ଗାଡ଼ି ଗାଆଁରୁ ବାହାରିବାଠୁଁ ନିତ୍ୟାନନ୍ଦ ସାର୍ଙ୍କ ବିଷୟରେ ହିଁ କଥା ଚାଲିଚି ରାଜଧାନୀ ଯାଏ । ଆଠ ଦଶ ସରିକି ମୁରବି ବୋଲାଉଥିବା ଲୋକେ ଗାଡ଼ିଟିଏ କରି ଆସିଛନ୍ତି ମନ୍ତ୍ରୀଙ୍କ ପାଖକୁ । ଉଦ୍ଦେଶ୍ୟ ନିତ୍ୟାନନ୍ଦ ସାର୍ଙ୍କ ବିଷୟରେ ଫେରାଦ ହେବେ । ତାଙ୍କ ବଦଳି ନିହାତି ଜରୁରୀ ବୋଲି ଦାବି କରିବେ । ସେମାନଙ୍କ କିଛି କଥା ଭିତରେ ସାର୍ଙ୍କ ଅବିଗୁଣ ଗୁଡ଼ା ଏହିପରି. . . ।
ସାର୍ ଜନଗଣନା ବେଳେ କିଛି ଲୋକଙ୍କୁ ଷାଠିଏ ପାର କରାଇ ପାରିନାହାନ୍ତି ଯେଉଁଥିପାଇଁ ପାଞ୍ଚବର୍ଷ ହେଲା ଭତ୍ତା ପାଇ ପାଇ ଆସୁଥିବା ଗୋବର୍ଦ୍ଧନ ଗୋଚ୍ଛାୟତର ଏ ବର୍ଷ ଭତ୍ତା ବନ୍ଦ । ତେଣୁ ଗାଡ଼ିରେ ବସିଥିବା ଗୋବର୍ଦ୍ଧନର ନିତ୍ୟାନନ୍ଦଙ୍କୁ ନିତିଆ ତଥା ସାର୍ଙ୍କୁ ଶଳା ପରି ସମ୍ୱୋଧନ କରିବାକୁ ଗାଏମୋଟ ସମସ୍ତେ ସମର୍ଥନ ଜଣାଇ ସାରିଛନ୍ତି ହୋ’-ହୋ’ ହସ ମାଧ୍ୟମରେ । ସିଏ ନିତ୍ୟାନନ୍ଦ ସାର୍ଙ୍କ ଠାରୁ ବଡ଼ ନ ହୋଇପାରେ କିନ୍ତୁ ଷାଠିଏ ବର୍ଷରୁ ଯେ ଗୋବର୍ଦ୍ଧନ ଅଧିକ ହୋଇପାରିବ ନାହିଁ ଏକଥା କହିବାର ମୂର୍ଖତା ସାର୍ କୁଆଡ଼େ କରିଛନ୍ତି ।
ବୟସ ହେଇଯିବା ଠାରୁ ସାର୍ଙ୍କୁ ନିଶ୍ଚୟ ଭଲ ଦିଶୁନାହିଁ । ଏ କଥାର ପ୍ରମାଣ ହେଉଚି ନିଧି ବେହେରାର ଅଭିଯୋଗ । ଗତ ପଞ୍ଚାୟତ ନିର୍ବାଚନରେ ସିଏ ଖୋଦ ୱାର୍ଡମେମ୍ୱର ପ୍ରାର୍ଥୀ ଥିଲେ ମାତ୍ର ଖଣ୍ଡେ ଦି’ଖଣ୍ଡ ଭୋଟ ପାଇଁ ମାଟି କାମୁଡ଼ି ପଡ଼ିଗଲେ ।
ଯେଉଁ ବ୍ୟବଧାନକୁ ପାର କରାଯାଇ ପାରିଥାନ୍ତା ଯଦି ତୃତୀୟରୁ ପାଠ ଛାଡ଼ିଥିବା ତାଙ୍କ ନିଜ ପୁଅର ନାମକୁ ସାର୍ ଭୋଟର ଲିଷ୍ଟ୍ରେ ସାମିଲ କରିଥାନ୍ତେ । ହେଲାନାହିଁ । ପୁରୁଣା ଇସ୍କୁଲର ରେଜିଷ୍ଟର ଦରାଣ୍ଡି ଦରାଣ୍ଡି ଦିନବାର ଗଣନା କରି କହିଲେ ପୁଅର ଅଠର ବର୍ଷକୁ ଆଉ ଛ’ମାସ ବାକି ଅଛି । ତେଣୁ ଭୋଟର ତାଲିକାରେ ତାଙ୍କ ପୁଅର ନାଁ ଉଠିପାରିବ ନାହିଁ । ଏଡ଼େ ବଡ଼ଟେ ଦିଶିଲେ କ’ଣ ହେଲା ବୟସ ହୋଇନାହିଁ । ସୁତରଵାନ ନିତ୍ୟାନନ୍ଦ ସାର୍ ନିଧିବାବୁଙ୍କ ଭାଷାରେ ସୁଦ୍ଦୁ ଗଲୁଆ ମାଷ୍ଟର ।
କଲେଜ୍ ଦୁଆର ମାଡୁ ମାଡୁ ରଙ୍କଜେନା ଝୁଅ ଭଲ ପାଇ ବାହାହେଇ ଏବେ ବୋହୂ । ତା’ବେଳକୁ ସାର୍ କାହିଁକି ଖୋଜିଲେନି ଇସ୍କୁଲ୍ ରେଜିଷ୍ଟର ।
ଏକ କଥାର ସୁଅକୁ ବନ୍ଧପକେଇ ଗାଡ଼ି ବ୍ରେକ୍ କଷିଲା ମନ୍ତ୍ରୀଙ୍କ ଗେଟ୍ ସାମ୍ନାରେ । ଚିରକୁଟି ଲେଖିବାକୁ ପଡ଼ିଲା ନାହିଁ, କି ଅପେକ୍ଷା ! ଗାଁର ଏତେଗୁଡ଼ାଏ ମୁରବି ଆସିଛନ୍ତି, ତାଙ୍କ ପାଇଁ ଚିରକୁଟି ଗୋଟେ କ’ଣ ?
ମନ୍ତ୍ରୀ ବିଳାସ ଗୌନ୍ତିଆ ଏତେଜଣ ମୁରବିଙ୍କୁ ଦେଖି ଭାରି ଖୁସି । ଅନ୍ତତଃ ତାଙ୍କ ମନ୍ତ୍ରୀଗିରି ସାର୍ଥକ ହେଇଚି । ଅଥଚ ନିଜ ନିଜ ଚାପା କ୍ରୋଧକୁ ନେଇ ସମସ୍ତଙ୍କ ମୁହଁ ଗମ୍ଭୀର ।
– କଥା କ’ଣ ଗୋବର୍ଦ୍ଧନ ବାବୁ ?
ବାସ୍, ଏତିକି ନିଆଁ ଝୁଲଟିକକ ବୋଧହୁଏ ଦରକାର ଥିଲା ବିସ୍ଫୋରଣ ପାଇଁ । ଏକସ୍ୱରରେ କ୍ରୋଧ ଅଭିମାନ ଓକାଳି ପକେଇଲେ ସମସ୍ତେ- ନିତାଇ ସାର୍ଙ୍କ ବଦଳି ପାଇଁ ଆମେ ଆସିଚୁ ।
– ନିତାଇ ସାର୍ଙ୍କ ବଦଳି ??
ଏଇ ନାଆଁଟା ଶୁଣୁଶୁଣୁ ଝଟ୍ପଟ୍ ଯେତିକି ଭାବି ହବ, ସେତିକି ଭାବୁ ଭାବୁ ମନ୍ତ୍ରୀ ଚୁପ୍ ହୋଇଗଲେ ।
ନିତାଇ ସାର୍ !
ଭଲ ଗଣିତ ପଢ଼ଉଥିବା ସାର୍ । ସ୍କୁଲ୍ହତାରେ ସୁନ୍ଦର ବଗିଚା କରୁଥିବା ସାର୍ । ମିଶାଣ ଫେଡ଼ାଣ ଶିଖେଇବା ପାଇଁ ନିଜେ କାଦୁଅରେ ଗୁଲି ତିଆରି କରି ପିଲାଙ୍କ ହାତରେ ଧରାଉଥିବା ସାର୍ ।
ନିତାଇ ସାର୍ !
ଲେଙ୍ଗୁଟି ପକଉଥିବା ସାର୍ । ପାଠରେ ଦୁର୍ବଳ ପିଲାମାନଙ୍କୁ ସ୍କୁଲ୍ରେ ଅଟକଉଥିବା ସାର୍ । ନଈଘାଟ, ତୋଟାରେ ଆକଟୁଥିବା ସାର୍ ।
ଏଇ ଦଶ ବାରବର୍ଷ ଭିତରେ କ’ଣ ଏତେ ପରିବର୍ତ୍ତନ ହେଇଗଲେ ସାର୍ । କେତେ ବଦଳି ଗଲାକି ସ୍କୁଲ୍ । ଅବଶ୍ୟ ଏବେ ସରକାରଙ୍କ ନୂଆ ଶିକ୍ଷାନୀତି । ଅନେକ ପରିବର୍ତ୍ତନ ଘଟିତି । ତା’ହେଲେ କ’ଣ ପରିଣତ ବୟସରେ. . . ସେ ଅନୁପଯୁକ୍ତ ହେଇ ପଡ଼ିଲେ ।
ମୁରବି ଜଣେ କହିଲେ- “ଆପଣ ଆଜ୍ଞା ସେ ପୁରୁଣା ସାର୍ଙ୍କ କଥା ଭାବୁନାହାନ୍ତି ତ । ସେକାଳ ପଖାଳ ଆଉ ଅଛି ନା । ବୁଢ଼ା ଏବେ ପାଠ ପଢ଼ଉଚି କି ରାଜନୀତି କରୁଚି ବୁଝି ହଉନି । ଗାଁରେ ବାଛି ବାଛି ଆମରି ଦଳିଆଙ୍କ ନାଆଁ ଭୋଟର ଲିଷ୍ଟରୁ କଟିଯିବ । ଆମ ଲୋକ ଭତ୍ତାରୁ ବଞ୍ଚିତ ହେବେ, ସ୍କୁଲ୍ ପରିଚାଳନା କମିଟିରେ ଆମକୁ ରଖାଯିବନି । ଏସବୁ ସେଇ ମାଷ୍ଟରର ଭିଆଣ । ବୁଝିଲେ, ସେଠୁ ତାକୁ ନ ହଟେଇଲେ ଆମେ ସଫା, କେଇଟା ଦିନରେ ଆମ ଦଳ ବି ସଫା ହୋଇଯିବ ।”
ନିତାଇ ସାର୍. . . ରାଜ. . . ନୀ. . . ତି ! ଅବଶୋଷ !
ଗୌନ୍ତିଆ ଛାତିରୁ ପୁଳାଏ ପବନ ବାହାରିଗଲା ନିଃଶ୍ୱାସରେ ।
ମୁରବି ଜଣେ କହିଲେ- “ଏଇତ ଦେଖୁନାହାନ୍ତି କଉ କାଳରୁ ଆମର ବି.ପି.ଏଲ୍. ଥିଲା । ଏବେକୁ ଶଳା ଖୋଜୁଛି କ’ଣ ନା କାହାର କୋଠାଘର, କାହାର ଗାଡ଼ି, କାହାର କେତେଟା ମୋବାଇଲ, ଗ୍ୟାସ୍, ଟିଭି, ଫ୍ରିଜ ହଇଓ ତୁ ତ ଚକୁଳି ଖାଇବା ଲୋକ ଫୋଡ଼ ଗଣିବାକୁ କିଏ ? ତୁ କ’ଣ ତୋ ବୋପା ଗଣ୍ଠିଧନରୁ ଆମକୁ ବି.ପି.ଏଲ୍ ଦଉଚୁ । ଆମେ ଯାହା କହୁଚୁ ତୁ ସେଇଆ ଲେଖ୍ । ବାହାନା କରୁଚି କ’ଣ ନା ମୋ ଚାକିରି ଚାଲିଯିବ । ଯାଉ ତୋ ଚାକିରି ଆମକୁ କ’ଣ ଧୂପ ଦଉଥିଲା । ଯାହା ତ ପାଠ ପଢ଼େଇ ଆମ ପିଲାଙ୍କୁ ପଣ୍ଡିତ କରି ପକେଇଚୁ ଛାଡ଼ ।”
ଗୌନ୍ତିଆ ଆଶ୍ଚର୍ଯ୍ୟ ! ନିତାଇ ସାର୍ଙ୍କ ଛାଟ ଯାହାଠି ବାଜିଟି ସିଏ ମୂର୍ଖ ହେଇଚି ? । ଏକଥା କ’ଣ ସମ୍ଭବ ?
ଆଜ୍ଞା, ପିଲାଏ ସବୁ ଭୁସ୍ ପଣ୍ଡିତ ବନିଗଲେଣି । ପିଲା ତ ଜାଳ ଗୋଟେଇଲେ, ପାଠ କ’ଣ ପଢ଼ିବେ ? ପଚାରିଲାରୁ କହୁଚି କ’ଣ- ନା, ଅଦିନିଆ ମେଘ ଉଠେଇ ଆସିଲା । ଜାଳ ଶୁଖିଚି ବାହାରେ । ପିଲାଙ୍କୁ ଲଗେଇ ନ ଉଠେଇଥିଲେ କାଲିକି ରୋଷେଇ ବନ୍ଦ ହୁଅନ୍ତା । ହଇଓ ସର୍କାର ନିୟମ ଯିଏ ନ ଜାଣିଚି, ପିଲାଙ୍କୁ ଯିଏ କାମରେ ଲଗଉଚି ସିଏ ନିଜେ ତ ମୂର୍ଖ, ଅନ୍ୟକୁ ପଢ଼େଇବ କ’ଣ ? ଆମ ପିଲା କାଇଁକି ଗଛରେ ପାଣି ଦେବେ, ମାଟି ହାଣିବେ । ଏକଥା ଯଦି ଅବିଶ୍ୱାସ ହଉଚି ଆପଣ ଦେଖନ୍ତୁ ଏସବୁ ଫଟୋ ।
କେତେଟା ଫଟୋ ପଡ଼ିଚି ଗୌନ୍ତିଆର ଟେବୁଲ୍ ଉପରେ । ସେ ସବୁକୁ ଦେଖେଇ ଜଣେ କହୁଚି- ଦେଖନ୍ତୁ ଏସବୁ, ଏ ଫଟୋ କ’ଣ ମିଛ ? ଏଇ ଫଟୋଟା ଦେଖନ୍ତୁ. . . ସ୍କୁଲ୍କୁ ଦଶଟା ପନ୍ଦରରେ ଆସି ପହଞ୍ଚିଲା, ପଚାରିଲାରୁ କହୁଚି ଯଉ ଗାଡ଼ିରେ ଆସୁଥିଲି ରାସ୍ତାରେ ପୂଜାଚାନ୍ଦା ପାଇଁ ଅଟକେଇ ଦେଲେ । ଲେଟ୍ ହେଲା । କିହୋ ତୁ ଚାକିରି କରିବୁ ସେ କଥା କ’ଣ ଆମେ ବୁଝିବୁ ? ଆମେ ତ ଦେଖିଲୁ ତୁ ଦଶଟା ପନ୍ଦରରେ ଆସିଚୁ । ଏତେ ଫରିବ୍ କ’ଣ ?
– ଏ ଫଟୋ ଦେଖନ୍ତୁ. . . ପିଲା ମଧ୍ୟାହ୍ନ ଭୋଜନ ଫିଙ୍ଗୁଛନ୍ତି, ଆମେ ତାକୁ ବୁଝେଇ ବୁଝେଇ ଥକତ । ସାର୍. . . ଆମେ ସେ ସି.ଆର.ସିଙ୍କ କଥା ବୁଝିବୁ । ସପ୍ତାହକୁ ଦି’ଦିନ ରୋଷେଇ ହଉ । କିଛି ବଳି ପଡ଼ିଲେ ସେସବୁ ବିକି ଗାଁ ଠାକୁରାଣୀ ପିଣ୍ଡିଟା ପକ୍କା କରିଦବା । କ’ଣ କହିଲା ଜାଣନ୍ତି ? ନା, ନିଇତି ରୋଷେଇ ହବ । ଯିଏ ଯାହା ଖାଇବେ ଖାଇବେ ।
ଗୌନ୍ତିଆ ମଧ୍ୟାହ୍ନ ଭୋଜନ କଥା ଶୁଣୁଶୁଣୁ ଅନ୍ୟମନସ୍କ ହୋଇ ପଡ଼ିଲା, ତା’ ସ୍କୁଲ୍ବେଳର ଦୃଶ୍ୟ ନାଚି ଉଠିଲା ଆଖି ଆଗରେ । ନିତାଇ ସାର୍ଙ୍କ ମ୍ୟାଜିକ୍ । ଘରୁ ଖାଇ ସାରି ପିଲାଏ ଆସିବା ବେଳକୁ ଶ୍ରେଣୀରେ ସାର୍ ଏମିତି ଗୋଟେ ପିଲାକୁ ଟେବୁଲ୍ ପାଖକୁ ଡାକିବେ ଏବଂ ତା’ ପେଟରେ ହାତମାରି ଆଖି ବୁଜି ବୁଜି, କ’ଣ ଯେ ମନ୍ତ୍ର ବିଡ୍ ବିଡ୍ ହେଇ କହିଦେବେ ପିଲାଟା କ’ଣ ଖାଇକି ଆସିଚି । ପିଲାଙ୍କୁ ପଚାରିଲା ବେଳକୁ ସତକୁ ସତ ସାର୍ ଯାହା ଯାହା କହିଥିବେ ପିଲାଟା ମଧ୍ୟ ସେଇସବୁ ଖାଇଥିବା କଥା କହିବ । ସେତେବେଳେ ଏ ଯାଦୁ କେମିତି ସମ୍ଭବ ହୁଏ ସେକଥା ଅବଶ୍ୟ ପିଲା ବୁଦ୍ଧିକୁ ନିଅଣ୍ଟ ପଡ଼େ । ସବୁପିଲା କେବଳ ବକ୍ ବକ୍ ହେଇ ଚାହିଁ ରହିଯାନ୍ତି । ଏମିତି ଏମିତି ପାଠପଢ଼ା ସରିଯାଏ ସିନା ସାର୍ଙ୍କ ମ୍ୟାଜିକ୍ର ମୂଳ ହେତୁ ବୁଝିପାରନ୍ତି ନାହିଁ ପିଲାଏ । ପରେ ବଡ଼ ହେଲା ପରେ ବୁଝୁ, ସାର୍ ଏମିତି ଏକ ପିଲାକୁ ପାଖକୁ ଡାକନ୍ତି ଯେଉଁ ଘରୁ ଦି’ଜଣ ପିଲା ସ୍କୁଲ୍କୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣକ ଠାରୁ ଖାଇବା କଥାଟା ବୁଝି ନିଅନ୍ତି ତ ଆର ଶ୍ରେଣୀରେ ମ୍ୟାଜିକ୍ ଦେଖାନ୍ତି ।
ନିଜ ଅନ୍ୟମନସ୍କତାରୁ ସଚେତନ ହଇ ଗୌନ୍ତିଆ କହିଲା- “ଆଚ୍ଛା ଏ ବିଷୟରେ ମୋତେ କହିବା ଅପେକ୍ଷା ଭାବୁଚି ଭଲ ହେବ ଆଗ ବିଇଓଙ୍କୁ କିମ୍ୱା ଡିଇଓଙ୍କୁ କମ୍ପ୍ଲେନ୍ ଦିଆଯାଉ । ସେମାନେ ଚାହିଁଲେ କାମଟା ସହଜ ହେଇଯିବ । ଏ ଛୋଟ ଛୋଟ କାମରେ. . . ।”
– ଆଜ୍ଞା ବିଇଓଙ୍କୁ କମ୍ପ୍ଲେନ୍ ଦିଆହେଇଚି, ଟୋଲ୍ ଫ୍ରି ନମ୍ୱରରେ ଅଭିଯୋଗ କରିସାରିଚୁ । ହେଲେ କ’ଣ ହବ ? ଏବେ ତାକୁ ନେଇ ଗାଁରେ ଦି’ଗୋଷ୍ଠୀ । ସେଦିନ ତ ଟୋଲ୍ ଫ୍ରି ନମ୍ୱରରୁ ଖବର ପାଇ ଯଉ ବାବୁ ସବୁ ଆସିଥିଲେ ଏମିତି ଘାଣ୍ଟିଲେ ଯେ ବୁଢ଼ାକୁ, ପାଟି ଫିଟଲାନି । ବିଇଓ ଅଫିସର୍ ଗୋଟେ କିରାଣି ଏମିତି ଚାଲାକ୍ କରି ବୁଲେଇ ବଙ୍କେଇ ପ୍ରଶ୍ନ ପଚାରିଲା ଯେ ସାର୍ଙ୍କ ପାଟି ଖନି ମାରିଗଲା । ମଟ ମଟ କରି ଖାଲି ଚାହୁଁଥାନ୍ତି ସେ କିରାଣି ମୁହଁକୁ ।
ସାରଙ୍କ ଚଷମା ପିନ୍ଧା ଆଖିରେ ଗୌନ୍ତିଆ ଦେଖିଥିବା ବୋକା ବୋକା ଚାହାଣି ଏବେ ବି ଭାସି ଉଠୁଚି । ସାର୍ ଭଲ ପିଲାମାନଙ୍କର କମ୍ ନମ୍ୱର ରଖିବାର ଖବରରେ ଯେମିତି ବୋକା ବୋକା ଦିଶନ୍ତି । ସେମିତି ତାଙ୍କ ହାତ ଗଢ଼ା ଛାତ୍ରର ଅଧୋଗତିରେ ମଧ୍ୟ ଦିଶନ୍ତି । ତେବେ ଏତେ ଗୁଡ଼ାଏ ମୁରବି ଲୋକଙ୍କ କହିବା. . . କ. . . ଥା ।
– ଆଜ୍ଞା ଆପଣ ମନ୍ତ୍ରୀ ହେଇ ଏଠି ବସି ରହିଲେ । ଗାଁକୁ ଗଲେ ସିନା ବୁଝନ୍ତେ । ଆମ ବିରୋଧୀବାଲା ଏବେ କେମିତି ମେଳି ହେଇ ସାର୍ଙ୍କ ସପକ୍ଷରେ ଯୁକ୍ତି କରୁଛନ୍ତି । ସେ ଯାହା ବି ହେଉ ଏଇଟା ଆମ ମାନସମ୍ମାନର ପ୍ରଶ୍ନ । ଆପଣ କିଛି କରନ୍ତୁ, ଆପଣ କ’ଣ ଚାହୁଁଛନ୍ତି ଆମ ଦଳ ଗାଁରୁ ନିଶ୍ଚିହ୍ନ ହେଇଯାଉ ?
ଗୌନ୍ତିଆ ଦ୍ୱନ୍ଦ୍ୱର ଏକ ଚଉମୁହାଁଣିରେ । ଦିଶୁଚି ଅସହାୟ ନିରୁପାୟ । ଗାଁ ମାମଲତକାରଙ୍କ ଅଭିଯୋଗର ପାହାଡ଼ ପାଖରେ ନିତାଇ ସାର୍ ଦିଶୁଛନ୍ତି ସେମିତି ପାଞ୍ଚଫୁଟରୁ କମ୍ ଉଚ୍ଚତା, ମୁଣ୍ଡ ମଝି ଚନ୍ଦା, ଧୋତି କୁର୍ତ୍ତାର ସେଇ ଛୋଟିଆ ମଣିଷ । ଅଗତ୍ୟା ବିଇଓଙ୍କୁ ଫୋନ୍ ଲଗେଇବାକୁ ପି.ଏକୁ କହିଲା-
“ହ୍ୟାଲୋ-ଓ, ମୁଁ ମନ୍ତ୍ରୀ ବିଳାସ ଗୌନ୍ତିଆ କହୁଚି ।”
. . .
ନମସ୍କାର-ନମସ୍କାର, ଆଚ୍ଛା ମୋ ନିଜ କନ୍ଷ୍ଟିଚୁ୍ୟଏନ୍ସି, ଖାସ୍ କରି ମୋ ପଞ୍ଚାୟତ, ମୋ ଗାଁର ଗୋଟେ କାମ ପାଇଁ. . . ।
. . .
ଆମ ସ୍କୁଲ୍ର ନିତ୍ୟାନନ୍ଦ ସାର୍ଙ୍କ ବଦଳି ଉପରେ କି ଡିସିସନ୍ ନେଲେ ?
. . .
ଟ୍ରାନ୍ସଫର ହେଇ ପାରିବନି । କାହିଁକି ?
. . .
ତାଙ୍କ ଚାକିରି ଆଉ ଅଳ୍ପଦିନ । ତାଙ୍କ ସ୍ତ୍ରୀ ଶଯ୍ୟାଶାୟୀ, ଏକଥା କ’ଣ ସିଏ ଲେଖିକି ଦେଇଛନ୍ତି ।
. . .
ନାଇଁ ନାଇଁ ଏମିତିରେ ମୋ ନିଜ ଗାଁ ହେଲେ ବି ମନ୍ତ୍ରୀ ହେଲା ପରେ ଦୁଇ ଦିନି ବର୍ଷ ହେବ ମୁଁ ଗାଁକୁ ଯାଇ ନାହିଁ ।
. . .
ତା’ହେଲେ ଏଇଟା କ’ଣ ଆପଣଙ୍କର ଫାଇନାଲ୍ ଡିସିସନ୍ ?
. . .
କ’ଣ କହିଲେ ମାନବିକତା ଦୃଷ୍ଟିକୋଣରୁ ?
. . .
ଶୁଣନ୍ତୁ ମାନବିକତା ଦୃଷ୍ଟିକୋଣ ରଖି ଆପଣ ହୁଏତ ଆପଣଙ୍କ ଆଡ଼ମିନ୍ଷ୍ଟ୍ରେସନ୍ ଚଳେଇ ପାରିବେ । ଆମେ କିନ୍ତୁ ନେତା ହେଇ ରହିବାଟା କଷ୍ଟ । ଆମର ଦଳ ଦର୍କାର ନା । ଶୁଣନ୍ତୁ ଆପଣ ନିତ୍ୟାନନ୍ଦ ସାର୍ଙ୍କ ବଦଳି ଆଦେଶ ଉପରେ ଦସ୍ତଖତ କରିବେ କି ନିଜ ବଦଳି ଚାହିଁବେ କାଲି ସୁଦ୍ଧା ମୋତେ ଜଣେଇବେ । ରହୁଚି ।
