କବିତା

ପୁନଶ୍ଚ ସୂର୍ଯ୍ୟୋଦୟ

Brundabana Das's odia poem Punascha Suryodaya

ଅର୍ଥ ନୁହେଁ ଶେଷର ପହଞ୍ଚାଣ
ଭାଙ୍ଗିଯିବାର ସୂଚନାଙ୍କ !

ପୁନଶ୍ଚ ସୂର୍ଯ୍ୟୋଦୟ

ସବୁଠୁଁ ଭଲ ହେବ
ମନକୁ ବୁଝେଇ ଦିଅ କିଛି ଶେଷ ହୋଇନି
ଯେଉଠି ଅଛେ ଯେପରି ଅଛେ
ତାହା ଆରମ୍ଭର କେଉଁ ବିନ୍ଦୁ
ଦେଖବାକୁ ବାକି ଅଛି ଅମାନିଶି ପରେ
ନୂଆ ସକାଳର
ଗୋଟେ ପରେ ଗୋଟେ ସୂର୍ଯ୍ୟୋଦୟ ।

ପୂର୍ବାପର ସମ୍ପର୍କକୁ ଯୋଡିଯାଡ଼ି
ଆଲୁଅ ଅନ୍ଧାର ଲୁଚକାଳି ଭିତରେ
ଚାଲିବାକୁ ହେବ
ରୀତିମତ ଏଇମାତ୍ର ସଦ୍ୟ
କଅଁଳ ବିଶ୍ଵାସର ଦୃଢ ମନସ୍କତାରେ ।

ଅପେକ୍ଷା କରେନି ରାତି ଦିନ ଦୁଃଖ ସୁଖ
ଅଟକି ଯାଏନି ସମୟ
ଭରପୂର ଘଟଣାର ପ୍ରଗଳ୍ଭ ବାର୍ତ୍ତାଳାପରେ;
ଉଜୁଡ଼ି ଯାଏନି ରଙ୍ଗ ଆକାଶର
କି ଝଡି ପଡନ୍ତିନି ତାରଫୁଲ ନିଶା ଗର୍ଜନରେ
ଯିଏ ଯେଉଁଠି ଥାଏ ସେମିତି ଥାଏ ।

ସ୍ୱପ୍ନ ନିଶାଣରେ ଲୁହ ଝାଳ ଏକ କରି
କମେ ନାହିଁ ଦୌଡ ଯେଣୁ
କେମିତି କହିବା କୁହ
ଟିକେ ଅଟକିଯିବା କାହିଁ କେଉଁଠାରେ
ଅର୍ଥ ନୁହେଁ ଶେଷର ପହଞ୍ଚାଣ
ଭାଙ୍ଗିଯିବାର ସୂଚନାଙ୍କ !

ମନକୁ ବୁଝେଇ ଦେବାକୁ ହେବ
ରାତି ପାହିଲେ ଭେଟ ହେବ ଯଦି କାହା ସଙ୍ଗେ
ସିଏ ଝଡ଼, ସୂର୍ଯ୍ୟାଲୋକର ନିଷ୍ଠୁର ଉଷ୍ଣତା
ଦରଜା ଖୋଲିଲେ ବସିଥିବ ସଙ୍ଖୋଳିବାକୁ
ସିଏ କେବେ ପାଖ ଛାଡୁନଥିବା ଦୁଃଖ
ପ୍ରୀତିର ଅର୍ଘ୍ୟର ବାଟ କାଢିନେଉଥିବ
ବିଶ୍ୱସ୍ତ ବନ୍ଧୁ ହୋଇ ବେସାଳିସ୍‌ ମତ୍‌ଲବ୍‌ରେ ।

କାହିଁକି ଧନ୍ଦିହେବ କୁହ
ସରିଗଲା ସରିଗଲା
ସବୁ ସରିଗଲା ହୃଦୟ କମ୍ପନରେ
ଭଲ କି ଆଖି ମଳିଦେଲେ ହଟି ଯାଉଥିବା
ପ୍ରତି ପରଦାର ଭିନ୍ନ ଭିନ୍ନ ଦୃଶ୍ୟରେ
ନିଶ୍ଚୟ ଚାଲିବାକୁ ହେବ କେଉଁଟି ରାସ୍ତାଟିଏ ଥିବ
ହେଉ ପଛେ ବନ୍ଧୁର କଣ୍ଟକିତ ପାଦଚଲା ରାସ୍ତା ।

ଶେଷ ହି କହିଦିଏ – ଶେଷ ଖାଲି
କେଉ ଅନ୍ଧ ଅରମାରେ ଛପି ବସିଥିବା
ଗୋଟେ ଅଶରୀରି ଭୂତ
ଗୋଟେ ଅବିଶ୍ଵସ୍ତ ମିଛ ଅନୁଭବ ମୁସ୍କିଲ ଡରାଣ
ତା’ ଥାଉ କି ଘଟୁ
ଗ୍ରହଣ କରି ନିଅ ତା’କୁ କ’ଣ ଗୋଟେ
ପ୍ରକ୍ରିୟା ଭାବି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top