେ ଛାଏଁ ଛାଏଁ ମୋ ଭିତରେ ଏହି ଝରଣାର ଧାର ଖୋଲି ଯାଇଥିଲା ଜାଣିପାରି ନଥିଲି ।” ଖୁବ୍ ସଂକ୍ଷିପ୍ତ ଓ ଅକପଟ ଭାବରେ ତା’ ଜୀବନ କାହାଣୀକୁ ଦାର୍ଶନିକ ସୁଲଭ ଶୁଣାଇ ମୋ ଆଡ଼କୁ ଏକ କୋମଳ ଆବେଗସିକ୍ତ ଆଖିରେ ଚାହିଁ ରହିଥାଏ ସେ ।

ତା’ ଦୁଇ ଆଖି ଭିତରେ ବହଳ ମେଘଖଣ୍ଡର ପଟୁଆରା ପରି ଅନେକ ଅକୁହା କଥା ଅବତରିବାକୁ ଯେପରି ଉନ୍ମୁଖ ହେଉଥାଏ । ମାତ୍ର ଉଚ୍ଛୁର ସମୟ ସେତିକି ଅବସର ଦେବାକୁ ଯେପରି ଥାଏ ନାରାଜ !

ବେଙ୍ଗାଲୁରୁ ଅଭିମୁଖେ ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ୍‌ର ଘୋଷଣା ଆରମ୍ଭ ହୋଇଯାଇଥାଏ ।

– “ଘରବାରି ସଂକ୍ରାନ୍ତୀୟ କାମରେ ଦୁଇଦିନ ପାଇଁ ଭୁବନେଶ୍ୱର ଆସିଥିଲି, ଆଜି ଫେରୁଛି ।” କହି ମୋ ପାଖରୁ ମୋବାଇଲ ନମ୍ବରଟିକୁ ସଂଗ୍ରହ କରି ତରବର ହୋଇ ବୋର୍ଡିଙ୍ଗ ପାଇଁ ଧାଡ଼ିରେ ଛିଡ଼ା ହୋଇ ପଡ଼ିଲା କ୍ଷଣପ୍ରଭା ।

ସେ ମଝିରେ ମଝିରେ ମୁହଁ ବୁଲାଇ ଚାହୁଁଥାଏ । ଠିକ୍ ଶେଷ ମୋଡ଼ ପାଖରେ ଅଦୃଶ୍ୟ ହେବା ପୂର୍ବରୁ ମୁହଁରେ ପୁଣି ଥରେ ହସ ଖେଳାଇ ହାତ ହଲାଇ ବାଏ’ ବାଏ’ କଲା । ଦୃଷ୍ଟିରୁ ଅନ୍ତରାଳ ହେଲା ପରେ ବି ତା’ର ସେଇ ବିଦାୟୀ ଚିତ୍ର ମୋତେ ଆଚ୍ଛନ୍ନ କରି ରଖିଥାଏ । ଲାଗୁଥାଏ, ସତେ ଯେପରି ଏୟାରପୋର୍ଟର ଶୀତତାପ ନିୟନ୍ତ୍ରିତ ନିବୁଜ କାଚ କୋଠରୀର ଝର୍କାକୁ ଠକ୍ ଠକ୍ କରି ହାବୁକାଏ ଚୋରା ଚଇତାଳି ଭିତରେ ପଶିବାକୁ ବାଟ ଉଣ୍ଡାଳି ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top