ବୟସ ହେବାରୁ ରୋଗ ମାଡ଼ିଆସେ
କାଶଟା କମୁନି ଯମା
ବୋହୂ ମାଆ କହେ ଔଷଧ ଖାଇକି
ଦିନକ ଭିତରେ କମା ।
ଖୁଁ ଖୁଁ କରି ସାରା ରାତି ତୁମେ
ମିଛଟାରେ କାଶି ହୁଅ
ତୁମକୁ ନକହି ମୋହରି ଉପରେ
ରାଗୁଛନ୍ତି ତୁମ ପୁଅ ।
କେତେଦିନ ଆଉ ତୁମ ଦାଉ ବାପା
ସହୁଥିବୁ ଆମେ ଦୁହେଁ
ଶାନ୍ତିରେ ଟିକିଏ ରହିବାକୁ ଦିଅ
ଆଉ ନୁହେଁ ଆଉ ନୁହେଁ ।
ଇଏ କହୁଥିଲେ ଜରାଶ୍ରମ ଦେଖି
ବାପାଙ୍କୁ ଆସିବା ଛାଡ଼ି
ଧୀରେ ଧୀରେ ତୁମ ଜିନିଷ ସଜାଡ଼
ଗଣ୍ଠିଳି ଭିତରୁ କାଢ଼ି ।
ଏଠିବା କିଏସେ ଦେଖିବ ତୁମକୁ
ସମୟ ଆମର କାହିଁ
ହଇରାଣ କିଆଁ ମିଛଟାରେ ହେବ
ନିଜ ପୁଅବୋହୂ ପାଇଁ ?
ଜରା ନିବାସରେ ତୁମଭଳି କେତେ
ବୁଢ଼ା ମିଳିଯିବେ ସାଥି
ସେଇଠି ବସିକି ଦୁଃଖ ସୁଖ ହେବ
କାଶି କାଶି ସାରା ରାତି ।
ବୋହୂ ମାଆ କଥା ଶୁଣିକି ବୁଢ଼ାର
ଆଖି ଲୁହ ଆସେ ଝରି
ଦୀର୍ଘଶ୍ୱାସ ଛାଡ଼ି ହାତ ଟେକି କହେ
ଏବେ ମୋ ଭରସା ହରି ।
