ରହସ୍ୟ

ହୋମି ଜାହାଙ୍ଗୀର ଭାଭାଙ୍କୁ ମାରିଥିଲା କିଏ ?

Shraddhananda Moharana's Odia Prose Homi Jehangir Bhabhanku marithila kie ?

ଭାରତ ସରକାରଙ୍କ ସହମତି ପ୍ରାପ୍ତରୁ ଠିକ ଅଠର ମାସ ଅବଧି ମଧ୍ୟରେ ସେ ପରମାଣୁ ବୋମା ବନାଇପାରିବେ

This is Air India Flight 101, departing to Geneva. Please, wear your seat belts.

୨୪ ଜାନୁୟାରୀ ୧୯୬୬ ମସିହାରେ ଏୟାର ଇଣ୍ଡିଆ ବିମାନ -୧୦୧ ବମ୍ବେରୁ ଜେନେଭା ଅଭିମୁଖେ ଯାତ୍ରା କରିଥିଲା । କିନ୍ତୁ ବିମାନ ଜେନେଭାରେ ପହଞ୍ଚିବା ପୂର୍ବରୁ ମଣ୍ଟ ବ୍ଳାଙ୍କର ବରଫ ଆଚ୍ଛାଦିତ ପର୍ବତ ନିକଟରେ ଏହି ବିମାନରେ ଏକ ଭୟଙ୍କର ଧରଣର ବିସ୍ଫୋରଣ ଘଟିଥିଲା । ବିମାନରେ ଯାତ୍ରା କରୁଥିବା ୧୧୭ ଯାତ୍ରୀଙ୍କ ମୃତଦେହ ସେହି ତୁଷାର ପର୍ବତଗୁଡିକର ଆଢୁଆଳରେ କେଉଁ ଆଡେ ଖଣ୍ଡ ବିଖଣ୍ଡିତ ହୋଇ ଲୀନ ହୋଇ ଗଲା । ଏହା ସମଗ୍ର ବିଶ୍ୱ ପାଇଁ ଏକ ହୃଦୟ ବିଦାରକ ଘଟଣା ଥିଲା, କିନ୍ତୁ ଘଟଣା ସ୍ଥଳଠାରୁ ବହୁ ଦୂରରେ ଆମେରିକାର ଗୁପ୍ତଚର ସଂସ୍ଥା ସି.ଆଇ.ଏ. ମୁଖ୍ୟାଳୟରେ ଏକ ଉତ୍ସବମୁଖର ପରିବେଶ ଥିଲା । ସି.ଆଇ.ଏ. ର ଡେପୁଟି ଡାଇରେକ୍ଟର ରବର୍ଟ ଟ୍ରମ୍ବୁଲ କ୍ରୋଲେ (Robert Trumbull Crowley) ଙ୍କ ମୁହଁରେ ଏକ ନିଷ୍ଠୁର ବିଜୟୀ ହସ ଥିଲା । ଏବଂ ସେହି ହସର କାରଣ ହେଉଛି ସେହି ଗୋଟିଏ ନାମ ଯାହା ଏୟାର ଇଣ୍ଡିଆ ବିମାନ -୧୦୧ ର ଯାତ୍ରୀ ତାଲିକାରେ ଥିଲା । ସେହି ନାମ ଡଃ ହୋମି ଜାହାଙ୍ଗୀର ଭାଭା , ଯିଏ ଭାରତର ଆଣବିକ କାର୍ଯ୍ୟକ୍ରମର ଜନକ ଭାବରେ ଜଣାଶୁଣା ।

ପ୍ରସିଦ୍ଧ ଆଣବିକ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାଭା, ଆଡାମ୍ସ ପୁରସ୍କାର (୧୯୪୨) ଏବଂ ପଦ୍ମ ଭୂଷଣ (୧୯୫୪) ପରି ପୁରସ୍କାର ପ୍ରାପ୍ତ ଏବଂ ୧୯୫୧ ରେ ତଥା ପୁନଃ ୧୯୫୩–୧୯୫୬ ରେ ନୋବେଲ ପ୍ରାଇଜ ପାଇଁ ଚୟନ ହୋଇଥିଲେ । ଭାଭା ୩୦ଅକ୍ଟୋବର, ୧୯୦୯ରେ ବ୍ରିଟିଶ ଇଣ୍ଡିଆର ବମ୍ବେ ପ୍ରେସିଡେନ୍ସିର ଏକ ସମୃଦ୍ଧ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଲଣ୍ଡନରୁ ନିଜ ପାଠପଢ଼ା ସାରି ଭାରତ ଫେରିଥିବା ଭାଭାଙ୍କ ଭେଟ ଥରେ ଡଃ. ସି ଭି ରମଣଙ୍କ ସଙ୍ଗେ ହୁଏ ଏବଂ ସେହି ଭେଟ ହିଁ ଭାଭାଙ୍କ ଜୀବନର ଲକ୍ଷ ବଦଳାଇ ଦେଇଥିଲା । ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ସେ ନିଜ ଦେଶରେ ରହିବାକୁ ଏବଂ ରାଷ୍ଟ୍ରହିତରେ କିଛି ବଡ କରିବାକୁ ସଂକଳ୍ପ ନେଇଥିଲେ। ଭାରତରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ର ସ୍ଥାପନା କେବଳ ଭାଭାଙ୍କ ଉଦ୍ୟମ ହେତୁ ସମ୍ଭବ ହୋଇଥିଲା।

୨୪ ଜାନୁୟାରୀ ୧୯୬୬ରେ, ଭିଏନା ରେ ଆୟୋଜିତ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଆୟୋଗର ବୈଠକରେ ଯୋଗଦେବା ପାଇଁ ଏୟାର ଇଣ୍ଡିଆ ବିମାନ ୧୦୧ରେ ଯାତ୍ରା କରିଥିଲେ । ସେ ସମୟରେ ବମ୍ବେରୁ ଭିଏନାକୁ ସିଧାସଳଖ ବିମାନର ବନ୍ଦୋବସ୍ତ ନଥିଲା, ଏବଂ ଭିଏନା ଯାଉଥିବା ଲୋକଙ୍କୁ ଜେନେଭାରେ ବିମାନ ବଦଳାଇବାକୁ ପଡୁଥିଲା । ବମ ବିସ୍ଫୋରଣ କରାଇ ନଷ୍ଟ କରାଯାଇଥିବା ଏହି କାଞ୍ଚନଜଙ୍ଗା ବିମାନ ଏକ ବୋଇଙ୍ଗ ୭୦୭ । ଏହି ଦୁର୍ଘଟଣାରେ ନିହତ ହୋଇଥିବା ଲୋକଙ୍କର ଶବ ମଧ୍ୟ ମିଳିଲା ନାହିଁ । ଏପରିକି ବିମାନର ବ୍ଲାକ ବକ୍ସର ମଧ୍ୟ ଖୋଜ ଖବର ମିଳି ନଥିଲା ।

ଫ୍ରାନ୍ସ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଟିରେ ବିମାନ ଦୁର୍ଘଟଣା ଉପରେ ଦାଖଲ ହୋଇଥିବା ରିପୋର୍ଟରେ ଏକ ଭୁଲ ବୁଝାମଣା ଏହି ଘଟଣାର ମୁଖ୍ୟ କାରଣ ବୋଲି ଦର୍ଶାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଦୁର୍ଘଟଣାର କିଛି ମିନିଟ୍ ପୂର୍ବରୁ ବିମାନର ପାଇଲଟ୍ ଜେନେଭା ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଯେ ବିମାନରେ ସବୁକିଛି ଠିକ୍‌ ଅଛି ଏବଂ ବିମାନଟି ସମୁଦ୍ର ପତ୍ତନଠାରୁ ୧୯୦୦୦ ଫୁଟ ଉଚ୍ଚରେ ଉଡୁଛି। ସମୁଦ୍ର ପତ୍ତନ ଠାରୁ ୧୯୦୦୦ ଫୁଟ ଉଚ୍ଚରେ ଉଡ଼ିବାର ଅର୍ଥ ହେଉଛି ବିମାନଟି ମଣ୍ଟ ବ୍ଳାଙ୍କର ସର୍ବୋଚ୍ଚ ଶିଖରରୁ ୩୦୦୦ ଫୁଟ ଉପରେ ଉଡୁଛି

ଏପରି ପରିସ୍ଥିତିରେ ବିମାନଟିର ପର୍ବତ ସହିତ ଧକ୍କା ହେବାର ପ୍ରଶ୍ନ ହିଁ ନଥିଲା। କିନ୍ତୁ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର କୌଣସି ବିରୋଧ ନକରି ଫ୍ରାନ୍ସ ଅନୁସନ୍ଧାନ କମିଟି ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟକୁ ଚୁପଚାପ୍ ଗ୍ରହଣ କରିଥିଲେ । ମାତ୍ର ୫୬ ବର୍ଷ ବୟଷରେ ବିଲକ୍ଷଣ ପ୍ରତିଭାର ଧନୀ ଏହି ବୈଜ୍ଞାନିକ ଭାରତକୁ ଛାଡ଼ି ଚାଲିଯାଇଥିଲେ । ହୋମି ଜାହାଙ୍ଗୀର ଭାଭାଙ୍କ ମୃତ୍ୟୁ ପରମାଣୁ ବମ ବନାଇବା ଭାରତର ସ୍ୱପ୍ନକୁ ବହୁବର୍ଷ ପଛକୁ ଠେଲିଦେଇଥିଲା ।

୨୦୦୮ମସିହାରେ ପ୍ରକାଶିତ ପୁସ୍ତକ କନଭରସେସନ୍ସ ୱିଥ ଦି କ୍ରୋ, ଲେଖକ ଗ୍ରେଗୋରୀ ଡଗ୍ଳାସ୍‌ (Conversations With The Crow by Gregory Douglas) ହୋମି ଜାହାଙ୍ଗୀର ଭାଭାଙ୍କ ମୃତ୍ୟୁର ସତ୍ୟତାକୁ ବିଶ୍ୱ ସାମ୍ନାରେ ଆଣିଥିଲା । ଏହି ପୁସ୍ତକରେ ପ୍ରକାଶିତ ଏକ ବାର୍ତ୍ତାଳାପରେ, ସି.ଆଇ.ଏ.ର ପୂର୍ବତନ ଅଧିକାରୀ ରବର୍ଟ ଟ୍ରମ୍ବୁଲ କ୍ରୋଲେ ସାମ୍ବାଦିକ ଗ୍ରେଗୋରୀ ଡଗଲାସ୍‌ଙ୍କ ଆଗେ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ ୨୪ ଜାନୁୟାରୀ, ୧୯୬୬ ର ଏହି ବିମାନ ଦୁର୍ଘଟଣାରେ ସି.ଆଇ.ଏ.ର ହାତ ଥିଲା ଏବଂ ଏହା କେବଳ ହୋମି ଜାହିର ଭାଭାଙ୍କୁ ହତ୍ୟା କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଭାରତର ପାରମାଣୁ କାର୍ଯ୍ୟକ୍ରମଗୁଡିକର ଅଗ୍ରଗତି ଆମେରିକାକୁ କାଣିଚାଏ ବି ପସନ୍ଦ ନ ଥିଲା । ୮ ଅକ୍ଟୋବର୧୯୬୪ ଲଣ୍ଡନରେ, ଭାଭା ଏହା ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ଆଉ ସେ ଘୋଷଣାଟି ଥିଲା ଯେ ଭାରତ ସରକାରଙ୍କ ସହମତି ପ୍ରାପ୍ତରୁ ଠିକ ଅଠର ମାସ ଅବଧି ମଧ୍ୟରେ ସେ ପରମାଣୁ ବୋମା ବନାଇପାରିବେ । ଏହି ଘୋଷଣାକୁ ଶୁଣିବା ପରେ ଆମେରିକାର ପାଦ ତଳ ମାଟି ଖସିଯାଇଥିଲା, ହୋସ ଉଡିଯାଇଥିଲା, ଆମେରିକା ନିଜକୁ ବିଶ୍ୱରେ ଏକ ସୁପର ପାୱାର୍ ଭାବରେ ପ୍ରତିଷ୍ଠିତ କରିବାକୁ ଚାହିଁଲା ଏବଂ ଏହାର ସୁପର ପାୱାର୍ ସ୍ଥିତିକୁ ଚ୍ୟାଲେଞ୍ଜ କରିବାକୁ ଯେଉଁ ଦେଶ ବି ଚେଷ୍ଟା କଲା ସେହି ଦେଶ ବିରୁଦ୍ଧରେ ବହୁତ ଘୃଣ୍ୟ ଏବଂ କ୍ରୁର ଷଡ଼ଯନ୍ତ୍ର କରିଥିଲା । ଭାଭାଙ୍କ ବ୍ୟତୀତ ଏୟାର ଇଣ୍ଡିଆର ସେହି ବୋଇଙ୍ଗ ବିମାନରେ ୧୧୬ଜଣ ନିରୀହ ଲୋକ ମଧ୍ୟ ଥିଲେ, କିନ୍ତୁ ସି.ଆଇ.ଏ. ସେହି ନିରୀହ ଲୋକଙ୍କୁ ହତ୍ୟା କରିବାକୁ ମଧ୍ୟ ପଛେଇଲା ନାହିଁ ।

ପୁସ୍ତକରେ ପ୍ରକାଶ ବାର୍ତ୍ତାଳାପରେ ରବର୍ଟ ଟ୍ରମ୍ବୁଲ କ୍ରୋଲେ ମଧ୍ୟ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ ଭାଭାଙ୍କୁ ଆମେରିକା ଅନେକ ଥର ଧମକ ଦେଇଥିଲା କିନ୍ତୁ ଦେଶପ୍ରେମୀ ହୋମି ଜାହାଙ୍ଗୀର ଭାଭା ଏହି ଧମକକୁ ଅଣଦେଖା କରି କହିଥିଲେ ଯେ ବିଶ୍ୱର କୌଣସି ଶକ୍ତି ଭାରତକୁ ଏକ ମହାଶକ୍ତି ହେବାକୁ ଅଟକାଇ ପାରିବ ନାହିଁ ୧୯୬୫ ମସିହାରେ ପାକିସ୍ତାନ ସହିତ ଯୁଦ୍ଧ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ମଧ୍ୟ ଭାରତର ସୁରକ୍ଷାକୁ ନେଇ ଚିନ୍ତାର ବିଷୟ ପାଲଟିଥିଲେ ଦେଶର ସୁରକ୍ଷା ପ୍ରତି ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଲାଲ ବାହାଦୂର ଶାସ୍ତ୍ରୀ ତାଙ୍କ ପରମାଣୁ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୧୧ ଜାନୁୟାରୀ ୧୯୬୬ରେ ତାସକେଣ୍ଟରେ ଶାସ୍ତ୍ରିଜୀଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ହତ୍ୟା, ଯାହା ଭାଭାଙ୍କ ହତ୍ୟାର ଠିକ୍‌ ୧୩ ଦିନ ପୂର୍ବରୁ ହୋଇଥିଲା । ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ଦୁଇଟି ହତ୍ୟାକୁ ଏକତ୍ରିତ କରି ଦେଖାଯାଏ । ଭାଭାଙ୍କ ଶରୀର ମଣ୍ଟ ବ୍ଳାଙ୍କର ବରଫ ପାହାଡରେ କେଉଁଠି ବିଲୀନ ହୋଇଯାଇଥିଲା କିନ୍ତୁ ଭାରତୀୟ ବୈଜ୍ଞାନିକ ମାନେ ତାଙ୍କ ସ୍ୱପ୍ନକୁ ଚୁରମାର ହେବାକୁ ଦେଇ ନ ଥିଲେ । ବୈଜ୍ଞାନିକ ରାଜା ରମନା ଏବଂ ହୋମି ସେଠନା ୧୮ ମେ ୧୯୭୪ ମସିହାରେ ଭାରତର ପ୍ରଥମ ସଫଳ ଆଣବିକ ପରୀକ୍ଷଣ କରି ହୋମି ଜାହାଙ୍ଗୀର ଭାଭାଙ୍କ ସ୍ୱପ୍ନକୁ ପୂରଣ କରିଥିଲେ ଯେଉଁ ଆଖି ଭାରତକୁ ଏକ ପରମାଣୁ ସମ୍ପନ୍ନ ବିକଶିତ ରାଷ୍ଟ୍ର ଭାବେ ସ୍ୱପ୍ନ ଦେଖିଥିଲେ ସେ ଆଖି ନ ଥିଲେ ଭାରତର ଏ ଅଗ୍ରଗତି ଦେଖିବା ପାଇଁ ହେଲେ କୃତଜ୍ଞ ରାଷ୍ଟ୍ର ମଧ୍ୟ ସେହି ଅସମ୍ଭବ ପରି ଲାଗୁଥିବା ସ୍ୱପ୍ନକୁ ଦେଖିଥିବା ବୈଜ୍ଞାନିକକୁ ସମ୍ମାନିତ କରିଥିଲେ । ଚୋୖବେରେ ସ୍ଥିତ ଆଟମିକ ରିସର୍ଚ୍ଚର ନାମ ପରିବର୍ତ୍ତନ କରାଇ ଜାହାଙ୍ଗୀର ଭାଭାଙ୍କ ନାମରେ ନାମିତ କରାଇ ଭାଭା ଆଟମିକ ରିସର୍ଚ୍ଚ କରିଦେଲା । ଭାଭା ଆଟମିକ ରିସର୍ଚ୍ଚ ସେଣ୍ଟର ଗୋଟେ ସ୍ମାରକ ହୋଇ ଆଜି ପର୍ଯ୍ୟନ୍ତ ନ୍ୟୁକ୍ଳିଅର ବିଜ୍ଞାନ ଗଭେଷଣା କ୍ଷେତ୍ରରେ ଅଗ୍ରଣୀ ଭୂମିକା ସମ୍ପାଦନ କରୁଛି ।

ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ସମଗ୍ର ବିଶ୍ୱ ସାମ୍ନାରେ ଉଚ୍ଚ ସ୍ୱରରେ ଘୋଷଣା କରୁଛି ଯେ ଭାରତ ଆଣବିକ ଶକ୍ତିରେ ପରିପୂର୍ଣ୍ଣ ଦେଶ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top