ତୁମକୁ ଖୋଜି ଖୋଜି,
କେତେ କିଏ ହଜିଗଲେ
ସମୟର କରାଳ ସ୍ରୋତରେ ।
ଜୀବନ ବି ବିତିଗଲା ଥାକ ଥାକ ବହି ଆଉ
ପୋଥି ପଢିବାରେ ।
ସବୁଠି ଖୋଜନ୍ତି ତୁମକୁ ପାହାଡ କନ୍ଦରେ,
ମେଘମାଳା ଘେରା ଉଚ୍ଚ ପର୍ବତ ଶିଖରେ,
ଘଞ୍ଚ ଅରଣ୍ୟରେ, ହିମାଳୟ ଗମ୍ଭିରୀ ଗୁମ୍ଫାରେ ।
କହନ୍ତି, ତୁମେ କାଳେ ଥାଅ
କଣ କଣ ପ୍ରତି ଅନୁକୋଣେ,
ତୁମେ ଥାଅ ଜଡ ଚେତନରେ ।
ସୂର୍ଯ୍ୟର ଉଷ୍ମତାରେ
ହିମଖଣ୍ଡର ଶିତଳତାରେ,
ଫୁଲରେ, ମଳୟର ମହକରେ
ସକାଳର କାକର ବିନ୍ଦୁରେ ।
ତୁମେତ ଏଠି ଥାଅ, ସେଠି ଥାଅ
ସବୁଥିରେ ତୁମରି ପ୍ରକାଶ ।
ତୁମେ ନିରନ୍ତର ଥାଅ ସାଥେ ସାଥେ ମୋର,
ତେବେ ପୁଣି କାହିଁକି ଖୋଜନ୍ତି ତୁମକୁ
ଏଠି ସେଠି ଆଉ ଧରିତ୍ରୀ, ଆକାଶ?
ତୁମେ ଏତେ ସହଜଲବ୍ଧ,
ହେଲେ, କେତେ ଯେ ଜଟିଳ,
ପାଇବାର ସୁତ୍ର ସବୁ
ଏତେ ଅଡୁଆ ତଡୁଆ କାହିଁକି ?
ସୁତାର ମୂଳ ଖୋଜୁ ଖୋଜୁ
ଆହୁରି ଅଡୁଆ ହୋଇଯାଏ ଗଣ୍ଠି ।
ହାତ ପାହାନ୍ତାରେ ଥାଇ ବି
ଧରା ଦିଅ ନାହିଁ, ଲାଗେ ସତେ,
ଯୋଜନ ଯୋଜନ ଦୂରେ, ତୁମ ଘର,
ମିଣିଷର ଅପହଞ୍ଚ ସହରରେ ।
