ଆମେ ଚାରି ଭାଇ ଭଉଣୀ ସକାଳୁ ସକାଳୁ ଚୁଲିମୁଣ୍ଡରେ ବୋଉକୁ ଘେରି ବସିଥିବୁ । ଚୁଲିରେ କୁଟାନୁଣ୍ଡା ପୁରେଇ ଦେଇ ବୋଉ ମାଟି ପଲମ ବସେଇ ଦେଇଥିଵ । କଦଳି ବାସୁଙ୍ଗାକୁ ତେଲ ଘଡିରେ ବୁଡେଇ ଆଣି ପଲମରେ ଘଷି ଆଣିଲା ବେଳକୁ ସେ-ଏ-ଏଁ-ଏଁ ଶବ୍ଦଟା ଆମ କାନ, ମନକୁ ଉଚ୍ଚକିତ କରିପକାଏ । ଆଣ ମାଣ୍ଡିଆରେ ଛୋଟ ତାଟିଆ ବୁଡ଼େଇ ପଲମ ଉପରେ ଢାଳି ଦେଲା ବେଳକୁ ଆମର ଫର୍ମାସୀ ଆରମ୍ଭ ହେଇଯାଏ । କିଏ କହେ- ବୋଉ ମୋର ବେଙ୍ଗପିଠା । ବୋଉ ପଲମ ଉପର ଆଣରେ ଛୋଟ ଛୋଟ ଗୋଡ, ବେଙ୍ଗ ପରିକା ମୁଣ୍ଡ କରିଦିଏ । ବିରି ଆଣ ଫୁଲି ସତସତିକା ଫାଫୁଲିବେଙ୍ଗ ପରି ହୋଇଯାଏ । ସାନ ଆଡୁ ପିଠା ଦେଇଆସିଲା ବେଳକୁ ଆଗଭାଗ ପଡେ ଭଉଣୀ କୁନିର । ତାପରକୁ ଯିଏ ବଡ଼ ସିଏ ବି ଭଉଣୀ ମୁନି । ତା’ର ଜିଦି ଖାଇବ ଗୁଡ଼ି ପିଠା । ବୋଉ ପଲମରେ ଆଣ ଢାଳି ମଝି ଆଉ କନେଷ୍ଟ ଆଙ୍ଗୁଠିରେ ଆଙ୍କି ଦିଏ ଲାଞ୍ଜଥିବା ଗୁଡ଼ି । ପିଠା ମୁନି ହାତକୁ ଗଲା ବେଳକୁ, ସିଏ ମୋ ଆଗରେ ଦେଖେଇ ଦେଖେଇ ଖାଉଥିବ ଆଉ କହୁଥିବ – ଭାଇ ,ଭାଇ ହୈ ଦେଖ୍ ମୋ ଗୁଡ଼ିର ନାଞ୍ଜି । ମୋ ପାଟିରୁ ଲାଳ ଜକେଇ ଆସୁଥିବ । ମୋ ପାଳି ଆସିଲା ବେଳକୁ ସମସ୍ତଙ୍କୁ ପିଠାରେ ଟପିଯିବା ପରି କହିବି – ବୋଉ , ମତେ କଇଁଛ ପିଠା କରିଦେ’ । ବୋଉ ପଲମରେ ସବୁଥର ପରି ଗୋଟିଏ ତାଟିଆ ଆଣ ଢାଳିଲା ବେଳେ ମୁଁ ନାକ ସୁଉଁ ସୁଉଁ କରି କହିବି ଆହୁରି ଆଣ ଦେ’, କଇଁଛ ପରି ଫୁଲିବ ଯେମିତି । କୁନି ଠାରୁ ମୋର ବଡ଼ ହେବ । ମୋ କଇଁଛ ପିଠା ଦେଖି ଅନ୍ୟମାନଙ୍କ ନାକ କାନ୍ଦିବା ଆରମ୍ଭ ହେଇଯିବ । ବୋଉ କହିବ – ଆଲୋ କୁନି, ମୁନି । କଥାରେ କହନ୍ତି-ନା, ଦାଳୁଅ ଲାଗି କାନିସିରି ପାଣି ପାଉଚି । ଆଜି ପରା ମୋ ପୁଅର ଜନ୍ମଦିନ । ତା’ରି ଲାଗି ପିଠା ହେଇଚି । ତମେ ପୁଣି ତା’ ସାଙ୍ଗରେ ବାଦ କରୁଚ ! ଜନ୍ମଦିନ କଥାଶୁଣି ସମସ୍ତେ ତୁନି ପଡିଯାଉ । ସମସ୍ତଙ୍କ ଭିତରେ ମୋ ସ୍ଥିତିଟା ଟିକେ ସ୍ଵତନ୍ତ୍ର ହେଇଉଠେ । ଆଜି ତା’ହେଲେ ମୋର ଜନ୍ମଦିନ । ହେଲେ ଆମେ କେତେ ବୁଝୁ ଇଏ ଗୋଟେ କି ଦିନ ଯେ !
ଆଈ ମା’ ସେତିକିବେଳେ ଚୁଲିମୁଣ୍ଡ ପାଖକୁ ଆସି କହେ – ତୁ ଉଠିବୁ ତ ପଢିଆରୀ ଝୁଅ । ଯା, ତେଣେ ଠାକୁରାଣୀ ମାଜଣା ସଜାଡିଦେ’ । ନାପିତ ପୁଅ ଆଇଲାଣି । ତାର କେତେ ଆଡେ କେତେ କାମ । ଠାକୁରାଣୀ ଗାଧେଇ ଦେଇ ସେ ଅନ୍ୟ କାମରେ ଯିବ । ଇଏ ଟୋକା ତ ଅଗାଧୁଆ ଖାଇସାରିଲାଣି ।
ହଉ ,ଠାକୁରାଣୀ ଗାଧୁଆ ପାଣି ଆସିଲେ ଗାଧେଇବ । ତୁ’ ଯା । ବୋଉ ଚୁଲିମୁଣ୍ଡରୁ ଉଠିଯାଏ ।
ଆଈମା’କୁ ଘେରିବସି କୁନି ପଚାରୁଥିବ – ଆଈ, ଆଜି କାହିଁକି ଭାଇର ଜନ୍ମଦିନ ? ଆମର କାହିଁକି ନୁହଁ ? ସେତିକିବେଳେ ପହଞ୍ଚି ଯାଏ ଗଉଡୁଣୀ । ପରସୁଣିରେ ଦହିଛେନା । ଆମକଥାକୁ ଶୁଣି କହିଦିଏ- ଇରେ ପିଲେ ତମ ଆଈ ପରା ଫି ବରଷ ତା’ର ବଡନାତି ଜନ୍ମଦିନକୁ ଘରେ ଭାରି ଜାକଜମକ କରେ । ଦୁଃଖୀରଙ୍କି ଦେଖି ଦାନଦିଏ । ଠାକୁରାଣୀ ପାଖରେ ଖିରୀ ରାନ୍ଧି ଅଣାହାଳି ଛୁଆଙ୍କୁ ଖୁଆଏ ।
ଆଈ ପିଠା କରୁକରୁ ଦି’ ଫରା ବଢେଇ ଦିଏ ଗଉଡୁଣୀ ଆଡ଼କୁ । ପଲମକୁ ଚାହିଁ ହଜିଯାଉଥାଏ ମୋ ଜନ୍ମଦିନର ଅତୀତରେ । କହେ – ହଁ ଲୋ , ଏଇ ବଡନାତି ପାଇଁ କେତେ ଷଠିଦୂଷୀ ନପୂଜିଚି ! ପିଲାଟା ପେଟରେ ରହିଲା ଦିନୁ କେତେ ଆଶଙ୍କା ! ବୋହୂଟା ସେତେବେଳେ ନହୁଲି ବୟସର । ବାହାଘର ଦି’ ମାସ ପରେ ପିଲା ରହିଗଲା । ସମସ୍ତେ କହିଲେ ବର ତିରିଶାକୁ କନିଆଁ ଦଶା । ଏଇ ବୟସରୁ ପିଲା କାଖେଇବ !! ସେଇବର୍ଷ ଜ୍ୟେଷ୍ଠ ପୁନେଇଁ ଦିନ ଲାଗିଥାଏ ବର୍ଷା ପବନ। ବଙ୍ଗୋପସାଗରରେ ଲଘୁଚାପ । ଏଣେ ସକାଳୁ ସକାଳୁ ବୋହୂର ଯନ୍ତ୍ରଣା ଆରମ୍ଭ । ଶୁଳୁଣୀ ଆସିଲା । ପେଟରେ ହାତ ବୁଲେଇ କହିଲା ପିଲା ଅଡା ପଡ଼ିଛି । ମୋ ଛାତିରୁ ଅତଡ଼ା ଖସି ପଡୁଥାଏ । ବଇଦ ଡାକିବାକୁ ପକ୍ଷିଆ ଖଣ୍ଡେଧରି ୟା’ ଅଜା ଯାଇଛନ୍ତି । ବଇଦକୁ ସାଙ୍ଗରେ ଧରି ପହଞ୍ଚିଲା ବେଳକୁ ଗାଧୁଆବେଳ ଗଡିଗଲାଣି । ଉହଃ, ସେଦିନ କଥା ମନେପଡିଲେ ଧିଅ କାଲୁଆ ମାରିଯାଏ ଲୋ । ଯେତେ ଜଡ଼ିବୁଟି ,ଗଦପାଣି ଦେଲେ ବି ପିଲାଟା ବାଟକୁ ଆସୁନି । ସାହାଡାସୁନ୍ଦରୀ ଠାକୁରାଣୀ ପରା ଜିଅନ୍ତା ଦେବୀ । ନିଆଶୀ ହୋଇ ଡାକି କହିଲି – ମାଲୋ’ ମୋ ବୋହୂକୁ ରକ୍ଷାକର ମା’ । ତତେ କଳାଘୋଡା ଦେବି । ତୋ ପିଠରେ ବାଳଭୋଗ କରିବି । କି ଆଚମ୍ବିତ କଥା ! ତତେ ମିଛ ମତେ ସତ । ଘଣ୍ଟାଏ ପରେ ମୋ’ ଘରେ ବୋହୂର ବେଦନା ବଦଳରେ ଶୁଭିଲା କୁଆଁ କୁଆଁ ଶବ୍ଦ । ଏଇ ଟୋକାର କୁଆଁ କୁଆଁ ଶୁଣି ତା’ର ଅଜା ଦୁରୁଜା ଗୁଡିଆ ଦୋକାନରୁ ଖୁଡୁମା ଥାଳିକି ଉଠେଇ ଆଣି ଦାଣ୍ଡରେ ପିଲାଙ୍କୁ ବାଣ୍ଟିଦେଲେ । ନାହିକଟାରୁ ପଞ୍ଚୁଆତି,ଏକୋଇଶିଆ ଯାଏ ଘରେ ବନ୍ଧୁବାନ୍ଧବ ଭିଡ଼ ଲାଗିଲା । ପୋଖତି ପାଇଁ ମୁଷ୍ଟି,ପିପ୍ପଳି । ଘିଅରନ୍ଧା , ଚେପଟାକଦଳୀ ,ସଜନା ତରକାରୀ…..।
ପିଠା ଶେଷକରି ଦୀର୍ଘଶ୍ଵାସ ଛାଡେ ଆଈ । ଚୁଲିମୁଣ୍ଡରୁ ଉଠେ । ଗଉଡୁଣୀକି ପୋଟିଆଧାନ ଗଉଣିରେ ମପେଇ ଦିଏ । ଛେନା,ଦହି,ଦୁଧ ,ଲହୁଣୀ ପାଇଁ । କହେ ସଞ୍ଜକୁ ଆସିବୁ ଲୋ,ସତ୍ୟନାରାୟଣ ପୂଜା ହେବ । ମୁଁ ଯାଏ , ଦେଖେ ଇଏ ନାତି ପାଇଁ ଜାମାପେଣ୍ଟ ଆଣିବାକୁ ହାଟ ଗାଁ ଗଲେଣି ଯେ ଆସିଲେ କି ନାହିଁ !
ଅଜା ହାଟ ଗାଁରୁ ଆଣିଥିବା ନୂଆ ଜାମାପେଣ୍ଟ ଖୋଲୁଖୋଲୁ ଚାରି ଭାଇ ଭଉଣୀଙ୍କ ଭିତରେ ଲାଗିବ ଟଣାଓଟରା । କିଏ କହିବ ଏଇଟା ମୋର , ଆଉ କିଏ କାନ୍ଦି ଗଡି ଯାଉଥିବ । ଭାଇ ପାଇଁ କାହିଁକି ଆସିଚି ଆମର ନାହିଁ କହି ଆଉ କିଏ ଋଷି ଯାଉଥିବ । ଅଜାଙ୍କ ପାନଖିଆ ପାକୁଆ ପାଟିରୁ ହସୁହସୁ ଛିଟିକି ପଡୁଥିବ ପିକ । କହିବେ, ସମସ୍ତେ ପିନ୍ଧିବେ ପରା । ସେଇଥିପାଇଁ ମୁଁ ଜାସ୍ତି ଦେଖିକି ଆଣିଚି ।ସମସ୍ତଙ୍କୁ ହବ । ହେଲେ ଆଜିଦିନଟା ବୁଲୁ ପିନ୍ଧୁ କାଲିକି ତମେ ପିନ୍ଧିବ । ହେଲା । କାନ୍ଦନା ଆଉ ।
ଭାଇ ଦେହରେ ହଳଦୀ, ମୁଣ୍ଡରେ ଚନ୍ଦନ, କୁଙ୍କୁମଟିପା ଲଗେଇ ନୂଆ ଜାମା ପିନ୍ଧିବା ବେଳକୁ ସମସ୍ତେ ଭୁଲିସାରିଥିବେ ଟିକିଏ ପୂର୍ବର ରାଗ ଋଷା । ଠାକୁରାଣୀ ମାଜଣା ଭୋଗ ଖାଉଖାଉ ସମସ୍ତେ ସାଙ୍ଗହେଇ ଡିଆଁ ମାରିବୁ ଦାଣ୍ଡକୁ । ଦାଣ୍ଡରେ ସାଙ୍ଗ ପିଲାମାନେ ମୋର ବେଶ ଦେଖି କହୁଥିବେ – ଇରେ ହେଇରେ ଇଏ କ’ଣ ଆଜି ବରବେଶ ହେଇଚି , ନା- ମାର୍କୁଣ୍ଡିରେ ଯିବ । ହି.. ହି଼ଃ..ହିଃ
ଦାଣ୍ଡ ଦୁଆର ପାଖକୁ ମୋତେ ଡାକି ମୋ’ ଗାଲରେ ଟିକେ କଜଳ ଲଗେଇ ଦେଇ , ଯା ଖେଳୁଥା’ କହିବା ବେଳେ ବୋଉ ଅନ୍ୟମନସ୍କ ହେଇଯାଉଥିବ । ଦାଣ୍ଡରେ ପିଲାମାନଙ୍କ ଗହଣରେ ଖେଳୁଥିବା ପୁଅକୁ ଚାହିଁ ମନେମନେ କହୁଥିବ – ଆଜି ଖାଲି ତୋ’ର ଜନ୍ମଦିନ ନୁହଁ ରେ .. ତତେ ଜନମ ଦେବାକୁ ଯାଇ ମୁଁ ବି ନୂଆ ଜନ୍ମଟିଏ ପାଇଥିଲି ।