ଛୋଟ ବୀଜଟିଏ ଅଙ୍କୁରିତ ହୋଇ
ହୋଇଥାଏ ମହାଦ୍ରୁମ
ଛୋଟ ଜୀବଟିଏ ପିମ୍ପୁଡ଼ି ପାଇଁକି
ହାତୀ ଭାବିଥାଏ ଯମ ।
ଛୋଟ କେତେ ଜଳ ବିନ୍ଦୁ ମିଶି ଶେଷେ
ରଚିଥାନ୍ତି ପାରାବାର
ଛୋଟ ଦିଆସିଲି କାଠି ଖଣ୍ଡେ କ୍ଷଣେ
ବନ କରେ ଛାର ଖାର ।
ଛୋଟ ପୋକଟିଏ ଖଦ୍ୟୋତ ରାତିକୁ
କରିଥାଏ ଆଲୋକିତ
ଛୋଟ ମହୁମାଛି ଫୁଲେ ଫୁଲେ ବସି
ସଞ୍ଚିଥାଏ ଅମୃତ ।
ଛୋଟ କୋଇଲିଟି ଗଛର ଊହାଳେ
ଦିଏ ବସନ୍ତ ସନ୍ଦେଶ
ଛୋଟ ବିଛାଟିଏ କାଟିଦେଲେ ପାଦେ
ମହା ପ୍ରବଳ ତା ବିଷ ।
ଛୋଟ ବୋଲି କେବେ ଭାବନି କାହାକୁ
କେହି ନୁହେଁ ଶ୍ରୀହୀନ
ଛୋଟ ମଧ୍ୟେ ଥିବା ଲୁକ୍କାୟିତ ଶକ୍ତି
କରେ ତାକୁ ମହୀୟାନ ।