କବିତା

ମୋ ମା’

Manorama Mishra's odia poem for children Mo Maa

ମା’ ଯେ ମା’ ଏମିତି ମା’ କାହାର ଜମା ନାହିଁ
ଏକଥା ନିତି ମନରେ ଭାବେ ମା’କୁ ଚାହିଁ ଚାହିଁ

ମୋ ମା'
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମା’ ଯେ ମା’ ଏମିତି ମା’ କାହାର ଜମା ନାହିଁ
ଏକଥା ନିତି ମନରେ ଭାବେ ମା’କୁ ଚାହିଁ ଚାହିଁ
ରାଗିଥିଲେ ସେ ଲାଗେନି ଡର
ଗାଳି ଦେଲେ ବି ଲାଗେନି ପର
ସବୁଠୁ ସିଏ ନିଜର ମୋ
ତା’ ପରି କେହି ନାହିଁ । ମା’ ଯେ ମା’ ଏମିତି ମା’. . .

ମୋ ପାଇଁ ଯେତେ କଲେ ବି କାମ ହାଲିଆ ହୁଏ ନାହିଁ
ଯହିଁ ମୁଁ ଯାଏ ରହେ ସେ ମୋର ଫେରିବା ବାଟ ଚାହିଁ
ନ ଖାଇଲେ ମୁଁ ଖାଏନି ସିଏ
ନ ମାଗି ମୋତେ ସବୁ ସେ ଦିଏ
ଆଦର କେତେ କରଇ ମୋତେ
ତୁଳନା ତା’ର ନାହିଁ ।
ମା’ ଯେ ମା’ ଏମିତି ମା’. . .

ମୋ ପାଇଁ ଯେତେ କରେ ସେ ଚିନ୍ତା କେହି ତ କରେ ନାହିଁ
ରାଗି ରୁଷି ମୁଁ ଅବୁଝା ହେଲେ ବୁଝାଏ ମୋତେ ଚାହିଁ
ହସଇ ସିଏ ସୁଖରେ ମୋର
ମୋ ଦୁଃଖେ ଦୁଃଖୀ ମନଟି ତା’ର
ତା’ ମନ ପରି ମନଟିଏ ମୁଁ
କେଉଁଠି ପାଏ ନାହିଁ ! ମା’ ଯେ ମା’ ଏମିତି ମା’. . .

କେମିତି ଆହା ଥିବା ସେ ପିଲା ମା’ ଯାହାର ନାହିଁ
ବେଳେ ବେଳେ ମୁଁ ଭାବେ ଏକଥା ମା’କୁ ଚାହିଁ ଚାହିଁ
ମା’ ପାଇଁ ମୋ ଗରବ ଭାରି
ମୋ ପାଇଁ ସେ ସରଗ ପରି
ତା’ ବିନା ମୋତେ ସାରା ଦୁନିଆ
ଭଲ ଲାଗଇ ନାହିଁ । ମା’ ଯେ ମା’ ଏମିତି ମା’. . . !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top