ଶ୍ରାବଣ ମାସ । ଝଡି ବର୍ଷା ହେଉଥାଏ । ଠିକ୍ ତୁମ ଭଳି ଜଣେ ଆଠ ଦଶ ବର୍ଷର ପିଲା ବିଦ୍ୟାଳୟକୁ ତରତରରେ ପଢ଼ିବାକୁ ଯାଉଥାଏ । ରାସ୍ତାଟି ପାଣି ଓ କାଦୁଅରେ ଭରି ଯାଇଥିଲା । ପିଲାଟିର ଗୋଡ଼ କାଦୁଅରେ ଖସିଗଲା ଓ ସେ ପଡ଼ିଗଲା । ତାର ପିନ୍ଧିଥିବା ବସ୍ତ୍ର ପାଣି କାଦୁଅରେ ସରସର ହୋଇଗଲା । ତଥାପି ସେ ଖାତିର ନ କରି ବିଦ୍ୟାଳୟରେ ଯାଇ ପହଞ୍ଚିଲା ।
ବିଦ୍ୟାଳୟରେ ଗୁରୁଜୀ ପିଲାଟିକୁ ଦେଖି ପଚାରିଲେ “ତୋର କ’ଣ ହେଲା ? ଆସିଲା ବାଟରେ ତୋତେ କିଏ ଠେଲି ଦେଲା କି ?” ଇତ୍ୟାଦି ଇତ୍ୟାଦି । ପିଲାଟି ଧୀର ସ୍ୱରରେ ରାସ୍ତାରେ ତରତରରେ ଆସିବା ଯୋଗୁଁ ପଡ଼ିଗଲି ବୋଲି କହିଲା ।
ପିଲାଟି ଏକଥାକୁ ମନରେ ରଖିଥାଏ । କିଛି ମାସ ପରେ ଦଶହରା ଛୁଟିବେଳ ଆସିଲା । ଏତିକି ବେଳେ ସେ ଗାଆଁର ସାଙ୍ଗ ସାଥୀଙ୍କୁ ମେଳ କଲା । ସମସ୍ତେ ମିଶି ରାସ୍ତାର ଖାଲ ଖମା ସବୁ ମାଟି ଗୋଡ଼ି ପକାଇ ସମତୁଲ କରିଦେଲେ । ଗାଆଁ ଲୋକେ ପିଲାଙ୍କର ଏ କାମ ଦେଖି ପ୍ରଶଂସା ନ କରି ରହି ପାରିଲେ ନାହିଁ ।
କଥାଟା ଏ କାନରୁ ସେ କାନ ଯାଇ ଶେଷରେ ଗୁରୁଜୀଙ୍କ ନିକଟରେ ପହଞ୍ଚିଲା । ଗୁରୁଜୀ ପିଲାଙ୍କୁ ଡକାଇ ଶିଶୁସଭା କଲେ । ସେଠାରେ ସେହି ପିଲା ଓ ତା ଦଳକୁ ପ୍ରଶଂସା କଲେ । ସମ୍ବର୍ଦ୍ଧନା ଦେଲେ । କହିଲେ ” ଆମେ ସେ ଭଳି ଭଲ କାମ କଲେ ଦୁନିଆରେ ଦିନେ ନିଶ୍ଚେ ବଡ଼ ହେବା ।”
ସତକୁ ସତ ସେ ପିଲାଟି ଦିନେ ବଡ଼ ଲୋକ ହୋଇ ମଧୁ ବାରିଷ୍ଟର ବୋଲାଇଲା । ଲୋକେ ତାଙ୍କୁ ଶ୍ରଦ୍ଧାରେ ଉତ୍କଳ ଗୌରବ ମଧୁସୂଦନ ଦାସ ବୋଲି କହିଥାନ୍ତି । ସାଧାରଣ ଓଡ଼ିଆ ମାନଙ୍କ ଦୁଃଖ ଦେଖି ତାଙ୍କ ପ୍ରାଣ କାନ୍ଦୁଥିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କ ପ୍ରମୁଖ ଭୂମିକା ଥିଲା । ସେ ଏକାଧାରରେ ଜଣେ ରାଜନୀତିଜ୍ଞ, ସମାଜସେବୀ, ଓକିଲ ଓ ଶିଳ୍ପପତି ଥିଲେ । ସେ ଓଡ଼ିଶାର ପ୍ରଥମ ଏମ.ଏ. ପଢ଼ା ଓକିଲ ଓ ବିଲାତଯାତ୍ରୀ । ସେ ଠିକ୍ ତମଭଳି ପିଲାଟିଏ ଥିଲେ ।