ପୂନେଇଁ ରାତିରେ ସଜବାଜ ହୋଇ ‘ଜହ୍ନ’ ଚାଲିଥିଲା ଆଗକୁ ଆଗକୁ ସତେ ଯେମିତି ସରଗ ରାଇଜର ଗୋଟେ ବୋଲି ରାଜକୁମାର । ହଠାତ୍ ମନେ ପଡିଲା ଜହ୍ନର ପୁରୁଣା ଅତିତର ସ୍ମୃତି । ମନଟା ଛଟ୍ ପଟ୍ ହେଲା ଜହ୍ନର , ପୁରୁଣା ସ୍ମୃତିଟା ମନେ ପଡୁପଡୁ ଜହ୍ନକୁ ଲାଗୁଥିଲା ସତେ ଯେମିତି ସେ ଅଣନିଶ୍ୱାସି ହୋଇଯିବ ଏଇ କ୍ଷଣିକ ଭିତରେ । ଜହ୍ନ ଭାବୁଥିଲା ମନେମନେ , ନୀଳ କଇଁ କଣ ମତେ ଆଜିବି ଝୁରୁଥିବ ଠିକ୍ ସେମିତି ଯେମିତି ମୁଁ ତାକୁ ଝୁରୁଛି ? ନୀଳ କଇଁ କଣ ନିହାତି ଏକୁଟିଆ ସମୟ କାଟୁଥିବ ଖାସ୍ ମୋରି ଅପେକ୍ଷାରେ !
ଜହ୍ନ ଜମାରୁ ସମୟ ନଷ୍ଟ କଲାନି ପାଖରେ ବି ବହୁତ କମ୍ ସମୟ , ମନେମନେ ଚିନ୍ତା କଲା ନୀଳ କଇଁକୁ ଖୋଜିବ ଏଇଠି ସେଇଠି ସବୁଠି ହେଲେ ନୀଳ କଇଁ କାହିଁ ? କୋଉଠି ବି ଖୋଜି ଖୋଜି ପାଉନି ଜହ୍ନ ନୀଳ କଇଁକୁ । ଜହ୍ନର ବ୍ୟାକୁଳତା ବଢିବାକୁ ଲାଗିଲା , ଜହ୍ନ ଖୋଜୁଥିଲା ନୀଳ କଇଁକୁ ଗାଁରେ ପୁରପଲ୍ଲିରେ ସହରର କଂକ୍ରିଟ୍ ଘର ଆଉ ଚାରି ଛକିଆ ରାସ୍ତା ସେପାଖରେ ହେଲେ କୋଉଠିବି ନୀଳ କଇଁକୁ ନପାଇ ଜହ୍ନ ନିରାଶ ହୋଇଗଲା । ଜହ୍ନକୁ ଲାଗୁଥିଲା ସତେ ଯେମିତି ତା ଦେହରେ ଗ୍ରହଣ ଲାଗିଯାଇଛି । କିଛି ସମୟ ଆଗକୁ ଯାଇ ଥକି ପଡିଲା ଜହ୍ନ , ଥକି ପଡିଥିବା ତୃଷାର୍ତ୍ତ ଜହ୍ନଟା ଭରା ଆକାଶରେ ଭାସି ବୁଲୁଥିବା ବାଦଲରୁ ପାଣି ପିଉପିଉ ଚିହିଁକି ଉଠିଲା ସତେ ଯେମିତି ! ମନେ ପଡିଗଲା ଜହ୍ନର ପୁରୁଣା ଦିନର ଠିକଣା ଯୋଉଠି ଜହ୍ନ ମିଶିଥିଲା ନୀଳ କଇଁ ସାଥିରେ କାହିଁ କୋଉ ଦୁର୍ବଳ ମୂହୁର୍ତ୍ତରେ । ଜହ୍ନ ଜମାରୁ ସମୟ ନଷ୍ଟ ନକରି ଆଗକୁଆଗକୁ ମାଡି ଚାଲିଲା , କେତେ ଗାଁ ପୁରପଲ୍ଲି ଜଙ୍ଗଲ ପାହାଡ ପର୍ବତ ଡେଇଁ ପାହାଡ ତଳେ ତଳେ ବହି ଯାଇଥିବା ଝରଣାର ଶେଷରେ ଗଢି ଉଠିଥିବା ଛୋଟ ପୋଖରି ଭିତରେ ନୀଳ କଇଁକୁ ପାଇ ସତେ ଯେମିତି ଆତ୍ମହରା ହୋଇଗଲା ଜହ୍ନ ।
ଏତେ ଦିନ ପରେ ପାଖରେ ଜହ୍ନକୁ ଦେଖି ନୀଳ କଇଁର ଆଖି ଲୁହ ଛଳଛଳ , ହସିବା ତ ଦୂରର କଥା କାନ୍ଦି ବି ପାରୁନି ଜମାରୁ ନୀଳ କଇଁଟା । ଜହ୍ନ ଇଶାରା କଲା ନୀଳ କଇଁକୁ ଆସ ମୋ ପାଖକୁ ଜମାରୁ ସମୟ ନାହିଁ ମୋ ପାଖରେ , ଆମେ ଏକ ହୋଇଯିବା କିଛି କ୍ଷଣ ପାଇଁ । ଜହ୍ନର ଇଶାରା ଠିକ୍ ଠିକ୍ ବୁଝି ପାରିଲା ନୀଳ କଇଁ , ସମୟ ନଷ୍ଟ ନକରି ନୀଳ କଇଁ ପୋଖରୀ ତୁଠ ଉପରକୁ ଆସି ଜହ୍ନକୁ ଆଉଜି ଠିଆ ହେଲା । ଜହ୍ନ ବାହା ହବାର ମିଛ ପ୍ରତିଶୃତି ଦଉଥିଲା ନୀଳ କଇଁକୁ , ଛିଃ କେତେ ସ୍ୱାର୍ଥପର ଏ ଜହ୍ନଟା କଣ ଟିକେ ଚୋରା ପିରତି ପାଇଁ ସରଳ ନିଃଷ୍ପାପ ନୀଳ କଇଁଟାକୁ ଏତେ ବଡ ମିଛ ପ୍ରଲୋଭନ ଦେଖଉଛି । ନୀଳ କଇଁ ଜହ୍ନର ମିଛ ପ୍ରଲୋଭନରେ ରାଜି ହୋଇଗଲା ଚୋରା ପିରତି ପାଇଁ , ରାଜି ହବନି କେମିତି ଯେ ମନ ଯେତେ ବେଳେ ଜହ୍ନକୁ ଦେଇଛି ! ହେଲେ ନୀଳ କଇଁର କିନ୍ତୁ ଅନ୍ଧାରକୁ ଭାରି ଡର , ଅନ୍ଧାର କୁଆଡେ ନୀଳ କଇଁର ପଛେ ପଛେ ବୁଲୁଛି କୋଉ ଅନାଦି କାଳରୁ । ଏଇତ କିଛି ସମୟ ତଳେ ଜହ୍ନ ଆସିବା ଆଗରୁ ଏକୁଟିଆର ସୁଯୋଗ ନେଇ ‘ଅନ୍ଧାର’ ହଇରାଣ କରୁଥିଲା ନୀଳ କଇଁକୁ । ନୀଳ କଇଁକୁ ଏମିତି ଡରିଯାଉଥିବା ଦେଖି ଜହ୍ନ ସାହାସ ଦଉଥିଲା ନୀଳ କଇଁକୁ , ଜହ୍ନ ନୀଳ କଇଁକୁ ବୁଝଉଥିଲା ମୁଁ ତୋ ପାଖେପାଖେ ଥିବା ଯାଏଁ ତୋର ଅନ୍ଧାର କିଛି କରିପାରିବନି । ଆହୁରି ଜହ୍ନ ପ୍ରତିଶୃତି ଦଉଥିଲା ନୀଳ କଇଁକୁ ଏ ସ୍ୱାର୍ଥପର ଦୁନିଆଁ ତୋତେ ଅପମାନିତ କରିବା ଆଗରୁ ମୁଁ ତୋତେ ସାଥିରେ ନେଇଯିବି । ଜହ୍ନର ପ୍ରତିଶୃତି ଶୁଣି ଖୁସି ହୋଇଗଲା ନୀଳ କଇଁ । ଜହ୍ନ ପାଖରେ ସମୟ ବହୁତ କମ୍ ଥିଲା , ନୀଳ କଇଁ ସାଥେ ଚୋରାପିରତି ସାରି ଫେରିଗଲା ଜହ୍ନ ତା ନିଜ ରାଇଜକୁ । ହେଲେ ଏ ସବୁ ଅଛପା ରହିଲାନି ‘ଅନ୍ଧାର’ ପାଖରେ । ଅନ୍ଧାର ଅପେକ୍ଷା କରିଥିଲା ସକାଳକୁ । ସକାଳ ହଉହଉ ଅନ୍ଧାର ବଖାଣି ଦେଲା ନୀଳକଇଁ ଆଉ ଜହ୍ନର ଚୋରା ପିରତି କାହାଣି ଏଇ ସ୍ୱାର୍ଥପର ସମାଜ ଆଗରେ ।
ସ୍ୱାର୍ଥପର ସମାଜଟା ଛିଃ ଛିଃ କରୁଥିଲା ନୀଳକଇଁକୁ। ସକାଳୁ ସକାଳୁ ଲଜ୍ଜା ଅପବାଦ ନିନ୍ଦା ଶୁଣୁଶୁଣୁ ଝାଉଁଳି ପଡିଲା ନୀଳକଇଁ । ନୀଳକଇଁ ଆଖିରେ ଆଖିଏ ଲୁହ, ଲୁହ ଛଳଛଳ ଆଖିରେ ମନେ ପକଉଥିଲା ଜହ୍ନର ପ୍ରତିଶୃତିକୁ ଆଉ ମନେମନେ ଗୁଣୁଗୁଣୁ ହୋଇ କହୁଥିଲା ଆସ ଜହ୍ନ ଏ ସ୍ୱାର୍ଥପର ଦୁନିଆକୁ ସାକ୍ଷୀ ରଖି ମୋ ମଥାରେ ସିନ୍ଦୁର ପିନ୍ଧେଇ ଦିଅ, ମୋତେ ଏ ଲଜ୍ଜା ଅପବାଦରୁ ମୁକ୍ତ କରିଦିଅ । ଏ ଭିତରେ ନୀଳକଇଁ ପୋଖରୀ ଭିତରେ ଥାଇ ପାଣିକୁ ଚାହୁଁଥିଲା, ପାଣି ଭିତରେ ଦେଖା ଯାଉଥିଲା ସକାଳ ଆକାଶର ପ୍ରତିବିମ୍ବ । ସେହି ସକାଳ ଆକାଶର ପ୍ରତିବିମ୍ବକୁ ଚାହିଁ ନୀଳକଇଁ ଖୋଜୁଥିଲା ବିତି ଯାଇଥିବା ରାତିର ଜହ୍ନକୁ । ହେଲେ ଜହ୍ନ କାହିଁ ! ଜହ୍ନ ତ ଚାଲିଯାଇଛି ନୀଳକଇଁ ଠାରୁ ବହୁତ ଦୂରକୁ ମାନେ ପାଖାପାଖି ହଜାରେ ଆଲୋକ ବର୍ଷ ହଁ ହଁ ହଜାରେ ଆଲୋକ ବର୍ଷ ……………….
