ବର୍ଷା ଆସିଛି ବୋଲି ତ
ସବୁ ଲାଗେ ନୂଆ ନୂଆ
ଗାଁ ପୋଖରୀର ଗୋଳିଆ ପାଣିରେ
ତୁଠ ପଥରର ହଳଦୀ ରଙ୍ଗ
ହସୁଛି ଖିଲିଖିଲି ।
ଗାଁ ଦାଣ୍ଡରେ ଛୁଟିଛି ବର୍ଷାପାଣିର ସୁଅ
ମଝିରେ ଗୋହିର
ନଈପଠାର ଅତଡ଼ା ପରି
ମାଟି ପଡୁଛି ଲଥ ଲଥ ।
କ୍ଷେତରେ ଅଣନିଶ୍ୱାସୀ ହେଲାଣି
ନୂଆ କରି ମୁହଁ କାଢ଼ିଥିବା ଧାନଗଛ ।
ବେଙ୍ଗ ରଡ଼ି, ଘଡ଼ଘଡ଼ି, ଷଣ୍ଢ ହାକୁଡ଼ି
ଗାଈ ଖୁରା କାଦୁଅରେ
ସବୁ ଯେମିତି ଏକାକାର ।
ହାଟଚାଳିରେ ମନମାରି ବସିଛି ପାଟରା
କହୁଣି କୁଣ୍ଢେଇ ବସିଛି ହାଟରା
ବର୍ଷାରେ ଦଣ୍ଡିପାଲା ବନ୍ଦ,
ବର୍ଷାରେ ବତୁରି ବୋହି ଗଲାଣି
ଗଫୁର ମିଆଁ ଚାଳିରେ
ମାର୍ଚ୍ଚମାସରୁ ଜମାଟ ବାନ୍ଧିଥିବା ଖାସି ରକ୍ତ ।
ଏବେ ତ ପଖିଆ ସଜାଡ଼ିବାର ବେଳ
ରାତି ପାଇଁ
ଘଷି ଭାଡ଼ିରୁ କାଳିଆବୋଉ କାଢୁଛି ଜାଳ ।
ଦାଣ୍ଡଦୁଆରେ ରାବଣ ପରି ଛକିଛି ଧଣ୍ଡ,
ଘର ଭିତରେ ବେଙ୍ଗ ରଡ଼ି
ବାହାରେ ଘଡ଼ଘଡ଼ି,
ଦିକିଦିକି ଚେମେଣି ଆଲୁଅରେ
ମୋଟା ଚାଉଳର ଭାତ ଚିପୁଚି ଚମ୍ପା
ପରଖୁଛି ହାଣ୍ଡିର ତାତି,
ଗେରସ୍ତ ପେଟଭୋକ ମାପୁଚି ଚୁପ୍ଚାପ୍
ବର୍ଷାକୁ ଦେଖି ଥରୁଛି ତା’ ଛାତି ।
ଆକାଶଠୁ ମାଟିଯାଏ
କଳାମେଘର ରୋଷଣି,
ବର୍ଷା ଆସିଛି ବୋଲି ତ
ଗାଁ ପାଇଁ ଲେଖି ହୁଏ
କେବେ କେବେ କେମିତିକା
କିଛି କିଛି ଅକୁହା କାହାଣୀ !

Pingback: Odia Poem Jebe Baeshaa Aase by Matrudatta Mohanty | Oriya Magazine ameodia.com